Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ପାଷାଣର ପ୍ରତୀକ୍ଷା - ୩
ପାଷାଣର ପ୍ରତୀକ୍ଷା - ୩
★★★★★

© ଓଡିଆ ଗଳ୍ପ

Classics

8 Minutes   7.2K    17


Content Ranking

ଶ୍ରୀ କାଳିନ୍ଦୀଚରଣ ପାଣିଗ୍ରାହୀ

ପରଦିନ ନିରୁପମ ଚାରିଟା ବେଳୁଁ ଯାଇ ବନ୍‌ଶୀ ହାତରେ ନଦୀକୂଳରେ ଉପସ୍ଥିତ । ସେ ଶୁଭ୍ର ଚଞ୍ଚଳ ପଦ ଦିଓଟି ଦେଖିବା ଇଚ୍ଛାରେ ତଟଭୂମି ପ୍ରତି ଏକ ଦୃଷ୍ଟିରେ ଚାହିଁ ରହିଛି । ଗାଙ୍ଗୋଇ ଜଳ ଉପରେ କ୍ରୀଡ଼ାପରାୟଣ ମୀନକୁ ଲକ୍ଷ୍ୟକରି ଊର୍ଦ୍ଧ୍ଵରେ ଉଡୁଛି ଓ ମଧ୍ୟେ ମଧ୍ୟେ ଝାମ୍ପ ଦେଇ ପୁନଶ୍ଚ ନିଜ ଅଧିକାର କରୁଛି । ଦିଓଟି ଗୁଣ୍ଡୁଚିମୂଷା କ୍ରୀଡ଼ା କରି ଦୃତଗତିରେ ପୁନ୍ନାଗ ବୃକ୍ଷ ଆରୋହଣ କରୁଛନ୍ତି । ଅଦୂରରେ ଅଗଭୀରା ଅପ୍ରଶସ୍ତା ଦୟାନଦୀର ବାଲୁକାଖଣ୍ଡ ପାର ହୋଇ ଗୋଟିଏ ରମଣୀ ଆରପାରିରୁ ଏ ପାରିକୁ ଆସୁଥିବାର ନିରୁପମ ଦେଖିପାରିଲା ଏବଂ ସ୍ତ୍ରୀଲୋକଟି ତାହାରି ଆଡ଼କୁ ଗତି କରୁଥିବାର ଦେଖି ଟିକିଏ ବିସ୍ମିତ ହେଲା ।

ସ୍ତ୍ରୀଲୋକଟି ନିରୁପମର ସମ୍ମୁଖକୁ ଆସି ପରିଚିତର ହାସ୍ୟ ହସି ପଚାରିଲା, “ନିରୁବାବୁ, ଚିହ୍ନିପାରୁ ନାହଁ କି ?” ନିରୁପମ କିଛିକ୍ଷଣ ଏକ ଦୃଷ୍ଟିରେ ତା’ ମୁଖକୁ ଚାହିଁ ରହିଲା, ଅବଶେଷରେ ସ୍ମରଣ କରି ପଚାରିଲା, “କିଲୋ ଉମା, ତୁ କୁଆଡେ଼ ?” ଉମା ତାଙ୍କ ଘରେ ପୁରୁଣା ଚାକରାଣୀ । ଯେଉଁଦିନ ସେ ନିଜର ସମସ୍ତ ସମ୍ପତ୍ତି ବିକ୍ରୟ କରି ଦେଇ ଗ୍ରାମ ଛାଡ଼ି ଚାଲିଆସିଛି, ସେହିଦିନୁ ସେ ଉମାକୁ ଦେଖି ନାହିଁ । ଉମା ନଦୀର ଅପର ପାର୍ଶ୍ୱକୁ ଅଙ୍ଗୁଳି ନିର୍ଦ୍ଦେଶ କରି କହିଲା, “ମୁଁ ପରା ସେ ପାରିର ସେ ସାନ୍ତଙ୍କ ଘରେ ଅଛି ।”

ନିରୁପମ ପଚାରିଲା, “କାହା ଘରେ, ସୁଦାମ ନରେନ୍ଦ୍ରଙ୍କ ଘରେ ?” ହଁ, ତାଙ୍କରି ଘରେ ପରା । ଏତେ ସମ୍ପତ୍ତି, ହେଲେ କ’ଣ, ସାନ୍ତ ଯେମିତି, ସାନ୍ତାଣୀ ସେମିତି- ଭାରି ଚୋଠା । ଖାଲି ସେହି ଜେମାମଣିଙ୍କ ଯୋଗରୁ-

