ଟପ୍ପର
ଟପ୍ପର
ବାପାଙ୍କ ପାଟିଶୁଣି ରୋଷେଇଘରୁ ମୁଁ ଧାଇଁ ଆସିଲି I ପରଦା ଆଡେ଼ଇ ଟିକେ ଚାହିଁ ଦେଖିଲି ଯେ ବୋଉ ବସିଛି ଖଟକୁ ଆଉଜି I କାଳେ କଷ୍ଟହେବ ବୋଲି ତା ପଛପଟେ ରଖା ଯାଇଛି ଦି' ଟା ତକିଆ I ବାପା ତ ହାତକୁ ଧରି କହି ଚାଲିଥାନ୍ତି ,"ଦେଖ ମିତା ! ତମପାଇଁ ଆଜି ମୁଁ କଣ ଆଣିଛି ! ତମେ ଦିନେ କହିଥିଲ ନା ତମର ଏମିତି ଗୋଟେ ଭଲ phone ଟିଏ ଦରକାର ବୋଲି ! ନିଅ, ଯେତେ ପାରୁଛ ଗୀତ ଗାଅ I ଦେଖ,ମୁଁ ତମକୁ ଆଉ କେବେ ବି କିଛି କହିବି ନାହିଁ I" କହୁକହୁ ବାପାଙ୍କ ଆଖିରୁ ୨ ଟୋପା ଲୁହ ଝରିପଡ଼ିଲା , ମୁଁ ଚମକି ପଡ଼ିଲି I ମୋ ହେଜ ପାଇବା ଦିନଠାରୁ କାଇଁ ଆଜି ପର୍ଯ୍ୟନ୍ତ କେବେ ତ ବାପାଙ୍କ ଆଖିରେ ଲୁହ ମୁଁ ଦେଖିନି ? ଏମିତିକି ମୋ ବାହାଘର ଦିନ ବାଷ୍ପlରୁଦ୍ଧ କଣ୍ଠରେ ମୋତେ ଟେକିଟାକି ନେଇ ଗାଡ଼ିରେ ବସେଇ ଏକମୁହାଂ ହୋଇ ଘର ଭିତରକୁ ଚାଲିଯାଇଥିଲେ ସିନା ହେଲେ ଦେଖିବାକୁ ଦେଇନଥିଲେ କାହାକୁ ତାଙ୍କର ଲୁହ,ଦୁଃଖ, ଯନ୍ତ୍ରଣା ଓ ଅବଶୋଷକୁ । '"ହେଲେ ପଥରରୁ କ'ଣ ପାଣିଝରେ ?" ପଥର ନୁହେଁ ତ ଆଉ କ'ଣ ? ବୋଉର ଭାଷାରେ ସେ ଥିଲେ ଜଣେ ନିର୍ଦ୍ଦୟ , ନିଷ୍ଠୁର ତଥା କଠୋର ହୃଦୟର ମଣିଷଟିଏ । ସେ ଯେତେବେଳେ ରାଗୁଥିଲା, ଏଇ ଭାଷାରେ ହିଁ ବାପାଙ୍କୁ ଗାଳି ଦେଉଥିଲା । ବୋଉଟା ବି ସେତେ ରାଗିପାରେ ନାହିଁ ,ଯଦି ବା କଦବା କ୍ଵଚିତ ରାଗିଯାଏ , ତେବେ ରୋଷେଇ ଘରକୁ ଯାଇ ବାସନ ଧଡ଼ଧାଡ କରେ , ସେଇଠି ଥାଇ ଗାରୁଗାରୁ ହୁଏ । ହେଲେ ତା ମୁଂହକୁ ଚାହିଁ ଦେଲେ ଯେତେ କୁହୁଳୁ ଥାଉ ନା କାହିଁକି ହସିଦେଇ ଚାଲିଯାଏ । ବୋଉ ସିନା ରାଗେନି, ହେଲେ ଭାରି ସ୍ୱାଭିମାନୀ । ତାକୁ ଟାଣକରି ପଦେ କିଏ କହିଲେ କି ଓଲଟାସିଧା କହିଲେ ୠଷିଯାଏ । ଧାନ ଉଷୁଆଂ ହାଣ୍ଡିପରି