ସନ୍ଦେହ ଉପୁଜେ ମନେ
ସନ୍ଦେହ ଉପୁଜେ ମନେ
ହେ ଈଶ୍ୱର
ତୁମେ ପରା ସର୍ବଶକ୍ତିମାନ ।
ତୁମ ଇଛାରେ ହୁଏ ବିଶ୍ଵବ୍ରହ୍ମାଣ୍ଡ
ଚଳପ୍ରଚଳ, ନିୟନ୍ତ୍ରିତ ।
ହେଲେ ତୁମ ସୃଷ୍ଟିର
ମଣିଷ ଖେଳେ ରକ୍ତର ହୋଲି
ତୁମ ନାଆକୁ ଦ୍ୱାହିଦେଇ
କରେ ରକ୍ତପାତ
ଧର୍ମରକ୍ଷା ନାଆରେ ଚାଲେ ଏଠି
ଶାଣିତ ତରବାରୀ ।
ତେଣୁ ସନ୍ଦେହ ଉପୁଜେ ମନେ
ମଣିଷର ଗଢ଼ା ତୁମେ
ନା ମଣିଷ ତୁମରି ?
ହେ ଈଶ୍ୱର
ତୁମେ ପରା ସୃଷ୍ଟିକର୍ତ୍ତା
ବିଶ୍ଵବ୍ରହ୍ମାଣ୍ଡର ରଚୟିତା ।
ହେଲେ ତୁମ ବିଧାନରେ
ଏ କି ଅବ୍ୟବସ୍ଥା ?
କିଏ ତୋଳେ ଏଠି ସୁରମ୍ୟ ପ୍ରାସାଦ,
କିଏ କରେ ଗଜଦନ୍ତ ପଲଙ୍କେ ଶୟନ ।
ଆଉ କିଏ ସହେ ଏଠି
ତାଡନା ଲାଂଛନା
ମୁଣ୍ଡ ଗୁଞ୍ଜିବାକୁ ପାଏ ନାହିଁ ଜାଗା
ନିତି ଶୋଷଣର ଦୁର୍ବହ ଜୀବନ ।
ଜଣେ ଖୋଜେ ଏଠି
ହଜମି ବଟିକା,
ଆଉ ଜଣେ ଅନାହାର
ଯାଏ ମରି ।
ତେଣୁ ସନ୍ଦେହ ଉପୁଜେ ମନେ
ମଣିଷର ଗଢା ତୁମେ
ନା ମଣିଷ ତୁମରି ?
ହେ ଈଶ୍ୱର
ବିଚିତ୍ର ତୁମ ସୃଷ୍ଟି ସମ୍ଭାର ।
ପଶୁ ଏଠି ପାଏ ମାଆର ସମ୍ମାନ,
ହେଲେ ମଣିଷ ଏଠି ଅଛୁଆଁ
ଘୃଣାର ପାତର
ତୁମରି ନାଆରେ ନିତି ଜଳେ ନିଆଁ
ବଳି ପଡେ ଏଠି ତୁମରି ସନ୍ତାନ ।
ତୁମେ ଶାନ୍ତିଦୂତ ତୁମେ ଅବତାରୀ
କେମିତି ସହୁଛ ନିରୀହ କ୍ରନ୍ଦନ
ଜାତି ଧର୍ମ ବର୍ଣ୍ଣର ବିଷ
କରେ ଆଜି ଗ୍ରାସ ,
ଆସ୍ଥା ନାଆରେ
ମାନବିକତା ଯାଇଛି ହାରି ।
ତେଣୁ ସନ୍ଦେହ ଉପୁଜେ ମନେ
ମଣିଷର ଗଢା ତୁମେ
ନା ମଣିଷ ତୁମରି ?
ଅଶ୍ବିନି କୁମାର
ସହକରୀ ଶିକ୍ଷକ
ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ
ବିଦ୍ୟାଳୟ ଚକଳାପଦର
ଝରିଗାଁ ନବରଙ୍ଗପୁର
