ସ୍ଵରାଜ ପାଇଁ ଜୀବନ ସମର୍ପିତ ହେଉ
ସ୍ଵରାଜ ପାଇଁ ଜୀବନ ସମର୍ପିତ ହେଉ
ସରକାର ତ ସରକାର କେବେ ଗୋରା ଅବା
କଳା ହୋଇ ପାରେନା
ପରାଧୀନ ଭାରତରେ ଗୋରା ବ୍ରିଟିଶ ଲୋକଙ୍କ
ସରକାର କଥା କରୁଛି ବର୍ଣ୍ଣନା ।୧।
ମୋ ଭାରତର ବିଭବକୁ ଦେଖି ବଢିଲା ଗୋରା
ବେପାରୀଙ୍କ ଭାରି ଆଦର
ବାଣିଜ୍ୟ କରିବା ପାଇଁ ଆସିଲେ କିନ୍ତୁ ଆମର କନ୍ଦଳ
ସୁଯୋଗେ ନେଲେ ଶାସନ ଭାର ।୨।
କିଛି ନୂଆ ନୁହେଁ ବିଦେଶୀ ସାମ୍ରାଜ୍ୟବାଦୀ ଶାସକ
କରେ ଅନ୍ୟାୟ ଦୁର୍ନୀତି ଓ ଶୋଷଣ
ଦୁଇ ଶହ ବର୍ଷ ପରାଧୀନତାରେ ଆମେ ଭାରତୀୟ
ଭୋଗ କଲେ ଅସହ୍ୟ ଅତିଷ୍ଠ ଜୀବନ ।୩।
ବାଘା ଜତୀନ ବକ୍ସି ଜଗବନ୍ଧୁ ଗୋପବନ୍ଧୁ ରେଣ୍ଡୋ
ମାଝି ଜୟୀ ରାଜଗୁରୁ ବିର୍ସା ମୁଣ୍ଡା ଲକ୍ଷ୍ମଣ
ଲାଲ ବାଲ ପାଲ ନେହେରୁ ଗାନ୍ଧିଜୀ ସୁବାଷ ଭଳି
କେତେ ଭାରତୀୟ ହେଲେ ସଚେତନ ।୪।
ଗୋରାଙ୍କର ଅତ୍ୟାଚାର ସଂଗେ ସଂଗେ ବର୍ବରତା
ଭାବର ଶାସନ ସୀମା ଟପି ଗଲା
ଅତିଷ୍ଠ ଭାରତୀୟ ବାସୀ ମାଗିଲେ ମିଳେନା କେବେ
ସ୍ଵାଧୀନତା ଏହି କଥା ଜାଣି ପାରିଲା ।୫।
ବିଦେଶୀ ସରକାର କୁତ୍ସିତ ଚାବୁକ ବନ୍ଧୁକ ଧମକ
ଦେଇ ଭିଆଇଲେ କେତେ କାଣ୍ଡ କାରଖାନା
ବିଶ୍ୱ ଇତିହାସ ଶିଖାଏ ଯେ ସ୍ଵାଧୀନତା ସଂଗ୍ରାମ ଓ
ବିପ୍ଳବର ବହ୍ନି ନିର୍ବାପିତ କେବେ ହୁଏନା ।୬।
କେତେ ଲହୁ ଲୁହ ଦେଇ ଆନ୍ଦୋଳନ ପରେ ଆନ୍ଦୋଳନ
ବହୁ ଭାରତୀୟ ବୀର ଭିଜାଇଲେ ଦେଶ ମାଟିକୁ
ହଟିଲା ଗୋରାଙ୍କ ଶାସନ ଶେଷେ ଉଡ଼ିଲା ତ୍ରିରଙ୍ଗ ଧ୍ଵଜା
ନଡରିଲୁ ଜାଲିଆନୱାଲାବାଗ ଭଳି ନରସଂହାରକୁ ।୭।
ଦିନେ ସୁଜଳା ସୁଫଳା ଶସ୍ୟ ଶ୍ୟାମଳା ଥିଲା ପରା
ଏଇ ମୋର ସୁନାର ଭାରତ ଦେଶ
ସ୍ୱାର୍ଥ ପାଇଁ ଚାଲୁବାଜି ରାଜନୀତି ଖେଳ ଚାଲାକି ଗିରିରେ
ପ୍ରାଧାନ୍ୟ ବିସ୍ତାର ସବୁ କରିଦେଲା ଶେଷ ।୮।
ହେ ଆଜିର ମୋ ଦେଶର ଶାସକ ଥରେ ଦେଖିଛ ଆଉ
ପଢିଛ କି ଆମର ଇତିହାସର ପୃଷ୍ଠାକୁ
ପରାଧୀନରେ ରହିଥିଲେ ସାରା ଦେଶବାସୀ ନିଜ ସ୍ୱାର୍ଥ
ପାଇଁ ମନେ ରଖିଛ କି ସେ ଗୋରାଙ୍କ ସରକାର କଥାକୁ ।୯।
ଦୁଃଖ ଆସେ ସ୍ଵାଧୀନତା ଆସିଲା ଗରିବର ନାହିଁ ଅଧିକାର
ଦାଦନ ଖଟୁଚି ନାହିଁ ଯୁବଗୋଷ୍ଠୀର ରୋଜଗାର
ଯୋଗ୍ୟତା ସବୁ ଚୁଲିକି ଗଲାଣି ଅଜ୍ଞାନ ବୋଲାଏ ଜ୍ଞାନୀ
ଖାଲି ଏବେ ଆଜ୍ଞା- ହଜୁର ଚାତୁରୀ ଦରକାର l୧୦ l
ତୋଷାମଦକାରୀ ଯିଏ ବଡ ଆସନରେ ବସେ ଲୁଟିଖିଆ
ହୁଏ ଧନୀ ଓ ଖଟିଖିଆ ନିତି ଖଟି ଖଟି ମରେ
ଅପାରଗ ହସେ ଲୁଟି ଖାଇବାକୁ ବଡ ବଡିଆଙ୍କୁ କଥାର
ଚାତୁରୀ ଦେଖାଏ ଏଠି ଗର୍ବ ଓ ଅହଙ୍କାରେ l ୧୧ l
ସ୍ୱାର୍ଥ ସର୍ବସ୍ୱ ଶାସନରେ ମଣିଷ ଦକ୍ଷତା ଥାଇ କାନ୍ଦଇ ନିତି
ଚାଲେ ଅହରହ ପ୍ରିୟା ପ୍ରୀତି
ଅନ୍ଧ ଦେଶରେ ଦର୍ପଣ ବିକିବା ଯାହା ଗଣତନ୍ତ୍ର ନାମରେ ଚୋର ଖଣ୍ଟ ରାଜୁତି କରନ୍ତି ଦେଖ ଦେଖ ଆଇନର କରାମତି |୧୨|
ପ୍ରାର୍ଥନା କରେ ଆହେ ସ୍ଵାଧୀନତାର ଶହିଦଗଣ ଆପଣମାନଙ୍କ ପ୍ରଦର୍ଶିତ ମାର୍ଗ ଆମ ପାଇଁ ଦେଶ ସେବାର ଧ୍ୟେୟ ହେଉ
ପ୍ରଣାମ ଗ୍ରହଣ କର ହେ ସବୁ ମହାନୁଭବ ଆଗାମୀ ସମୟେ ସ୍ଵରାଜ ସ୍ଥାପନା ପାଇଁ ଆମ ଜୀବନ ସମର୍ପିତ ହେଉ।୧୩।
