Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta kumar Hota

Inspirational Tragedy

3  

Prasanta kumar Hota

Inspirational Tragedy

ନୂତନ ସୂର୍ଯ୍ୟୋଦୟ

ନୂତନ ସୂର୍ଯ୍ୟୋଦୟ

8 mins
481


ପରିମଳ ଓ ରବିଚନ୍ଦ୍ର ପ୍ରତିଦିନ ସନ୍ଧ୍ୟା ପୂର୍ବରୁ ପାର୍କକୁ ଚାଲି ଆସନ୍ତି। ବୁଲାବୁଲି କରନ୍ତି ବହେ ଗପନ୍ତି। ନୂଆ ପୁରୁଣା ସବୁ କଥା ମନେ ପକାଇ ଆନନ୍ଦ ନିଅନ୍ତି। ଦୁଇ ବନ୍ଧୁ ବହୁତ ଦିନ ହେଲା ଅଲଗା ଥିଲେ। ଅବସର ପରେ ଏବେ ସବୁଦିନ ସାକ୍ଷାତ ହେଉଛି।

ଆଜି ବି ସବୁଦିନ ପରି ରବିଚନ୍ଦ୍ର ବୁଲିବାକୁ ଆସିଥିଲେ। କିନ୍ତୁ ସେ ଲାଗୁଥିଲେ ସମ୍ପୂର୍ଣ୍ଣ ଅଲଗା। ଆଖି ଦି'ଟା ଈଷତ୍ ଲାଲ୍ ଦିଶୁଥିଲା। ପାଖରେ ଚାଲିଲା ବେଳେ ଅନ୍ୟ ଦିନ ଅପେକ୍ଷା ମଦର ଗନ୍ଧ ବାରି ହୋଇ ପଡୁଥିଲା। ଏଭଳି ପରିସ୍ଥିତିରେ ପରିମଳ କିଛି ଗୋଟାଏ କହିବେ ବୋଲି ଭାବି ମଧ୍ୟ କଣ କହିବେ ସ୍ଥିର କରି ପାରୁ ନଥିଲେ। ପରିମଳଙ୍କ ଅନ୍ୟମନସ୍କତା ଦେଖି ରବିଚନ୍ଦ୍ର ପଚାରିଲେ - ଆଜି କଣ ଟିକେ ବେଶୀ ଚିନ୍ତାମଗ୍ନ ଜଣା ପଡୁଛ।

ପରିମଳ କହିବେ ବୋଲି ଯାହା ଭାବୁଥିଲେ ପ୍ରଶ୍ନ ଶୁଣି ତାଙ୍କୁ କହିବା ପାଇଁ ଆହୁରି ସୁବିଧା ହେଇଗଲା।

ସେ କହିଲେ - ଜାଣିଛନ୍ତି! ଜଣେ ନିଜରବି କ୍ଷତି କରିପାରେ। ଏହି କ୍ଷତି ଅନୁଭବ ନହେଲା ପର୍ଯ୍ୟନ୍ତ କାହାରିକୁ ବିଶ୍ୱାସ ହୁଏ ନାହିଁ। ଯେମିତିକି ମେରୁ ଭାଲୁ ରକ୍ତ ଲୋଭରେ ଖାଇବାକୁ ଯାଏ ଓ ନିଜ ରକ୍ତ ଦେଇ ଆସେ। ମଣିଷ ମାଦକ ଦ୍ରବ୍ୟ କୌତୁହଳରେ ଖାଏ ଓ ଅବଶେଷରେ ବ୍ୟସନରେ ପରିଣତ ହୋଇଯାଏ। ଇତିହାସ ପୃଷ୍ଠାରେ ଏହାର ବୋହୁତ ଦୃଷ୍ଟାନ୍ତ ଅଛି ।

