Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rama Chandra Padhi

Inspirational Tragedy Others

3  

Rama Chandra Padhi

Inspirational Tragedy Others

ଶିକାରୀ

ଶିକାରୀ

9 mins
894


ଦୁଇ ଖଣ୍ଡ ଗାଁ କୁ ଜାତୀୟ ସଡକ ସହ ସଂଯୋଗ କରୁଥିବା ଲାଲ ମାଟିର ସରୁଆ ଅଙ୍କାବଙ୍କା ରାସ୍ତା ର କୋଣ ମୁଣ୍ଡ ସୁନସାନ ଛକଟା ସେ ଦିନ ଅଚାନକ ଚଳ ଚଞ୍ଚଳ ହୋଇ ଉଠିଲା। ସମସ୍ତଙ୍କ ମନରେ ଜାଣିବାକୁ ଗୋଟେ ଉତ୍କଣ୍ଠା ଥାଏ କାହିଁକି ଅଘରି ବୁଢ଼ା କୁଡ଼ିଆକୁ ପୋଲିସ ଆସିଛନ୍ତି।

ଅଘରି ବୁଢା, କଳା କିଟିମିଟି ଛ ଫୁଟ ଲମ୍ବା ଚଉଡା ମଣିଷ ଟା। ମଇଳା, ମୁକୁଚା, ଫଟା କଳା ଧୋତି ସାଙ୍ଗକୁ, ବର୍ଷ ବର୍ଷରୁ କଟା ହୋଇ ନ ଥିବା ଛାତି ତଳକୁ ଲମ୍ବି ରହିଥିବା ପାଚିଲା ଦାଢ଼ି ଆଉ ବାଳ। ଲାଲ ଟକମକ ଆଖି ଦୁଇଟା ଲାଗେ ଯେମିତି କ୍ରୋଧର ଅଗ୍ନିଶିଖା ଜଳୁଛି। ସେ ଅଗ୍ନିରେ ସାରା ଦୁନିଆକୁ ଜାଳି ପୋଡି ଛାରଖାର କରିଦେବ।

ଲୋକଟା କୁ ସେହି ନିର୍ଜନ ସ୍ଥାନରେ ଦେଖିଲେ କେବଳ ଯେ ଛୁଆ ତାହା ନୁହେଁ, ବଡ଼ ମାନେ ବି କିଛ କ୍ଷଣ ପାଇଁ ଭୟବିତ ହୋଇଯିବେ। ସେ ଲୋକଟା କିଏ? କୋଉଠୁ ଆସିଲା? କାହିଁକି ସେଠାରେ ରହୁଛି? କେହିବି କିଛି ଜାଣି ନାହାନ୍ତି। କିନ୍ତୁ ଏତିକି ଜାଣନ୍ତି ଯେ ସେ ବୁଢା ଦଶ ବର୍ଷ ହେଲା ସେହି ସୁନସାନ ରାସ୍ତା କଡରେ କୁଡ଼ିଆ ଟିଏ କରି ରହିଆସୁଛି।

ବୁଢା ଦେଖିବାକୁ ସିନା ଭୟଙ୍କର ହେଲେ କେବେ କାହାକୁ ଉଁ ପଦୁଟିଏ ବି କହିନି। କେତେବେଳେ ଚୁପ ଚାପ କୁରାଢ଼ୀ ଟିଏ ଧରି କୁଡ଼ିଆ ଆଗରେ ବସିଥାଏ ତ କେତେବେଳେ ସେହି କୁରାଢ଼ୀ କୁ ପଥରରେ ଘସି ଧାର କରୁଥାଏ। ଗାଁ ଲୋକେ କେବେ ବି ସାହସ କରି କିଛି ବି ତା ବିଷୟରେ ଜାଣିବାକୁ ଚେଷ୍ଟା କରି ନାହାନ୍ତି। ବରଂ ସେମାନେ ନିଜକୁ ସୁରକ୍ଷିତ ଭାବୁଥିଲେ ବୁଢ଼ାଟି ସେହି ନିର୍ଜନ ଭୟଙ୍କର ରାସ୍ତା କଡରେ ରହିବା ଯୋଗୁ। ଛୁଆଙ୍କୁ ବୁଢା ପାଖେ ଛାଡ଼ିଦେବା ଭୟ ଦେଖାଇ ଚୁପ କରାଇ ନିଜ ବୋଲ ମନାଇବା ଗାଁ ଲୋକଙ୍କ ର ଏକ ସହଜ ମାଧ୍ୟମ ହେଇ ଯାଇଥିଲା। ସେହି ବାଟ ଦେଇ ଯାଉଥିବା କିଛି ଦୟାପରାୟଣ ଲୋକେ ତାକୁ ଯେତେବେଳେ ଯାହା ଦେଉଥିଲେ ସେଗୁଡିକ ଖାଇ ବୁଢା ବଞ୍ଚେ।

