Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanuja Meghamala

Abstract

4.9  

Sanuja Meghamala

Abstract

ମାଣିକ ଅପା

ମାଣିକ ଅପା

5 mins
685



ଏବେ ବର୍ଷା ଦିନ ଚାଲିଛି ।ଆଷାଢ଼ମାସ ସରିଲାଣି । ଅଥଚ ଆକାଶ ରେ କାହିଁ କେଉଁଠି ଲଗାଣ ଝଡି ବର୍ଷା ର ଚିହ୍ନ ଜଣା ପଡୁନି ।କେବେ କେମିତି ଅଚାନକ ଅସରାଏ ମେଘ ଘଡଘଡି ସହ ବରଷି ଯାଉଚି ପୁଣି ଯେଉଁ ଖରାକୁ ସେହି ଖରା।ପାଗକୁ ବୁଝିବା ମୁସ୍କିଲ।


                     ହଠାତ୍ ଗୋଟେ ଜରୁରୀ କାମରେ ଘରୁ ବାହାରି ଗଲା ବେଳେ ତରବରରେ ଛତାଟା ନେବାକୁ ଭୁଲି ଯାଇଥିଲି।କୁଆଡୁ କେଜାଣି ଆସିଲା ଏ କଳାହାଣ୍ଡିଆ ମେଘ,ପବନଟା ଯେମିତି ଉଡ଼େଇ ନବ । ତା ସହିତ ତାଳ ଦେଇ ବିଜୁଳି ଘଡଘଡି । ଚାଲିବା ଏକଦମ୍ ଅସମ୍ଭବ ହୋଇପଡ଼ିଲା। ବାଧ୍ୟ ହୋଇ ଗଛଟା ତଳେ ନିଜକୁ ଘୋଡେଇ ହୋଇ ଠିଆ ହେଲି ।ଦୋକାନଟେ କୋଷେ ଦୂର ଯାଏ ଦିଶୁନି ଯାହା କେବଳ ଘର ଗୁଡ଼ିକ । କେଉଁଠି ସାହାଯ୍ୟର ଆଶା  କରିବା ନିହାତି ବୋକମୀ ।