ତାକୁ ଯେତେ ବୁଝାଇଲେ ବି ସେ ବୁଝେ ନାହିଁ। ମୋତେ ଯେତେ ମାଟିବୁ ମାଟ୍ ମୁଁ ସେହି ଦରପଡା କାଟ୍-ଏହି ନ୍ୟାୟ ରେ ବ୍ୟକ୍ତି ତାର ଇଛାରେ ନିଜ ଆଚରଣ ସବୁଥିରେ ପ୍ରକାଶ କରେ। ନିଜ ଆଚରଣରେ ନିଜେ ସନ୍ତୋଷ ପାଉଥିଲେ ମଧ୍ୟ ଆଚରଣଗତ ତ୍ରୁଟି ଶେଷରେ ନିଜକୁ ନିଃଶେଷ କରିଦିଏ। କାରଣ ମଣିଷର ନିଜ ବୁଦ୍ଧି ଉପରେ ଏତେ ଭରସା ଥାଏ ଯେ ତାହା କ୍ରମଶଃ ଅହଙ୍କାରରେ ପରିଣତ ହୋଇଯାଏ। ସବୁକିଛି ଘଟି ଜଳଜଳ ହୋଇ ଦିଶୁଥିଲେ ମଧ୍ୟ ସେ ନିଜ ଭୁଲ୍ ମାନିବା ପାଇଁ ପ୍ରସ୍ତୁତ ନୁହେଁ। କାରଣ ତ ପାଖରେ ଏହା ପାଇଁ ବି ଉତ୍ତର ମହଜୁଦ୍ ଥାଏ। ଅନୁତ୍ତର ହେଲେ ସେ ନିଶଂସୟ କହେ ଯାହା ଘଟିବାର ଥିଲା ଘଟିଲା। ଘଟିସାରିଲା ପରେ ଶୋଚନା କରି ଲାଭ ନାହିଁ। କାହାର ଭାଗ୍ୟ କିଏ ବା ଏଡାଇ ପାରିବ! ସମସ୍ତ ଘଟଣାକୁ ପ୍ରଭୁଙ୍କ ଇଛା ବୋଲି ମଧ୍ୟ କହେ। ଆଧ୍ୟାତ୍ମିକତାର ଉଚ୍ଚସ୍ତରରେ ପହଞ୍ଚିଲା ପରି କହନ୍ତି ପ୍ରଭୁଙ୍କ ଇଛା କଣ ଆନ ହୋଇପାରେ। ଆମେ ତ ନିମିତ୍ତ ମାତ୍ର। ନିଜ ଭୁଲକୁ ଏଡାଇବା ପାଇଁ ଏତେ ସୁନ୍ଦର ଉପସଂହାର ଦିଅନ୍ତି ଯେ ଶୁଣିଲା ଲୋକ ମଧ୍ୟ ଚୁପ୍ ହୋଇଯାଏ। ଏତିକି କହିସାରି ପରିମଳ ରବିଚନ୍ଦ୍ରଙ୍କୁ ପ୍ରଶ୍ନବାଚୀ ଦୃଷ୍ଟିରେ ଦେଖିଲେ।

ରବିଚନ୍ଦ୍ର କହିଲେ - ଆପଣ ଯାହା କହିଲେ ମୁଁ ସେଥିରେ ଏକମତ। କିନ୍ତୁ ଆଜି ମୋତେ ଏସବୁ କାହିଁକି କହୁଛନ୍ତି କୁହନ୍ତୁ। ଏପରି କଥା ଅବତାରଣା କରିବା ପଛରେ ନିଶ୍ଚୟ ଅନ୍ୟ କିଛି ସତ୍ୟ ଲୁଚିକରି ଅଛି ।

ତୁମେ ତାହେଲେ ଜାଣି ପାରିଲ। ପରିମଳ କଣ୍ଠ ପରିଷ୍କାର କରି କହିଲେ -ହଁ ସତ୍ୟ ନିଶ୍ଚୟ ଅଛି। ତମେ କିଛି ମନେ କରିବନି ତ?

ନା ନା ଆପଣ କୁହନ୍ତୁ। ମୁଁ ଜାଣିଛି ଆପଣ ଯାହା ବି କହିବେ ମୋର ଭଲ ପାଇଁ କହିବେ।

ପରିମଳ କହିଲେ ତମେ ମୋର ଜଣେ ଭଲ ବନ୍ଧୁ। ତମର ଅତ୍ୟଧିକ ମଦ୍ୟପାନ ଦ୍ଵାରା ତମେ ତମ ନିଜର ହିଁ କ୍ଷତି କରୁଛ।

