ସତରେ କଣ ପାହିଛି ରାତି
ସତରେ କଣ ପାହିଛି ରାତି
ସତରେ କଣ ପାହିଛି ରାତି
ହେଲାଣି ସୂର୍ଯ୍ୟୋଦୟ
ଫାଟି ସିନ୍ଦୂରା ପୂର୍ବାଶା ନାଲି
ହେଲା କି ସତକୁହ ।
ରହିଛି ଘୋର ଅମା ଅନ୍ଧାର
ଅଭାବ ଦୁଃଖ ଦୈନ୍ୟ
ମରୁଛି ଶିଶୁ ପୋଷଣ ବିନା
ପାଉନି ମୁଠେ ଅନ୍ନ ।
ହାତ ପତାଇ ମାଗୁଛି ଭିକ
ଗରିବ ଅସହାୟ
ମରୁଛି ସଢି ପଛେ ମଣିଷ
ଖୋଜି ପାଉନି ନ୍ୟାୟ ।
ପାଏନି ରୋଗୀ ପଥି ଔଷଧି
ଘୋଟଇ ମହାମାରୀ
ସଳଖି ଅଣ୍ଟା ପାରିନି ଏବେ
ଅବଳା ଦୁଃଖୀ ନାରୀ ।
ଶିକ୍ଷାର ନାମେ ଚାଲେ ବ୍ୟାପାର
ଧର୍ମକୁ ଆଖିଠାର
ଚାଲେ ଦିନରେ କିଳାପୋତେଇ
ଅନ୍ୟାୟ ଧରମାର ।
ମାଡି ଚାଲୁଛି ପାପ ଦୁର୍ନୀତି
ବ୍ୟାପେ ଅରାଜକତା
ବଢେ ବହୁତ ଧନ କୂବେର
ସମ୍ପତ୍ତି କଳାଟଙ୍କା ।
ବଢେ ସଙ୍କଟ ଦେଖି ଅନ୍ଧାର
ଲାଗେ ଆତଙ୍କ ଭୟ
ପାହୁ ଏ ରାତି ଶୁଭ ପ୍ରଭାତେ
ହେଉ ଅରୁଣୋଦୟ ।
