The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Banabihari Mishra

Abstract

2  

Banabihari Mishra

Abstract

ଟ୍ରୁ କଲର୍

ଟ୍ରୁ କଲର୍

5 mins
158


ସେଦିନ ଥିଲା ଶନିବାର। ତା'ପର ଦିନ ରବିବାର। ପୁରା ଛଅ ଦିନର କାର୍ଯ୍ୟବ୍ୟସ୍ତତା ପରେ ଏଇ ରବିବାର ଦିନଟା ଛୁଟି ମିଳିଥାଏ। ସେଇଥିପାଇଁ ଘରେ ଯେଉଁ ତିନି ଚାରିଟା ମୋବାଇଲ ଅଛି, ସବୁଥିରେ ଆଲାର୍ମ ବନ୍ଦ କରେଇ ଦେଲି। ଆଉ କଡା ତାଗିଦ କରି ଫତୁଆ ଜାରି କରିଦେଲି, ମୋ ନିଦରେ ଯେମିତି କୌଣସି ପ୍ରକାର ବିଘ୍ନ ସୃଷ୍ଟି କରାନଯାଏ। ଅନ୍ତତଃ ମୁଁ ଶୋଇଥିବା ପର୍ଯ୍ୟନ୍ତ ଶୋଇବାଘରେ କୌଣସି ଶବ୍ଦ କରାଯିବ ନାହିଁ କିମ୍ବା କେହି ଆଲୁଅ ଜଳାଇବେନାହିଁ। ସବୁ ପ୍ରକାରର ସୁବନ୍ଦୋବସ୍ତ କରିବା ପରେ ବିଛଣା ଧରିଲି।


ବିଛଣାରେ ଗଡୁ ଗଡୁ କେତେବେଳେ ନିଦ ଆସିଗଲା। ଦୈନିକ ବଡି ଭୋରରୁ ଉଠିବାରେ ଅଭ୍ୟସ୍ତ, ତେଣୁ ପ୍ରାୟ ସାଢେ ପାଞ୍ଚଟା ବେଳକୁ ନିଦ ଟିକିଏ ପତଳା ହେଇଆସିଲାଣି। ସେତିକିବେଳେ ଗୋଟେ ଘର୍ ଘର୍ ଶବ୍ଦରେ ନିଦ ସମ୍ପୂର୍ଣ୍ଣ ଭାଙ୍ଗିଗଲା। ବଡ ବିରକ୍ତ ଲାଗୁଥିଲା। କାନ୍ଥ ଘଣ୍ଟାକୁ ଚାହିଁଲି। ସମୟ ପାଞ୍ଚଟା। ଏ ପର୍ଯ୍ୟନ୍ତ ଅନ୍ଧାର ଛାଡିନି। ଯାଃ, ଶଃ, ସପ୍ତାହରେ ଗୋଟିଏ ଦିନ ମଣିଷ ଟିକେ ଡେରି ପର୍ଯ୍ୟନ୍ତ ଶୋଇବା ପାଇଁ ଇଚ୍ଛା କଲା ଯେ ସେତକ ବି ହେଲାନି। ପାହାନ୍ତିଆ ବେଳକୁ ମହୁଲିଆ ଶୀତରେ କମ୍ବଳ ଘୋଡେଇ ହେଇ ଶୋଇବାରେ ଯେଉଁ ସୁଖ! ସବୁ ବରବାଦ୍ ହେଇଗଲା। ଏଇଟା ଗୋଟେ ଆତଙ୍କବାଦୀ ଆକ୍ରମଣରୁ କିଛି କମ୍ ଲାଗୁନଥିଲା।