        ହଠାତ୍ ମଧ୍ୟ ବୟସ୍କା ମହିଳା ଜଣେ ଗେଟ୍ ଖୋଲି ଛତା ଟିଏ ଧରି ପାଖରେ ପହଞ୍ଚି ଗଲେ ।ମୋ ମୁଣ୍ଡ ଉପରେ ଛତାଟି ରଖିଦେଇ ହସ ହସ ମୁହଁରେ କହିଲେ,ଆଜ୍ଞା ଓଦା ହେଇଯାଉଛନ୍ତି ଭିତରକୁ ଆସନ୍ତୁ ବର୍ଷାଟା ଛାଡ଼ି ଗଲେ ଯିବେ।ମୁଁ କେମିତି ଆଶ୍ଚର୍ଯ୍ୟ ହୋଇଗଲି ,ଆଜିକାଲି ଏହା କଣ ସମ୍ଭବ ! ନିଜର ପରିଚିତ ଲୋକମାନେ ଘର ଆଗରେ କଥା କହି ବାଟେଇ ଦେଉଛନ୍ତି ସାଧାରଣ ଔପଚାରିକତା ଦୃଷ୍ଟିରୁ ଥରୁଟିଏ ଡାକିବା ବି ଉଚିତ ମନେ କରୁନାହାନ୍ତି । ଦ୍ଵିତୀୟ କଥା ଭୟ ବି ହେଲା ବିଶ୍ୱାସ କରିବି ନା ନାହିଁ। ଏବେ କାହା ଉପରେ ଆଖିବୁଜି ବିଶ୍ୱାସ କରି ହୁଏନି ତଥାପି ନିଜ ଉପରେ ଆଖି ବୁଲେଇ ନେଲି ଫୋନଟା ବ୍ୟତୀତ କିଛି ଦାମୀ ଜିନିଷ ପାଖରେ ନ ଥିଲା । ମୋ  ଧିମା ଚାଲି ଥ..ଥ..ମ..ମ.. ଭାବ ଦେଖି ସେ ପୁଣି ଥରେ ଡାକିଲେ। ତାଙ୍କ ଭିତରେ ଆପଣାର ଭାବ ଥିଲା । କି ଆତ୍ମିୟତା ସତେ ! ବହୁ ଦିନର ଚିହ୍ନା ଚିହ୍ନା ପରି ଲାଗିଲେ ଆଉ ମୁଁ ମୋ ମନ ଭିତରେ ସେ ମୁହଁ ଟାକୁ ସାଉଁଟି ପକେଇଲି।ନିର୍ଦ୍ଦିଷ୍ଟ କିଛି ପରିଚୟଟେ ପାଇପାରିଲିନି।ଅନେକ ଚିହ୍ନା ଅଚିହ୍ନା ମୁଁହ ବେଳେ ବେଳେ ଏକା ପରି ଲାଗନ୍ତି । ବାଧ୍ୟ ଶିଶୁଟେ ପରି ତାଙ୍କ ପଛରେ ଯାଉ ଯାଉ କହିଲି , ଚେଆରଟେ ବାହାରେ ଦିଅନ୍ତୁ ବସିବି ଘରଟା ପୁରା ଓଦା ହେଇଯିବ। ଗେଟ୍ ଖୋଲି ପଶିଲା ବେଳକୁ ଶବ୍ଦଟେ ଶୁଣିଲି, ଲଙ୍କାରେ ହରି ଶବ୍ଦ ପରି..ଆରେ"ମାଣିକ"ବାହାରେ ବହୁତ୍ ବର୍ଷା କୁଆଡେ ଯାଇଚ। ହଠାତ୍ ସେହି ମାଣିକ ଡାକରେ ମୋ ପାଦଟା ସେଇଠି ଅଟକି ଗଲା,ଛାତି ଭିତରେ ଯେମିତି ନିଃଶ୍ୱାସ ବନ୍ଦ ହେଇଗଲା ପରି ଲାଗିଲା । ଶୈଶବରୁ ଯୌବନ...ଯୌବନରୁ....ଆଜି ଯାଏଁ,ଯେଉଁ ନାଆଁଟା ମୋତେ ବିଦୀର୍ଣ୍ଣ କରୁଥିଲା ଆଜି ସେହି ନାଆଁ ଟା ମୋ କାନରେ ପ୍ରତିଧ୍ୱନି ସୃଷ୍ଟି କରୁଛି।


ନିଜକୁ ସାନ୍ତ୍ବନା ଦେଲି ହଁ ଏମିତି ନା ବହୁ ଜଣଙ୍କର ଅଛି। କିନ୍ତୁ ମୁଁହ ଉଠାଇ ଉପରକୁ ଚାହିଁ ଦେଇ ଆଶ୍ଚର୍ଯ୍ୟ ଚକିତ ସ୍ୱରରେ ଆସ୍ତେ ଉଚ୍ଚାରଣ କଲି ବା.. ...ସୁ..... ଭା..... ଇ।

