ଉତ୍ତରାଧିକାରୀ
ଉତ୍ତରାଧିକାରୀ
ନିହାତି ଗରୀବ ପରିବାରରେ ଜନ୍ମ ମୋର। ତେଲ, ଲୁଣର ଅଭାବ ଲାଗି ରହିଛି ସବୁ ସମୟରେ। ଦାରିଦ୍ର୍ୟଟା ଯେମିତି ମିଳିଛି ମୋତେ ଉତ୍ତରାଧିକାର ସୂତ୍ରରେ। ପୀଢ଼ି ପରେ ପିଢ଼ି ଏଇ ଆମର ଚିର ସହଚର। ନିରନ୍ତର ଉଦ୍ୟମ ସତ୍ତ୍ୱେ ମଧ୍ୟ କୌଣସି ବି ଗୋଟିଏ ପିଢ଼ି ଆମର ସକ୍ଷମ ହୋଇନାହିଁ କରିବାକୁ ଏଇ ଦାରିଦ୍ର୍ୟକୁ ଦୂର। ସ୍ୱାଭିମାନ ଟିକକ ଆମର ସର୍ବସ୍ବ ସମ୍ବଳ, ଯାହା ଆମକୁ ବାଧାଦିଏ ହାତପାତି ଗ୍ରହଣ କରିବାକୁ ସରକାରୀ ସାହାଯ୍ୟ। ସେଥିପାଇଁ ଆଜି ବି ଆମେ ଯେଉଁ ତିମିରେକୁ ସେହି ତିମିରେ।
ମୁଁ ସର୍ବେଶ୍ଵର ରଣା, କାକଟପୁରରେ ମୋହରି ଘର। ଦାରିଦ୍ର୍ୟ ପ୍ରପୀଡିତ ଗୋଟିଏ ପ୍ରଚଣ୍ଡ ସ୍ବାଭିମାନୀ ପରିବାରର ତୃତୀୟ ପିଢ଼ିର ମଣିଷ। ପିଲାଟି ଦିନରୁ ମୁଁ ଉଚ୍ଚାଭିଳାଷୀ ଏବଂ ମହତ୍ତ୍ୱାକାଂକ୍ଷୀ ଥିଲେ ବି ଉତ୍ତରାଧିକାରୀ ସୂତ୍ରରେ ପ୍ରାପ୍ତ ଏଇ ଦାରିଦ୍ର୍ୟ ମୋ ଗୋଡ଼ ବାନ୍ଧି ଦେଇଛି ବେଡି। ଦିନେ ସ୍ବପ୍ନ ଦେଖୁଥିଲି ବୈଷୟିକ ଶିକ୍ଷା ପ୍ରାପ୍ତ କରି ସମାଜରେ ପ୍ରତିଷ୍ଠିତ ନାଗରିକଟିଏ ହୋଇ ସଗୌରବେ ମଥା ଟେକି ଜୀଇଁବାକୁ। କିନ୍ତୁ ଏଥିରେ ବାଧକ ସାଜିଥିଲା ଆମର ଚିର ସହଚର। ବଦଳିଯାଇଛି ଜୀବନର ଗତିପଥ କିନ୍ତୁ ବଦଳି ନାହିଁ ସହଚର। ମୋତେ ଲାଗୁନାହିଁ ମୋର ଏଇ ପିଢିରେ ସହଚର ରୂପୀ ଦାରିଦ୍ର୍ୟକୁ ଦୂର କରିବାର ଆଶା ଫଳବତୀ ହେବ ବୋଲି..