"ଓଃ, ମଣିଷକୁ ଟିକିଏ ଶାନ୍ତିରେ ଶୋଇବାକୁ ଦେବେନି। ସକାଳୁ ସକାଳୁ କପେ ଚା ମିଳିବ କ'ଣ, ଗୋଟେ ବିରକ୍ତିକର ଶବ୍ଦ କରି କେଡେ ସୁନ୍ଦର ନିଦଟାକୁ ନଷ୍ଟ କରିଦେଲ।" ବାସ୍, ଆହତ ନାଗୁଣୀର ଉତ୍ଥିତ ଫଣାରେ ସତେଯେମିତି ମୁଁ ହାତ ମାରିଦେଲି। ରୋଷେଇ ଘର ପଟରୁ ଶୁଭିଲା, "ଆଜି କୁଆଁର ପୁନେଇ, ଗୋଟେ ବୋଲି ଝିଅ, ଘରେ ପିଠାପଣା ହବନି କି? ସେଇଥିପାଇଁ ପିଠୋଉ ଗ୍ରାଇଣ୍ଡରରେ ବାଟୁଥିଲି। ଗ୍ରାଇଣ୍ଡର ଚାଲିଲେ ଶବ୍ଦ ହବନି କି? ତୁମ ଶୋଇବାରେ ଯଦି ଅସୁବିଧା ହୋଉଛି, କାନରେ ତୁଳା ଦେଇ ଶୁଅ। ମୋର ବହୁତ କାମ ଅଛି। ଚା ଏବେ ହେଇପାରିବନି। ଚା ପିଇବାକୁ ଯଦି ଏତେ ମନ, ଯାଉନା, ମାର୍କେଟରେ ପିଇଦେଇ ଆସିବ। ସେଇ ସୁରିଆ ଦୋକାନ ଚାହାକୁ ତ ଭାରି ପ୍ରଶଂସା କର, ଯା, ପିଇଦେଇ ଆସ।" ସେତିକିରେ କଥା ସରିଲାନି। ପୁଣି ଆଦେଶ ଆସିଲା, "ଆଠଟା ସୁଦ୍ଧା କଦଳୀ, ନଡ଼ିଆ ଆଉ ମିଠା ନେଇଆସିବ। ହଁ, ଝିଅର ଜାମାଟା ତାକୁ ଟିକେ ଛୋଟ ହୋଉଛି, ଦୋକାନ ଖୋଲିଲେ ସେଟା ବଦଳାଇ ଆଉଗୋଟେ ଆଣିବ। ଆଣିଲେ ସିଏ ପିନ୍ଧିବ।" 


ଯାଃ, ପୁରା ଦିନଟା କିରକିରା ହେଇଗଲା। ଅଫିସରେ ବି ତ ଏତେ କାମ ହୁଏନି। ଯାହା ଟିକେ ଆରାମ କରିବି ବୋଲି ଭାବିଥିଲି, ସେତକ ବି ହେବାରନାହିଁ। ମଣିଷ ଏ ଘରସଂସାର ଜଞ୍ଜାଳରେ କାହିଁକି ଫସୁଥିଲା କେଜାଣି, ବାବାଜୀ ହେଇଯାଇଥିଲେ ଭଲ ହେଇଥାଆନ୍ତା।


ଅଗତ୍ୟା ବିଛଣା ଛାଡି ମୁହଁହାତ ଧୋଇ ବାହାରି ପଡିଲି ମାର୍କେଟ ଅଭିମୁଖେ। ସୁରିଆ ଦୋକାନରେ ଚା କପେ ପିଇବା ମଧ୍ୟରେ ଦେଖା ହେଇଗଲେ ମଲ୍ଲିକ ବାବୁ। ଭାରି ଗପୁଡା। ସେଇଠୁ ତାଙ୍କର ଗପ ଆରମ୍ଭ ହେଲା ଯେ ସରିବାକୁ ନାହିଁ। ଆମେରିକାରେ ଟ୍ରମ୍ପ କ'ଣ କହିଲେ, ନବୀନ ପଟ୍ଟନାୟକ କେମିତି ଓଡିଆରେ ବାରିପଦାକୁ ବାଡିପଡା କହୁଛନ୍ତି ଆହୁରି ଅନେକ ବିଷୟ। ଅବଶ୍ୟ ମଲ୍ଲିକ ବାବୁଙ୍କର କଥା କହିବାର ଶୈଳୀ ଟିକେ ନିଆରା। ଭାରି ମଜାଦାର। ସକାଳ ଛ'ଟାରୁ କେତେବେଳେ ଦିନ ଦଶଟା ହେଇଗଲା, ଜଣାପଡିଲାନି। 


