ନାରୀ
ନାରୀ
ନାରୀ ବନ୍ଦନୀୟା ନାରୀ ପୂଜନୀୟା
ନାରୀ ସ୍ନେହମୟୀ ଧାରା
ନର୍କ ଉଦ୍ଧାରିଣୀ ଉତ୍ଥାନକାରିଣୀ
ନାରୀ ଦୟା,କ୍ଷମା ଝରା ।
ଭିନ୍ନ ଭିନ୍ନ ନାମ କର୍ମ ଯେ ସମାନ
ଜାୟା,ଭଗ୍ନୀ ,ଜନନୀର
ସୃଷ୍ଟି ରକ୍ଷାକରେ ବଂଶବୃଦ୍ଧି କରି
ଆଦିଶକ୍ତି ସଂସାରର ।
ଦୁଇକୁଳ ହିତେ ଦୁହିତା ରୂପରେ
ଦୁଇ ପରିବାର ଗଢି
କର୍ତ୍ତବ୍ୟର ବାସ ଚହଟାଇ ଦିଏ
ଯେହ୍ନେ ପ୍ରସ୍ଫୁଟିତ କଢି ।
ଅର୍ଦ୍ଧ ଦୁଃଖସୁଖ ହୃଦୟେ ଆବୋରି
ଅର୍ଦ୍ଧାଙ୍ଗିନୀ ସାଜି ନାରୀ
ପ୍ରେମର ବାରତା ଦୁନିଆରେ ବାଣ୍ଟେ
ପୂଣ୍ୟ,ପ୍ରୀତି ହୃଦେ ଭରି ।
କରୁଣାର ଆଭା ମମତାର ପ୍ରଭା
ମାଆ ରୂପୀ ନାରୀ ଶ୍ରେଷ୍ଠ
ବକ୍ଷରୁ ନିଗାଡି ଅମୃତ ଦିଅଇ
ବିନା ସ୍ୱାର୍ଥେ ହୋଇ ତୁଷ୍ଟ ।
ସ୍ୱର୍ଗଠାରୁ ବଡ଼ କିରତ୍ତୀ ମାଆର
ନାରୀ ସିଏ ମହିୟସୀ
କର ସ୍ପର୍ଶେ ତା'ର ଛୁଆର ଜୀବନେ
ସଦା ଭରିଉଠେ ଖୁସି ।
ଯେତେ ବଖାଣିଲେ ନାରୀର ଗାରିମା
ଅସରନ୍ତି ତା'ର ଯଶ
ହାରିଯାଏ ଶବ୍ଦ ଜିତିଯାଏ ଭାବ
କାଳି ହୋଇଯାଏ ଶେଷ ।
ତଥାପି କରୁଛି କରୁଥିବି ଚେଷ୍ଟା
ଲେଖିବାକୁ ନାରୀ ଗାଥା
ଶତ ଶତ ବାର ପ୍ରଣାମ ନାରୀକୁ
ନାରୀ ତୁମ୍ଭେ ଜଗଜ୍ଜିତା ।