ଓଃ ଏହି କଥା। ତମେ ବ୍ୟସ୍ତ ହୁଅ ନାହିଁ। ମୁଁ ଠିକ୍ ଅଛି। ଆଉ କେତେ ଦିନ ବା ବଞ୍ଚିବି। ତମେ ଜାଣିଛ ପରିମଳ ବଞ୍ଚିବା ପାଇଁ ମୋହ ଦରକାର। ମୋର ସେହି ମୋହ ଆଉ ନାହିଁ। ଏଇ ନିଶାରେ କିଛି ମୋହ ମିଳୁଛି। ବଞ୍ଚିବାର ଆଗ୍ରହ ସୃଷ୍ଟି ହେଉଛି।

ପରିମଳ ତୁରନ୍ତ ବାଧା ଦେଇ କହିଲେ - ମୋହ ନାହିଁ ମାନେ କଣ! ବଞ୍ଚିବା କଣ କେବଳ ମୋହ ଓ ଆଗ୍ରହର ସମାହାର। କର୍ତ୍ତବ୍ୟ ପାଇଁ ବଞ୍ଚିବାକୁ ପଡେ। ଦାୟିତ୍ଵ ପାଇଁ ବଞ୍ଚିବାକୁ ପଡେ।

ରବିଚନ୍ଦ୍ର କହିଲେ ତମେ ଯାହା କହୁଛ ଠିକ୍ କହୁଛ। କିନ୍ତୁ ମୋ ପାଇଁ ବର୍ତ୍ତମାନ କର୍ତ୍ତବ୍ୟ ଓ ଦାୟିତ୍ୱ କଣ? ପ୍ରାୟତଃ କିଛି ନୁହେଁ। ସମସ୍ତ ପରିବାର ସକ୍ଷମ। ମୋର ଆବଶ୍ୟକତା କେବଳ ଏକ ଔପଚାରିକତା।

ପରିମଳ ବ୍ୟସ୍ତ ହୋଇ ପଚାରିଲେ ତମେ ଏମିତି ନିରାଶାବାଦୀ ପରି କାହିଁକି କହୁଛ? ଘରେ କଣ କିଛି ସମସ୍ୟା ହେଇଛି କି?

ରବିଚନ୍ଦ୍ର କହିଲେ ସବୁ ସମସ୍ୟାର ମୂଳ ହିଁ ସେହି ଘର। ସବୁ ସମସ୍ୟାର ଅନ୍ତ ବି ସେହି ଘର।

-ମୁଁ ତମ କଥା କିଛି ବୁଝି ପାରୁନି

ରବିଚନ୍ଦ୍ର କହିଲେ ତମେ ମୋତେ କହିବା ପାଇଁ ଚାହୁଁଛ ଯେ ଆଚାର ଭ୍ରଷ୍ଟ ହେଲେ ଅର୍ଥାତ୍ ମଦ୍ୟପାନ କରି ନିଶାସକ୍ତ ହେଲେ ମଣିଷ ନିଜେ ନିଜର କ୍ଷତି କରିଥାଏ। ସେଥିରୁ ମୁକୁଳିବା ସମ୍ଭବ ନୁହେଁ। ଏୟା ତ!

ପରିମଳ ଚକିତ ହୋଇ କହିଲେ ହଁ! କିନ୍ତୁ ତମେ ଏକଥା ଜାଣି ମଧ୍ୟ ମଦ୍ୟପାନରୁ ନିବୃତ୍ତ କାହିଁକି ହେଉନ?

-କଣ ପାଇଁ ହେବି? ଏହା ଭଲ ନୁହେଁ ଆଉ କାହାକୁ ହେଇପାରେ। ମୋତେ ତ ଖୁବ୍ ଭଲ। ତାପରେ ହସି ହସି କହିଲେ ତମେ ଜାଣିଛ ସରକାର ତ ଏହାକୁ ପ୍ରୋତ୍ସାହନ ଦେଉଛନ୍ତି। ସରକାର ଏଥିରେ ଚଳୁଛି କହିଲେ ଚଳେ।

-କିନ୍ତୁ ତମର ଏଥିରେ କ୍ଷତି ହେଉଛି ବୁଝିବା ଦରକାର।

ହଁ ହେଉଛି। ସେ କ୍ଷତିକୁ ମୁଁ ସ୍ଵୀକାର କରୁଛି। ଯାହାର ବଞ୍ଚିବାର ଆଗ୍ରହ ଥିବ। ଲମ୍ବା ଆୟୁ ଚାହୁଁଥିବ। ସେ କେବଳ କ୍ଷତିକୁ ନେଇ ବିବ୍ରତ ହେବ। ମୋର ତ ଏସବୁ ଦରକାର ନାହିଁ।