ଘରେ ପହଞ୍ଚିଲା ବେଳକୁ ଖରା ଆସି ମୁଣ୍ଡ ଉପରେ। ଏରୁଣ୍ଡି ଡେଇଁ ଭିତରେ ପାଦ ରଖୁ ନରଖୁଣୁ ଆରମ୍ଭ ହେଇଗଲା ସୁଦୀର୍ଘ ଭାଷଣ।


"ଘର କେମିତି ଚଳୁଛି ସେକଥା ମୁଣ୍ଡରେ ନାହିଁ। ଜିନିଷ ଆଣିବା ପାଇଁ କହିଲି ଯେ ସକାଳ ପହରୁ ଯାଇ ଦିନ ଦି'ପହର ହେଲା। ଏଣେ ଆଜି କୁଆଁର ପୁନେଇ। ମତେ ଖାଲି ସନ୍ତୁଳି ମାରୁଛ। ଯାହା ଯାହା କହିଥିଲି ଆଣିଲ? ନା, ଖାଲି ଗୁଲିଖଟି ଗପ କରି ମାର୍କେଟରୁ ଆସିଲ? ଝିଅର ଜାମାଟା କହିଲି ବଦଳାଇ ଆଣିବାକୁ ଯେ ସେତକ ବି ହେଲାନି। ତମ ଦେଇ ଶାଗ ସିଝିବନି।" ଟିକେ ନିଃଶ୍ୱାସ ନେଇ ପୁଣି ଆରମ୍ଭ ହେଇଗଲା ଆଉ ଗୋଟେ ବିଷୟ। "ଆଚ୍ଛା, କହିଲ, ଏ ମାଧୁରୀ ଜୀବଟି କିଏ। ସେ ଯୋଗନୀଖାଇ ଏତେ ଫୋନ କରୁଛି କାହିଁକି? ତୁମେ ବଜାର ଗଲ କି ତା'ର ଆରମ୍ଭ ହେଇଗଲା। ମୁଁ 'ହାଲୋ' କଲାବେଳକୁ ସେ ତୁନୁମୁହିଁ କାଟି ଦୋଉଚି। କି ଅଭଦ୍ରାମି। ଟ୍ରୁ କଲର ଦେଖୋଉଚି 'ମାଧୁରୀ କଲିଙ୍ଗ୍'।"


ମୋ ମୁଣ୍ଡ ଖରାପ ହେଇଗଲା। ଏ ମାଧୁରୀ ପୁଣି କିଏ? ଅନ୍ତତଃ ଗଲା ଛପନ ବର୍ଷ ଭିତରେ ମାଧୁରୀ ନାମ୍ନୀ କୌଣସି ମହିଳା ମୋ ପରିଚିତ ଲୋକଙ୍କ ଭିତରେ ନାହାନ୍ତି। ହଁ, ମୋର ଜଣେ ସମ୍ପର୍କୀୟ ଆଈ ଅଛି, ତା' ନାଁ ମାଧୁରୀ। ହେଲେ ସେ ବୁଢ଼ୀ ଏତେ ଆଧୁନିକା ହେଲା କେବେ ଯେ ସ୍ମାର୍ଟ ଫୋନ ବ୍ୟବହାର କରିବ! ଏ ମୋବାଇଲ ବଡ ଝିଞ୍ଜଟିଆ ଜିନିଷ। ଏହାରି ପାଇଁ ମଣିଷ କେତେ ମିଛ କହୁଛି, ମିଛ କହି ଧରା ପଡୁଛି, ଠକାମୀର ଶୀକାର ହେଉଛି ଆହୁରି କେତେ କ'ଣ। ମୁଣ୍ଡଟା ଗୋଳମାଳିଆ ଧରିଲା, କୋଉ ମାଧୁରୀ ସହ ମୋର ସମ୍ପର୍କ ଅଛି ବୋଲି ଇଏ ଆଉ ସନ୍ଦେହ କରୁନି ତ? କଥାଟା ସବିଶେଷ ନଜାଣି କିଛି କହିଲେ ଅଧିକା ଅଡୁଆରେ ପଡିଯିବା ଭୟରେ ଚୁପ୍ ରହିବା ଶ୍ରେୟସ୍କର ମଣିଲି।


