STORYMIRROR

SOUDAGAR BISWAL

Inspirational

3  

SOUDAGAR BISWAL

Inspirational

ମୋ ଦେଶ

ମୋ ଦେଶ

1 min
124

ଯା ଶିରେ ମୁକୁଟ ତୁଙ୍ଗ ହିମାଳୟ

ମୋ ଭାରତ ଭୂଇଁ ସେହି

ପୟରେ ପୟର ପଖାଳେ ସାଗର 

ସରାଗରେ ଯାଇ ଛୁଇଁ।।

ସେହି ମୋ ଜନମ ଭୂଇଁ

ମୋ ଦେଶର ରଜା ଜଗତ ନବାବ

କାଳିଆ କଳା ଗୋସାଇଁ।।


ପ୍ରାଚୀ ଗଗନର ଲାଲିମା ଭିତରେ

ହସେ ମୋ ଦେଶର ସୂର୍ଯ୍ୟ

ଆର୍ଯ୍ୟାବର୍ତ୍ତ ପରେ ଶ୍ରେଷ୍ଠ ଦେଶ ମୋ'ର

ବୋଲାଉଛି ମୁହିଁ ଆର୍ଯ୍ୟ।।

ନାହିଁ ମୋ'ର ଆନ କାର୍ଯ୍ୟ

ତାହାରି ସେବାରେ ଜୀବନ ଦେବାଟା

ବହୁ ବଡ଼ ସତକାର୍ଯ୍ୟ।।


ହାସ୍ୟ ବଦନୀ ସେ ବଦନ ତାହାର

 ରଖିବାକୁ ଅମଳିନ 

ଝରି ଗଲେ ଯାଉ ରୁଧିର ର ଧାରା

ଛାଡ଼ି ଗଲେ ଯାଉ ପ୍ରାଣ।।

ମୋ ଦେଶ ମୋ ଶ୍ରେଷ୍ଠ ଧନ

ତାହାରି ଗୌରବେ ଗୌରବ ମୋ ଜାତ

ମାଆ ଟି ମୋ'ର ମହାନ।।


ନିର୍ଝର ଝରଇ କୁଳୁକୁଳୁ ଗାଇ

ସ୍ନାନ କରେ ମାଟି ମୋ'ର 

ଗିହଙ୍ଗମ ଯେତେ ବିଜୟ ସଂଗୀତ

ଗାଉଥାନ୍ତି ନିରନ୍ତର।।

ବହେ ସପନର ଝର 

ଶୟନେ ସପନେ ଜାଗରଣେ ମତେ

ଦିଶୁଥାଏ ମୁହଁ ତା'ର।।


କୁଞ୍ଜ କାନନରେ ନିକୁଞ୍ଜ ବିହାରୀ

ଯା ବିଜୟ ଗୀତ ଗାଏ

ସେହି ମୋ'ର ଦେଶ ଭାରତୀ ବୋଲାଏ

କୋଟି ଅରଚନା ପାଏ।।

ଭାରତ ମାତା କି ଜୟ

ବନ୍ଦେ ମାତରଂ ଶୁଭେ ପ୍ରତି କଣ୍ଠୁ

ଓଠ ଜନଗଣ ଗାଏ।।


ତମାମ ଜୀବନ ଅରପି ଦେବାକୁ 

ଦ୍ଵନ୍ଦ୍ବ ନରଖିବି ମନେ 

 ଦେଶର ଗୌରବେ ସୁଖର ଉଦୟ 

ଭାବେ ମୁଁ ଯେ ପ୍ରତିକ୍ଷଣେ

ଏକଥା ମୋ ମନ ଜାଣେ

ଅଙ୍ଗେ ଖେଳେ ମୋ'ର ସକଳ ଜୁଆର

ପ୍ରୀତି ଉର୍ମିମାଳା ବୁଣେ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational