ନବ କଳି
ନବ କଳି
ସୁନ୍ଦରୀ ଧରାର ଆମେ ନବ କଳି
ହୋଇଅଛୁ ଶୋଭମାନ
ଜଗତେ ବିତରି ସୁରଭି ଆମରି
କରିଯିବୁ ପ୍ରେମ ଦାନ।
ସୂରୁଜ ଯେପରି କିରଣ ବିଛୁରି
ପ୍ରଚାରଇ ସାମ୍ୟବାଦ
ଆମେ ସେହିପରି ହୃଦୟେ ଆମରି
ନ ରଖିବୁ ଭେଦାଭେଦ।
ସମୀର ପରାଏ ସଭିଙ୍କ ପରାଣେ
ତିଆରି କରିବୁ ସ୍ଥାନ
କଳ କଉଶଳେ ନିଜ ଜ୍ଞାନ ବଳେ
ରଖିବୁ ଦେଶର ମାନ।
ବାଦଲ ଯେସନ ହୋଇ ଧାବମାନ
ବରଷେ ଅମୃତ ବାରି
ସେହିପରି ଆମେ ଏହି ମର ଧାମେ
ପୂଣ୍ୟ କାମ ଯିବୁ କରି।
ଆମେ ହସୁଥିଲେ ଧରା ହସୁଥାଏ
ହସି ଉଠେ ଜନ୍ମ ମାଟି
ପିତା ମାତାଙ୍କର ହୃଦରେ ଆନନ୍ଦ
ଅଗଣା ଉଠଇ ଫାଟି।
ଆମରି ବିଷାଦେ ମନ ବିଷାଦିତ
ଆଶଙ୍କାରେ ଭରା ଜାତି
ଆମେ ପରା ଅଟୁ ଦେଶର ଭବିଷ୍ୟ
ଅନ୍ଧାରେ ବିଜୂଳି ବତୀ।