ଏତେ ଟେନ୍ସନ ଭିତରେ ଯଦିଓ ଚାହା କପେ ପାଇଁ ଖୁବ୍ ତଲବ ହେଉଥିଲା, ତଥାପି କହିବା ପାଇଁ ସାହସ ଜୁଟେଇ ପାରିଲିନି। ମନେ ମନେ ଭାବୁଥିଲି କାହିଁକି ମୋବାଇଲଟା ଘରେ ଛାଡିଦେଇ ଗଲି। ଏତିକିବେଳକୁ ପୁଣି ଥରେ ମୋବାଇଲଟା ରିଙ୍ଗ୍ ହେଲା। ବାଟଘରେ ବସିଥିଲି। ମିସେସ୍ ଦଉଡି ଯାଇ ଖପ୍ କିନା ମୋବାଇଲଟାକୁ ମାଡିବସିଲେ। ଫ୍ଲିପ୍ କଭର୍ ଖୋଲି ଦେଖିଦେଲେ। ସେଇ ଭିତର ଘରୁ ଏତେ ବଡ଼ ପାଟିରେ ଚିଲ୍ଲେଇ କହିଲେ, "ଏଇ ନିଅ, ପୁଣି ସେଇ ଅଲକ୍ଷଣୀ ମାଧୁରୀ। ଦେଖ, କେତେ ସୁଆଗ, ମରୁନୁ ଭସୁଆଁଣି, ତତେ ଆଉ କେହି ମିଳିଲାନି, ମୋରି ଘର ଭାଙ୍ଗିବା ପାଇଁ ଲାଗିଛୁ।" ଯାହା ଭାବୁଥିଲି କଥାଟା ଶହେରୁ ଶହେ ସତ। ସନ୍ଦେହର ବୁଢୀଆଣି ଜାଲ କାୟା ବିସ୍ତାର କରି ସାରିଲାଣି। ଏ ସ୍ତ୍ରୀଲୋକମାନେ ସବୁବେଳେ ସନ୍ଦେହୀ। ସ୍ବାମୀକୁ ନିଜର ଅଧିକାର କ୍ଷେତ୍ର ଭିତରେ ରଖିବାର ପ୍ରବଳ ଇଚ୍ଛା। ସେଠି ଆଉ କାହାର ଦଖଲ ବରଦାସ୍ତ କରାଯାଏ ନାହିଁ।


ଯାହାହେଉ, ମୋ ମୋବାଇଲଟା ହାତକୁ ଆସିଲା ମାତ୍ରେ କଲ୍ ରିସିଭ କରି ସ୍ବଭାବିକ ଭାବରେ 'ହ୍ୟାଲୋ' କହିଲି। ସେଥିରେ ବି ବୋଧେ ମୁଁ କିଛି ଭୁଲ୍ କରିଦେଲି। ଭିତରୁ ସାଙ୍ଗେ ସାଙ୍ଗେ ତାଗିଦା ଆସିଗଲା। "ହଁ, ସେଇ ପୋଡାମୁହିଁ ସାଙ୍ଗରେ କେତେ ସରାଗରେ କଥା ହୋଉଚ, ଆଉ ମୁଁ ଫୋନ କଲେ ମୁଁ କାଳେ ଗେଜେ ଗେଜେ ହୋଉଚି। ସେଇ ପୋଡାମୁହିଁମାନେ ତ ମୁଣ୍ଡକୁ ଖାଇସାରିଲେଣି। ଖାଲି ମୋ କପାଳ ମନ୍ଦ।"