କଲେଜ ଠୁ ନେଇ କିଣା, ବିକା ଯାଏଁ ଗାଁ ଲୋକ ନିର୍ଭର କରନ୍ତି ଆଠ କିଲୋମିଟର ଦୂରରେ ସ୍ଥିତ ବଜାର ଉପରେ। ଦୁଇ ଟି ବସ ଏବଂ କିଛି ଟେକର, ଅଟୋରିକ୍ସା କୁ ବାଦ ଦେଲେ ଅନ୍ୟ କିଛି ସାଧନ ନାହିଁ ସେ ନିର୍ଜନ ରାସ୍ତା ଦେଇ ଗାଁ ଛକ ରେ ପହଞ୍ଚିବାକୁ। ଖାସକରି କଲେଜ ପଢୁଆ ଝିଅ ଙ୍କ ପାଇଁ ରାସ୍ତା ଟି ଅତି ବିପଦ ଜନକ। ଆଗରୁ ବି ସେ ରାସ୍ତା ଦେଇ ଯାଉଥିବା ଗାଁ ର ଅନେକ ଝିଅଙ୍କ ଉପରେ ଅତ୍ୟାଚାର ହେଇଛି। ସେଥିପାଇଁ ଭୟରେ ଅଧିକାଂଶ ଝିଅ ଅଧାରୁ ପଢା ବନ୍ଦ କରି ଦେଇଛନ୍ତି।

ନନ୍ଦିନୀ କିନ୍ତୁ ଗାଁର ସବୁ ଝିଅ ଠୁ ଅଲଗା। ବାପା ଛେଉଣ୍ଡ ଝିଅଟା। ପିଲାଟି ବେଳୁ ବାପାକୁ ଦେଖିନି ବାପା ର ଭଲପାଇବା କଣ ଜାଣିନି। ତା ମନରେ ସବୁବେଳେ ଗୋଟିଏ ଦୁଃଖ ତାର ବାପା ଥିଲେ କେତେ ଭଲ ହୁଅନ୍ତା। ବାପାଙ୍କ ସହିତ ସେ ଖେଳନ୍ତା, ବାପା ତାକୁ ଯାନିଯାତ୍ରା ବୁଲେଇ ନିଅନ୍ତେ। ବୋଉ ସବୁବେଳେ ଆକଟ କରି ରଖିଛି। କୁଆଡ଼େ ବି ଯିବାକୁ ଛାଡ଼ୁନି। ସେ ଯେତେବେଳେ ବାପାଙ୍କ ବିଷୟରେ ବୋଉକୁ ପଚାରେ ସେ କୁହେ।

ତୋ ବାପା ବିଲକୁଲ ତୋରି ଭଳି ସାହସୀ ଆଉ ଏକ ଜିଦିଆ। ନନ୍ଦିନୀ ହସି ଦିଏ।

ନନ୍ଦିନୀ ଜିଦିଆ ଯେମିତି ପାଠ ପଢ଼ାରେ ବି ସେମିତି। କଲେଜ ଗାଁ ରେ ନାହିଁ ବୋଲି କ'ଣ ସେ ପଢା ବନ୍ଦ କରିବ? ଗୋଟେ ଜିଦି ପଢିବି ତ ଭାତ ଖାଇବି ନ ହେଲେ ନାଇଁ। ବୋଉ ଠୁ ଆରମ୍ଭ କରି ସାଙ୍ଗ, କୁଟୁମ୍ବ ସମସ୍ତେ ବୁଝାଇଲେ ହେଲେ ସେ ବୁଝିବାକୁ ନାରାଜ। ଶେଷରେ ତା ଜିଦ ଆଗରେ ହାର ମାନିଲେ ସମସ୍ତେ। କେମିତି ମାନି ନ ଥାନ୍ତେ ଗୋଟେ ବୋଲି ଝିଅ ପୁଣି ଦଶମ ବୋର୍ଡ଼ ପରୀକ୍ଷାରେ ପୁରା ଜିଲ୍ଲା ରେ ପ୍ରଥମ ହେଇଛି।

