ଆଦର୍ଶ ରାଜା
ଆଦର୍ଶ ରାଜା
ପ୍ରଜାରେ ମମତା ନିଜ ରାଜ୍ୟେ ପ୍ରୀତି
ରାଜା ଯଦି ଆଚରଇ ଏପରି ସୁନୀତି
ସେ ସିନା ବୋଲାଏ ଉପଯୁକ୍ତ ରାଜା
ସାଦରେ କରନ୍ତି ପ୍ରଜା ତାର ପାଦ ପୂଜା
କେହି ରାଜା ହୁଏ ନିଜ ପିତୃ ଅନ୍ତେ
ରାଜ ପଦେ ବସେ କେହି ପ୍ରଜା ନିର୍ବାଚିତେ
ଯେଉଁ ଭାବେ ବସୁ ରାଜ ସିଂହାସନେ
ରାଜା ମତି ଥାଏ ଯଦି ପ୍ରଜାନୁରଞନେ
ନ ଭ୍ରମନ୍ତି କେହି ଅଜ୍ଞାନ ଅନ୍ଧାରେ
ଅନାହାରେ ନ ମରନ୍ତି କେହି ତା ରାଜ୍ୟରେ
ଶତ୍ରୁଏ ନ ଆସନ୍ତି ସୀମା ଅତିକ୍ରମି
ବୁଦ୍ଧି ଜ୍ଞାନ ଭୁଜ ବଳେ ରାଜା ପରାକ୍ରମୀ
ରାଜାନାମ ସୁମରି ପ୍ରଜା କରେ କର୍ମ
ସୁଖରେ ଦିନ ବିତାନ୍ତି ପାଳି ନିଜ ଧର୍ମ
ନ୍ୟାୟୋଚିତ ଗୁଣେ ତୋଷେ ପ୍ରଜା ମନ
ଯେତେ ଅଭିଯୋଗ କରେ କ୍ଷଣେ ସମାଧାନ
ତା ରାଜ୍ୟ ହୁଅଇ ରାମ ରାଜ୍ୟେ ଗଣା
ଆଦର୍ଶ ରାଜା ଭାବେ ଲୋକେ ହୁଏ ଜଣା
କ୍ରୂର ପଣ ଯଦି ରାଜା ଆଚରିବ
ରାଜପଦ ଗର୍ବେ ନିତ୍ୟେ ପ୍ରଜାଙ୍କୁ ଦଣ୍ଡିବ
ପ୍ରଜା ବୋଲୁ ଥିବେ ନିତ୍ୟେ ତ୍ରାହି ତ୍ରାହି
ଏ ରାଜା ନ ମଲେ ଆମ ସୁଖ ଆଉ କାହିଁ
