ମାତୃତ୍ବ
ମାତୃତ୍ବ
ତୁ' ଯେବେ ପହିଲି ବାର
କାନ୍ଦିଲୁ କୁଆଁ କୁଆଁ
ତୋ କାନ୍ଦ ଶୁଣି
ତୋତେ ଦେଖି
ତୋ ମୁଁହକୁ ଚାହିଁ
କୁଆଡ଼େ ଉଭେଇ ଗଲା
ମୋ ଦେହର ତମାମ
ପ୍ରସବକାଳୀନ ଯନ୍ତ୍ରଣା
ମୁଁ ଖୁସିରେ ହେଲି
ବିଭୋର ଆତ୍ମହରା!!
ତୁ ସେମିତି କାନ୍ଦୁଥାଉ
ଅବିରତ କୁଆଁ କୁଆଁ
ତୋ କାନ୍ଦ ଶୁଣି ବୁଝିଲି
ମୁଁ ଏବେ ମାତୃତ୍ୱ
ଗୌରବର ଅଧିକାରିଣୀ
ମୁଁ ତୋର ମାତା
ତୁ ମୋର ଆତ୍ମଜା
ଜନ୍ମ ଜନ୍ମାନ୍ତରର
ଅତୁଟ ସମ୍ପର୍କ ଆମ୍ଭର!!
ଦୁହେଁ ଦୁହିଁଙ୍କ ପାଇଁ
ଜୀଇଁବା ଏଇ ଜୀବନ
ଆସୁ ପଛେ ଯେତେ
ଝଡ଼ଝଞ୍ଜା ଦୁର୍ବିସହ ଦୁର୍ବିପାକ
ଛାଡ଼ିବିନି କେବେ ତୋର ହାତ
ହସି ହସି ସହିଯିବି ତୋ ପାଇଁ
ଦୁନିଆଁର ସବୁତକ ଦୁଃଖ
ଅଜାଡ଼ି ଦେବି ତୋ ପାପୁଲିରେ
ଖାଲି ସୁଖ ଆଉ ସୁଖ!!
ତୁ' ତ ମୋ ଜୀବନର
ଆରାଧନା ସାଧନା
ତୁହି ପୁଣି ସିଦ୍ଧି
ମୋହର ପ୍ରସିଦ୍ଧି
ତୋ ପାଇଁ ହିଁ
କେବଳ ଏଇ ଦୁନିଆରେ
ମୋହର ରହିଛି ଅସ୍ମିତା ଅସ୍ତିତ୍ବ
ତୋ ପାଇଁ ସକଳ ବଳିଦାନ
ଦେବାକୁ ମୁଁ ସଦାସର୍ବଦା ପ୍ରସ୍ତୁତ!!
ତୁ ହେବୁ ଜଗତଜିତା
ତୋ ନାଁରେ ଦିନେ
ହେବି ମୁଁ ପରିଚିତା
ଏତିକି କାମ୍ୟ ମୋର
ଏଇ ଜୀବନରେ
କେତେ ଦେବାଦେବୀଙ୍କୁ
ପୂଜୁଛି ମୁଁ ନିରନ୍ତରେ
କେବଳ ତୋରି ସୁଖ ପାଇଁ
ତୋରି ସମୃଦ୍ଧି ପାଇଁ
ତୋରି ଉତ୍ତୋରତର
ମଙ୍ଗଳ ପାଇଁ
ମୋର ଆକୁଳ ପ୍ରାର୍ଥନା
ତୁହି ତ ମୋର ଦୁନିଆ
ମୋର ସୃଷ୍ଟି ଆଉ ସମ୍ଭାବନା!!