“ଜେମାମଣି କିଏ ? ନରେନ୍ଦ୍ରଙ୍କ ଝିଅ ।” ଉମା ବକ୍ର ହାସ୍ୟ କରି କହିଲା, “ହଁ ବାବୁ, କେତେ ନ ଜାଣିଲା ପରି ଛୋପରା ହେଉଛ ମ’ ! ସେ ତ ନିତି ଏଠିକି ଗାଧୋଇ ଆସନ୍ତି । ପିଲା ହେଲେ କ’ଣ ହେବ ବାବୁ, ଜେମାମଣି ଏ ଯୁଗର ମଣିଷ ନୁହନ୍ତି ।” ସେ ଘରଯାକରୁ ବାହାର ।

ନିରୁପମ ଉତ୍ତର କଲା, “ଏଥି ଯୋଗରୁ ଯେ ତାଙ୍କୁ ସମସ୍ତେ ଦେଖିବେ, ଚିହ୍ନିବେ, ଏମିତି କ’ଣ କଥା ଅଛି ?”

ଉମା ଅଭିମାନର ଛଳନା କରି କହିଲା, “ନାହିଁ କ’ଣ, ସେଥିପାଇଁ ପରା ବାଟ ଓଗାଳି ବସିଛ ଯେ, ସେ ପୁଲାଙ୍ଗ ବଗିଚାରୁ ତଳକୁ ଓହ୍ଲାଉ ନାହାନ୍ତି ।”

ନିରୁପମ ଗମ୍ଭୀର ହୋଇ କହିଲା, “ଏ ପାରିରେ ବସିଲେ ଆର ପାରିର ଲୋକଙ୍କୁ ବାଟ ମିଳେ ନାହିଁ ?”

ଉମା ନିରୁପମର କ୍ରୋଧ ଜନ୍ମିବାର ଜାଣିପାରି କୋମଳ କଣ୍ଠରେ କହିଲା, “ନାହିଁ, ନାହିଁ, ମୋର ସୁନାବାବୁଟି ପରା, ଟିକିଏ ଖାଲି ଦୂରଛଡ଼ା ହୋଇ ଏ ଗଛ ଆଢୁଆଳରେ ବସ କି, ସେ ଗାଧୋଇ ପଡ଼ି ଯା’ନ୍ତୁ ଭାରି । ପିଲା ଝୁଅ ପରା, ଲାଜ କରୁଛନ୍ତି ।”

ନିରୁପମ କ୍ରୋଧରେ ତାକୁ ଆଚ୍ଛା, ଯା’ ଯା’ କହି ଉଠି ଆସିବାକୁ ଉଦ୍ୟମ ହେଲା । କାରଣ ସେ ବଡ଼ ଅଭିମାନୀ । ଏପରି ଅବସ୍ଥାରେ ସେ ଯେ କୌଣସି ସ୍ଥାନରେ ପଦାଘାତ କରି ଫେରିଆସନ୍ତା । ଆଜି କିନ୍ତୁ କେତେକ ପାଦ ଆସି ପୁଣି କାହିଁକି ନଦୀ ଅଭିମୁଖରେ ଚଳିଲା ? ବୃକ୍ଷ ଅନ୍ତରାଳରେ ରହି ସେ ନଦୀର ଅପର ତାରରେ ଯେଉଁ ଦୃଶ୍ୟ ଦେଖିଲା, ତାହା ବର୍ଣ୍ଣନା କରିବାକୁ ଗଲେ ଦ୍ୱିରୁକ୍ତି ହେବ, କିନ୍ତୁ ଅତ୍ୟୁକ୍ତି ହେବ ନାହିଁ ।

ପରଦିନ ଠିକ୍ ସମୟରେ ନିରୁପମ ବନ୍‌ଶୀ ହାତରେ ନଦୀକୂଳକୁ ଗଲା । ପରଦିନ ସେହି ଦୃଶ୍ୟ । ଦିନକୁ ଦିନ ସେ ଏପରି ନିଃସଙ୍ଗ, ନିରୁତ୍ସାହ ହୋଇ ପଡୁଥିବାର ଦେଖି ତା’ର ବନ୍ଧୁମାନେ ବିସ୍ମିତ ହେଲେ, କିନ୍ତୁ କାରଣ ଜାଣିବାକୁ କାହାରି କୌତୂହଳ ଜନ୍ମିଲା ନାହିଁ । ହେମ ତା’ର ଏପରି ଔଦାସୀନ୍ୟକୁ ଔଦାର୍ଯ୍ୟ ଜ୍ଞାନ କଲା । ବିନା ମାଛ ଧରାରେ ବନ୍‌ଶୀଟା ଉପରେ ନିରୁପମର ଏତେ ଆଗ୍ରହ ଦେଖି କୌଣସି ସନ୍ଦେହ କଲା ନାହିଁ । ବରଂ ବନ୍‌ଶୀଟି ପ୍ରତି ଅଧିକ ସଯତ୍ନ ଦୃଷ୍ଟି ରଖିଲା, କେବଳ ନିରୁପମର ଆବଶ୍ୟକ ବୋଲି । ନିର୍ବୋଧ ବାଳିକା ବୁଝିଲା ନାହିଁ, ନିଜ ଗଳାରେ ବିଦ୍ଧ ହେବାକୁ ସେ ନିଜ ହାତରେ ବନ୍‌ଶୀ ସଜାଡୁଛି ।

ସେଦିନ ଅକସ୍ମାତ୍ ଦୟାନଦୀର ପୂର୍ବ କୋଣରୁ ଖଣ୍ଡେ କଳା ବଉଦ ଦେଖାଦେଲା । ଚାହୁଁ ଚାହୁଁ ନିରୁପମର ମସ୍ତକୋପରି ସମସ୍ତ ଆକାଶଖଣ୍ଡ ମେଘାଚ୍ଛନ୍ନ ହୋଇ ଦୃଷ୍ଟି ପଡ଼ିଲା । ନିରୁପମକୁ ଅଗତ୍ୟା ନିବିଡ଼ ପୁନ୍ନାଗ ବୃକ୍ଷତଳର ଆଶ୍ରୟ ନେବାକୁ ହେଲା । ପାଞ୍ଚ ମିନିଟ୍ ପରେ ମେଘ ଭାସିଗଲା ଏବଂ ନିରୁପମ ନିଜର ପୂର୍ବସ୍ଥାନ ଅଧିକାର କରି ନଦୀର ଅପର ପାର୍ଶ୍ୱରେ ଦୃଷ୍ଟି ନିବଦ୍ଧ କଲା । ପବନଟା ନବୀନାର ସ୍ନିଗ୍ଧ, କୋମଳ ଗଣ୍ଡଦେଶ ପରି ନରମ ଓ ସଜଳ ହୋଇଉଠୁଛି । ଜଳଧାରାର ଚିହ୍ନ ବୃକ୍ଷମୂଳରେ ନିହିତ । ଅଦୂରରେ ବର୍ଷାଜଳ ସଞ୍ଚିତ ଗୋଟିଏ କ୍ଷୁଦ୍ର ଜଳଧାରାରେ ଦିଓଟି ବଣି ଚଢ଼େଇ ମନସୁଖରେ ଗାଧୋଉଛନ୍ତି ।

ନିରୁପମର ଚିତ୍ତରେ ଗୋଟାଏ ଅନୁଭୂତ ଉଦ୍‌ବେଗ ଜାତ ହୋଇଛି, ସେ ତାହାର ଚିନ୍ତାର ଅତୀତ, ତାହାର ବିଚାର ବୁଦ୍ଧି ସେଠାରେ ପରାଜିତ । ସେ କ’ଣ ଭାବୁଛି, ତାହା ନିଜେ ଜାଣେ ନାହିଁ, ତାହାର କୌଣସି ଅଭଳାଷ ନାହିଁ, କୌଣସି ଯାଚଞ୍ଜା ନାହିଁ- ଆଉ କେବଳ ଥରେ, ଥରେ ମାତ୍ର ସେ କମନୀୟ କାନ୍ତିଟି ଦେଖି ପାରିଲେ ନିଜକୁ କୃତାର୍ଥ ମନେ କରିବ । ନିରାଶ ଦୃଷ୍ଟିରେ ସେ ଶେଷଥର ପାଇଁ ନଦୀର ଅପର ପାର୍ଶକୁ ଦୃଷ୍ଟି ନିକ୍ଷେପ କରି ଗାତ୍ରୋତ୍‌ଥାନ କଲା, କିନ୍ତୁ ଗୃହାଭିମୁଖୀ ହେବାକୁ ଯାଇ ଅକସ୍ମାତ୍ ସ୍ତମ୍ଭିତ ହୋଇ ଠିଆ ହେଲା ।

