ଅମୃତ (୨)
ଅମୃତ (୨)
ମୀରା କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲା ଅନିଲ।
"ବୋଉ ଆଜି ପଡିଶା ଘର ମାଉସୀଙ୍କୁ ପୁଣି ମାଗୁଥିଲେ ଶୁଖୁଆ।ମାଉସୀ ପୁଣି ତମରି ନାଁ ଧରି କହିଲେ , ତୁମ ପୁଅ ପରା ସେଦିନ ମୋତେ ଶୁଣେଇ କରି ମନା କରିଥିଲା।ମା ମନ କଥା ଯଦି ପୁଅ ନବୁଝିବ ତେବେ କିଏ ବୁଝିବ ?"
"ବୋଉ ମୁଣ୍ଡ ଖରାପ ହେଲାଣି ନା କଣ ?ମୁଁ ଯାଉଛି ତାକୁ ପଚାରିବି।ଡାକ୍ତର ପରା...."
ସ୍ୱାମୀ କଥାରେ ବାଧା ଦେଇ ମୀରା କହିଲା, "ଆସ୍ତେ କୁହ ।ବୋଉ ଶୁଣିଲେ ଖରାପ ଭାବିବେ ଯେ ମୁଁ ତାଙ୍କ ନାଁ ରେ ଫେରାଦ ହେଉଛି।ବୟସ ହେଲେ ବେଳେବେଳେ ପାଟି ଲାଳସା ବଢେ।ତମେ ମାର୍କେଟରୁ କିଣି ଆଣ।ମୁଁ ତାଙ୍କ ପାଇଁ କେବଳ ବନେଇ ଦେବି।"
"ଜମା ନୁହେଁ। ଚୁନା ମାଛ ଆଣୁଛି, ଭାଜି ଦେବ ଅଳ୍ପ ତେଲରେ।"
"ସୋରିଷ ମସଲା ନହେଲେ ସେ ପାଟିରେ ଦେବେନି।ଚୁନା ମାଛ ତାଙ୍କର ପସନ୍ଦ ନୁହେଁ।।ଇଲିଶି ନହେଲେ ଚିତ୍ତଳ ପେଟି କିମ୍ବା ଖଙ୍ଗା ଶୁଖୁଆ ଖାଇବାକୁ ଖୋଜୁଛନ୍ତି।"
"ଡାକ୍ତର ପୁରା ମନା କରିଛନ୍ତି ଏସବୁ ପାଇଁ।ତମେ ଭେଜ୍ ରେ ଟିକେ ଚଟପଟା ବନେଇ ଦିଅ।ସେ ଭୁଲିଯିବ।"
ଉଠି ଯାଉ ଯାଉ ବିରକ୍ତ ହୋଇ ମୀରା କହିଲା, ତମ ମା ପୁଅଙ୍କ ଜିଦି ଭିତରେ ମୋ ଜୀବନ ହନ୍ତସନ୍ତ ହୋଇଗଲାଣି।ତମେ ଖୁଆଇବ ବୋଉଙ୍କୁ।"
ଲଞ୍ଚରେ ବୋଉ ଭାତ ଥାଳି ଧରି ସେମିତି ବସିଥିବାର ଦେଖି ଅନିଲ ପଚାରିଲା, "ଖାଉନୁ କାହିଁକି ?ସଂତୁଳା,ଶାଗ ଭଜା,କଲରା ଭର୍ତ୍ତା,କଖାରୁ ଫୁଲ ଭଜା ତ ହେଇଛି। ତୁ ଖାଲି କଖାରୁ ଫୁଲ ଭଜା ଖାଉଛୁ ?"
କପାଳ କୁଂଚନ କରି ଆଶା କହିଲେ, " ଅରୁଚି ଧରିଛି।ପାଟିକି କିଛି ସୁଆଦ ଲାଗୁନି।ଭୋକ ନାହିଁ। ହଜମ ତ ଠିକ୍ ରେ ହେଉନି। ଜବରଦସ୍ତରେ ଖାଇଲେ ବାନ୍ତି ଉଠାଉଛି।ବୋହୂକୁ କହ ଆଚାର ଟିକେ ଦେଉ।"
"ତତେ ପରା ଆଚାର ମନା କରିଛନ୍ତି ଡାକ୍ତର।"
"ସେ ମୂର୍ଖ ଡାକ୍ତର ଖାଲି ମନା କରି ଜାଣିଛି।ଔଷଧ ବଦଳରେ ବିଷ ଲେଖି ଦେଉନି ସେ ଧରମଛଡ଼ା।ତୁ ଅନ୍ୟ ଡାକ୍ତର ଯୋଗାଡ଼ କର।"
ମୀରା ଅନିଲକୁ ଆଖି ଦେଖାଇ ଚୁପ୍ ରହିବାକୁ ନିର୍ଦେଶ ଦେଇ କହିଲା, "ବୋଉ ଠିକ୍ କହୁଛନ୍ତି।ତମେ ଅଲଗା ଡାକ୍ତରକୁ ବୋଉଙ୍କ ରିପୋର୍ଟ ଦେଖା। "
"ଡାକ୍ତର ଷଡ଼ଙ୍ଗୀ ସୁପର ସ୍ପେସିଆଲିଷ୍ଟ।ପାଞ୍ଚଶ ଟଙ୍କା ତାଙ୍କ ଫି।"
