ନୀଡରୁ ସୌଧ
ନୀଡରୁ ସୌଧ
ଗଛ କୋରଡରୁ କୁଡିଆ ଚାଳିଆ ଝାଟିମାଟି ଖପରଲି
ଟିଣ ଆଜବେଷ୍ଟ କଂକ୍ରିଟ୍ ସୌଧ କହୁ ଆମେ ଘର ବୋଲି ।
ଆମେ ଭାବୁ ଘର ବାଲି ସିମେଣ୍ଟରେ ଦମ୍ଭ ଲୁହା ଛଡ ଯୋଗୁଁ
ଟାଇଲ୍ ମାର୍ବଲ୍ ଶାଗୁଆନ କାଠ ପ୍ଲାଷ୍ଟିକ ପେଣ୍ଟ ଆଗୁଁ ।
ଇଣ୍ଟେରିଅର ଡେକୋରେସନ ଦାମୀ ଘରର ମର୍ଯ୍ୟଦା ଆଣେ
ବାହାରେ ଲନ ଗୋଲାପ ଡାଲିଆ ଜିନିଆ ମନକୁ ଟାଣେ ।
ଦାମୀ ଆସବାବ ଆଦବ କାଇଦା ଘରର ଷ୍ଟାଟସ ବଢେ
ମୂଳ ଛିନ୍ନ କରି ଆଜିର ମଣିଷ ଗଛର ଅଗକୁ ଚଢେ ।
ପିଲାଦିନ ପାଠ ବୈକୁଣ୍ଠ ସମାନ ଅଟେ ସେହି ଘର ଯହିଁ
ସ୍ନେହ ମମତାର ବନ୍ଧନ ଟାଣ ପାଶୋରି ଦେଲେଣି କାହିଁ !!
ଏଇଠି ମୋ ବୋଉ ଗଢଇ ପିଠା ଆରିଶା କାକରା ମିଠା
ଟିକି ଗଡିଆରେ ବଗୁଲି କୁଳରେ ବସିଥାଏ ବୋଲି କଥା ।
ପରୀ ରାଇଜର ଆଇ ମା କାହାଣୀ ପାନ ଖିଆ ଦାନ୍ତ ଆଦି
ଆଧୁନିକତାର ଯନ୍ତ୍ର ଜାଲରେ ବୋଲାଏ ପ୍ରାଚୀନ ବ୍ୟାଧି ।
ଧୂମଧାମରେ ବାହାଘର ହୁଏ ଅସୁମାରୀ ଧନ ସରେ
ସମ୍ପର୍କ ଡୋରି ହୁଗୁଳା ହେଲାଣି ଡିଭୋର୍ସ ଛ ମାସ ପରେ ।
ଡାଇନିଂ ଟେବୁଲ ସଜାହୁଏ ଘରେ ଖାଇବାକୁ ବେଳ ନାହିଁ
ଦାମିକା ଫ୍ରିଜରୁ ମିଠା ଖାଇବାକୁ ମଧୁମେହ ଦିଏ କାହିଁ !
କପିଲ ଶର୍ମା ଶୋ ଦେଖିଲେବି କୁନ୍ଥେଇ ହସିବା ପାଇଁ
ମନଟିଏ ଆଜି ମରି ଶୋଇଲାଣି ବିଷାଦ ଯୋଗରେ ଥାଇ ।
ଭାଇ ଦିଏ ବଳ ପୋଥି ଲେଖା ସିନା ଭାଇଟି ଶତୃ ପରମ
ହଣା କଟା ଇଂଚେ ସମ୍ପତ୍ତି ପାଇଁକି ଲାଜ ଅଛି ନା ଶରମ ।
ବାପ ମା ଆଜି ଅଲୋଡା ଦରବ ଗାଆଁ ମାଟି ତିକ୍ତ ହେଲା
ଛୋଟ ପରିବାର ସହରୀ ସଭ୍ୟତା ଡାଳମୂଳ ଛିନ୍ନ କଲା ।
ଗାଆଁରେ ସହରୀ ହାଉଆ ଅଧିକ ଟିଭି ସିରିଏଲ ମୂଳ
ରାଜନୀତି ବିଂଚେ ଶତୃତାର ମଂଜି ଘର ସୁଖଟି ଅମିଳ ।
ଚାରିକାନ୍ଥ ଛାଡି ଘରକୁ ଖୋଜିବା ସ୍ନେହର କଂକ୍ରିଟ୍ ଦେଇ
ନୀଡ ହେଉ ସୌଧ ମମତା ପେଣ୍ଟିଂ ମନଲୋଭା ଦିଶୁଥାଇ ।
ବିଶ୍ୱେଶ୍ଵର ମାଝୀ