ଯେବେ ବି ନନ୍ଦିନୀ ଏକା, ଛକ ରେ ବସ ଅପେକ୍ଷାରେ ଥାଏ ବୁଢାକୁ ଦେଖି ସେ କାହିଁକି କେଜାଣି ଭୟ ଅନୁଭବ କରେ। ବୁଢା ବି ସୂର୍ଯ୍ୟ କିରଣ ରେ ଚକମକ କରୁଥିବା କୁରାଢ଼ୀ ଟି କୁ ପଥର ରେ ଧାର ଦେଇ ଦେଇ ଗୋଟେ ଆଖିରେ ତାକୁ ଦେଖୁ ଥାଏ। ସତେ ଯେମିତି ଗିଲିଯିବ। ବେଳେବେଳେ ନନ୍ଦିନୀ ଭାବେ ସବୁ କଥା ଯାଇ ସେ ତା ବୋଉକୁ କହିବ କିନ୍ତୁ ଫଳ ଓଲଟା ହେବ ତା ପଢା ବନ୍ଦ ହେଇଯିବ ଭାବି ଚୁପ ରହେ। ବେଳେବେଳେ ଭାବେ ବୁଢା କୁ ମୁହାଁମୁହିଁ ଯାଇ ପଚାରିବି କାହିଁକି ସେ ଏମିତି ଦେଖୁଛି? କିନ୍ତୁ ସାହସ ପାଏନି ତା'ର। ମନେ ପଡ଼ିଯାଏ ପିଲାଦିନେ ଶୁଣିଥିବା ବୁଢ଼ାର କାହାଣୀ। ସେ କୁଆଡେ ରାତିରେ ମଶାଣିରେ ମଣିଷର ପୋଡା ମାଂସ ଖାଏ, ତନ୍ତ୍ର ସାଧନା କରେ, ଭୁତ ପ୍ରେତଙ୍କ ସହ କଥା ହୁଏ ଆଉ ସେ କୁରାଢ଼ୀ ରେ ପିଲାଙ୍କ ବଳି ଦିଏ ଏମିତି ବହୁତ କାହାଣୀ। ମନର ରାଗକୁ ନନ୍ଦିନୀ ଚାପିଦେଇ ମୁହଁ ବୁଲେଇ ଠିଆ ହୋଇ ରହେ ବସ ଅପେକ୍ଷାରେ।

ବୋର୍ଡ଼ ପରୀକ୍ଷା ପାଖେଇ ଆସିଥାଏ, ନନ୍ଦିନୀ ଅନୁଭବ କଲା ବସରେ ଯିବା ଆସିବା କରିବା ଦ୍ୱାରା ତାର ଦୁଇ ତିନି ଘଣ୍ଟା ନଷ୍ଟ ହେଉଛି। ତେଣୁ ସେ ନିଷ୍ପତି ନେଲା ସମୟ ବଞ୍ଚାଇବା ପାଇଁ ସାଇକେଲରେ ଯିବା ଆସିବା କରିବ। ବୋଉ ବାରଣ କରିଥିଲା ହେଲେ ଇଏ କୋଉ ଶୁଣିବା ପିଲା।

କିଛି ଦିନ ଭିତରେ ତାକୁ ଲାଗିଲା କେହି ଯେମିତି ତା'ର ପିଛା କରୁଛି। ପ୍ରତ୍ୟେକ ଥର କେଉଁଠି ନା କେଉଁଠି ସେହି ରାସ୍ତା ରେ ସେ ବୁଢାକୁ ହିଁ ପାଉଛି। ଲାଗେ ସେ ହିଁ ତା'ର ପିଛା କରୁଛି। ନ ହେଲେ ଯୋଉ ବୁଢ଼ା କୁଡ଼ିଆ ଦୁଆରୁ ବାହାରକୁ ଆସେନା ଏ ମଝି ରାସ୍ତା ରେ କ'ଣ କରୁଥାନ୍ତା? ସେ ମନରେ ଭାବେ ଆଉ ଜୋର ଜୋର ସାଇକେଲ ପେଡଲ ମାରି ଚାଲିଯାଏ। କାହାକୁ କିଛି ନ କହି ରାତି ରାତି ଅନିଦ୍ରା ରହି ଚିନ୍ତା କରେ, କାହିଁକି ସେ ବୁଢା ତା ପିଛା କରୁଛି? ତା ପ୍ରଶ୍ନର ଉତ୍ତର ସେ ପାଏ ନାହିଁ। ଆଖିରୁ ଲୁହ ଝରାଇ ମନରେ ଭାବେ ଯଦି ତା ବାପା ବଞ୍ଚିଥାନ୍ତେ ତା'ର ଏ ଅବସ୍ଥା ହୋଇ ନ ଥାନ୍ତା।

