ମୋ ମନ ଚଞ୍ଚଳ ହୁଏ
ମୋ ମନ ଚଞ୍ଚଳ ହୁଏ
ବୃନ୍ଦାବନେ ତୁମ ବଇଁଶୀ ବାଜିଲେ
ମୋ ମନ ଚଞ୍ଚଳ ହୁଏ ,
କାହା ଆକଟକୁ ଖାତର ନ କରି
ସଅଳ ପାଶକୁ ଧାଏଁ ।(୦)
ମଥାରୁ ଅଞ୍ଚଳ ଖସିଯାଇ କେବେ
ବରଜ ଦାଣ୍ଡରେ ପଡ଼େ ,
ପାଦର ଝୁଣ୍ଟିଆ-ନୂପୁର ଯେ ପୁଣି
ବାଟେ ଘାଟେ ଛିଣ୍ଡି ଗଡ଼େ ।
କେଉଁଥିକି ନିଘା ନ କରି ମୁଁ ଜମା
ତୁମରି ପାଶକୁ ଧାଏଁ ।(୧)
ବୃନ୍ଦାବନେ ତୁମ ବଇଁଶୀ ବାଜିଲେ
ମୋ ମନ ଚଞ୍ଚଳ ହୁଏ ,
କାହା ଆକଟକୁ ଖାତର ନ କରି
ସଅଳ ପାଶକୁ ଧାଏଁ ।
ବଇଁଶୀର ତାନେ ପାଦ ମିଳାଇ ମୁଁ
ଭାବେ ଭୋଳ ହୋଇ ଝୁଲେ ,
ତୁମ ପରଶରେ ସକଳ ଯାତନା-
ନିନ୍ଦା,ଅପବାଦ ଭୁଲେ ।
ଆଉ କିଏ ସେଠି ଅଛି କି ନ ଅଛି
ତେଣିକି ଧ୍ୟାନ ନ ଥାଏ ।(୨)
ବୃନ୍ଦାବନେ ତୁମ ବଇଁଶୀ ବାଜିଲେ
ମୋ ମନ ଚଞ୍ଚଳ ହୁଏ ,
କାହା ଆକଟକୁ ଖାତର ନ କରି
ସଅଳ ପାଶକୁ ଧାଏଁ ।
ବି. ନିରୁପମା
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।