ଇଶ୍ୱର
ଇଶ୍ୱର
ଆସିଛି ନୂତନ ରୋଗ ଗ୍ରାସିଛି ବିଶ୍ୱକୁ,
ଖାତିର କରିନି ସିଏ ଜାତି ବା ଧର୍ମକୁ |
ଧନୀ ଗରିବ ପ୍ରଭେଦ ବୁଝେ ନାହିଁ ସିଏ,
ବୟସ ଲିଙ୍ଗ ଭେଦକୁ ପଚାରେ ବା କିଏ ?
ଚାରିଆଡେ ହାହାକାର କୁଢ଼କୁଢ଼ ଶବ,
ମନ୍ଦିର,ମସ୍ ଜିଦ ଆଜି ସବୁଆଡ ବନ୍ଦ |
ଛୁଇଁଲେବି ବ୍ୟାପିଯାଏ ଏମିତି ଏ ରୋଗ,
ଭୟଲାଗେ ବ୍ୟାପିବାରେ ଦେଖି ତାର ବେଗ |
ନିଜ ଘରେ ରହିବା ତା ପାଇଁ ଅନୁଚିତି,
ନିଜଲୋକ ଯିବା ମଧ୍ୟ ମନା ତା କତିକି |
ସାରା ବିଶ୍ୱକୁ ସେ ଆଜି କରେ ହଇଚଇ,
ଏ ସମୟେ ଧନ୍ୟ ତୁମେ ରୋଗୀ ପାଖେ ରହି |
ସେବା କର ଦିନରାତି ଏକ କରିଦେଇ,
ବିପଦରେ ଜୀବନକୁ ବାଜିରେ ଲଗାଇ |
ନିଜ ଘର ନିଜପିଲା ସଂସାରର କଥା,
ସେସବୁ ମନରେ ତୁମ ଦେଉନାହିଁ ବ୍ୟଥା |
ଧନ୍ୟ ଧନ୍ୟ ସେବିକା ଓ ଧନ୍ୟ ହେ ଡାକ୍ତର,
ତୁମକୁ ଜଣାଏ କୋଟି କୋଟି ନମସ୍କାର |
ରୋଗୀ ପାଖେ ରହି ତୁମେ ସେବା ତାର କର,
ସେଥିପାଇଁ ତୁମେ ପରା ଦ୍ୱିତୀୟ ଇଶ୍ୱର |