ମହିଳା ଜଣକ(ମାଣିକ ଅପା) ପଛକୁ ବୁଲି ପଡି ଚାହିଁଲେ ଏବଂ କହିଲେ ତମେ କିଏ?ତାଙ୍କୁ କେମିତି ଜାଣିଲ? ମୁଁ ହସିକି କହିଲି ..... ବାସୁଭାଇଙ୍କ ଡାହାଣ ଗାଲରେ ଥିବା ବଡ଼ କଳା ଜାଇ ଟା।ଛୁଆ ବେଳେ କେତେ ଭିଡିଚି କଳା ଦାଗଟେ ବୋଲି ତ କେବେ ମାଛି ବସିଚି ବୋଲି ପୁଣି ଚଟକଣା ମାରିଚି, ଆଉ ସେଥିପାଇଁ ବୋଉ ଠାରୁ ଗାଳି ମାଡ଼ ବି ଖାଇଛି କେମିତି ଭୁଲିବି? ତା ମାନେ ମିଲି ତୁ… ତୁ ଆମ ମିଲି ଦି ଜଣ ଯାକ ଏକାବେଳେ କହି ଉଠିଲେ।ୟା ଭିତରେ ଏତେ ବଡ଼ ହେଇ ଗଲୁଣି।ମୁଁ ମାଣିକ ଅପା ବେକ ରେ ସେମିତି ଝୁଲି ପଡ଼ିଲି ଯେମିତି ଛୁଆଦିନେ ଝୁଲୁ ଥିଲି ଆଉ ସେ ମୋତେ ଜାବୁଡ଼ି ଧରି  ଜୋରରେ କାନ୍ଦି ଉଠିଲେ । କାନ୍ଦୁ ନ ଥିଲେ ତ ଯେମିତି ଅନେକ ବର୍ଷ ଧରି ସାଇତି ରଖିଥିବା ଦୁଃଖ ଅପମାନକୁ ଲୁହର ବର୍ଷା ଭସେଇ ଦେଉଥିଲେ ।


    ଅଚାନକ ଏତେ ବର୍ଷ ପରେ ମାଣିକ ଅପା ସହିତ ଦେଖା ହେଇଯିବ ଜମା ଭାବି ନଥିଲି । ଆଜି ମାଣିକ ବଡ଼ ମା ଜୀବିତ ଥାନ୍ତେ କି ! କଥାର ମୋଡ଼ ବଦଳେଇବାକୁ କହିଲି ସେ ଦିନଗୁଡ଼ା ବହୁତ୍ ମନେ ପଡେ । ଆମେ ଗାଆଁକୁ ଆସିଲେ ଦିନ ରାତି ତମ ସହିତ ରହୁଥିଲି । ଫୁଲତୋଳା, ନଇରେ ଗାଧୋଇବା, ମନ୍ଦିର ଯିବା ସନ୍ଧ୍ୟା ପ୍ରାର୍ଥନା ପାଠ ପଢା ସବୁଠୁ କଷ୍ଟ ପଣିକିଆ ଘୋଷୋଉଥିଲ ବାପ୍ ... ରେ ତଥାପି ଲୋଭ ଥିଲା ତୁମ କାକୁଡି ମୁଢ଼ି ମସଲା ପାଗରେ ବାଦାମ ବୁଟ ଆଉ ମଟର ଭଜାରେ। ଆମ୍ବ ପିଜୁଳି କୋଳି ଏବେ ବି ପାଟିରେ ଅଛି । ପ୍ରକୃତରେ ମୁଁ ଜାଣିବାକୁ  ଇଚ୍ଛା କରୁଥିଲି ଗାଆଁ ଛାଡ଼ିବା ପରର କାହାଣୀ।ସେମାନଙ୍କର ଅତୀତ ପୃଷ୍ଠାର ଫର୍ଦ୍ଦ ଗୁଡ଼ିକୁ ଟିକେ ମନ ଖୋଲି ମୋ ଆଗରେ ପଢନ୍ତୁ ,ମନ ହାଲକା ହେଇଯିବ। ବଡ଼ ହେଲା ପରେ ବୋଉ ଠାରୁ ଶୁଣିଥିଲି ବାସୁ ଭାଇ ସହିତ ଅପା ଭଲ ପାଇକି ନୁହେଁ ବରଂ ଗୋଟେ ପରିସ୍ଥିତିରେ ଗାଆଁ ଛାଡିଥିଲେ ଯେ ଆଜି ପର୍ଯ୍ୟନ୍ତ ଆଉ ଫେରି ନାହାନ୍ତି।