ମିସେସ୍ କହିବା କଥା ଆଡ଼କୁ ଧ୍ୟାନ ନଦେଇ ମୋବାଇଲରେ କଥା ହେଲି। ସେପଟରୁ ଗୋଟେ ଗୁରୁଗମ୍ଭୀର ସ୍ବରରେ କହୁଥିଲା, "ଭାଇନା, ନମସ୍କାର। ମୁଁ କୁନା କହୁଛି।" ଆଶ୍ଚର୍ଯ୍ୟ ଲାଗିଲା। କୋଉ କୁନା ପୁଣି ମତେ ଭିଣେଇ କଲାଣି। ଅବଶ୍ୟ ମୋର ଗୋଟିଏ ବୋଲି ଶଳା ଆଉ ତା ନାଁଟା କୈଳାସ। ତେଣୁ ମୁଁ ପଚାରିଲି, "କୋଉ କୁନା। ମୁଁ ଜାଣିପାରିଲିନି।" ସେପଟରୁ ଶୁଭୁଥିଲା, "କ'ଣ ଜାଣିପାରୁନ ମ, କୈଳାସ କହୁଛି। ସକାଳେ ଦି ତିନି ଥର ଫୋନ କଲି ଯେ ନାନୀ ଉଠେଇଲା। ଓ୍ବାନ ସାଇଡେଡ୍ ହେଲା, କଥା ହେଇପାରିଲିନି। ଏଇଟା ମୋ ନୂଆ ନମ୍ବର। ସେଭ୍ କରିଦେବ। ହଁ, ଏଇଥିପାଇଁ ଫୋନ କରିଥିଲି ଯେ ଆସନ୍ତା ପନ୍ଦର ତାରିଖରେ ଘର ପ୍ରତିଷ୍ଠା ହେବ। ବାପା ଆରପଟ ବାଡ଼ିରେ ଯୋଉ ଘରଟା ଆରମ୍ଭ କରିଥିଲେ, ବାପା ଗଲାପରେ ସେଇଟା ଅଧାତିଆରି ହେଇ ପଡିଥିଲା। ବାପାଙ୍କର ସ୍ବପ୍ନକୁ ପୁରା କରିବାକୁ ଯାଇ ସେ ଘରଟା ଗଲା ମାସରେ ଛାତ ପକେଇଲି। ସବୁ କାମ ସରିଲା ପରେ ପନ୍ଦର ତାରିଖରେ ମାଆକୁ ଭଲ ଦିନ ସୁଝିଲା। ତୁମେ ନାନୀକୁ ଆଉ ଛୁଆଙ୍କୁ ଧରି ଆସିବ। କୌଣସି ବାହାନା ଚଳିବନି। ଆଚ୍ଛା, ଦେଲ ଟିକେ ନାନୀକୁ, ତା ସାଙ୍ଗରେ କଥା ଅଛି।"


ମିସେସ୍ ଆରଘରେ ଥିଲେ। ରଡିଟେ ପକେଇଲି, "ହଇ ହେ ଶୁଣୁଛ, ଏଇ ନିଅ, ତୁମ ଗେହ୍ଲା କୁନା ଫୋନ କରିଛି। ଆଉ ତୁମେ 'ମାଧୁରୀ, ମାଧୁରୀ' ବୋଲି ଚିଲ୍ଲୋଉଛ। ମତେ ସନ୍ଦେହ କରୁଛ। ନିଅ ଜଲଦି।"


ମିସେସ୍ ଏକରକମ ଦଉଡିଲା ପରି ଆସି ମୋ ହାତରୁ ମୋବାଇଲଟା ଝାମ୍ପି ନେଲେ। ତାପରେ ଚାଲିଲା ଭାଇ ଭଉଣୀଙ୍କର ଅସରନ୍ତି ଗପ। ମୁଁ 'ତେଲ ତେଲି ଗଲେ ମିଶି, ପିଡିଆ ପଡିଲା ଏକା' ନ୍ୟାୟରେ ବସିରହି ଚିନ୍ତା କରୁଥିଲି, ଏ ଟ୍ରୁ କଲର୍ କ'ଣ ନକଲା ସତେ।


Rate this content
Log in

More oriya story from Banabihari Mishra

Similar oriya story from Abstract