ଛାଡଖାଇ
ଛାଡଖାଇ
ଆଜି ଛାଡଖାଇ । ଏଥର ଛାଡଖାଇଟା ଠିକ ବାରରେ ପଡିଛି। ରବିବାର ଥିବାରୁ, କାର୍ତ୍ତିକ ମାସ ସାରା ଆଇଁଷ ଛାଡିଥିବା ଲୋକଙ୍କର ପାଣିଚିଆ ପାଟିରୁ ପାଣିଚିଆ ସ୍ୱାଦ ଛଡେଇବାକୁ ରଶିମ ମିଆଁ ଦୋକାନରେ ପ୍ରବଳ ଭିଡ। କିଲୋ ୪୫୦ ଟପିଲାଣି, ତଥାପି ଲୋକ ହାଉଜାଉ । ଗୋଟେ ପରେ ଗୋଟେ ଖାସି କଟା ଚାଲିଥାଏ। ଗୋଟେ ଖାସି କଟା ସରୁ ସରୁ ସେପଟେ ଲୋକ ଅନେଇ କି ବସିଛନ୍ତି ନେବା ପାଇଁ। ୫-୧୦ମିନିଟରେ ଖାଲି ହୋଇ ଯାଉଥାଏ । ଏପଟେ ଖାସିକୁ ମାଡି ବସି, ତା ବେକ କାଟି, ରକ୍ତ ବାହାର କରି, ଛାଲ ଉତ୍ତାରି ରେଡି କରିବାକୁ ଟାଇମ ଲାଗୁଥାଏ। ପାଖରେ ୨ଟା ଛୁଆ ଜନ୍ମ କରିଥିବା କାଳିଆ କୁତ୍ତିଟା ଛୁଆ ଦିଟାଙ୍କୁ ଧରି ଜିଭ ବାହାର କରି ଧକେଇ ହୋଇ, ଲାଞ୍ଜ ହଲାଉଥାଏ। ଛୁଆ ଦିଟା, ଖାସିର ଛାଲ ଉତ୍ତାରି ସାରି ଫିଙ୍ଗି ଦେଉଥିବା ଅବଶେଷ ଭିତରୁ ନିଜ ନିଜ ପାଇଁ ଖାଦ୍ୟ ଯୋଗାଡ଼ କରୁଥାନ୍ତି। ସେପଟେ କାହାର ୩ କିଲୋ, କାହାର ୫ କିଲୋ ଦେଲା ବେଳକୁ ସାଙ୍ଗେ ସାଙ୍ଗେ ଶେଷ। ରଶିମ ମିଆଁ ମଝିରେ ମଝିରେ ପାଟି କରୁଥାଏ ତା ପିଲା ଦିଟାକୁ,”ଶୀଘ୍ର ଶୀଘ୍ର ହାତ ଚଲା, କଣ ଏତେ ଟାଇମ ଲାଗୁଛି? ହଁ ବାବୁ, ଏଇ ଆସିଲା, ବାସ ୨ ମିନିଟ, କଣ କରିବା ଆଉ? ” ଏମିତି କହି ଲୋକ ମାନଙ୍କୁ ବି ଧରି ରଖିବାକୁ ଚେଷ୍ଟା କରୁଥାଏ। ନ ହେଲେ ସେମାନେ ପଳେଇବେ ଆଉ କାହା ଦୋକାନକୁ।
ମାସେ ପୂର୍ବରୁ ବଇନି ଦେଇ ଆସିଥିଲା ୧୫ଟା ଖାସି ପାଇଁ। ସକାଳୁ ଡାଲା ଅଟୋ ଭଡା କରି ସବୁ ନେଇ କି ଆସିଛି ଦୋକାନକୁ। ଭିଡ଼ ପ୍ରବଳ। ଏ ଭିଡ଼ ଭିତରେ, କେତେ କଟା ହେଲାଣି ସେ ହିସାବ ରଖିନି। ପିଲା ଦିଟା ଏପଟେ କାଟି ଚାଲିଛନ୍ତି। ସେ ସେପଟେ ବିକ୍ରି କରି ଚାଲିଛି। ହଠାତ ସେ ଅଂଚଳର ବଡ ନେତାଙ୍କ ଡ୍ରାଇଭର ଆସି