-ତମର ବଞ୍ଚିବାର ଅଗ୍ରହ କଣ ପାଇଁ ନାହିଁ। କଣ ପାଇଁ ଜୀବନକୁ ସାରୁଛ। ମୋତେ ଟିକେ କୁହ।

ରବିଚନ୍ଦ୍ର କହିଲେ ମୁଁ ସାରିବା ପାଇଁ ଚାହୁଁନାହିଁ। ଯଦି ସରି ବି ଗଲା ମୋର ସେଥିରେ ଆପତ୍ତି ବି ନାହିଁ। ମୁଁ ଭାବୁଛି ଯାହାକୁ ଯେଉଁଥିରେ ସୁଖ ମିଳେ ମଣିଷ କେବଳ ତାହାହିଁ ଗ୍ରହଣ କରେ। ପ୍ରତ୍ୟେକ ଜିନିଷରେ ନିଶା ଥାଏ। ତୁମର ପରିବାର ପାଖରେ ନିଶା ଅଛି ଓ ମୋର ମଦ ପାଖରେ। ଏତିକି କେବଳ ଫରକ।

-ତୁମର କଣ ପରିବାରରେ କୌଣସି ଆନନ୍ଦ ନାହିଁ !

-ତୁମକୁ ଲୁଚାଇବି କଣ। କେବଳ ପରିବାର କରିଛି ବୋଲି ପରିବାରରେ ଅଛି। ଅପେକ୍ଷା କେବଳ ମୃତ୍ୟୁକୁ। ଆତ୍ମହତ୍ୟା ଭଳି ଜଘନ୍ୟ ଓ ଭୀରୁ କାର୍ଯ୍ୟ କରିବି ନାହିଁ ବୋଲି ନିଜ ସାମର୍ଥ୍ୟରୁ ମଦରେ ଆନନ୍ଦ ନେଉଛି।

-ତମର ଏତେବଡ଼ ଦୁଃଖ ମୋତେ କେବେ ଆଗରୁ ସେୟାର କରିନାହଁ।

-କେତେବେଳେ ସେୟାର କରିବି। ତମ ଚାକିରୀ ଗୋଟିଏ ଆଡେ ମୋ ଚାକିରି ଗୋଟେ ଆଡେ। ଆଜି ଅବସର ପରେ ଏକାଠି ମିଶୁଛେ ବୋଲି ଆଳାପ କରି ପାରୁଛି।

-ତଥାପି ଯଦି ଆପତ୍ତି ନଥାଏ। ତମ ଦୁଃଖ ମୋତେ ଟିକେ ଖୋଲି କୁହ।

ରବିଚନ୍ଦ୍ର ଦୀର୍ଘ ନିଶ୍ଵାସ ପକାଇ କହିବା ଆରମ୍ଭ କଲେ। ତମେ ମୋତେ ଆଜି ଯାହା କହି ବୁଝାଉଛ ମୁଁ ବି ଦିନେ ମୋ ସ୍ତ୍ରୀ କୁ ତାର ବ୍ୟବହାର ପାଇଁ ବୁଝାଉଥିଲି। ତାର କଟୁ କଥା ଉଗ୍ରଭାବ ଓ ଜିଦ୍ ତାକୁ ସୁଖ ଦେଲେ ବି ତାର କ୍ଷତି କରିବ ବୋଲି ଯେତେ କହିଲେ ବି ସେ ମୋତେ ତାତ୍ସଲ୍ୟ କରେ। ତା ପାଇଁ କିଛି ଅଘଟଣ ଘଟିଲେ ମୋ ପାଇଁ ଘଟିଛି ବୋଲି ପ୍ରମାଣ କରିବାରେ ଲାଗିପଡେ। ଏପରି ସ୍ବଭାବକୁ ମୋ ପୁଅ ଝିଅ କେହି ବାଦ୍ ଯାଆନ୍ତି ନାହିଁ। ସଦାବେଳେ ଅନ୍ୟର ଭୁଲ ଖୋଜୁ ଖୋଜୁ ନିଜର ଭୁଲ୍ ଦେଖିପାରେ ନାହିଁ କି ବୁଝିପାରେ ନାହିଁ। ଯଦି ବି ତାର ଭୁଲ କିଏ ଧରିଦେଲା। ତାହେଲେ ମୂଳ ବିଷୟବସ୍ତୁରୁ ଓହରି ସେ ତାର ଆଗରୁ ଜାଣିଥିବା ସମସ୍ତ ଭୁଲ ଗାଇବା ଆରମ୍ଭ କରିଦେବ।