ଦେଖିଲା, ସମ୍ମୁଖରେ ତାହାର ଗୋଟିଏ ଖର୍ବକାୟ ପୁରୁଷ ଓ ଗୋଟିଏ ବାଳକ ଦଣ୍ଡାୟମାନ । ଯୁବକଟି ପ୍ରଣିପାତ କରି କହିଲା, “ଆଜ୍ଞା ! ମା’ ମଣିମା ଆପଣଙ୍କୁ କାଲି ଏହି ବେଳାରେ ନିମନ୍ତ୍ରଣ କରିଛନ୍ତି । ହଜୁରଙ୍କ ଉଆସକୁ ଆମ ମଣିମାଙ୍କର କେହି ଚାକରବାକର ଯିବା ଆସିବା ମନା । କାଲି ଏହିଠାକୁ ଆସି ହଜୁରଙ୍କୁ ଡାକି ନେବା ପାଇଁ ହୁକୁମ ହୋଇଛି ।”

ନରେନ୍ଦ୍ରଙ୍କ ସ୍ତ୍ରୀ ନିମନ୍ତ୍ରଣ କରିଛନ୍ତି । ନିରୁପମ ପ୍ରଥମଟା ବିଶ୍ୱାସ କରିପାରିଲା ନାହିଁ, କିନ୍ତୁ କ୍ରମେ ସମସ୍ତ ସ୍ପଷ୍ଟତର ହୋଇଉଠିଲା । ତାହାର ବାଲ୍ୟାବଧି ପରିଚିତା ଧାଈ ଉମା ଯେ ଏ ସକଳର ମୂଳ କାରଣ, ସେ କଥା ବୁଝିବା ପାଇଁ ତାକୁ ଆଉ ବାକି ରହିଲା ନାହିଁ । ସେ ମୃଦୁ ହାସ୍ୟକରି ବାଳକଟିକୁ ପଚାରିଲା, “‘ “ତୁମ ନାମ କ’ଣ ?” ବାଳକଟି ନିର୍ଭୀକ ଚିତ୍ତରେ ଉତ୍ତର କଲା, “ଗୌରଶ୍ୟାମ ନରେନ୍ଦ୍ର । ମା’ କହିଛନ୍ତି, କାଲି ଆପଣ ଆମ ଘରକୁ ଯିବେ । ଚେମି ଅପା କେତେ ଶୁଆ, କାକତୁଆ ରଖିଛନ୍ତି ଦେଖିବେ । କେତେ ଫୁଲ ବିଞ୍ଚଣା, ମନିବେଗ୍ ବୁଣିଛନ୍ତି ।” ନିରୁପମ ଉତ୍‌ଫୁଲ୍ଲ ହୋଇ କହିଲା, “ଆଚ୍ଛା, କାଲି ଏତିକିବେଳେ ଆସିବି ।”

ସୁଦାମ ନରେନ୍ଦ୍ରଙ୍କ ଗୃହ । ସୁଦାମ ବାବୁ ମହାଜନି ଖାତାର ତାଲିକାଗୁଡ଼ାକ ଦେଖୁଛନ୍ତି । ସ୍ତ୍ରୀ ସୁକୁମାରୀ ପାନବଟାରେ ଖିଲପାନ ସଜାଡ଼ି ରଖୁଛନ୍ତି ଓ ମଧ୍ୟେ ମଧ୍ୟେ ସ୍ୱାମୀଙ୍କ ମୁଖକୁ ଦୃଷ୍ଟିପାତ କରୁଛନ୍ତି । ପାନବଟାଟି ବନ୍ଦ କରି ସ୍ୱାମୀଙ୍କ ପାର୍ଶ୍ୱରେ ରଖି ଦେଇ ସୁକୁମାରୀ କହିଲେ, “ପିଲାଟିକୁ ତ ଦେଖିଲ । ଏବେ କ’ଣ ମନେ କରୁଛ ?” ସୁଦାମବାବୁ ମୁଖ ଫେରାଇ କହିଲେ, “ମନେ କ’ଣ କରିବି, ସବୁ ଭଲ ତେବେ ଦିଓଟି କଥା । ଗୋଟିଏ ହେଉଛି ପିଲାଟିର କିଛି ସଂସ୍ଥାନ ନାହିଁ, ଆଉ ଗୋଟିଏ ହରିଚନ୍ଦନଙ୍କ ଘର”-

ସୁକୁମାରୀ ବୁଦ୍ଧିମତୀ କହିଲେ, “ହରିଚନ୍ଦନଙ୍କ କଥା ମତେ ଲାଗେ । ଆଉ ସବୁ ତୁମ ତର୍କ ।”