କହିଲା,”ବାବୁ କହିଛନ୍ତି ୧୫ କିଲୋ, ଭଲ ଦବୁ ନହେଲେ ପୁଣି…” । ହଉ ବୋଲି କହି ସେ ବିକ୍ରି ଛାଡି ଆସିଲା କଟା ହେଉଥିବା ଜାଗାକୁ। ଆଉ ଗୋଟିଏ ମାତ୍ର ଖାସି ଅଛି। ଅତି ବେସିରେ ୭-୮କିଲୋ ଯାଏ ହେବ। ଫେରି ଆସି ସେ ଡ୍ରାଇଭରକୁ କହିଲା, “ହବନି, ଆଗରୁ ସିନା ଆସିଥାନ୍ତ କି ଫୋନ ବି କରି ଦେଇଥିଲେ ମୁଁ ରଖି ଦେଇ ଥାନ୍ତି। ଏବେ ଦିନ ୯ଟା ହେଲାଣି। ସବୁ ସରିଲାଣି। ଆଉ କୁଆଡୁ ଆଣିବି? ” । ଡ୍ରାଇଭର ସବୁ ଶୁଣି ଫୋନ ଲଗେଇଲା ବାବୁଙ୍କ ପାଖକୁ ଆଉ କିଛି କଥା ହେଲା ପରେ ଫୋନ ଆଣି ଦେଲା ରଶିମ ମିଆଁକୁ। ବାବୁଙ୍କ ସହ କଥା ହେଲା ପରେ ରଶିମ ମିଆଁ କାନ ଭାଇଁ ଭାଇଁ କରୁଥାଏ। ସରିଗଲା ବୋଲି କହି, ବାକି ଗ୍ରାହକଙ୍କୁ ଫେରେଇ ଦେଇ ସେ ଦୋକାନ ବନ୍ଦ କଲା। ଲୋକ ମାନେ ଚିଡି ଚିଡି ହୋଇ ଦୋକାନ ଛାଡିଲେ ଅନ୍ୟ କିଛି ବିକଳ୍ପ ବ୍ୟବସ୍ଥାରେ। ଡ୍ରାଇଭରକୁ କହିଲା ଅଧଘଣ୍ଟେ ଘଣ୍ଟେ ଛାଡି ଆ… ମୁଁ ରେଡି କରି ରଖିଥିବି। ଡ୍ରାଇଭର ବି ଗଡ଼ ଜିତିଲା ପରି ଖୁସିରେ ଗାଡି ଷ୍ଟାର୍ଟ କରି ଚାଲିଗଲା।
ଏବେ ରଶିମ ମିଆଁର ଭାଲେଣି ପଡିଲା। କଣ କରିବ? ଖାସି ଆଉ ନାହିଁ, ତାକୁ ୧୫ କିଲୋ ନଦେଲେ ସେ ଏଠୁ ଦୋକାନ ଉଠେଇ ଦେବାର ଧମକ ଦଉଛି। ବହୁତ ବଡ଼ ନେତା ସେ। କିଛି ବି କରି ପାରିବ। ବହୁତ ଭାବି ଭାବି ସେ ତା ଭାଇ, ପୁତୁରା ଓ ଅନ୍ୟ ସାଙ୍ଗ ମାନଙ୍କୁ ଫୋନ କଲା, ଯେଉଁ ମାନେ ଅନ୍ୟ ଜାଗାରେ ଖାସି କାଟୁଥିଲେ। ସମସ୍ତେ ମନା କଲେ। କାହାର ସରି ସାରିଥିଲା ତ କାହାର ଆଉ କିଲେ, ଅଧ କିଲେ ବଳିଥିଲା। ନିରୁପାୟ ହୋଇ କାନ ମୁଣ୍ଡ ଆଉଁସି ସେ ବସି ପଡ଼ିଲା। ଆଖିରୁ ଲୁହ ବୋହି ଯାଉଥିଲା ତା’ର। ଦୋକାନ ଭାଙ୍ଗିବା ଚିନ୍ତାରେ ସେ ଥରେ ଦୋକାନକୁ ଆଉ ଥରେ ପିଲା ଦୁଇଟିର ମୁହଁକୁ ଚାହୁଁଥିଲା। ଘଣ୍ଟେ ପରେ…..