ସକାଳୁ ମନ୍ଦିରରେ ମୁଣ୍ଡିଆଟେ ମାରି ନନ୍ଦିନୀ ପୂର୍ବ ଭଳି ସାଇକେଲ ଧରି ବାହାରି ପଡ଼ିଲା ରେଜଲ୍ଟ ଦେଖିବାକୁ। ବାଟ ଯାକ ଠାକୁରଙ୍କୁ ଡାକୁଥାଏ ପ୍ରଭୁ ଆଜି ଯେମିତି ହୋଉ ସେ ଅଶୁଭ ରାକ୍ଷସ ବୁଢ଼ାର ମୁହଁ ନ ଦେଖାବାକୁ ମିଳୁ। ତା ଡାକ ଠାକୁର ଶୁଣିଲେ। କୁଡ଼ିଆ ପାଖେ ପହଞ୍ଚି ସେ କଣେଇ ଦେଖିଲା ବୁଢ଼ା ତା ଜାଗାରେ ନାହିଁ। ଏତେ ଦିନ ପରୀକ୍ଷା ଛୁଟି ପରେ ସେ କଲେଜ ଯାଉଛି ବୋଲି ବୋଧେ ବୁଢ଼ା ଜାଣିନି ସେଥିପାଇଁ ବସିନି। ନନ୍ଦିନୀ ମନେ ମନେ ଭାବିଲା।

ସବୁ ପରୀକ୍ଷା ଭଳି ଏ ପରୀକ୍ଷାରେ ବି ସେ ଟପର ଥିଲା। ଏ ଖବର ବୋଉକୁ କହିବାକୁ ତା ମନ ଉଚ୍ଛନ୍ନ ହେଉଥାଏ। ହେଲେ କେହି ଛାଡିଲେ ସିନା ଆସିବ। ଜଣକ ପରେ ଜଣେ ଆସି ତାକୁ ଶୁଭେଚ୍ଛା ବାର୍ତା ଜଣେଇବାରେ ଲାଗିଲେ। ଦେଖୁ ଦେଖୁ ଦିନ ଦିପହର। ବଜାର ରୁ ମିଠା ନେଇ ଘରକୁ ଗଲାବେଳକୁ ହଠାତ ସୂର୍ଯ୍ୟଙ୍କ ଅସହ୍ୟ ତେଜ ଖରା କଳା ଘନ ବାଦଲ ଭିତରେ ଲୁଚିଗଲା। ଦେଖୁ ଦେଖୁ ଉଦୁଉଦିଆ ଖରାବେଳଟା ଅନ୍ଧକାରମୟ ହେଇଗଲା। ବର୍ଷା ର ହାଲ୍କା ବୁନ୍ଦା ପବନ ସହ ଆସି ତା ଦେହର ବାଜୁଥାଏ। ସେ ଭିଜିବା ଭୟରେ ଜୋର ଜୋର ରେ ସାଇକେଲ ଚଲାଉ ଥାଏ।

ଆଖ ପାଖରେ ଗଛଟେ କି ଘର ଖଣ୍ଡେ ନାହିଁ। ସକାଳେ ଯେମିତି ପାଗ ଦେଇଥିଲା ଛତାଟା ଆଣିବା କଥା ସେ ଭାବିବି ପାରିଲାନି। ଆଜି ବର୍ଷାରେ ଭିଜିବା ଥୟ। ସେ ମନେ ମନେ ଭାବିଲା।

ଭାବନା ଭିତରୁ ବାହାରି ସେ ଅନୁଭବ କଲା ଯେ କେହି ତା ପିଛା କରୁଛି। ନିଶ୍ଚୟ ସେ ଅଭଦ୍ର ବୁଢ଼ା ହେଇଥିବ। ଯଦି ସେ ପାଖକୁ ଆସେ ତାହାଲେ ଗାଁ ଲୋକଙ୍କୁ କହି ତା କୁଡ଼ିଆ ଭାଙ୍ଗି ଦେଇ ତାକୁ ଏଠୁ ବିଦା କରିଦେବି। ବର୍ଷା ଜୋରରେ ଆରମ୍ଭ ହୋଇଯାଇଥାଏ, ସେ ପଛକୁ ନ ଦେଖି ଭାବିଲା। କିଛି କ୍ଷଣ ମଧ୍ୟରେ ଦୁଇଟି ବାଇକରେ ପାଞ୍ଚ ଜଣ ଆସି ତା ସାଇକଲ ଆଗରେ ଠିଆ ହୋଇଗେଲେ। ସାଇକେଲ ରଖି ସେ କିଛି କହିବା ଆଗରୁ ଜଣେ ତା ହାତକୁ ଜାବୁଡି ଧରି ଟାଣି ନେଲା ଜଙ୍ଗଲ ଆଡକୁ। ସାଇକେଲ ଟା ରାସ୍ତା ରେ କଚାଡି ହୋଇ ପଡ଼ିଗଲା, ସାଙ୍ଗରେ ଆଣିଥିବା ମିଠା ଗୁଡାକ ଜରିରୁ ବାହାରି ରାସ୍ତା ରେ ଖେଳାଇ ହୋଇଗଲା। ନନ୍ଦିନୀ ଚିଲାଉ ଥାଏ।