ବଡ଼ ମା ଙ୍କୁ ଯେବେ ଦେଖେ, ସବୁ ବେଳେ ମନକୁ ମନ ଗାଉ ଥିବେ କୋଇଲି ..କେଶବ ଯେ ମଥୁରାକୁ ଗଲା...।.ବୋଉ ମନକୁ ମନ କହେ ଦେଠେଇଙ୍କ ମନ କଥା କେହି ବୁଝିଲେନି । ମାଣିକ କୋଉଠି ଅଛି କେମିତି ଅଛି, ଥରୁଟିଏ କିଏ ତ ଖବର ତାଙ୍କୁ ଦିଅନ୍ତା ,ମାଆ ମନ ଶାନ୍ତ ହୁଅନ୍ତା ।ଝୁରି ଝୁରି ବଡ଼ ମା ଚାଲିଗଲେ।


     ସବୁ ନୀରବରେ ବସିଥିଲୁ। ପରିସ୍ଥିତିକୁ ହାଲକା କରିବାକୁ ଯାଇ କହିଲି, ମୁଁ ଆଉ ସେ ଛୋଟ ମିଲି ଏବେ ନୁହେଁ,ଏତେ ବର୍ଷ ଯାଏ ପେଡିରେ ସାଇତି ଥିବା ତୁମ ଗୋପନ ପୀରତି କଥା ମୋତେ ଟିକେ କୁହ । ଅପାଙ୍କ ଆଖିରୁ ଲୁହ ଦୁଇ ବୁନ୍ଦା ଝରି ପଡ଼ିଲା, ତାକୁ ହାତରେ ପୋଛୁ ପୋଛୁ କହିଲେ ,ଆମ ଭିତରେ ପୀରତି କୋଉଠି ଥିଲା କିଲୋ ହୁଣ୍ଡି। ତୁ ଯାହା ଶୁଣି ଥିବୁ ସବୁ ମିଛ । ସବୁ ବଡ଼ ଭାଉଜଙ୍କ ଭାଇ ମନୋଜର ଚାଲ୍ ଥିଲା । ସେ ମୋତେ ଖରାପ୍ ନଜର ପକାଉଥିଲା ଆଉ ତୋ ବାସୁ ଭାଇ ବିରୋଧ କରିବାରୁ ଏତେ ଘଟଣା ଘଟିଗଲା।ନୂଆ ନୂଆ କଲେଜ୍ ଯାଉଥିଲି। ବସରେ ଯାଏ ଆସେ। ସବୁଦିନ ପରି ସେଦିନ ବି ସେ (ବାସୁ ଭାଇ)ମୋତେ ବସ୍ ଷ୍ଟାଣ୍ଡରୁ ଆଣିବାକୁ ଯାଇଥିଲେ ।ବର୍ଷା ଦିନ ଜୋରରେ ବର୍ଷା ପବନ,ବିଜୁଳି ଘଡ ଘଡି ହେଉଥାଏ। ଛତା ମାନୁ ନ ଥାଏ ,ଗାଆଁ ଗୋହିରିରେ ଆଣ୍ଠୁ ଏ ପାଣି ଭର୍ତ୍ତି ,ଚାଲି ହେଉ ନଥାଏ, ବାଧ୍ୟ ହେଇ ରାଧା କୃଷ୍ଣ ମନ୍ଦିରରେ ପଶି ଗଲୁ।ମୁଁହ ସଂଜ ପର୍ଯ୍ୟନ୍ତ ଘରେ ପହଞ୍ଚି ନଥିଲି।ମିଛ ସତ ଯୋଡ଼ି ମନୋଜ ଅପପ୍ରଚାର କରିଦେଲା ।ଘରେ ପହଞ୍ଚିଲା ବେଳକୁ ପଞ୍ଚାୟତ ବସିଲାଣି ।