କଥା ବେଳେ ବେଳେ ଏତେ ଅଧିକ ହୁଏ ଯେ ପୁଅ ବହୁତ ସମୟ ଯାଇ ସାଙ୍ଗ ଘରେ ରୁହେ ନହେଲେ ପାଠ ପଢିବା ନାଁରେ ବାହାରେ ରହେ। ଚାକିରି କଲା ପରେ ଜାଣି ଶୁଣି କମ ସମୟ ପାଇଁ ଘରକୁ ଆସନ୍ତି। ପୁଅର ବାହାଘର ପୂର୍ବରୁ ତାକୁ ବହୁତ ଅନୁରୋଧ କରି ଏଠିକି ବଦଳି କରି ଆଣିଥିଲି। ଏବେ ବାହାଘର ପରେ ସମସ୍ତେ ମିଶି ଟିକିଏ ଶାନ୍ତିରେ ରହିବୁ ବୋଲି ଭାବୁଥିଲୁ ଯେ ବୋହୂ ଟି ମୋ ସ୍ତ୍ରୀ ଭଳି ମୁଖରା ହେବା ଜଣା ପଡି ଗଲାଣି। ବର୍ତ୍ତମାନ ଶାଶୁ ବୋହୂ ଉଭୟେ ସବୁଦିନ ଏମିତି ପାଟି କରୁଛନ୍ତି ଯେ ଘରଟା ଆଉ ଘର ପରି ଲାଗୁନାହିଁ। ପୁଅକୁ ଭଲ ନଲାଗିଲେ ବି ମୋ ଭଳି ଚୁପ୍ ଚାପ୍ ରହିଛି। ଉଭୟ ପରସ୍ପରର ଏମିତି ଭୁଲ ସବୁ ଖୋଜି ସାଇତି ରଖୁଛନ୍ତି ଯେ ଯୁଦ୍ଧରେ ପରାସ୍ତ ହେବା କାହା ପାଇଁ ସମ୍ଭବ ହୋଇ ପାରୁନି। ବର୍ତ୍ତମାନ ଉଭୟ ଗରିଲା ଯୁଦ୍ଧରେ ପ୍ରବୃତ୍ତ। ଯାହାକୁ ଯେତେବେଳେ ମଉକା ମିଳିଲା ମାଡି ବସୁଛନ୍ତି। ମଝିରେ ମୁଁ ବେଳେ ବେଳେ ବଳି ପଡୁଛି। ଯେଉଁ ସ୍ଵଭାବ ପାଇଁ ମୋ ସ୍ତ୍ରୀ ନିଜକୁ ଘରେ ମନେ ମନେ ବଡ ଭାବୁଥିଲା ବର୍ତ୍ତମାନ ସେ ଘରେ ଏବେ ଛୋଟ ହେବା ଆରମ୍ଭ କଲାଣି ଆଉ ବୋହୂ ନିଜକୁ ବଡ ବୋଲି ଭାବୁଛି। ମୋତେ ତ ଲାଗୁଛି ଏଇଟା ଯେମିତି ଆମ ଘରର ପରମ୍ପରା ହେବାକୁ ବସିଲାଣି। ମୁଁ ଯେମିତି ମୋ ସ୍ତ୍ରୀ କୁ ବୁଝାଇବା ବେଳେ ମୋତେ କହୁଥିଲା - ତମ କଥା ତମ ପାଖରେ ରଖ। ମୋତେ ଏତେ ପାଠ ଶିଖାଅ ନାହିଁ। ଭାରି ଗୁଡାଏ ପାଠ ପଢି ପକେଇଛ ତ! ମୋ ପୁଅର ମଧ୍ୟ ସମାନ ଅବସ୍ଥା। ପ୍ରତିଦିନ ଛୋଟ ଛୋଟ କଥାକୁ ନେଇ ଆମ ଘରେ ତାମସା ଚାଲିଛି।

