କବି କରିଦେଲୁ ମତେ
କବି କରିଦେଲୁ ମତେ
କେମିତି କହିବି କିଛି ପାଇ ନାହିଁ
ଭଲ ପାଇ ଗୋରୀ ତତେ,
ଏତେ ଲୁହ ଦେଇ ଭୁଲିଗଲୁ ସିନା
କବି କରିଦେଲୁ ମତେ ।।
ଆଜି ବି ହୃଦୟକୁ
କରେ ମର୍ମାହତ
ତୁମ ବିରହ ଯନ୍ତ୍ରଣା ।
ତୁମ ସ୍ମୃତି କୁ ପାଥେୟ କରି
ଧରିଛି କଲମ
ତୁମେ ଥିଲ ମୋର
ପ୍ରଥମ ପ୍ରେରଣା ।।
ତୁମ ବିନା ଆଜି
ଲେଖେ ମୁ ଗୀତ,
ଲେଖୁଛି କବିତା କେତେ ।
ଏତେ ଲୁହ ଦେଇ ଭୁଲିଗଲା ସିନା
କବି କରିଦେଲ ମତେ ।।
ତୁମ ବିନା ଜାଗି ଉଠେ
ସୃଜନଶୀଳତା ।
ତୁମେ ଯେବେ କରିଦେଲ ପର,
ହୃଦୟରେ ବାନ୍ଧିଲା ବସା
ଶବ୍ଦଚାତୁରତା ।।
ହୁଏ ଯଦି ଏହି ଗୀତ
ପାଠକ ଆଦୃତ ,
ଶ୍ରେୟ ଦେବି ପ୍ରିୟା ତତେ ।
ଏତେ ଲୁହ ଦେଇ ଭୁଲିଗଲୁ ସିନା
କବି କରିିଦେଲୁ ମତେ ।।
ପ୍ରଥମ ପ୍ରେମିକା ସାଜି
କରିଲ ନିଜର,
ଦେଖାଇ ଥିଲ କେତେ ଅସୁମାରୀ ସ୍ୱପ୍ନ ।
ତୁମ ପାଇଁ ସେ ସମୟେ
ଲେଖୁଥିଲି କବିତା
ଜହ୍ନ ରାଇଜ କାଶତାଣ୍ଡି ଫୁଲ
ଦୂର ତାଳ ବଣ ।
ଯେତେ ଚେଷ୍ଟା କଲେ ବି
ସେ ସବୁ ଭାବନା
ଆସୁ ନାହିଁ ପ୍ରିୟା ସତେ ।
ଏତେ ଲୁହ ଦେଇ ଭୁଲିଗଲୁ ସିନା
କବି କରିଦେଲୁ ମତେ ।।
ହାତ ଧରି ଚାଲିବାକୁ
ଦେଇଥିଲ କଥା,
ଅଧା ବାଟେ ଛାଡିଦେଲ ହାତ
ହେଲି ବାଟ ବଣା ।
କେଜାଣି କି ଲାଭ ପାଇଲୁ ପ୍ରିୟା
ମତେ ଛାଡି ବାଛି ନେଲୁ
ତୋ ନିଜ ଠିକଣା ।।
ଭୁଲିଯିବାକୁ କହିଥିଲ ପ୍ରିୟା
ହେଲେ ଭୁଲିିବାକି ସହଜ ଏତେ ।
ଏତେ ଲୁହ ଦେଇ ଭୁଲିଗଲ ସିନା
କବି କରିଦେଲ ମତେ ।।
ତୁମ ସ୍ମୃତି କୁ ପାଥେୟ କରି
ଲେଖିବାକୁ କରିବି ପ୍ରୟାସ ।
ଯେତେ ଦିନ ଚାଲି ଥିବ
ମୋ ଶେଷ ନିଶ୍ୱାସ ।।
ଜୀବନ ରେ କେବେ ଯଦି
ହୁଏ ଥରେ ଦେଖା ।
ମୋ କବିତା ସମ୍ଭାରକୁ
ଉପହାର ଦେବି ତତେ ।
ଏତେ ଲୁହ ଦେଇ ଭୁଲିଗଲ ସିନା
କବି କରିଦେଲ ମତେ ।।
ବି ଦ୍ର -କାବିତାର ପ୍ରଥମ ପଦ
ଡ଼ ରାମଚନ୍ଦ୍ର ମହାନ୍ତିଙ୍କ କଲମରୁ ।