ଛାଡ଼ ମୋ ହାତକୁ....ଛାଡ଼।

ବହୁ ଦିନି ପରେ ତୋ ଭଳି ଗୋଟେ କଅଁଳ ଶିକାର ମିଳିଛି, ଛାଡ଼ିବି କେମିତି! ପାଟିରୁ ମଦ ଦୁର୍ଗନ୍ଧ ଛାଡୁଥିବା ଲୋକଟି ତାଚ୍ଛଲ୍ୟ କରି କହିଲା।

ନନ୍ଦିନୀ ବୁଝିଗଲା ସେ ଲୋକ ଗୁଡାକ କିଏ ଏବଂ କାହିଁକି ଆସିଛନ୍ତି। ଲୋକଟିର ହାତ କୁ କାମୁଡି ସେ ଦୌଡ଼ିବାକୁ ଲାଗିଲା। ଦୂରରୁ ବୁଢ଼ାର କୁଡ଼ିଆ ଦେଖା ଯାଉଥାଏ। ସେ କ'ଣ ସେହି ରାକ୍ଷସ ବୁଢ଼ା ର ସାହାଯ୍ୟ ନେବା ଉଚିତ ହବ? ନନ୍ଦିନୀ ମନେ ମନେ ଭାବୁ ଥାଏ। କିନ୍ତୁ ତା ପାଖରେ ଅନ୍ୟ କିଛି ବାଟ ବି ନାହିଁ। ସେ ବାଧ୍ୟ ହୋଇ କୁଡ଼ିଆ ଭିତରେ ପଶିଗଲା।

ବୁଢା ତଳେ ସପ ଖଣ୍ଡେ ପାରି ଶୋଇଥାଏ ମୁଣ୍ଡ ପାଖରେ ଚକ ମକ କରୁଥିବା କୁରାଢ଼ୀ ଟା। ନନ୍ଦିନୀ ଯାଇ ଭୟରେ ଚୁପଚାପ ତା ମୁଣ୍ଡ ପାଖରେ ଏକ କୋଣରେ ବସି ଥରୁ ଥାଏ। ବୁଢା ନନ୍ଦିନୀ କୁ ଦେଖି ବି ନ ଦେଖିବା ପରି ଶୋଇ ରହିଥାଏ। ଲୋକ ଗୁଡାକ ନନ୍ଦିନୀ କୁ ଖୋଜି ବୁଢା ପାଖେ ପହଁଚିଲେ।

ଏ ବୁଢ଼ା ସେ ଝିଅ କାହିଁ? ନିଶାରେ ଚୁର ପତଳା ଲୋକ ଟା ଧମକ ଦେଇ ପଚାରିଲା।

ଆରେ ପଚାରୁଛୁ କ'ଣ ଦେଖୁନୁ ଝିଅ ଟା ସେ କୋଣ ରେ ବସିଛି। ଯା ଟାଣି ଆଣେ। ବିଡି ଟା ବତୁରା ମାଚିସ ରେ ଜଳାଇବାକୁ ଚେଷ୍ଟା କରୁଥିବା ମଦୁଆ ଲୋକଟା ଆଦେଶ ଦେଲା।

ବାହାରେ ଜୋର ବର୍ଷା ତାକୁ କାହିଁକି ଟାଣି ନେବା, ଏ ବୁଢାକୁ ଟାଣି ବାହାର କରୁଛି। ଏମିତି ଶୁଖିଲା ଜାଗା ଆମକୁ ଆଉ କୋଉଠି ମିଳିବନି। ନିଶାରେ ଚୁର ପତଳା ଲୋକଟି କହି ବିକଟାଳ ହସରେ ହସି ବୁଢା ପାଖକୁ ଗଲା। ତା ସହ ଥିବା ଅନ୍ୟମାନେ ବି ତା ସାଙ୍ଗେ ତାଳ ଦେଇ ହସିବାକୁ ଲାଗିଲେ। ବୁଢା କିନ୍ତୁ ନିରବ, ଶାନ୍ତ ପଡି ରହିଥାଏ ତା ଶେଜ ଉପରେ।

