ଏକ ଦମାରୋଗୀର ଅନୁରୋଧ
ଏକ ଦମାରୋଗୀର ଅନୁରୋଧ
ବୃଦ୍ଧ ବାନାମ୍ବରଙ୍କ ଛାତିରେ ଛାତିଏ ଯନ୍ତ୍ରଣା।ହାତଯୋଡି ନେହୁରାହୋଇ ସମସ୍ତ ବାଙ୍ଗାଲୋରବାସୀଙ୍କୁ କହୁଛନ୍ତି"ବାବୁମାନେ ,ପୁଅ,ଝିଅ,ନାତି,ନାତୁଣୀ,ଅଣନାତି ଅଣନାତୁଣୀ ମାନେ ,ଆଉ ଯେତେ ମୋର ଜଣା ଅଜଣା ବାଙ୍ଗାଲୋରେକରମାନେ ,ମତେ ଟିକେ ବଞ୍ଚିବାକୁ ଦିଅ।ମତେ ଟିକେ ନିଶ୍ୱାସ ମାରିବାକୁ ଦିଅ।ପଞ୍ଚାଅଶୀ ବର୍ଷ ବୟସ ମତେ।ବୁଢୀଟା ପାଞ୍ଚବର୍ଷହେଲା ଏଇ ଦମା ରୋଗରେ ଚାଲିଗଲା।ବିଧାତା ମତେ ହେଲେ ସେତେବେଳେ ନେଇ ଯାଇଥାଆନ୍ତା,ନନେଇ କେତେ ଯନ୍ତ୍ରଣା ଦଉଚି ମତେ!
ଭଗବାନ୍ ଶତ୍ରୁକୁ ମଧ୍ୟ ଏତେ କଷ୍ଟ ନଦିଅନ୍ତୁ।
'ଆଜମା'(ଦମା)ରୋଗୀ ମୁଁ ବାବୁ।ଏ ରୋଗଟା ମୋର ଜନ୍ମରୁ ନଥିଲା।ଚାକିରିକାଳ ଭିତରେ ଶିଲଂଗରେ କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷକ ଥିବା ସମୟରେ ପାଇନ୍ ପୋଲେନ୍ ନିଶ୍ୱାସରେ ଯାଇ ଏ ରୋଗର ସୃଷ୍ଟି।ଚାକିରିରୁ ଅବସର ନେବାପରେ, ଶିଲଂରେ ଘରଦ୍ୱାର ବିକ୍ରିକରି ପୁଅପାଖକୁ ବାଙ୍ଗାଲୋର ଚାଲିଆସିଲି, ଏ ଯନ୍ତ୍ରଣାରୁ ମୁକ୍ତି ପାଇବାକୁ।
ହେଲେ ମୁକ୍ତି କାଇଁ?ଏଠି ବାୟୁମଣ୍ଡଳ ଧୂଳି ଧୂଆଁରେ ପୂର୍ଣ୍ଣ।ନିଶ୍ୱାସ ନେବାରେ ପ୍ରବଳ କଷ୍ଟ।ଆକାଶରେ ଖଣ୍ଡେ ମେଘ ଉଠେଇଲେ ,ବାୟୁରେ ଆଦ୍ରତା ସାଙ୍ଗକୁ ଧୂଳି ଧୂଆଁର ପରିମାଣ ବଢିଗଲେ ମୋର ଦମା ରୋଗ ଅଣଆୟତ୍ତ ହୋଇଯାଏ।ଇନ୍ ହେଲରଟି ମୋର ଭରଷା।କିନ୍ତୁ ବେଳେ ବେଳେ ଇନହେଲର୍ କାମ ଦିଏନି।ନେବୁଲାଇଜର୍ ବ୍ୟବହାର କରିବାକୁ ପଡେ।
ପୁଅ ବୋହୂ ମୋର ଭାରି ଭଲ।ବହୁତ ସେବା କରନ୍ତି।କିନ୍ତୁ ଏ ଅଲକ୍ଷଣା ରୋଗକୁ କଣ କରିପାରିବେ ସେମାନେ ?
ବାପା ମାଆ ମାନେ ! ଭାବୁଥିବ ଏତେ ଗୌରଚନ୍ଦ୍ରିକା କାହିଁକି ଦଉଚି ବୁଢା ?ମୋ ଧନମାନେ,ନେହୁରା ହଉଚି,ବାଣ ଫୁଟେଇ ବାୟୁମଣ୍ଡଳକୁ ଆହୁରି ବିଷାକ୍ତ କରନି।ଏ ବୁଢାଟା ଉପରେ ଦୟାକର।ଖାଲି ବାଙ୍ଗାଲୋର ନୁହେଁ,ଦେଶର ସବୁ ଛୋଟ ବଡ ସହରର ଲୋକଙ୍କୁ ଏ ବାନା ବୁଢାର ଅନୁରୋଧ,ବିଷାକ୍ତ ବାୟୁମଣ୍ଡଳକୁ ଆହୁରି ବିଷାକ୍ତ କରନି।"