Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geetanjali Prusty

Inspirational

3  

Geetanjali Prusty

Inspirational

ରହିଛ ଚିର ଅମ୍ଳାନ

ରହିଛ ଚିର ଅମ୍ଳାନ

1 min
173



ଆଜି ପୁଣ୍ୟ ତିଥି ଦେଉଅଛି ଭେଟି

ଶତ ଶତ ପ୍ରଣିପାତ

ଉତ୍କଳ ମାତାର ସ୍ୱାଭିମାନ ତୁମେ

ଅସ୍ମିତାରେ ଅଭିପ୍ରେତ l


ଜନମ ଲଭିଲ ସିଦ୍ଧେଶ୍ୱର ପୁରେ

ଅଠରଶ ଚୌସ୍ତରିରେ

ମାତୃଭାଷା ପାଇଁ ମନ ପ୍ରାଣ ଦେଇ

ଧନ୍ୟ ହେଲ ଏ ଉତ୍କଳେ l


ସାଧନା ତୁମର ସାରସ୍ୱତ ବୀର

ପ୍ରତି ଓଡ଼ିଆଙ୍କ ପ୍ରାଣେ

ରଖିଗଲ ଛାପ ବାଣୀ ଭଣ୍ଡାରରେ

'ଭାଗବତ ଟୁଙ୍ଗିରେ ସନ୍ଧ୍ୟା' ନାମେ l


'ବାଇ ମହାନ୍ତି ପାଞ୍ଜି' ହେଉ ଅବା

'ଦୁନିଆର ହାଲଚାଲ '

'ନନାଙ୍କ ବସ୍ତାନି ' 'ଢଗ ଢମାଳି'ରେ

କେତେ ତଥ୍ୟ ସଂରଚିଲ l


"ପୂର୍ଣ୍ଣଚନ୍ଦ୍ର ଭାଷା କୋଷ" ରଚିଦେଲ

ବହୁ ବାଧା ବିଘ୍ନ ସହି

ଗୋପାଳ ଚନ୍ଦ୍ର ପ୍ରହରାଜ ନାମେ

କାନେ କାନେ ଦେଲ କାହି l


ଏକ ଲକ୍ଷ ପୁଣି ପଞ୍ଚାସୀ ହଜାର

ଶବ୍ଦରେ ଶ୍ରୀବୃଦ୍ଧି ହେଲା

ନ'ହଜାର ପାଞ୍ଚଶ' ପୃଷ୍ଠା ସମ୍ବଳିତ

ସାତ ଖଣ୍ଡେ ବିରାଜିଲା l


ସର୍ବ ଶ୍ରେଷ୍ଠ କୃତି ମାଆ ମାଟି ପ୍ରୀତି

କାଳ କାଳ ଥିବ ରହି

ଗାଏ ଇତିହାସ ତୁମ ଅଭିଳାଷ

ଚିର ଜାଗରିତ ହୋଇ l


ତୁମ କର ସ୍ପର୍ଶେ ଉତ୍କଳ ସାହିତ୍ୟ

ଗର୍ବେ ତୋଳି ଦେଲା ଶିର

'ରାସ ଚକ୍ର' ଅବା 'ନବ ଭାରତ'ରେ

ଦେଲ 'ସତ୍ୟ ସମାଚାର' l


ଅନେକ ଭାଷାରେ ରଖିଲ ଦକ୍ଷତା

ମାତୃଭାଷା ଟେକ ସାଥେ

ବକ୍ତବ୍ୟ ପ୍ରଦାନେ ମନ୍ତ୍ର ମୁଗ୍ଧ କଲ

ସାରସ୍ୱତ ଏ ଜଗତେ l


ଉଣେଇଶି ଶହ ପଇଁଚାଳିଶିର

ମଇ ମାସ ଶେଷ ଦିନ

ଇହଧାମ ତ୍ୟାଗକରି ମଧ୍ୟ ତୁମେ

ରହିଛ ଚିର ଅମ୍ଳାନ l


ତୁମ ସୃଷ୍ଟି ରାଜି ଗାଉଛି ଏ ମାଟି

ଧନ୍ୟ ସିଦ୍ଧେଶ୍ୱର ପୁର

ଧନ୍ୟ ପ୍ରହରାଜ ଧନ୍ୟ ତୁମ କାର୍ଯ୍ୟ

ଜନ୍ମନିଅ ବାରମ୍ବାର l


ତୁମ ପଦରେଣୁ ପାଦୁକା ସମାନ

ମସ୍ତକରେ ବହି ଆମେ

ସ୍ମୃତି ଅର୍ଘ୍ୟ ବାଢ଼ି ଦେଉଛୁ ଅଞ୍ଜଳି

ଦେଖୁଥାଅ ସ୍ୱର୍ଗ ଧାମେ l



Rate this content
Log in

Similar oriya poem from Inspirational