କୃଷ୍ଣ ସୁଦାମା
କୃଷ୍ଣ ସୁଦାମା
ହେ କୃଷ୍ଣ ମୁଁ ସୁଦାମା
ଖୁଦଭଜା ଟିକେ ଖାଇଦେଲି ବୋଲି
ବନ୍ଧୁତାକୁ ମୋର ଭୁଲିଯାଇ ତମେ
ଦେଲ ମତେ ବନ୍ଧୁ ଏତେ ଯାତନା ॥
ପିଲାଙ୍କୁ ମୋହର ଭୋକରେ ରଖିଲ
ମୋ କର୍ମ ପାଇଁ ସେ ପାଇଲେ ଦୁଃଖ
ପତ୍ନୀ ମୋର କେଉଁ ପାପ କରିଥିଲା
ତାପାଇଁ ବି ତମେ ହୋଇଲ ମୂକ ॥
ଦରିଦ୍ର ବ୍ରାହ୍ମଣ କରି ବୁଲାଇଲ
ଦ୍ୱାରେ ଦ୍ଵାରେ ଭିକ୍ଷା ମାଗିଲି ମୁହିଁ
ବନ୍ଧୁତ୍ଵକୁ ଆମ ଛୋଟ ଅପରାଧେ
ଏତେ ଶୀଘ୍ର ତମେ ଭୁଲିଲ କାହିଁ ॥
ଗୋପରେ ମଜାରେ ତୁମ ଖୁଦ ଖାଇ
ଉପାସେ ତୁମକୁ ରଖିଲି ମୁହିଁ
ପିଲା ଦିନ ଖେଳ ସାଥୀକୁ ବି ତମେ
କଷଟି ପଥରେ ଦେଲ ବସାଇ ॥
ତଥାପି ଦରିଦ୍ର ସୁଦାମା ଆଖିରେ
ରହିଅଛ ତମେ ଅମୂଲ୍ୟ ହୋଇ
ପରୀକ୍ଷା ତୁମର କିଏ ବା ବୁଝିବ
ଲୀଳା ଖେଳା ସବୁ ଭକ୍ତଙ୍କ ପାଇଁ ॥
ରୋଜା ପଣ୍ଡା
ପୂର୍ଣ୍ଣାନନ୍ଦ ଭବନ ,ନେତାଜୀ ନଗର, ମଧୁପାଟଣା