ଲୋକଟା ଯେମିତି ବୁଢାକୁ ଉଠାଇବାକୁ ନୁହିଁଛି, କୁରାଢ଼ୀର ଗୋଟିଏ ଶକ୍ତ ଚୋଟ ରେ ତା ମୁଣ୍ଡ ଗଣ୍ଡି ଅଲଗା। ରକ୍ତ ର କିଛି ଛିଟା ଯାଇ ନନ୍ଦିନୀ ଉପରେ ପଡ଼ିଲା। ଲାଗିଲା ବୁଢା ଇସାରା ଦେଲା "ତୁ ଡର ନି ଝିଅ ମୁଁ ତୋ ପାଖରେ ଅଛି"। ନିଜ ସାଥୀର ଏ ଅବସ୍ଥା ଦେଖି ଅନ୍ୟମାନେ ଜୀବନ ବିକଲେ ଦୌଡ଼ିବାକୁ ଲାଗିଲେ। ବୁଢା କିନ୍ତୁ ଛାଡିବା ଲୋକ ନ ଥିଲା ଜଣ ଜଣକୁ ଗୋଡେଇ, ଗୋଡେଇ ହାଣିଲା। ଯେମିତିକି ସେମାନେ ତା'ର ଜନ୍ମଜାତ ଶତ୍ରୁ।

ବର୍ଷା ଥମି ଯାଇଥାଏ କୁଡ଼ିଆ ଭିତରୁ ଆରମ୍ଭ କରି ବାହାର ଯାଏଁ ସବୁଠି ମଣିଷ ରକ୍ତ ଆଉ ମାଂସ ପଡିରହି ଥାଏ। ପୋଲିସ ବି ପହଞ୍ଚି ଗଲା ବୁଢା ପୁର୍ବ ପରି କୁଡ଼ିଆ ବାହାରେ ନିରବ ବସି ରହିଥାଏ। ଘଟଣା କଣ ଜାଣିବାକୁ ଗାଁ ସରପଞ୍ଚ ବି ପହଞ୍ଚି ଗଲେ। ପୋଲିସ ଅଫିସର ଜଣଙ୍କ ବୁଢା ଅତୀତର ପୃଷ୍ଠା ଗୁଡିକ ସରପଞ୍ଚ ଆଗରେ ଗୋଟି ଗୋଟି କରି ଖୋଲିବାକୁ ଲାଗିଲେ।

ଆଗରୁ ବୁଢ଼ା ଏମିତି ହିଂସ୍ର ନ ଥିଲା। ମଣିଷ ମୁଣ୍ଡ ନୁହେଁ ଜମିରେ ଫସଲ କାଟିବା ଥିଲା ତା କାମ। ସ୍ତ୍ରୀ ବିମଳା, ଝିଅ ଛବି କୁ ନେଇ ତା ଛୋଟ ହସ ଖୁସିର ପରିବାର। କେତେ ଲୋକ କେତେ କଥା କହିଛନ୍ତି ପୁଅଟେ ପାଇଁ ହେଲେ ସେ କାହା କଥା ଶୁଣିନି ଝିଅଟି ହେଲା ପରେ ଆଉ ସନ୍ତାନ ଚାହିଁନି। ତା'ର ଗୋଟେ ସ୍ବପ୍ନ ଝିଅକୁ ପାଠ ପଢେଇ ପୁଅଙ୍କ ଠୁ ବି ବଡ଼ ମଣିଷ କରିବ। ଯୋଉ ଲୋକ ଗୁଡାକ ଆଜି ତାକୁ ଆଣ୍ଠୁକୁଡ଼ା, ବଉଁଶ ବୁଡା ଆଖ୍ୟା ଦେଇଛନ୍ତି କାଲି ଝିଅ ତା'ର ସେମାନଙ୍କୁ ଉଚିତ ଜବାବ ଦେବ। ଏମିତି ସବୁ ସ୍ୱପ୍ନ ଦଖି ତା ଦିନ ରାତି କଟୁ ଥାଏ। ମଦ ପାଣି ଛାଡ଼ନ୍ତୁ ପାନ କି ଗୁଟକା ଟିକେ ବି ପାଟିରେ ଦିଏନି। ଆଗରୁ ଖଇନି ଟିକେ ଖାଉଥିଲି ତାକୁ ବି ଝିଅ ରାଣ ଦେଇ ବନ୍ଦ କରିଦେଲା। ଯଦି କେବେ କେହି ଟାହି କରି ପଚାରେ ସେ ଛାତି ଫୁଲାଇ କୁହେ।

ମୋ ଝିଅ ରାଣ ଆଗରେ ଏ ଛାର ଖଇନି ଟା କ'ଣ! ଦରକାର ପଡ଼ିଲେ ମୁଁ ମୋ ଝିଅ ପାଇଁ ବି ଜୀବନ ଦେଇପାରେ।

ଝିଅଟି ବି ସେମିତି ପାଠ ପଢ଼ାରେ ଯେମିତି ବୁଦ୍ଧିରେ ବି ସେମିତି। ବାପା କହିଲେ ତା ଜୀବନ। ବଡ଼ ହସ ଖୁସିରେ ଏମାନଙ୍କ ଜୀବନ ବିତୁଥିଲା। କାହା ନଜ଼ର ଲାଗିଲା କେଜାଣି ସୁନ୍ଦର ପରିବାର ଟା ଭାଙ୍ଗି ରୁଜି ଛାରଖାର ହେଇଗଲା।