ମୁଁହ ଫୁଲେଇ କିଛିଦିନ ରୁହେ । ହେଲେ ବାପା ଥିଲେ ପ୍ରଚଣ୍ଡ ଅଭିମାନୀ । କେହି ରାଗିଲେ କଅଂଳେଇ କହନ୍ତି ନାହିଁ କି ମନେଇ ବି ପାରନ୍ତି ନାହିଁ । ଯାହା କହନ୍ତି ମୁହେଁ ମୁହେଁ ,ରୋକଠୋକ । ଏମିତିକି ଭାଷା ଯେତେ ମାର୍ଜିତ ହୋଇ ଥାଉନା କାହିଁକି ତାଙ୍କ ଶାଣିତ ଶୈଳୀରେ ହୃଦୟ ହୋଇଯାଏ ବିଦାରିତ । ପିଲାଟିବେଳୁ ମୁଁ ଦେଖି ଆସିଛି ସେ ରୂପ । ତେଣୁ ହୋଇଯାଇଛି ଅଭ୍ୟସ୍ତ ଆଉ ଦୂରୁ ସତର୍କ। ହଠାତ pressure cooker ର ସିଟି ବାଜିବାରୁ ପ୍ରକୃତିସ୍ଥ ହୋଇ ଧାଇଁଲି ରୋଷେଇଘର ଆଡକୁ । ଦିନ 12ଟା ଭିତରେ ରୋଷେଇ ସାରିବାକୁ ପଡିବ । ବୋଉର medicine ଖାଇବା time । ବାପା ଗୋଡେ ଗୋଡେ ଜଗିଛନ୍ତି ତାକୁ । ଖୁଆଇବା ପିଆଇବା ଠାରୁ ଆରମ୍ଭ କରି ସମସ୍ତ ନିତ୍ୟକର୍ମ ମନଧ୍ୟାନ ଦେଇ କରୁଛନ୍ତି ସେ । କାଳେ କିଛି ବିସ୍ମରଣ ହେବ ତେଣୁ diary ରେ ଗୋଟି ଗୋଟି କରି ଟିପି ରଖିଛନ୍ତି ଦୈନନ୍ଦିନ ଜୀବନର କାର୍ଯ୍ୟସୂଚୀ । ବାପା ସବୁ କାମ ଜାଣିଛନ୍ତି , ହେଲେ ରୋଷେଇ କରିବାର ଧାର ଧାରନ୍ତିନି । ମୁଁ ଆସିବାର 2 ଦିନ ପୂର୍ବରୁ ସେ କାମ ବି କଷ୍ଟେମଷ୍ଟେ ଚଳେଇ ନେଇଛନ୍ତି ! ଏ କରୋନା ସମୟରେ ତ କୌଣସି କାମବାଲୀ ଘରକୁ ଆସୁନାହାନ୍ତି , ତେଣୁ ମୋତେ ରୋଷେଇଘର ସମ୍ଭାଳିବାକୁ ଦେଇ ବାପା ଅନ୍ୟସବୁ କାମ ନିଜେ କରୁଛନ୍ତି, ବୋଉର ପୁରା ଦାୟିତ୍ୱ ନେଇଛନ୍ତି । ମୁଣ୍ଡ ବାନ୍ଧିବାଠାରୁ ଆରମ୍ଭ କରି ବୋଉର ଲୁଗା ଧୋଇବା, ଖୁଆଇବା, ପିଆଇବା ପର୍ଯ୍ୟନ୍ତ ପ୍ରତ୍ୟେକ କାମ ନିଜ ହାତରେ କରୁଛନ୍ତି । ପ୍ରତିବାଦ କଲେ କହନ୍ତି," ଆରେ ମା ! ସାରା ଜୀବନ ସେ ଆମ ସମସ୍ତଙ୍କର କେତେ ସେବା ନ କରିଛି ସତେ ! ଏମିତିକି ମୁଁ ରୋଜଗାର କରିବା ବ୍ୟତୀତ ଘରକଥାରେ କେବେ ବି ମୁଣ୍ଡ ଖେଳାଇନି । ତେଣୁ ଏ ସମୟରେ ତା ପାଇଁ ଟିକେ ସମୟ ଦେଇ ପାରିଲେ ଅସୁବିଧା କ'ଣ ?" ବାପାଙ୍କ ଯୁକ୍ତି ଅକାଟ୍ୟ ଥିଲା। ହେଲେ ମୋ ଆଖିରେ ସାଜିଥିବା ମୋ ହିଟଲର ବାପାଙ୍କ ଏତାଦୃଶ କାର୍ଯ୍ୟକଳାପ ମୋତେ ହତ ଚକିତ କରିଦେଉଥିଲା ବେଳକୁ ବେଳ। ଶ୍ରୀଫଳ ପରି ଉପରି ଭାଗ ଏତେ ରୁକ୍ଷ ଓ କଠୋର ହେଲେ ବି ଅନ୍ତରଟା ଯେ ତାଙ୍କର କେତେ ସ୍ୱଚ୍ଛ ଓ କୋମଳ ମର୍ମେ ମର୍ମେ ଅନୁଭବ କରିପାରୁଥିଲି ମୁଁ । ବାପା ଭଲରେ ପଦିଏ କଥା ହେଉ ନାହାନ୍ତି ବୋଲି ସବୁବେଳେ ବୋଉ ଯେଉଁ ଅଭିଯୋଗ ବାଢୁଥିଲା, ଆଜି ବାପାଙ୍କର ଏତାଦୃଶ ପରିବର୍ତ୍ତନ ଦେଖି କେତେ ଖୁସି ନ ହୋଇଥାନ୍ତା ସତେ !! ସ୍ନେହକାଙ୍ଗାଳୀ ବୋଉଟା ଟିକେ ସୁଖ ଶ୍ରଦ୍ଧା ପାଇଲା ବେଳକୁ ଜାଣି ପାରିଲା ନାହିଁ। ଘଡିକି ଚାହିଁଲି। ଦେଖିଲି 12ଟା ବାଜିଲାଣି। ଖାଇବାପାଇଁ ଡାକିବାକୁ ଯିବି କଣ , ବୋଉକୁ ଦେଖି ଅଟକି ଗଲି କିଛି ସମୟ ପାଇଁ। ତାର ମୁଖମଣ୍ଡଳ ଧଳାବାଦଲ ଆଚ୍ଛାଦିତ ହୋଇଥିବା ଗଗନରେ ବାଳସୁର୍ଯ୍ୟ ଉଦିତ ହେଲାପରି ପ୍ରତୀୟମାନ ହେଉଥିଲା। ସମ୍ଭବତଃ ଓଦାମୁଁହରେ ପାଉଡର ମାରି ସିନ୍ଦୁର ଟିପା ଟିକୁ ଗୋଲ ବୁଲେଇବାକୁ ଯାଇ ୫ଟଙ୍କିଆ coin ଟିଏ ମଥା ଉପରେ କରିଦେଇଛନ୍ତି ବାପା । ଆଉ ତା ସାଙ୍ଗକୁ ବୋଉର ଦୁଇଆଖିରେ ମେଞ୍ଚା ମେଞ୍ଚା କଜଳ ଦେଖି ମୁଁ ଆଉ ମୋ ହସକୁ ଅଟକାଇ ପାରିଲି ନାହିଁ। ବାପା ବୁଝି ପାରି କହିଲେ ," ନାଇଁରେ ମା ! ବୋଉ ପରା ତୋର କଜଳ ସିନ୍ଦୁର ନ ଲଗାଇଲେ କିଛି ଖାଏ ନାହିଁ ! ତା ଛଡା ଏବେ କିଏ କାହା ଘରକୁ ଆସୁଛି ନା ଯାଉଛି ଯେ କିଏ ଦେଖିବ ଆଉ ଖରାପ ଲାଗିବ ?ମୋ ଆଖିରେ ତ ସେ ଦେବୀ ପ୍ରତିମାଟିଏ !" ମନେମନେ ମୁଁ ଭାବୁଥିଲି ,ଆରେ ସତକଥା ତ ! ଯିଏ ଯାହାକୁ ଅଧିକ ଭଲପାଏ , ତା ଆଖିରେ ତ ସେ ସମସ୍ତ ସୋନ୍ଦର୍ଯ୍ୟର ଅଧିକାରୀ ହୋଇଥାଏ !! ବୋଉକୁ ଚାହିଁଲି। ନ ଥିଲା ତାର କିଛି ପ୍ରତିକ୍ରିୟା, ସବୁ ଦେଖୁଥିଲା। ହେଲେ କିଛି ବୁଝୁ ନଥିଲା କି କାହାକୁ ଚିହ୍ନୁ ନଥିଲା। ଖାଲି ବଲବଲ କରି ଚାହୁଁଥିଲା ଚାରିଆଡ଼କୁ। ଆଜିକୁ 4 ଦିନ ହେବ ବୋଉର ଏ ଅବସ୍ଥା। ମାନସିକ ସ୍ତରରେ ପ୍ରବଳ ଆଘାତ ପାଇ ସେ ତାର ମାନସିକ ଭାରସାମ୍ୟ ହରାଇ ବସିଛି। ତେଣୁ ତାଙ୍କ ଉପରେ ନ ରାଗି ପିଲାଙ୍କ ପରି ଧୈର୍ଯ୍ୟ ର ସହିତ ଆଦରଯତ୍ନ କରିପାରିଲେ ସେ ଯଥାଶୀଘ୍ର ଆରୋଗ୍ୟଲାଭ କରିବେ ବୋଲି ପରାମର୍ଶ ଦେଇଛନ୍ତି ଡାକ୍ତର । ବାପା ଆପାତତଃ ନିଜକୁ ସବୁବେଳେ ଦୋଷୀ ବୋଲି ଭାବୁଥିଲେ ଓ ପ୍ରାୟଶ୍ଚିତ କରିବାକୁ ଯାଇ ବୋଉର ପ୍ରତ୍ୟେକ କାମ ନିଜ ହାତରେ କରୁଥିଲେ ଆଉ ଯେଉଁଥିରୁ ସେ ପାଉ ଥିଲେ ପରମ ତୃପ୍ତି ଓ ଚୀର ଆନନ୍ଦ। ପିଲାଟିବେଳୁ ସଂଗୀତ ପ୍ରତି ଥିଲା ବୋଉର ଅହେତୁକ ଦୁର୍ବଳତା ।ହେଲେ ଏକ ସମ୍ଭ୍ରାନ୍ତ ଓ ରକ୍ଷଣଶୀଳ ପରିବାର ରେ ମାମୁଁ କି ଅଜା ତାକୁ ଦେଇନଥିଲେ ସୁଯୋଗ ।ମନ ଭିତରେ ମରି ଯାଇଥିବା ଏଇ ଛୋଟିଆ ଅବଶୋଷଟି ଦିନେ ଅଙ୍କୁରୋଦଗମ ହୋଇଥିଲା କିଛି ବନ୍ଧୁମାନଙ୍କ ପ୍ରରୋଚନାରେ । ଏକ ସଂଗୀତଭିତ୍ତିକ app କୁ ଯାଇ ସୁରରେ ସୁର ମିଳାଇ ଗାଇ ଚାଲୁଥିଲା ଅନେକ ଗୀତ ।ଯେଉଁ ସିନେମା ଗୀତକୁ ଦିନେ ଗୁଣୁ ଗୁଣେଇଲେ ଜେଜେ ମା ଏଣୁତେଣୁ କହି ଶୋଧୁଥିଲା ,ସେସବୁ ଗୀତକୁ ହାତ ପାଆନ୍ତାରେ ପାଇ ବସି ପଡ଼ୁଥିଲା ଗାଇବାକୁ ସବୁ କାମ ସାରି । ହେଲେ ମୋ ବାପାଙ୍କୁ ଏସବୁ ପସନ୍ଦ ଆସୁ ନ ଥିଲା।ଯେଉଁଥିପାଇଁ ସେ ପ୍ରାୟ ସମୟରେ କରୁଥିଲେ କଟାକ୍ଷ ,ହେଉଥିଲା ମତାନ୍ତର ।ବୋଉ ହାତରେ ମୋବାଇଲ ଦେଖିଲେ ହୋଇ ଯାଉଥିଲେ ନିଆଁବାଣ ।ବୋଉଟା ବି ସେତେ ଚାଲାଖ ନ ଥିଲା। ଯେତେ ଲୁଚେଇବାକୁ ଚେଷ୍ଟା କଲେ ମଧ୍ୟ ଧରା ପଡି ଯାଉଥିଲା ବାପାଙ୍କ ଆଗରେ । " ଏ ପରିଣତ ବୟସରେ ଏମିତି ସବୁ ଗୀତ ଗାଇବାକୁ ତମକୁ ଟିକେ ସଂକୋଚ ବୋଧ ହେଉନାହିଁ ? ଲୋକେ କଣ କହିବେ ?କଣ କହିବେ ସବୁ ସାହି ପଡିଶା ? " ଦିନେ ଆକ୍ଷେପ କରି କହିଥିଲେ ବାପା । ସେଦିନ କିନ୍ତୁ ବୋଉ ଚୁପ ହୋଇ ବସି ପାରି ନଥିଲା ।ମାନ ଇଜ୍ଜତ ଉପରେ ଆଞ୍ଚ ଆସିଲେ କିଏ ବା ଚୁପ ହୋଇ ବସି ପାରିବ ? ଚିହିଁକି ଉଠି କହିଥିଲା ," ମୁଁ ତ କିଛି ଖରାପ କାମ କରୁନି ଯେ ମୋତେ ଲଜ୍ୟା ଲାଗିବ ? ବାପଘରୁ ଶାଶୁଘର ଯାଏ ସଭିଙ୍କ ମତକୁ ନୀରବ ସମର୍ଥନ କରି ଚାଲିଗଲା ମୋର ଅଧା ଜୀବନ ।କେବେ ଭାବିଛ କି ତୁମମାନଙ୍କ ଅନୁପସ୍ଥିତି ରେ କେମିତି କଟୁଥିବ ମୋ ଅକେଲାପନ ? ଚାରିକାନ୍ଥ ରେ ଆବଦ୍ଧ ନାରୀଟିର ବି ଥାଏ କିଛି ଆଶା ,ଆକାଂକ୍ଷl ଓ ସ୍ବାଧୀନତା । ସେ ବି ତମରି ପରି ରକ୍ତ ମାଂସ ର ମଣିଷ ଟିଏ ।ତାର ବି ମନ ଅଛି, ଖୁସି ଆଗ୍ରହ ଅଛି ।ସମୟ ନଷ୍ଟ କରି TV ଦେଖିବା କି ଏକାଠି ବସି ପରଛିଦ୍ର କରିବାଠୁଁ କଣ ଏହା ଏତେ ଖରାପ ? "ଅହଙ୍କାରୀ ବାପାଙ୍କୁ ସେଦିନ ବୋଧହୁଏ ବୋଉର କଟାକ୍ଷ ହଜମ ହେଇ ପାରିନଥିଲା ।ତା ହାତରୁ ମୋବାଇଲ ଟା ଛଡେଇ ନେଇ କଂସ ଶିଶୁ ପୁତ୍ରକୁ ମାରିଲା ପରି "ନା ରହେଗା ବାଂଶ ନା ବଜେଗା ବାଂଶୁରୀ " କହି ତଳେ କଚାଡି ଦେଇଥିଲେ । ଆଉ ନ ଥିଲା ମୋବାଇଲ ର ଅସ୍ତିତ୍ବ ।ଖଣ୍ଡ ବିଖଣ୍ଡିତ ଅଂଶ ଖେଳାଇ ହୋଇ ପଡ଼ିଥିଲା ଘରସାରା ।ନିଜ ପ୍ରିୟ ବସ୍ତୁଟିର ଏ ଦୁର୍ଦ୍ଦଶା ଦେଖି କିଏ ବା ଧୈର୍ଯ୍ୟ ଧରି ରହି ପାରିଥାନ୍ତା ?କିଛି କହି ପାରିଲାନି ବୋଉ ।ନା ହସିଲା ନା କାନ୍ଦିଲା ।ପଥର ପାଲଟିଗଲା ଏକରକମ । ବାପାଙ୍କୁ ଖାଇବାକୁ ଦେଇ ମୁଁ ଆସି ଟିକେ ବୋଉ କୋଳରେ ଶୋଇ ପଡ଼ିଲି।ଶାଶୁଘରୁ ଯେତେବେଳେ ବି ଆସେ ,ତା କୋଳରେ ଟିକେ ମୁଣ୍ଡ ଗୁଞ୍ଜି ଦେଲେ ଭାରି ଶାନ୍ତି ଲାଗେ, ଆଶ୍ୱସ୍ତି ବୋଧ ହୁଏ ।