ବୟସ ବୟସ ନୁହେଁ
ସମୟର ନଈ,
ବହିଯାଏ,ବହି ସରିଯାଏ ।
ପ୍ରେମଟା ବୟସ ନୁହେଁ
ନୁହେଁ ବି ସମୟ,
ମନର ଆପ୍ଳୁତ ବନ୍ୟାଟିଏ ।
ବନ୍ୟା ନୁହେଁ, ପ୍ଲାବନ ସେ
ପ୍ରୀତି ଝରଣାର ,
ମନ ମୁହାଣରେ ଆଶ୍ରା ନିଏ ।
ମୁହାଣ ମୁହାଣ ନୁହେଁ
ନିର୍ଜଳା ନିର୍ମାଲ୍ୟ
ହୃଦୟ ବେଳାକୁ ଛୁଇଁ ଯାଏ ।
ହୃଦୟର ମୁହାଣରେ
ପ୍ରେମର ଅଙ୍କୁର
ଶୁଦ୍ଧପୂତ ପବିତ୍ରତା ନେଇ ।
ଆଲ୍ହାଦିନୀ ମନ ତା'ର,
ଚନ୍ଦନ ଚର୍ଚ୍ଚିତ,
ଲହୁଣୀର ନରମତା ପାଇ ।
ନୈସର୍ଗିକ ସ୍ୱପ୍ନ ନେଇ
ପ୍ରେମର ଜନମ
ଆବିଳତା ଅଳପ ବି ନାହିଁ ।
ନିନ୍ଦାର ବଳୟେ ଥୋଇ
ନିନ୍ଦିତ କରନା,
ନନ୍ଦିନୀ ସେ,ନୁହେଁ ବହୁବ୍ରିହୀ ।
ପ୍ରେମ ଦେହେ ପ୍ରତାରଣା
ପ୍ରୀତିହରା ରୂପ
ମୃଗତୃଷ୍ଣା ଠାରୁ ଭୟଙ୍କର ।
ଜାଳିଦିଏ,ପୋଡିଦିଏ,
ଅଭୁଲା ଆଘାତ
ଜନ୍ମ ନିଏ ହୋଇ ଜାତିସ୍ମର ।
ପ୍ରେମ ମନ୍ଦ ମନ୍ଦାକିନୀ
ସର୍ବାଙ୍ଗ ସୁନ୍ଦରୀ
ଅମର ସେ,କେବେ ମରେନାହିଁ।
ପୁଣ୍ୟ ପ୍ରାଣା, ମଧୁଗନ୍ଧା,
ସର୍ବଦା ସୁଗନ୍ଧା
ବାସ ତା'ର କେବେ ସରେ ନାହିଁ ।
ଜନ୍ମ ଆଉ ମୃତ୍ୟୁ ମଧ୍ୟେ
ପ୍ରେମ,ଏକମାତ୍ର
ବନ୍ଧନର ସ୍ବର୍ଣ୍ଣାଭ ଶିକୁଳି ।
ପ୍ରେମ ନୁହେଁ, ପୂଜା ସିଏ
ସମ୍ମାନେ ଶ୍ରୀପଦା,
ଘୃଣା ନୁହେଁ, ଦିଅ ସ୍ନେହାଞ୍ଜଳି ।