ପରିମଳ ରବିଚନ୍ଦ୍ରଙ୍କ ହାତ ଧରି ପାର୍କ ଭିତରେ ପଡିଥିବା ଏକ ବେଞ୍ଚ ଉପରେ ବସେଇ ଦେଲେ। କହିଲେ -ଏତେ ଅଶାନ୍ତି ତମ ଜୀବନରେ ? ଏତେବଡ଼ କଥା ଅଥଚ ମୋତେ ଟିକେ କହିଥିଲେ ତ ତମ ଦୁଃଖ ହାଲକା ହେଇଥାନ୍ତା। ମୋର ଏତେ ନିକଟତମ ବନ୍ଧୁ ହୋଇ କି ବି ତମେ ମୋତେ ଅନ୍ଧାରରେ ରଖିଲ। ନିଜ ଦୁଃଖ କାହାକୁ ବି ଭାଗ କରିବା ପାଇଁ ଦେଲ ନାହିଁ। ତମେ ଗ୍ରେଟ ବନ୍ଧୁ। ମୋର ଜାଣି ନପାରିବାଟା ବି ମୋ ପାଇଁ ଦୁଃଖର ବିଷୟ।

- ନା ନା ପରିମଳ ତମେ ଏମିତି କାହିଁକି କହୁଛ। ମୋ ଦୁଃଖ ତ ମୁଁ କାହା ସାଙ୍ଗରେ ସେୟାର କରି ନଥିଲି। ତମେ କେମିତି ଜାଣିବ?

- ତଥାପି ସାଙ୍ଗ ବନ୍ଧୁ ହିସାବରେ ମୁଁ ଗୋଟିଏ କଥା କହିବି। ତମେ କିଛି ମନେ କରିବ ନାହିଁ।

ହଁ ହଁ କୁହ। ରବିଚନ୍ଦ୍ର କହିଲେ।।

ପରିମଳ କହିଲେ ମହାଭାରତରେ ମୁଁ ଯାହା ପଢିଛି କୃଷ୍ଣ ଥରେ କର୍ଣ୍ଣ ଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଥିଲେ ଗୋଟିଏ ଦୁଃଖକୁ ଏଡେଇବାକୁ ଯାଇ ଆଉ ଗୋଟିଏ ଦୁଃଖ ଗ୍ରହଣ କରା ଯାଇ ପାରେ ନାହିଁ

ନିଜ ପ୍ରତି ହୋଇଥିବା ବିଷାଦର ପ୍ରତିବାଦରେ ଅନ୍ୟକୁ ବିଷାଦ ଦିଆ ଯାଇ ପାରେ ନାହିଁ। ଯେଉଁ ଅନ୍ୟାୟ ତମ ପ୍ରତି କରା ଯାଇଛି ତାର ପ୍ରତିବଦଳରେ ଅଧର୍ମର ଆଶ୍ରୟ ବା ଅନ୍ୟାୟକୁ ପ୍ରଶୟ ଦିଆ ଯାଇ ପାରେ ନାହିଁ। କାରଣ ଏହା ଦ୍ବାରା କାହାର ବି ନାଶ ହୁଏ ନାହିଁ ବରଂ ଉଭୟର ବୃଦ୍ଧି ଘଟେ। ମୋ କଥା କଷ୍ଟ ଲାଗିଲେ ବି ସତ୍ୟ। ବହୁତ ଲୋକ ଦେଖିବ ପାପ କାର୍ଯ୍ୟରେ ଲିପ୍ତ ରୁହନ୍ତି ଏବଂ ନିଜକୁ ଏହା କହି ଆଶ୍ଵାସନା ଦିଅନ୍ତି ଯେ ଅନ୍ୟମାନେ ମଧ୍ୟ କରୁଛନ୍ତି। ଏହା କେବଳ ନିଜର ହୀନ ବୁଦ୍ଧିର ପରିଚୟ।

