ଅନ୍ଧାରକୁ ଅନ୍ଧ କରିଦେବି
ଅନ୍ଧାରକୁ ଅନ୍ଧ କରିଦେବି
ମାଟିରୁ ମମତା ଆଣିବି
ପୃଥିବୀରୁ ଆଣିବି ସହନଶୀଳତା
ସୂର୍ଯ୍ୟଠାରୁ ଆଣିବି ଶକ୍ତି ପ୍ରଖର
ବୃକ୍ଷରୁ ଆଣିବି ଦୟା ଊଦାରତା
ଈଶ୍ୱରଙ୍କୁ ମାଗିବି କ୍ଷମା ଗୁଣଟି
ଶିଶୁଙ୍କଠୁ ଆଣିବି ନିଷ୍କପଟ ପବିତ୍ରତା,
ସହିବି ସହିବି ଚୁପ୍ ମୁଁ ରହିବି
ଶେଷ ସୀମା ଯାଏ ଲଢିବି
ଆଲୋକର ଅନ୍ୱେଷଣରେ ଚାଲିବି
ଯଦି ଅନ୍ଧାର ମୋର ବାଟ ଓଗାଳେ
ମୁଁ ସେ ଅନ୍ଧାରକୁ ଅନ୍ଧ କରିଦେବି,
ପଥରଠୁ ଆଣିବି ମୁଁ କଠୋରପଣ
ଫୁଲପତ୍ରଠୁ ଆଣିବି କୋମଳତା
ଜହ୍ନକୁ ମାଗିବି ଶୀତଳତା ମେଞ୍ଚେ
ଶ୍ରମିକଠୁ ଆଣିବି ପରିଶ୍ରମ ଗୁଣ
ପିମ୍ପୁଡ଼ିଠୁ ଆଣିବି ସଞ୍ଚୟର ବୁଦ୍ଧି
ଲୁଣକୁ ମାଗିବି ଟିକେ ମୂଲ୍ୟବୋଧ,
କଣ୍ଟାରେ ଚାଲିବି ଅଣ୍ଟାରେ ଭିଡ଼ି ଗାମୁଛା
ଭିଜିବି ଭୀଷଣ ବର୍ଷାରେ ଭାଙ୍ଗିଯାଉ ପଛେ ଛତା
ସନ୍ଧାନ କରିବି ଜୀବନର ଆଲୋକକୁ
ଯଦି କେଉଁ ଅନ୍ଧାର ରୋକିବ ମୋତେ
ମୁଁ ସେ ଅନ୍ଧାରକୁ ଅନ୍ଧ କରିଦେବି।