ସବୁଦିନ ଭଳି ସେ ଦିନ ସନ୍ଧ୍ୟା ରେ ତା ଝିଅ ଯାଇଥିଲା ପାଖ ବଜାରକୁ ଟିଉସନ ପଢି। ଆସିଲା ବେଳେ ସାଙ୍ଗ ମାନଙ୍କ ଠୁ ଟିକିଏ ଅଲଗା ହେଇଗଲା। କହିଲା "ତମେ ଯାଅ ମୁଁ ବାପାଙ୍କ ପାଇଁ ଔଷଧ ନେଇ ଯାଉଛି"। ଆଉ ଫେରିଲାନି। ରାତି ଯାକ ଗାଁ ଟା ସାରା ଲୋକ ମିଶି ଖୋଜିଲେ। ହେଲେ ତା ପତା ପାଇଲେନି। ସକାଳୁ ଗାଁ ଠାରୁ କିଛ ଦୂରରେ ଥିବା ଏକ ପରିତ୍ୟକ୍ତ ଜାଗାରେ ବୋହି ଯାଉଥିବା ଛୋଟ ନାଳରୁ ତା ରକ୍ତ ଜୁଡୁବୁଡୁ ମଲା ଶରୀର ମିଳିଲା। ତେର ବର୍ଷ ର ଝିଅଟିକୁ ଅମାନୁଷିକ ଭାବେ ଗଣ ଦୁଷ୍କର୍ମ କରାଯାଇଥିଲା। ଦୁଃଖର ବିଷୟ ଏହା ଯେ ଆମେ ବହୁ ଖୋଜା ଖୋଜି କଲା ପରେ ବି ଜଣେ ହେଲେ ଅପରାଧୀ କୁ ଧରିବାରେ ସକ୍ଷମ ହେଲୁନି। ଆଉ ତା ମା ଝିଅ କୁ ଝୁରି ଝୁରି ଚାଲିଗଲା।

ସେବେଠାରୁ କ'ଣ ତା ମୁଣ୍ଡରେ ପଶିଲା କେଜାଣି ସେ ସେହି ପରିତ୍ୟକ୍ତ ନାଳ କଡେ କୁଡ଼ିଆଟେ କରି ରହିବାକୁ ଲାଗିଲା। ହଠାତ ଦିନେ ଆମକୁ ଖବର ମିଳିଲା ଯେ ତା କୁଡ଼ିଆ ଆଗରେ ତିନି ଜଣଙ୍କୁ ଟିକି ଟିକି କାଟି ପକେଇଛି। ଖବର ନେବାରୁ ଜାଣିଲୁ ଯେ ସେ ତିନି ଜଣ ପୁଣି ଗୋଟେ ଝିଅର ଶିକାର କରିବାକୁ ଆସିଥିଲେ ଆଉ ନିଜେ ଶିକାର ହେଇଗଲେ। ଝିଅର ବୟାନ, ଗାଁ ଲୋକଙ୍କ ସମର୍ଥନ ଯୋଗୁ ଜର୍ଜ ସାହେବ ଦୟା କରି ଦଶ ବର୍ଷ ଜେଲ ଦଣ୍ଡାଦେଶ ଦେଲେ। ସଜା କାଟି ମୁକୁଳିଲା ପରଠୁ ତାକୁ କେହି ଆଉ ଗାଁରେ ଦେଖି ନାହାନ୍ତି। ଆଜି ଦେଖବା ବେଳକୁ ପୁଣିଥରେ ସେ ଅତୀତର ଭୟଙ୍କର ଦୃଶ୍ୟକୁ ପୁନରାବୃତ୍ତି କରିଛି। ମୁଣ୍ଡ କାହାର ଗଣ୍ଡି କାହାର ଚିନ୍ହି ହଉନି। ଏଥର ବୁଢାକୁ ଫାଶୀ ଖୁଣ୍ଟରୁ କେହି ଉଦ୍ଧାର କରି ପାରିବେନି।