ସୁଦାମବାବୁ କୌତୂକ ଦୃଷ୍ଟିରେ ସ୍ତ୍ରୀଙ୍କ ମୁଖକୁ ଚାହିଁ କହିଲେ, “ହରିଚନ୍ଦନଙ୍କ କଥା ତୁମକୁ ଲାଗେ ।” ସ୍ତ୍ରୀ ଉତ୍ତର କଲେ, “କାହିଁକି, ଉମା ଥାଉଁ ଥାଉଁ ତୁମେ ଭାବିଛ, ନିରୁପମ ଆଉ ହାତଛଡ଼ା ହୋଇଯିବ ? ଆଚ୍ଛା, ତାହାହେଲେ ଚେମି ଆମର ଯେପରି ଦୁଃଖରେ ନ ରହେ, ସେତିକି ଖାଲି ଦେଖିବାର କଥା ।”

ଚାମେଲୀ ମାତାପିତାଙ୍କ ଅଗୋଚରରେ ଦ୍ୱାରଦେଶରେ ପୋଷ୍ୟ ଶୁକ ପକ୍ଷୀଟିକୁ ଆହାର ଦେଉଥିଲା । ତାହାର ମୁଖମଣ୍ଡଳ ଆରକ୍ତ ହୋଇଉଠିଲା, ପେଲବ ଆଙ୍ଗୁଳି ମଧ୍ୟରୁ ପକ୍ଷୀର ଆହାର ଖସି ପଡ଼ିଲା, ଦ୍ରୁତଗତିରେ ନୂପୁର ବଜାଇ ସେ ଅନ୍ୟ ଗୃହରେ ପ୍ରବେଶ କଲା ।

ନିରୁପମ ଯେଉଁ ଦିନ ନିମନ୍ତ୍ରଣ ରକ୍ଷା କରି ନରେନ୍ଦ୍ରଙ୍କ ଗୃହରେ ପ୍ରବେଶ କରିଥିଲା, ସେଦିନ ମଧ୍ୟେ ମଧ୍ୟେ ଅପର କକ୍ଷରୁ ଏହି ନୂପୁରଧ୍ୱନି ଶୁଣି ତାହାର ଅନ୍ତରମୟ ଗୋଟାଏ ଅବିରାମ ଗୁଞ୍ଜନରେ ପୂର୍ଣ୍ଣ ହୋଇଉଠିଥିଲା । ସେଦିନ ମୁଗ୍ଧ ବିହ୍ୱଳ ଅବସ୍ଥାରେ ଯେତେବେଳେ ଗୃହକୁ ପ୍ରତ୍ୟାବର୍ତ୍ତନ କଲା, ସେତେବେଳକୁ ଚୈତ୍ର ନିଶାର ଚତୁର୍ଥୀ, ଚନ୍ଦ୍ର ତା’ର କ୍ଷୀଣ ଯାତ୍ରା ସମାପ୍ତ କରିଛି । ହେମର କକ୍ଷକୁ ଅଗ୍ରସର ହୋଇ ସେ ଦ୍ୱାରଦେଶରେ ଦଣ୍ଡାୟମାନ ହେଲା । ଗୃହମଧ୍ୟକୁ ଦୃଷ୍ଟିପାତ କରି ଦେଖିଲା, ହେମ ତାର ନିଦ୍ରିତ ଛୋଟ ଭାଇଟିକୁ କୋଳରେ ଧରି ଆହାର ହେଉଛି । ଅବାଧ୍ୟ ବାଳକଟିକୁ ଆହାର ଅପେକ୍ଷା ନିଦ୍ରା ବେଶି ଭଲ ଲାଗୁଛି, ସେ ତାହାର ସ୍ନେହର ଭଗିନୀଟିର ଅନୁନୟ ଉପେକ୍ଷା କରି ଅହରହ ପାର୍ଶ୍ୱ ପରିବର୍ତ୍ତନ କରୁଛି ।

ହେମର ମସ୍ତକର ଅବଗୁଣ୍ଠନ ଭାଇର ଅବାଧ୍ୟତାରେ ତା’ ମୁଖରେ ବିରକ୍ତିର ଭାବ ନାହିଁ, ଗଳାଦେଶ ଆଲୋକରେ ଉନ୍ମ୍ରକ୍ତ ଭାଇର ଅବାଧ୍ୟତାରେ ତା’ ମୁଖରେ ବିରକ୍ତିର ଭାବ ନାହିଁ, ବ୍ୟସ୍ତତା ନାହିଁ । ବାତ୍ସଲ୍ୟରୁ କରୁଣ କୋମଳ ମହିମାରେ ସେ ମୁଖ ଉଦ୍ଭାସିତ । ନୟନରେ କ୍ଳାନ୍ତ କୃଷ୍ଣସାରର ନିରୀହ କାତରତା । ଅଧରରେ ସେହି ଶାନ୍ତିମୟ କ୍ଷମା ।