ଏଠି ତ ମେଧାର କୌଣସି ମୂଲ୍ୟ ନାହିଁ କେବଳ ଅର୍ଥର ବିନିମୟରେ ଶିକ୍ଷା ବିକ୍ରି କରୁଥିବା ବିପଣିମାନଙ୍କରୁ ମାଳ ମାଳ ସାର୍ଟିଫିକେଟ୍ କିଣି ପାରିଲେ ହେଲା। ମୋର ବା କୋଉ ସାମର୍ଥ୍ୟ ଥିଲା ଯେ ମୁଁ ଏଇ ଦୌଡ଼ରେ ସାମିଲ ହୋଇଥାନ୍ତି। ଗାଁ ସ୍କୁଲରୁ ମାଟ୍ରିକ ପରୀକ୍ଷାର ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କଲା ପରେ ପାଖ କଲେଜରେ ଆଇ.ଏସ୍.ସି. ପଢ଼ିବାରେ ଲାଗିଲି। ବର୍ଷ ଦୁଇଟା କଟିଗଲା ଚାହୁଁ ଚାହୁଁ। ଖୁବ୍ ଭଲ ନମ୍ବରରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ ମଧ୍ଯ ବୈଷୟିକ ଶିକ୍ଷା ପ୍ରାପ୍ତିର ଆଶାଟା ମୋର ଆଶାରେ ରହିଗଲା। ପରିବାରର ଆର୍ଥିକ ଅବସ୍ଥା ଯାହା ବର୍ଣ୍ଣନା କରିବା କଷ୍ଟକର। ବାଧ୍ଯ ହୋଇ ପାଠ ଛାଡିବାକୁ ପଡିଲା।
ଏମିତି କିଛି ଦିନ ବିତିଗଲା ହତାଶାରେ କିନ୍ତୁ ମନ ଭିତରେ ବିଶ୍ବାସର ଦୃଢ଼ ବୀଜଟିଏ ବଢ଼ି ବଢ଼ି ଚାଲିଥାଏ। ଗୋଟିଏ ରାସ୍ତା ବନ୍ଦ ହୋଇଗଲା ତ କଣ ହେଲା ଆହୁରି ଅନେକ ରାସ୍ତା ଖୋଲି ଯିବ ଆପେ ଆପେ। କେନ୍ଦ୍ର ସରକାରଙ୍କ ରିଜର୍ଭ ପୋଲିସ୍ ବିଭାଗର ସଶସ୍ତ୍ର ବଳରେ ଭର୍ତ୍ତି ହେବା ପାଇଁ ଦରଖାସ୍ତ ଆହ୍ବାନ କରାଯାଉଥିବା ଖବର ପାଇ ମୁଁ ବି ଆବେଦନ କରିଦେଲି। ଯୋଗକୁ ରିକ୍ରୁଟମେଣ୍ଟ୍ ରାଲି ପାଇଁ ଡାକରା ଆସିଲା ମୋତେ। ସିପାହୀ ଭାବେ ନିଯୁକ୍ତି ବି ମିଳିଗଲା। ପହିଲା ପୋଷ୍ଟିଂ ଗଜପତି ଜିଲ୍ଲାରେ। ଯାହା ବି ହେଉ ରୋଜଗାରର ପନ୍ଥାଟାଏ ଖୋଲିଗଲା ଜୀବନଧାରଣ ନିମିତ୍ତ।
ଆମ ଚାକିରିରେ ସମୟ ଓ କ୍ଷେତ୍ରର କିଛି ପରିସୀମା ନଥାଏ। ଯେତେବେଳେ ଯାହା ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୁଏ ଆମର ସେବା ସେଠାରେ ଆବଶ୍ୟକ ହୁଏ ତୁରନ୍ତ। ଏମିତି ଏକ ତ୍ବରିତ ସେବା ପ୍ରଦାନ କରିବା ପାଇଁ ଆମ କମ୍ପାନୀ ଯାଇଥିଲା ନିର୍ବାଚନ ପରିଚାଳନା କାର୍ଯ୍ୟକୁ ସୁରକ୍ଷା ଦେବା ପାଇଁ ପଡୋଶୀ ରାଜ୍ୟକୁ। ସେଦିନ ନକ୍ସଲ ଅଧ୍ଯୁଷିତ ଅଞ୍ଚଳରେ ଗୋଟିଏ ସାଧାରଣ ସଭାର ଆୟୋଜନ କରାଯାଇଥିଲା ଜାତୀୟ ସ୍ତରରେ ପ୍ରଭାବ ଥିବା ଏକ ଛାମୁଆ ରାଜନୈତିକ ଦଳ ପକ୍ଷରୁ।