ଡ୍ରାଇଭର ଆସି ପହଁଚିଲା। ରଶିମ ମିଆଁ, ଡ୍ରାଇଭର ହାତକୁ ଦୁଇଟି ପୁଡ଼ିଆ ବଢ଼େଇ ଦେଲା ଆଉ ଡ୍ରାଇଭର ତାକୁ ୩୫୦ ଟଙ୍କା ହିସାବରେ ପଇସା ଗଣି ଦେଲା। ୩୫୦? ଭାଇ ଆଜି କିଛି କୁଆଡେ ମିଳୁନି। ୪୫୦ ନହେଲେ ହବନି। ବହୁତ କଷ୍ଟରେ ଯୋଗାଡ଼ କରିଛି। ଖାସ ତମ ପାଇଁ ଯୋଗାଡ଼ କଲି। ମାର୍କେଟରେ ୪୫୦ ଚାଲିଛି। ଠିକ ଅଛି, ତମ ପାଇଁ ୪୨୦ ଲଗାଉଛି। ତା ଠୁ କମ ହେଲେ ହବନି। ବେପାର କଥା ଭାଇ। ତମ ପାଇଁ ମୁଁ ମୋ ଗ୍ରାହକକୁ ଫେରେଇ ଦେଲି। ଏମିତି ହେଲେ କେମିତି ହବ? କହି ରଶିମ ମିଆଁ ନାହିଁ ନାହିଁ କରି ପଇସାକୁ ଡ୍ରାଇଭର ହାତରେ ଧରେଇ ଦେଲା। ଡ୍ରାଇଭର ପୁଣି ବାବୁଙ୍କ ପାଖକୁ ଫୋନ ଲଗେଇଲା। ସେପଟୁ ଧମକ ସହ କିଏ ଜଣେ ରାଗରେ କଥା ହେଲା ପରି ଶୁଭୁଥିଲା। ବହୁତ କଷ୍ଟରେ ବାବୁ ଜଣକ ୩୯୦ରେ ରାଜି ହେଲେ। ଆଉ ପଇସା ଦେଇ ମାଂସ ଧରି ଖୁସି ମନରେ ଡ୍ରାଇଭର ଚାଲିଗଲା। ଦିନବେଳେ…
ନେତା ଜଣଙ୍କ ମାଂସ ଖାଉ ଖାଉ ରଶିମ ମିଆଁକୁ ଖୁବ ଭଲ ମାଂସ, ପୁରା କଅଁଳିଆ ମାଂସ, ବହୁତ ଟେଷ୍ଟି ଅଛି, ଭଲ ଦେଇଛି ବୋଲି ତାରିଫ କରୁଥିଲେ ଆଉ ସାଙ୍ଗ ମାନଙ୍କ ଠାରୁ ନିଜ ପାରିବା ପଣିଆ ପାଇଁ ବାଃ ବାଃ ନେଉଥିଲେ । ରଶିମ ମିଆଁ ସେ ଜାଗା ଛାଡି ଅନ୍ୟ ଏକ ଜାଗାକୁ ଯିବା ପାଇଁ ତା ଘରର ଆସବାବପତ୍ର ଏକାଠି କରୁଥିଲା। କୁତ୍ତି ଆଉ ତା ଛୁଆ ଦିଟି କିନ୍ତୁ କେଉଁଠି ଆଉ ଦେଖା ଯାଉ ନଥିଲେ…. କହି ରଖେ … ରଶିମ ମିଆଁ ଅନ୍ୟ ଉପାୟ ନ ପାଇ କୁତ୍ତି ଓ ତା ଛୁଆ ଦିଟିକୁ କାଟି ସେ ନେତାଙ୍କୁ ଖାସି ମାଂସ ବୋଲି ବିକ୍ରି କରିଥିଲା…
---x---
ସୁବଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ , ୩୮୨୦୦୯
ଦୂରଭା୯୩୭୬୦୧୨୫୦୦
ଇମେଲ - subal.mohapatra@gmail.com