ପରିମଳ ରବିଚନ୍ଦ୍ରଙ୍କୁ ଅନାଇ ତାଙ୍କର ଭାବାନ୍ତର ବୁଝିବାକୁ ଚେଷ୍ଟା କଲେ। ରବିଚନ୍ଦ୍ର ନୀରବ ଥିଲେ। ପରିମଳ ସାହସ ପାଇ ପୁଣି ଆରମ୍ଭ କଲେ। ତମେ କଣ ଭାବୁଛ ତମର ଅକାର୍ଯ୍ୟ ଦ୍ଵାରା ଘରେ ଚାଲିଥିବା ଅକାର୍ଯ୍ୟ ଦୂର ହୋଇଯିବ ନା ତୁମ କାର୍ଯ୍ୟରେ ସୁଧାର ଆସିଯିବ। କଦାପି ନୁହେଁ। ବରଂ ଉଭୟ ଖରାପରୁ ଅତି ଖରାପ ଆଡକୁ ଗତି କରିବେ। ଆମେ ଯଦି କିଛି ଭଲ କରି ପାରିବା ନାହିଁ କିଛି ଖରାପ ନକରିବା ପାଇଁ ତ ଚେଷ୍ଟା କରି ପାରିବା। ତମେ ଆଜି ଯୋଉଥିପାଇଁ ମଦ ପାଉଛ କାଲି ତୁମ ପୁଅ ବି ସେଇଥିପାଇଁ ମଦ ପିଇ ପାରେ। ତମେ ଆଖିରେ ଦେଖିଲେ ସହି ପାରିବ ତ? ତମ ଆତ୍ମା ଅଶାନ୍ତ ହେବ ନାହିଁ ତ? ଯଦି ଏସବୁ ଶୁଣି ସାରିଲା ପରେ ବି ତମେ ଠିକ୍ ବୋଲି ଭାବୁଛ ମୋର କିଛି କହିବାର ନାହିଁ। ବନ୍ଧୁ ହିସାବରେ ଏତିକି କହିଦେଲି। ତମ ଆଖିରେ ଯାହା ଭଲ ତମର କରିବାର ପୁରା ଅଧିକାର ଅଛି।

ରବିଚନ୍ଦ୍ର ବ୍ୟସ୍ତ ହୋଇ କହିଲେ -ନା ନା ବନ୍ଧୁ ରାଗୁଛ କାହିଁକି। ମୁଁ ତ କର୍ତ୍ତବ୍ୟ ବିମୁଢ ହୋଇ ଆଶ୍ରୟ ନେଇଛି। ମୋତେ ଏହାଛଡା ଆଉ କିଛି ଭଲ ବି ଲାଗୁ ନାହିଁ। ମୋତେ ସ୍ତ୍ରୀ ର ପାଟିରେ ଶାନ୍ତି ମିଳୁଛି ନା ବୋହୂର ଯୁକ୍ତିରେ।

ତମେ ଏତେ ହତୋତ୍ସାହ ହୁଅନାହିଁ - ପରିମଳ କହିଲେ। ଯଦି ଈଶ୍ୱରଙ୍କ ଉପରେ ଭରସା ଅଛି ବିଶ୍ୱାସ ଅଛି ତାହେଲେ ଶୁଣ - ଭଗବାନ ଯାହା ବି କରନ୍ତି ବା କରାନ୍ତି ତା ପଛରେ ତାଙ୍କର କିଛି ନା କିଛି ମହତ ଉଦ୍ଦେଶ୍ୟ ଥାଏ। ଆମେ କେବଳ ମୂର୍ଖ ମନୁଷ୍ୟ ମାନେ ବୁଝିବାରେ ଅସମର୍ଥ ହେଉ। ତେଣୁ ତୁମର ଯାହା ସବୁ ଘଟୁଛି ତୁମେ ନିଜେ ତ କରୁନାହଁ। ସବୁ ଈଶ୍ବର ପ୍ରେରିତ ଭାବରେ ଘଟୁଛି। ମୋ କହିବା କଥା ଈଶ୍ୱରଙ୍କୁ ଆଉ କିଛି ମାଗିବା ଅପେକ୍ଷା ଯଦି କୁହାଯାଏ ହେ ଈଶ୍ବର ମୋତେ ଏପରି ଯନ୍ତ୍ରଣା ଦେବା ପଛରେ କଣ ଉଦ୍ଦେଶ୍ୟ ଅଛି ମୋତେ ଦୟାକରି ଜଣାନ୍ତୁ। ମୋର କିଛି ଭୁଲ ହୋଇଥିଲେ ମୋତେ ପ୍ରାୟଶ୍ଚିତ କରିବାର ସୁଯୋଗ ଦିଅନ୍ତୁ। ଏପରି କରିବା ଦ୍ଵାରା ଦେଖିବ ପ୍ରଭୁଙ୍କ ସହିତ ସମ୍ପର୍କ ଗଢି ଉଠିବ। ଏହାର ପ୍ରମାଣ ସ୍ଵରୁପ ତୁମ ଲୋମ ଟାଙ୍କୁରି ଉଠିବ ଦେହରେ ଶିହରଣ ଆସିବ, ଆଖିରୁ ମଧ୍ୟ ଅଶ୍ରୁଧାରା ବହିବ। ଯେଉଁ ଦିନ ଏହା ଘଟିବ ଦେଖିବ ତୁମକୁ ଏସବୁ ଜଞ୍ଜାଳ ଆଉ ବ୍ୟତିବ୍ୟସ୍ତ କରିବ ନାହିଁ।