ବଂଶବାଦୀ ପରମ୍ପରାରେ ବିଶ୍ବାସୀ ଏହି ଦଳର ଯୁବ ନେତା ସାଧାରଣ ସଭାରେ ଉଦବୋଧନ ଦେଉଥିଲେ, ଯିଏକି ନିଜ ପରିବାରର ତୃତୀୟ ପିଢ଼ିର ନେତା। ପିତାମହ ଏବଂ ପିତା ବିଭିନ୍ନ ପଦ ପଦବୀରେ ଅଧିଷ୍ଠିତ ହୋଇଛନ୍ତି ବିଭିନ୍ନ ସମୟରେ। ନାମ ତାଙ୍କର ଅଦ୍ବୈତ କୁମାର। ନିଜ ନାମକୁ ସାର୍ଥକ କରିଛନ୍ତି ସେ ତାଙ୍କର କାର୍ଯ୍ୟକଳାପରେ ଏଯାବତ। ଚମତ୍କାର ବାଗ୍ମୀ ଏବଂ ବାକପଟୁ ! ନିଜକୁ ଯୁବବର୍ଗର ପରିତ୍ରାଣକର୍ତ୍ତା ଭାବେ ପରିଗଣିତ କରାଇବାକୁ ଯତ୍ପରନାସ୍ତି ଉଦ୍ୟମ ଜାରି ରଖିଛନ୍ତି ସେ। ଏଥିପାଇଁ ପେଶାଦାର ଲୋକସମ୍ପର୍କ ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି। ତାଙ୍କୁ ଦେଖିବାକୁ, ତାଙ୍କ ମୁହଁରୁ ଦୁଇ ପଦ ଶୁଣିବାକୁ ନାହିଁ ନଥିବା ଗହଳି ଲାଗିଥିଲା ବିଶେଷ କରି ଯୁବ ବର୍ଗର ଭୋଟରଙ୍କର। କହିବା ବାହୁଲ୍ୟ ମାତ୍ର ଯେ, ସେ ସେହି ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିଲେ। ଯୁବକଯୁବତୀମାନଙ୍କୁ ଆହ୍ବାନ ଦେଇ ଭାଷୁଥାନ୍ତି। ଯାହାର ମର୍ମାନୁବାଦ ନିମ୍ନରେ ପ୍ରଦତ୍ତ କରାଗଲା।
"ହେ ମୋର ଅତି ପ୍ରିୟ ଯୁବବର୍ଗର ଭାଇ ଓ ଭଉଣୀମାନେ! ତୁମ୍ଭମାନଙ୍କୁ ମୋର ଆଦରଭରା ନମସ୍କାର! ତୁମ୍ଭମାନଙ୍କ ପାଇଁ ହିଁ ମୋର ଏଇ ନେତାର ଅବତାର। ତୁମ୍ଭର ସର୍ବାଙ୍ଗୀନ ବିକାଶ ହିଁ ମୋ ଜୀବନର ଏକମାତ୍ର ଲକ୍ଷ୍ୟ, ମୋ ଜୀଇଁବାର କାରଣ। ମୁଁ ସିନା ପାଠ ପଢି ପାରିଲି ନାହିଁ ବିଶେଷ ଅସୁବିଧାର ସମ୍ମୁଖୀନ ହୋଇ କିନ୍ତୁ ତୁମ୍ଭେମାନେ ସବୁ ଯେତେ ପାଠ ପଢୁଛ ପଢ଼, ଯାହା ପଢୁଛ ପଢ଼, ଡାକ୍ତର ହୁଅ କି ଇଂଜିନିୟର କି ଅଫିସର୍ କି ଓକିଲ ହୁଅ। ମୋର ସେଥିରେ କିଛି ଯାଏଆସେ ନାହିଁ, ହେଲେ ଗୋଟିଏ କଥା ମନେରଖ କାମ କରିବ ତ ମୋ କଥାରେ। ନହେଲେ ସବୁ ପାଠ ତୁମ୍ଭର ବୃଥା। ଏଇ ଦେଶର ବ୍ୟବସ୍ଥା ଏୟା ଯେ, ମାଟ୍ରିକ୍ ଫେଲ୍ ହୋଇ ବି ମୁଁ ମନ୍ତ୍ରୀ ହେବି ମୋ ବାପା ଜେଜେଙ୍କ ପରି ଆଉ ତୁମ୍ଭେ ସବୁ ମୋତେ ହାତ ଟେକିବ ସାଲ୍ଯୁଟ୍ ମାରିବାକୁ..."
ଏଇ ଅହଂକାରୀ ଯୁବ ନେତାର ଭାଷଣ ଶୁଣି ଶୁଣି ରକ୍ତ ମୋର ଟକ୍ ମକ୍ ହୋଇ ଫୁଟୁଥିଲା। ଇଚ୍ଛା ହେଉଥିଲା ଫୁଟେଇ ଦେବାକୁ ଗୁଳି ନିଜ ହାତରେ ଧରିଥିବା ରାଇଫଲରୁ। ଶେଷ କରିଦେବା ପାଇଁ ବଂଶବାଦୀ ପରାଙ୍ଗପୁଷ୍ଟ ଅମେରୁଦଣ୍ଡୀଗୁଡ଼ାଙ୍କୁ। କିନ୍ତୁ ମୁଁ ବନ୍ଧା ଥିଲି ପାସିଂ ଆଉଟ୍ ପରେଡରେ ନେଇଥିବା ଶପଥରେ, ନିଜ ପ୍ରାଣବଳି ଦେଇ କର୍ତ୍ତବ୍ୟ ପାଳନ କରିବା ନିମନ୍ତେ। ଆଉ ଏଇ ରୀତିରେ କ୍ଷମତା ଓ ଶାସନର ଉତ୍ତରାଧିକାର ସୂତ୍ର ଗଡ଼ି ଚାଲିଛି ଶଗଡ଼ ଗୁଳାରେ ରାଜରାଜୁଡ଼ା ଅମଳରୁ ଗଣତନ୍ତ୍ରର ଯୁଗକୁ କତିପୟ ପରିବାରରେ ପିଢ଼ି ପରେ ପିଢ଼ି। ଆଉ ଗଡ଼ି ଚାଲିଥିବ ଆଗକୁ ଆଗକୁ, ପାଠୁଆ ବାବୁମାନେ କରୁଥିବେ ଏଇ ଅପାଠୁଆ ଶାସକଙ୍କର କାୟ ମନୋବାକ୍ଯରେ ସେବା ।