" ଦୁନିଆରେ କଣ ସେଇ ଏକା ଡାକ୍ତର ?ଖାଲି ଟଙ୍କା ଅଧିକ ହାଙ୍କିଲେ ସୁପର ?ଆମ ଗାଁ କମ୍ପାଉଣ୍ଡର ୟା ଠୁ ଭଲ। ବୋହୂ ଠିକ୍ କହୁଛି।ଅଧିକ ରୋଗୀ ଯୋଗୁଁ ଠିକ୍ ପରୀକ୍ଷା ନକରି ସବୁଥର ସେଇ ଏକା ଔଷଦ ଲେଖୁଛି।"
ଏଇ ସମୟରେ ଝରକା ଦେଇ କେଉଁଠୁ ଶୁଖୁଆ ବାସ୍ନା ଚାଲିଆସିଲା।
ଆଶାଙ୍କ ପାଟିରେ ଲାଳ ।" ତୋରି ପଡିଶା ସେଇ ଛୋପରି ବୁଢ଼ୀ ଆଜି ପୁଣି ଶୁଖୁଆ ଭାଜୁଛି।ଘରଟା ସାରା ଏବେ ସେଇ ବାସ୍ନା।ଜାଣି ଶୁଣି ମୁଁ ଖାଇଲା ବେଳେ ଭାଜିବ।ଖଣ୍ଡେ ହେଲେ ଦିଅନ୍ତା ମଣିଷକୁ। ଭାତ ଆପେ ଆପେ ଉଠିଯାଆନ୍ତା।"
ଅନିଲ ଓ ମୀରା ଦୁହେଁ ଦୁହିଁଙ୍କୁ ଅନାଇ ମୁରୁକି ହସୁଥିଲେ।
ପରଦିନ ଅଫିସରେ ବସ୍ ,ଅନୀଲ୍ କୁ ନିମନ୍ତ୍ରଣ କଲେ ଲଞ୍ଚକୁ।ନୂଆ ହୋଟେଲ" ଓଡିଶା ପାରାଡାଇଜ"ରେ ପ୍ରବଳ ଭିଡ଼।
"କଣ ମଗେଇବା ଅନିଲ "?
"ସାର୍ ଙ୍କର ଯାହା ଖୁସି ।ମୋର ସବୁ ଚଳେ"
ୱେଟରକୁ ଡାକି ବସ୍ କହିଲେ,"ଦହି ପଖାଳ,ଖଙ୍ଗା ଶୁଖୁଆ ଭଜା ଓ ବଡ଼ିଚୁରା ଆଣ।"
ଅନିଲର କାନ ଝାଏଁ ଝାଏଁ ହୋଇଗଲା।ବସ୍ ପୁଣି ଶୁଖୁଆ ?
"ବୁଝିଲେ ଅନିଲ ବାବୁ,ଏଇ ଜିନିଷ ପାଇଁ ହୋଟେଲ ନାଁ କରିଛି।ପୁରା ଦେଶୀ ଟେଷ୍ଟ। ଏକଦମ ଅମୃତ।ଖଣ୍ଡେ ପିସ୍ ରେ ପଖାଳ ଦୁଇବେଲା ଉଠିଯିବ। ମୋତେ ଡାକ୍ତର ମନା କରିଛି ବୋଲି ମୋ ସ୍ତ୍ରୀ ରୋଷେଆକୁ ସବୁ ଫାଲତୁ ଜିନିଷ ବନେଇବାକୁ ବରାଦ ଦେଉଛି।ପାଟି ଟାକଳା ମଣିଷ ମୁଁ।ସେଇଥିପାଇଁ ଆଜି ଆପଣଙ୍କ ଜନ୍ମଦିନରେ ମୋତେ ଲଞ୍ଚ ପାଇଁ ଡାକିଛନ୍ତି ବୋଲି ସ୍ତ୍ରୀକୁ ମିଛରେ କହିଛି।"ହୋ ହୋ ହୋଇ ହସୁଥିଲେ ବସ୍।
ଫୋନ୍ ରେ ସବୁକଥା ମୀରାକୁ କହି ହସୁଥିଲା ଅନିଲ।
ସନ୍ଧ୍ୟାରେ ଘରକୁ ଫେରି ମୀରା ହାତକୁ ଗୋଟେ ଜରି ବଢ଼ାଇଦେଇ ଅନିଲ କହିଲେ, "ଖଙ୍ଗା ଶୁଖୁଆ ଆଣିଛି।ସୋରିଷ ମସଲା ଦେଇ ଭାଜିଲେ ଭଲ ଲାଗିବ।"
ସୋଫାରେ ବସି ନାମମାଳି ଗଡାଉଥିବା ଆଶା କହିଉଠିଲେ," ଡାକ୍ତର ପରା ମନା କରିଛି।"
ମୁରୁକି ହସି ମୀରା କହିଲା, "ଆଉ ଗୋଟେ ବଡ଼ ଡାକ୍ତରକୁ ଆପଣଙ୍କ ରିପୋର୍ଟ ଦେଖାଇଥିଲେ।ମଝିରେ ମଝିରେ ଏସବୁ ଆପଣ ଖାଇପାରିବେ ବୋଲି ସେ କହିଲେ।ସେ ଡାକ୍ତର ନିଜେ ଖଙ୍ଗା ଶୁଖୁଆ ପ୍ରିୟ।"
ରାତିରେ ଖାଇବା ଟେବୁଲରେ ଆଗ୍ରହର ସହ ଖାଉଖାଉ ଆଶା କହିଲେ, "କୋଟି ପରମାୟୁ ଦେଇଥାନ୍ତୁ ସେଇ ଡାକ୍ତରକୁ।ତାରି ପାଖକୁ ମୋତେ ଏଣିକି ନେବୁ।"
ବୋଉକୁ ଖୁସିରେ ଖାଉଥିବାର ଦେଖି ଅନିଲ'ର ମନେପଡୁଥିଲା ଖରାବେଳେ ନିଜ ବସ୍ ଙ୍କ କଥା।
😊(ଅରବିନ୍ଦ ଦାସ)