ବାସୁର ବିଧବା ମା ଟିକୁ ପୁଅର ଦୋଷ ପାଇଁ ଦାୟୀ କରି ଆଣ୍ଠେଇ ଦେଇଚନ୍ତି ଗାଆଁ ଲୋକ। ଆଉ ମନୋଜ ପିଟି ପିଟି ରକ୍ତାତ କରିଦେଲା ତୋ ଭାଇଙ୍କୁ । ବାଆଁ ଆଖି ଉପରେ ଯେଉଁ ଦାଗ ଦେଖୁଚୁ ସେଇଟା ସେଦିନର ଚିହ୍ନ ।ଅପାଙ୍କ ମନରେ କ୍ଷୋଭ ଥିଲା।


ମୋର କିଛି ମନେ ପଡୁଥିଲା, ଅପା ସେଦିନ ପୁରା ରଣଚଣ୍ଡୀଙ୍କ ପରି ହେଉଥିଲେ।ବୋଉ ତାଙ୍କ ହାତ ଟାକୁ ଜୋର୍ ରେ ଭିଡ଼ି ଧରିଥିଲା ସେ କହୁଥିଲେ କିଛି କର ନୂଆ ବୋଉ, ନହେଲେ ବାସୁ ଭାଇ ଟାକୁ ମନୋଜ ମାରିଦେବ ,ବଞ୍ଚା ତାକୁ ସେତିକି ବେଳେ ବଡ଼ ମା କହିଲେ ତା ହାତ ଛାଡ଼ି ଦେ ଅମି ତାକୁ ଯାହା ଉଚିତ୍ ଲାଗିବ ସେ କରିବ ।ବୋଉ ହାତଟା ହୁଗୁଳା କରିଦେଲା ତତକ୍ଷଣାତ୍ ମାଣିକ ଅପା ଦଉଡ଼ି ଯାଇ ବାସୁ ଭାଇ ଉପରେ ଆଣ୍ଠେଇ ପଡି ପୁରା ପଞ୍ଚାୟତକୁ ହାତ ଯୋଡ଼ି କହିଥିଲେ ସବୁ ଭୁଲ୍ ମୋର। ମୁଁ ତାକୁ ଭଲ ପାଏ, ମନ୍ଦିରରେ ତାକୁ ବାହା ହେଇଚି। ପୁରା ଗାଆଁଟା ସ୍ତବ୍ଧ ହେଇଗଲା । ମନୋଜର ଗୋଡ଼ ବି ଅଟକି ଗଲା। ବାସୁ ଭାଇ ଖାଲି କହୁଥାଏ ,ମାଣିକ ମିଛ, ମିଛ କହୁଛି।ମୋର ଯେତିକି ମନେ ଅଛି ମାଣିକ ଅପା ଗୋଟେ ଥର ବଡ଼ ମାଆଙ୍କ ଆଡ଼କୁ ଚାହିଁ ହାତ ଯୋଡ଼ିଥିଲେ, ଆଉ ବଡ ମା ହାତ ଟେକି ଦେଲେ।କୋଉଠି କେଜାଣି ଏତେ ବଳ ଥିଲା ମାଣିକ ଅପାର ଗୋଟେ ହାତରେ ବିଶୁଭାଇକୁ ଓ ଆର ହାତଟାରେ ବିଶୁ ଭାଇ ମା କୁ ଧରି ଏକ ମୁହାଁ ଗାଆଁ ଦାଣ୍ଡରେ ଭିଡ଼ି ଭିଡ଼ି ନେଇଯାଇଥିଲେ ଅନ୍ଧାର କିଟି ମିଟି ବରଷା ରାତିରେ ଅନ୍ୟ କିଛି ନିଷ୍ପତ୍ତିକୁ ଅପେକ୍ଷା ନ କରି।

 