ଏହି ତପସ୍ୱିନୀର ସମ୍ମୁଖୀନ ହୋଇ ନିରୁପମର ସକଳ ବିହ୍ୱଳତା ଆଜିର ଚତୁର୍ଥୀ ଜ୍ୟୋତ୍ସ୍ନା ପରି କ୍ଷଣକରେ ମିଳାଇଗଲା ଏବଂ ଅଲକ୍ଷ୍ୟରେ ତାହାର ଦୁଇ ଚକ୍ଷୁରୁ ଦୁଇବିନ୍ଦୁ ଅଶ୍ରୁ ଗଡ଼ି ପଡ଼ିଲା । ସେ ଅଗ୍ରସର ହୋଇ ପଚାରିଲା, “ହେମ, ଏତେବେଳଯାଏ କ’ଣ ଖିଆପିଆ ସରି ନାହିଁ । ହେମ ବ୍ୟସ୍ତ ହୋଇ ଦେହ ଓ ମସ୍ତକରେ ବସ୍ତ୍ର ଟାଣି ନେଇ ଭାଇକୁ ଦେଖାଇ କହିଲା, “ହଁ, ଖାଲି ବାକି ଏ, ଆଉ ତୁମେ ।” ନିରୁପମ ହଠାତ୍ କହି ପକାଇଲା, “ଆଉ ତୁମେ ?”

ହେମ ଉତ୍ତର କଲା ନାହିଁ । କେବଳ ସେହି ସହଜ ସରଳ ହାସ୍ୟ ଟିକି ହସି ନିରୁପମର ମୁଖକୁ ଚାହିଁଲା । ହାୟ ନିରୁପମ, ହେମର ଖବର ବୁଝିବାକୁ ଦୁନିଆରେ କିଏ ଅଛି ? ସେ ଯେ ସଂସାରର ସମସ୍ତଙ୍କ ପଛରେ, ସମସ୍ତଙ୍କ ଶେଷରେ । ତାକୁ ଦୁନିଆଁର ଖବର ଆଗ ବୁଝିବାକୁ ହେବ, କିନ୍ତୁ ସବୁରି ପଛରେ ସବୁରି ଶେଷରେ ସେ । ନିରୁପମ ସେ ଦୃଷ୍ଟିରୁ ଯେତେ ବୁଝିଲା, ସେ ଯେ ତାହାଠାରୁ କେତେ ଉଚ୍ଚରେ । ନିରୁପମ ତାହାର ବାହାରୁ ଯାହା ଦେଖେ, ତାହାଠାରୁ ସେ ଯେ କେତେ ଗଭୀରତର ।

ହେମକୁ ଅଧିକ ନିକଟବର୍ତ୍ତୀ ହୋଇ ନିରୁପମ ଧୀରେ ଧୀରେ କହିଲା, “ଦେଖ ହେମ, ଯାହାକୁ ଏତେ ନିଦ ଲାଗିଛି, ତାକୁ ଏପରି ବିରକ୍ତ କରି ଖୁଆଇଲେ ସେ ମୋଟା ହେବ ନାହିଁ, ବରଂ ଅସୁସ୍ଥ ହେବ । ସେ ଯାହା ଖାଇଲାଣି ଯଥେଷ୍ଟ । ତୁମେ ଏବେ ଖାଇବ ଯାଅ ।”

ନିରୁପମର ଉପଦେଶକୁ ମଧ୍ୟ ହେମ ଆଦେଶ କରି ମାନେ । ସେ ଦ୍ୱିଧା ନ କରି ଉଠି ଠିଆ ହେଲା, କିନ୍ତୁ ନିରୁପମ ଯେ ଆହାର କରି ନାହିଁ । ସେଥିପାଇଁ ଜିଜ୍ଞାସୁ ଦୃଷ୍ଟିରେ ତାହା ପ୍ରତି ଚାହିଁ ରହିଲା । ସେ ଦୃଷ୍ଟି ଆଗରେ ମିଥ୍ୟା କହିବାକୁ ନିରୁପମର ସାହସ ହେଲା ନାହିଁ । ସେ କେବଳ ଏତିକି କହିଲା, “ମୁଁ ଆଜି ବାହାରେ ଖାଇ ଆସିଛି, ତୁମେ ଯାଅ ।”