ଶବ ଗୁଡିକ ଆମ୍ବୁଲାନ୍ସ ଭିତରେ ରଖା ସରିଥାଏ। ପୋଲିସ ଜଣକ ତାଙ୍କ କଥା ସାରି ଯିବା କୁ ବାହାରିଲେ। ନନ୍ଦିନୀ କାଠ ଭଳି ସେଠି ସେମାନଙ୍କ ର ସବୁ କଥା ଶୁଣୁ ଥାଏ। ସେଦିନ ସେ ବୁଝି ପାରିଲା ବାପାର ଅର୍ଥ କଣ, ବାପା କାହାକୁ କୁହନ୍ତି। ବାପା ଛେଉଣ୍ଡ ଝିଅର ଦୁଃଖକୁ ବୁଝି ଭଗବାନ ବୁଢାକୁ ବାପା ରୂପେ ସେଠିକି ପଠେଇ ଥିଲେ। ଏତେଦିନ ହେଲା ସେ ଛାଇ ପରି ତା ପଛରେ ରହି ତା'ର ରକ୍ଷା କରୁଥିଲେ। ଆଉ ମୁଁ ତାଙ୍କୁ ଖରାପ ଭାବୁଥିଲି। ମୁଁ ମୂର୍ଖ ମୋ ବାପା କୁ ପାଖରେ ପାଇ ବି ଚିନ୍ହି ପାରିଲିନି। ସେ ମନରେ ଭାବିଲା।

ବୁଢା ଉଠ ଯିବା। ତୋ କାମ ତ ସାରିଦେଲୁ ଏବେ ଆମ କାମ କରିବାକୁ ପଡିବ। କନେଷ୍ଟବଳ ବୁଢ଼ାର ହାତକୁ ଟାଣି ଉଠେଇଲା।

ତୁ ମା, ଏ ମଣିଷ ମାଂସ ଖିଆ ଶିଆଲ ଗୁଡାକୁ ଜମା ଡରିବୁନି, ତୁ ଯେମିତି କଲେଜ ଯାଉଥିଲୁ ସେମିତି ଯିବୁ। ମୁଁ ଜଲ୍ଦି ଫେରିବି ୟା'ଙ୍କ ଭଳି ରାକ୍ଷସ ମାନଙ୍କର ଶିକାର କରିବାକୁ। ଏଇଟା ନେ ପାଖରେ ରଖିଥା, ଏ ରାକ୍ଷସ ଗୁଡାକୁ ଏମିତି ଶିକାର କରିବୁ। ରକ୍ତରେ ଲାଲ କୁରାଢ଼ୀକୁ ଦେଇ ବୁଢା କହିଲା।

ଆରେ ସେଇଟା କ'ଣ ଦେଇ ଦଉଚୁ! ସେଇଟା ବା ତୋ ପାପ ର ପ୍ରମାଣ। ପାଖରେ ଥିବା କନେଷ୍ଟବଳ ଜଣଙ୍କ ତା ହାତରୁ କୁରାଢ଼ୀ ଟା ଛଡାଇ ନେଇ କହିଲା।

ଅଜ୍ଞା ପ୍ରମାଣ ତା ପାଇଁ ଦରକାର ଯିଏ ଦୋଷ ସ୍ୱୀକାର କରେ ନି। ମୁଁ ତ ନିଜେ ସ୍ବୀକାର କରୁଛି ଯେ ଏମାନଙ୍କୁ ମୁଁ ହତ୍ୟା କରିଛି। ଆଉ ଯେତେଥର ମୁକୁଳିବି ଏହି ଭଳି ନରଭକ୍ଷୀ ପଶୁ ଗୁଡିକର ଶିକାର କରିବି। ସେ ଜୋର ଜୋର ରେ ହସି କହୁଥାଏ।

ପ୍ରଥମ ଥର ସମସ୍ତେ ଶୁଣିଥିଲେ ସେ ବୁଢ଼ା କଣ୍ଠର ବିକଟାଳ ହସ। ସେହି ହସ ନନ୍ଦିନୀ ମନରେ ଥିବା ବୁଢା ପ୍ରତି ସମସ୍ତ ଭୟ, ଘୃଣାକୁ ଦୁରେଇ ଦେଇଥିଲା। ସେ ହାତ ଯୋଡି ଲୁହ ବୁହାଇ ଚୁପ ଚାପ ଠିଆ ହୋଇ ଦେଖୁଥାଏ ତା ଯିବା ବାଟକୁ, ଲାଗୁଥିଲା ସେ କହିବାକୁ ଚାହୁଁଥିଲା ମୋତେ କ୍ଷମା କରିଦେବ ବାପା ମୁଁ ତୁମକୁ ଚିନ୍ହି ପାରିଲିନି, କିନ୍ତୁ ତୁମ ଫେରିବା ବାଟକୁ ଅପେକ୍ଷା କରି କହିବି।


Rate this content
Log in

Similar oriya story from Inspirational