ରବିଚନ୍ଦ୍ର ମନଧ୍ୟାନ ଦେଇ ସବୁ ଶୁଣୁଥିଲେ। ମନେ ମନେ ଭାବୁଥିଲେ ସତରେ କଣ ଏପରି କିଛି ପରିବର୍ତ୍ତନ ସମ୍ଭବ। ସନ୍ଧ୍ୟା ଅନେକ ବେଳୁ ଅତିକ୍ରାନ୍ତ ହୋଇ ସାରିଥାଏ। ଅନ୍ଧାର ଭିତରେ ନୂତନ ଆଲୋକ ର ଆଶାରେ ସେ ଆଗେଇ ଚାଲିଥାନ୍ତି। ସେ ଯାହା କରୁଛନ୍ତି ତାହା ଭୁଲ ବୋଲି ଧିରେ ଧିରେ ହୃଦବୋଧ ହେଉଥାଏ।

ପରିମଳ କହିଲେ ରବିଚନ୍ଦ୍ର ତମ ଘର ଆସିଗଲାଣି। ରବିଚନ୍ଦ୍ର ପରିମଳଙ୍କୁ କୁଣ୍ଢାଇ କହିଲେ ମୁଁ ଅବଶ୍ୟ ଚେଷ୍ଟା କରିବି।

ଭିତରୁ ଶ୍ରୀମତୀ ଡାକିଲେ ସେଠି ଠିଆଟା କଣ ହେଇଚ! ପରିମଳ ବାବୁଙ୍କୁ ଘର ଭିତରକୁ ଡାକି ଆଣୁନ। ଚାହା ପିଇକରି ଯିବେ।

ପରିମଳ ରବିଚନ୍ଦ୍ରଙ୍କୁ ଅନାଇ କହିଲେ -ଦେଖିଲ ସମସ୍ତଙ୍କ ଅନ୍ତରରେ ଗୋଟିଏ ମହାନତା ଅଛି ଶିଷ୍ଟାଚାର ଅଛି ଭଲ ହେବାର ଇଛା ବି ଅଛି। ଆମେ ଧର୍ଯ୍ୟର ସହିତ ଗ୍ରହଣ କଲେ ଅସୁବିଧା ରହିବ ନାହିଁ।

ନିଶ୍ଚୟ ନିଶ୍ଚିତ କହି ରବିଚନ୍ଦ୍ର ପରିମଳଙ୍କୁ ଘର ଭିତରକୁ ଡାକି ଆଣୁ ଆଣୁ କହିଲେ - ମୋତେ ଲାଗୁଛି ଆଜି ମୋର ଘନ ଆକାଶରେ ନୂତନ ସୂର୍ଯ୍ୟୋଦୟ ହେଇଛି।

ଭଗବାନ କରନ୍ତୁ ସେ ସୂର୍ଯ୍ୟ ମଧ୍ୟାକାଶରେ ସଦା ସର୍ବଦା ରହିଥାଉ। ଉଭୟେ ଉଭୟଙ୍କ ଆଡକୁ ଅନାଇ ଟିକେ ହସିଦେଲେ। ସେ ହସର ଅର୍ଥ ପାଖରେ ଶ୍ରୀମତୀ ଠିଆ ହୋଇ ବୁଝିବାକୁ ଚେଷ୍ଟା କରୁଥିଲେ ବୋହୂ ଆଣି ଚାହା ସହିତ କିଛି ସ୍ନାକ୍ସ ବି ପରସି ଦେଲା।

ପ୍ରଶାନ୍ତ କୁମାର ହୋତା


Rate this content
Log in

Similar oriya story from Inspirational