ବାହାରେ କେଉଁଠାରେ ? ଏ କଥା ହେମ ପଚାରିଲା ନାହିଁ । ସେ ତାହାର ନୀତି ବିରୁଦ୍ଧ । ଜଗତରେ କାହାରି ପ୍ରତି ତାହାର ସେ ସନ୍ଦେହ ନାହିଁ, ଦ୍ୱିଧା ନାହିଁ । ଦୁନିଆଁକୁ ସେ ଦେବାକୁ ଆସିଛି, ନେବାକୁ ନୁହେଁ । ତାହାର ଦାବି ନାହିଁ, ଦାନ ।

ହେମ ଚାଲିଯିବା ପରେ ନିରୁପମ ନିଜ କକ୍ଷରେ ପ୍ରବେଶ କରି ଶଯ୍ୟା ଉପରେ ବସିଲା । ଦେହରୁ ଯେ ବସନ ଛାଡ଼ି ନାହିଁ, ସେ କଥା ଭୁଲିଯାଇଛି । ଏହି ଦେବୀପ୍ରତିମାର ଆଜି ଯେଉଁ ଧ୍ୟାନର ମୂର୍ତ୍ତି ସେ ଅବଲୋକନ କଲା, ସେଥିରେ ତାହାର ମନଃପ୍ରାଣ ଗୋଟାଏ ଅନନ୍ୟ ସାଧାରଣ ଦିବ୍ୟ ରସରେ ଆପ୍ଲୁତ ହୋଇଉଠିଛି । ଏହି ଦେବୀର ପ୍ରୟୋଜନହୀନ ସେବା, ପ୍ରତ୍ୟାଶାହୀନ ତ୍ୟାଗ ସେ ଯେ ଏତେଦିନ ଅବହେଳା କରିଆସିଛି, ଏହି ଅନୁଶୋଚନା ତାକୁ ମୁହୁର୍ମୁହଃ ବିଦ୍ଧ କଲା । ଏ ଦାନର ଯେ ପ୍ରତିଦାନ ନାହିଁ, ଏ ସେବା ଯେ ମୂଲ୍ୟବିଚାରର ଊର୍ଦ୍ଧ୍ଵରେ । ନିରୁପମ ! ନିରୁପମ ! ! ହାୟ ଦୁର୍ବଳ ସେ, ଅସହାୟ ସେ, ତଥାପି ଜଗତର ତାହା ପ୍ରତି ଏତେ ଅନୁକମ୍ପା ଏତେ ଅନୁକୂଳ ଦୃଷ୍ଟି ।

ହେମ ! ଦେବୀ ! ତୁମେ, ନିରୁପମ ଯେ ଅତି ଅଧମ, ଏ ଯେ ତୁମର ସମ୍ପୂର୍ଣ୍ଣ ଅଯୋଗ୍ୟ- ଏତେଦିନ ଯାଏ ତୁମର ମୂଲ୍ୟ ବୁଝିଲା ନାହିଁ । ତଥାପି ତାହା ପ୍ରତି କୌଣସି ମୁହୂର୍ତ୍ତରେ ତୁମ ନିଷ୍ଠାରେ ବ୍ୟାଘାତ ନାହିଁ, ତୁମ କର୍ତ୍ତବ୍ୟରେ ତ୍ରୁଟି ନାହିଁ । ତୁମ ପିଲାଙ୍କ ଅନ୍ନରେ ପ୍ରତିପୋଷିତ ହୋଇ, ତୁମ ସ୍ନେହରେ ଲାଳିତ ହୋଇ ନିରୁପମ କି ପ୍ରତିଦାନ ତୁମକୁ ଦେବ । ଯାହା ତାହାର ଥିଲା, ଚାମେଲୀ ଯେ ସେ ସକଳ ବାଜୀକର ପରି ମୁହୂର୍ତ୍ତରେ ନିଗାଡ଼ି ନେଇ ତାକୁ ଦୁର୍ବଳ, ଶକ୍ତିହୀନ କରି ଛାଡ଼ି ଦେଇଛି ।