ବାସୁ ଭାଇ କହିଲେ କଣ ପାଇଲା କହନି ସାରା ଜୀବନ ଦୁଃଖ ।କେଡେ ବଡ ଘରର ଝିଅ ,କୋଉ ଘରର ବୋହୂ ହୋଇଥାନ୍ତା । ଚାଲି ଆସିଲା ମୋ ହାତ ଧରି । ମୁଁ କହିଲି ତୁମେ ବୁଝି ପାରିବନି ବାସୁ ଭାଇ ଗୋଟେ ଝିଅ ଚାହେଁ ତାକୁ ସମ୍ମାନ ଦେଉଥିବା ସ୍ବାମୀ,ସ୍ବାମୀର ବିଶ୍ୱାସ ଭଲ ପାଇବା ଭରସା ଓ ପ୍ରେମ ହିଁ ତାର ସମ୍ପତ୍ତି।


ବାସୁ ଭାଇ ହସିଲେ ,ଇଲୋ ବୋପା ଲୋ , ଚୁଇଁ ସତରେ ବଡ଼ ହେଇ ଗଲାଣି। ବର୍ଷାଟା ଛାଡିକି ଆକାଶଟା ଫର୍ଚା ଦିଶୁଥିଲା ମୁଁ କହିଲି ଏଥର ମୁଁ ଯିବି । ମାଣିକ ଅପା ମୋତେ ଅନୁରୋଧ କଲେ ଗାଆଁରେ କାହାକୁ କହିବୁନି ତୁ ମୋତେ ଦେଖିଛୁ ବୋଲି । କଥା ଦେ ଆଉ ଥରେ ଆସିବୁ। ମୁଁହଁ ଟେ ମାରି ଫେରିଆସିଲି ମୁଁ ଅଟୋରେ ବସିବା ପରେ ମନେ ମନେ ଭାବୁଥିଲି ପ୍ରଗଳଭା ମାଣିକ ଅପା ସମୟ କ୍ରମେ କେମିତି ଚୁପ୍ ଚାପ୍ ହେଇଯାଇଚନ୍ତି ।ଯେଉଁ ମାଣିକ ଅପାକୁ ମୁଁ ଜାଣିଥିଲି ସେ ଦିନରାତି ଲୋଟଣି ପାରା ପରି ଗାଆଁ ଦାଣ୍ଡ, ନଈ କୂଳ, ଆମ୍ବ ବଗିଚା, ଆ ଘର ତା ଘର ବୁଲି ଛୁଆଙ୍କ ମେଳରେ ଘୂରି ବୁଲୁଥିଲେ, ପଦୁଟେ ବି ଗାଆଁ କଥା,ବଡ଼ ମା କଥା ଭାଇ ଭାଉଜଙ୍କ କଥା ପଚାରିଲେ ନାହିଁ।ସବୁ କଣ ଭୁଲି ପାରିଛନ୍ତି? କାଳେ ବାସୁ ଭାଇ ମନ କଷ୍ଟ କରିବେ ସେଥି ପାଇଁ ନୀରବ ରହିଲେ। ଅଭିମାନ, ଘୃଣା ନା ବାସୁ ଭାଇଙ୍କ ପ୍ରତି ଭଲ ପାଇବା ମୁଁ ସଠିକ୍ ଅନୁମାନ କରି ପାରୁ ନଥିଲି । ନାରୀ ମନ ତଳର ଗୋପନ କଥା ବୁଝିବା ଯେତିକି ସହଜ ସେତିକି ଦୂର୍ବୋଧ ମଧ୍ୟ। ତା ହସ ତଳର ଦୁଃଖ କିଏ ବୁଝିପାରେ,ମଣିଷ.... ଆକାଶ.... ପୃଥିବୀ......ନା . ଇଶ୍ଵର....।

କଳା ଗୁମସୁମ୍ ଆକାଶଟା ତ ମେଘ ଦି ଟୋପା ଢାଳି ଦେଲେ ସଫେଦ୍ ହୋଇଯାଏ କିନ୍ତୁ ମନ ତଳେ ଜମାଟ ବାନ୍ଧି ଥିବା ବହଳ ବହଳ ଦୁଃଖକୁ କଣ ଆଖିର ବର୍ଷା ଧୋଇ ପାରେ?



Rate this content
Log in

Similar oriya story from Abstract