ହେଲେ ଅନ୍ୟସବୁ ଦିନ ପରି ମୋତେ କୋଳେଇ ନେଲାନି କି ତା ନରମ ପାପୁଲିରେ ମୋ ପିଠି ଥାପୁଡ଼େଇ ଦେଲାନି ।ସେ ମୋ ମାଆ ହେଲେ ବି ଥିଲା ମୋର ସାଙ୍ଗ ,ସୁଖଦୁଃଖର ସାଥି ।ସୁବିଧା ଅସୁବିଧା ପଡିଲେ ତାର ପରାମର୍ଶ ନେଉଥିଲି ।ଆଉ କିଏ ଅଛି ମନ କଥା ବୁଝିବାକୁ କହି କାନ୍ଦି ଉଠିଲି କଇଁ କଇଁ ହୋଇ ।ଅମାନିଆ ଲୁହଗୁଡା ଅବିଶ୍ରାନ୍ତ ଭାବେ ଝରି ବୋଉର ପଣତକାନି କୁ କରିଦେଉଥିଲା କ୍ରମଶଃ ଆଦ୍ର । "ମା' ରେ ଖାଇଲୁଣି "? କାହାର ଉଷ୍ଣ ପରଶରେ କରେଣ୍ଟ ଖାଇଲା ପରି ଉଠି ପଡି ଦେଖିଲି ବୋଉ ମୁରୁକି ମୁରୁକି ହସୁଛି ।ଆଖିକୁ ଵିଶ୍ଵାସ କରି ପାରିଲିନି ।ହଜିଲା ଧନ ପାଇବା ପରି ଆନନ୍ଦରେ ଅଧିର ହୋଇ ତାକୁ ଵୋକ ପରେ ଵୋକ ଦେଇ କହି ଉଠିଲି ," ବୋଉ ତୁ ଭଲ ହେଇଗଲୁ ? କଥା କହିଲୁ ?" ମୋ ଅଲରା ଚୁଟି କୁ ସଜାଡୁ ସଜାଡୁ ବୋଉ କହିଲା ,"ମୋ ଧନ ଟା ଶାଶୁଘରୁ ଆସି ଏଠି ଖଟିବ ,ମୁଁ ମାଆ ଟେ ହୋଇ କେମିତି ସହିଥାନ୍ତି କହିଲୁ ? " ମୁଁ କଥା ଛଡେଇ କହି ଉଠିଲି ," ବାପାଙ୍କୁ ନିଷ୍ଠୁର ଆଉ ଭଲ ପାଉ ନାହାନ୍ତି ବୋଲି ଯେଉଁ ଆକ୍ଷେପ କରୁଥିଲୁ ,ତାଙ୍କରି ସ୍ନେହ ପ୍ରେମ ଓ ନିଷ୍ଠା ରେ ତୁ ଏତେ ଶୀଘ୍ର ଭଲ ହେଇଗଲୁ ଲୋ ବୋଉ !" " ହଁ ,ସକାଳୁ ମୁଁ ତାଙ୍କୁ ନିରୀକ୍ଷଣ କରି ସେଇଆ ଦେଖଛି । " ବୋଉ ଈଷତ ହସି କହିଲା । ମୁଁ ମଜ୍ଜା ରେ କହିଦେଲି ,"କଣ ବାପାଙ୍କୁ ପରୀକ୍ଷା କରୁଥିଲୁ ? " ବୋଉ କିଛି ଉତ୍ତର ଦେବା ପୂର୍ବରୁ ବାପା ଘର ଭିତରକୁ ପଶି ଆସି ରସିକତା କରି କହିଲେ "କଣ ହେଲି ପରୀକ୍ଷା ରେ ପାଶ ନା ଫେଲ ?" ବୋଉ ହସିଦେଇ ମୁଣ୍ଡରେ ଓଢଣାକୁ ଟାଣିଦେଇ କହିଲା , " ନାଇଁ ମ ,ଖାଲି କଣ ପାଶ , ପୁରା ଟପ୍ପର ! " ହସର ଲହରୀ ଛୁଟୁଥିଲା ଘର ସାରା ।

