ଝୁରୁଛି ତୁମକୁ ବସୁଧା ହେ ରାଧା
ଝୁରୁଛି ତୁମକୁ ବସୁଧା ହେ ରାଧା
ଝୁରୁଛି ବସୁଧା ତୁମକୁ ହେ ରାଧା
ଅପାକୃତ ପ୍ରେମ ପାଇଁ
ତୁମ କୃଷ୍ଣ ପ୍ରୀତି ଗାଉଅଛି ଗୀତି
ସକଳ ହୃଦୟ ଛୁଇଁ ।
ଗୋଲକପୁରର ବାସିନୀ ହିଁ ତୁମେ
ଶ୍ରୀକୃଷ୍ଣଙ୍କ ପ୍ରାଣପ୍ରିୟା
କେଳି କରୁଥିଲ ସେଠାବରେ ରହି
ଲାଖି ସ୍ବାମୀଙ୍କର ହିଆ ।
ସୁଦାମା ଶାପରେ ମରତେ ଆସିଲ
କୃଷ୍ଣ ବି ତୁମ ପଛରେ
ଦୁହେଁ ଗୋପପୁରେ ନାନା ବାଲ୍ୟଲୀଳା
କଲ ଦ୍ବାପର ଯୁଗରେ ।
ତୁମ ଆହ୍ଲାଦିନୀ ଶକତି ବଳରେ
କୃଷ୍ଣ ସଂହାରି ଅସୁରେ
ବିଜୟ ତିଳକ ମଥା ପରେ ବୋଳି
ଉଭା ହେଲେ ମଥୁରାରେ ।
କଣା ମାଠିଆରେ ପାଣି ଆଣି ତୁମେ
ଦେଖାଇଲ ସତୀପଣ
ଚନ୍ଦ୍ରସେଣା ପତି ଥିଲେ ବି ତୁମର
ମହାସତୀରେ ଗଣନ ।
ଦ୍ବାରିକା ନଗରୀ ଯାଇଥିଲ ଦିନେ
ଶ୍ରୀକୃଷ୍ଣେ ଦର୍ଶନ ପାଇଁ
ଫେରି ଆସିଥିଲ ରହି କିଛି ଦିନ
ନୈସର୍ଗିକ ପ୍ରେମ ବହି ।
ତୁମରି ପାର୍ଥିବ ମନ ସେହି ସ୍ଥାନେ
ପାଇନଥିଲା କି କଷ୍ଟ
ତଥାପି ମନକୁ କରି ନିଜ ବଶ
ରହି ପାରିଥିଲ ତୁଷ୍ଟ ।
କୃଷ୍ଣ ଭାବନାରେ ଦୁର୍ବଳ ଶରୀରେ
ଅରଣ୍ୟେ କରି ନିବାସ
ମାନବ ଶରୀର କରିଦେଲ ନାଶ
ଧରି ସନ୍ନ୍ୟାସିନୀ ବେଶ ।
ଏକଥା ବୁଝଇ କୃଷ୍ଣ ଭକ୍ତି ମତି
ଆନ କି ପାରିବ ଆଉ
ଏ ଦେହରେ ପ୍ରାଣ ଥିବା ପରଯ୍ୟନ୍ତ
ଶ୍ରୀପଦରେ ଧ୍ୟାନ ଥାଉ ।