ମୋର ବି ତ ମନଟିଏ ଅଛି
ମୋର ବି ତ ମନଟିଏ ଅଛି
ମୋର ବି ତ ମନଟିଏ ଅଛି କେବେ ଚଗଲାମୀ ତାକୁ ଛୁଏଁ
ମୋର ବି ତ ମନଟିଏ ଅଛି ନିଜ ଦୋଷ ନିଜଠୁଁ ଲୁଚାଏ ।
ମୋର ବି ତ ମନଟିଏ ଅଛି ପାରଙ୍ଗମେ ଦେଖାଏ ବାହାଣି
ମୋର ବି ତ ମନଟିଏ ଅଛି ନିଜ ସ୍ବାର୍ଥେ ନିବଦ୍ଧ ଚାହାଣି ।
ମୋର ବି ତ ମନଟିଏ ଅଛି ନିଜ ଛଡା ଅନ୍ୟେ ଭାବେ ହେୟ
ମୋର ବି ତ ମନଟିଏ ଅଛି ଅପାରଗେ ମଣେ ଅସହାୟ ।
ମୋର ବି ତ ମନଟିଏ ଅଛି କରେ ହିଂସା କବଳି ନ ପାରି
ମୋର ବି ତ ମନଟିଏ ଅଛି ଘର ଜାଳି ଦିଏ ମୂଷା ମାରି ।
ମୋର ବି ତ ମନଟିଏ ଅଛି ଅସମାନ ଭିତର ବାହାର
ମୋର ବି ତ ମନଟିଏ ଅଛି ଚାହେଁନାହିଁ ଉନ୍ନତି କାହାର ।
ମୋର ବି ତ ମନଟିଏ ଅଛି ଚାହେଁ ମାଟି ଧରିବି ଜାବୋଡି
ମୋର ବି ତ ମନଟିଏ ଅଛି ଭୟ କରେ କେ'ଯିବ ହାବୋଡି ।
ମୋର ବି ତ ମନଟିଏ ଅଛି ଯଦି ତୁମ ମନ ସମସରି
ବିଚାରି କହିଲ ବନ୍ଧୁ ! କିଆଁ ରଖ ଅପାଙ୍କ୍ତେୟ କରି ??
ଏତିକି କି' ମୋର ଭୁଲ ବିଚାରରେ ମାଟିକୁ ଭୁଲୁନି
ମୂଳାଙ୍କକୁ ଭୁଲିବାରେ ଖାଲି ତୁମ ସମତାଳରେ ଚାଲୁନି ।
ପର ପ୍ରେମେ ପ୍ରଥାକୁ ମୋହର ଭାବୁନାହିଁ ପଠା ଘା' ପରି
ପରମ୍ପରା ପ୍ରପିଡିତେ ମୁହିଁ ପାରୁନାହିଁ ଅନ୍ୟେ ପ୍ରଭୁ କରି ।
ଏତିକି ତଫାତ ଛଡା କରିବ କି ମୋ ସ୍ଥିତି ଅମାନ୍ୟ
କେମିତି ପାରୁନ ବୁଝି କୁହ "ଏ ଚିନ୍ତନ ନୁହଁଇ ସାମାନ୍ୟ'' ?
ତୁମରି ଜିଦି ଯୋଗୁ ହିଁ ଆଜି ଆଶଙ୍କାରେ ଯୁଗଟା ଜିଉଁଛି
ତୁମ ଇଚ୍ଛା ଇତିବୃତ୍ତି ଏବେ ସର୍ବଗ୍ରାହ୍ୟ ଶ୍ରଦ୍ଧା ନ ପାଉଛି ।
ମୁଷ୍ଟିମେୟେ ତିଷ୍ଟି ତେବେ ତୁମେ ଦେଖାଅନା ଜାତି ଯାତ୍ରା ବାଟ
ବରଂ ଜାତି ବ୍ୟଥା ବଢି ବଢି ବଇଭବ ବରିବ ବିକଟ ।
ମୋର ବି ତ ମନଟିଏ ଅଛି ଯା' ବୁଝିଛି ମୋହରି ବିଚାରେ
ମୋର ମନ କହିବାରୁ ଏହା ଜଣାଉଛି ଏ ଲେଖନୀ ଧାରେ ।
ମୋର ବି ତ ମନଟିଏ ଅଛି ତୁମେ ମାନିପାର କି ନପାର
ମନ ମୋର କୁହେ ଲେଖନୀକୁ ହେବୁନାହିଁ କେବେ କୁଳାଙ୍ଗାର ।