ନା, ନା ଏସବୁ ଆଉ ବେଶିଦିନ ନିରୁପମ ଗୋପନ ରଖିପାରିବ ନାହିଁ । ସେ ଯେ ତାହାର ଚୂଡ଼ାନ୍ତ ଶଠତା ଓ କୃତଘ୍ନତା ହୋଇପଡ଼ିବ, କିନ୍ତୁ କି ଭାବରେ ଏହା ସେ ପ୍ରକାଶ କରିବ, ତାହା ଖୋଜି ପାଇଲା ନାହିଁ । ତାହାର ଚିନ୍ତାରାଶି ପୁନଶ୍ଚ ଗୋଳମାଳ ହୋଇଗଲା ଏବଂ କେତେକ୍ଷଣ ପରେ ସ୍ୱପ୍ନ ତାହାର ଚକ୍ଷୁ ଉପରେ ଗୋଟାଏ ଅଭେଦ୍ୟ ପର୍ଦ୍ଦା ଟାଣି ଦେଇଗଲା ।

କିଛିଦିନ ପରେ ଉମା ଆସି ପ୍ରସ୍ତାବ କଲା, ଆଗାମୀ ଆଷାଢ଼ରେ ବିବାହ ସ୍ଥିର ହୋଇଛି । ଗ୍ରାମରେ ନାନା ପ୍ରତିବନ୍ଧକ, ସେଥିପାଇଁ କଟକରେ ହେବ । ଅତଏବ ନିରୁପମକୁ କଟକ ଯିବାକୁ ହେବ । ବିବାହ ପରେ ସେମାନେ ଗିରିଗଡ଼ କଚେରି ଗୃହରେ ରହିବେ । ଗିରିଗଡ଼ ଇଲାକାଟି ଚାମେଲୀକୁ ଯୌତୁକ ଦିଆଯିବାର କଥା । ଉମା ରହିବ ପାଖରେ, ଆଉ ଭାବନା କ’ଣ ?

ନିରୁପମ ହେମ ନିକଟରେ କହିଲା, “ହେମ, କାଲି କଟକ ଯିବି ।” କାହିଁକି ଯିବ, କ’ଣ କାମ, ହେମ କିଛି ଜାଣିବାକୁ ଚାହିଁଲା ନାହିଁ । କେବଳ ପଚାରିଲା, “କେବେ ଫେରିବ ?” ନିରୁପମ ସେହିକଥା ନିଜକୁ ପଚାରିଲା, “କେବେ ଫେରିବ ?” ଚିରଦିନକୁ ଯେ ଯାଏ ସେ ଯେ ଆଉ ଫେରେ ନାହିଁ, ଏହି କଠିନ ସତ୍ୟଟା ନିରୀହା ବାଳିକା ବୁଝିଲା ନାହିଁ । କେବଳ ଆଦ୍ର ଗଳାରେ ପଚାରିଲା, “କେବେ ଫେରିବ ?” ସେ ଫେରିବା ଯେତେ ବିଳମ୍ୱ ହେଉ, ସେ ଯେ ଫେରିବ, ଏହି ତାହାର ସାନ୍ତ୍ୱନା ।

ନିରୁପମର ଅନ୍ତର କହି ଉଠିଲା, “ବିଦାୟ ହେମ, ବିଦାୟ !” ତୋର ମଧୁମୟ ସ୍ମୃତି ଚିରଦିନ ଏ ପ୍ରାଣରେ ସାନ୍ତ୍ୱନା ହେବ, କଲ୍ୟାଣ ଢାଳିବ । ଏ ସ୍ମୃତି ପଛକୁ କରି ହେବ ନାହିଁ, ସବୁବେଳେ ସେ ଅଗ୍ରଗାମୀ ହୋଇ ମୋ ଚକ୍ଷୁରେ ଆଲୋକ ଦେବ । ମନେ ମନେ ସେ ହେମକୁ ନମସ୍କାର କଲା । ତା’ର ପଦ ଦିଓଟି ଚୁମ୍ୱନ କରିବାକୁ ନିରୁପମର ଅଧର କମ୍ପିତ ହେଲା । ଲୋତକର ବେଗ ସମ୍ୱରଣ କରି ସେ ହଠାତ୍ ଗୃହ ମଧ୍ୟରୁ ବହିର୍ଗତ ହେଲା । ହେମର ବିସ୍ମୟ ଜନ୍ମିଲା । ନିରୁପମର ଚିତ୍ତ ଯେ ଗୋଟାଏ ଅପ୍ରକାଶ୍ୟ ବେଦନାରେ ଆନ୍ଦୋଳିତ ହୋଇଛି, ଆଜି ସେ ତା’ର ଆଭାସ ପାଇଲା ।

ପରଦିନ ନିରୁପମ ମୀନ

Rate the content


Originality
Flow
Language
Cover design

Comments

Post

Some text some message..