Shakuntala Mohanty

Comedy Drama

3  

Shakuntala Mohanty

Comedy Drama

ବିଡ଼ମ୍ବନା

ବିଡ଼ମ୍ବନା

5 mins
197


     ଟେବୁଲ ଘୁଞ୍ଚାଇବା ଶବ୍ଦରେ ଚାଉଁକିନା ନିଦ ଭାଙ୍ଗିଗଲା ଶୁଭଶ୍ରୀର କେହି ଜଣେ ଘର ଓଳାଇଲା ପରି ଲାଗୁଥିଲା । କିଏ ହୋଇପାରେ ? ଲକଡାଉନ୍ ପାଇଁ କେତେଦିନ ହେବ କାମବାଲୀ ତ ଆସୁନାହିଁ ଘରକୁ । ଆଉ ଆଜିକାଲିର ପିଲାମାନେ ତ ସବୁ ରାତ୍ରିଚର ହୋଇଗଲେଣି । ଦିନ 10ଟା ନ ବାଜିଲେ କିଏ ବା ଉଠୁଛି ?   ଆଖି ଖୋଲି ଚାହିଁଲେ କଡ଼କୁ । ଦେଖିଲେ ସୁବ୍ରତଙ୍କ ବିଛଣା ଖାଲି । ଉଠି ବାଥରୁମ୍ ଯାଇଥିବେ । ତେବେ କ'ଣ ... । ନା ନା.. ଏହା କେବେ ସମ୍ଭବ ନୁହେଁ , ସୂର୍ଯ୍ୟ ପଶ୍ଚିମ ଦିଗରେ ଉଦୟ ହେବେ ନ ସୁବ୍ରତ.. ପୁଣି.. । କିଛି ଭାବି ପାରୁ ନ ଥିଲା ଶୁଭଶ୍ରୀ ।    ଖାଲି ବୋତଲ ଦେଖିଲେ ଫୋପାଡ଼ିଦେବେ ପଛେ ପାଣି ଆଣି ପିଇ ପାରନ୍ତିନି । ଚା' ବସେଇ ଯଦି କେବେ ବାଥରୁମ୍ ଚାଲିଯାଇଛି ତ ଟିକେ ଚା' ଛାଣି ପିଇବା ମଧ୍ୟ ସମ୍ଭବ ହୁଏ ନାହିଁ । ସକାଳୁ ସକାଳୁ ନେଉଜ୍ ପେପର୍ ଭିତରେ ଏମିତି ମୁଁହ ତାକୁ ମାଡି ଦେଇଥିବେ ଯେ ଦୁନିଆଁ ଗୋଲ୍ ହୋଇଗଲେ ବି ତାଙ୍କର ଯାଏ ଆସେ ନାହିଁ ।   ଶୁଭଶ୍ରୀ ରାଗିଗଲେ ସୁବ୍ରତ ତାଙ୍କ ଭାଷଣ ଆରମ୍ଭ କରି ଦିଅନ୍ତି । ଯିଏ ଯେଉଁ କାମ କରିବ, ତଦନୁସାରେ ଈଶ୍ଵର ନାରୀ ଓ ପୁରୁଷଙ୍କୁ ଦୁହିଁ ଗଢିଛନ୍ତି । ସେମାନଙ୍କ ରୂପ ,ଗୁଣ, ଶାରିରୀକ ଗଠନ ମଧ୍ୟ ଭିନ୍ନ । କାହିଁକି କରାଯାଇଛି ? ଶୁଭଶ୍ରୀ ଏ ଅବାନ୍ତର ଯୁକ୍ତିରେ ନିଜକୁ ସାମିଲ ନ କରି ଖସି ଚାଲିଯାଏ ସେଠାରୁ ।   ହେଲେ ମନେମନେ ଖୁବ୍ ରାଗେ ତା ଶାଶୂଘର ଲୋକଙ୍କ ଉପରେ । ଗେଲ୍ହା ତା ନୁହେଁ , ଏ ସବୁ ମୁଁହବଢା , ପାଞ୍ଚ ପାଞ୍ଚଟା ଝିଅ ପରେ ଅନେକ ଦାନଧର୍ମ କରି ପୁଅଟିଏ ପାଇଥିବାରୁ ସୁବ୍ରତଙ୍କୁ ଠାକୁର କରି ବସାଇ ଦେଇଥିଲେ ଘରେ ।ନିଜ କାମ କରିବା ତ ଦୂରର କଥା । ପାଞ୍ଚ ଭଉଣୀ ମିଶି ପାଳି କରି ଖୁଆଇ ଦେଉଥିଲେ ,ସବୁ ମିଶି ଖେଳୁଥିଲେ ।ଏକ ଜୀବନ୍ତ କଣ୍ଢେଇଟିଏ ପରି ଖୁବ୍ ଆଦରଯତ୍ନ କରୁଥିଲେ ଭାଇର ।    ଏମିତିକି ନୂଆ ନୂଆ ବାହାଘର ବେଳେ ପୁଅ ପେଟରେ ଥାଏ । ଡକ୍ଟର ବେଡ୍ ରେଷ୍ଟ ପାଇଁ କରିଥାନ୍ତି ଶୁଭଶ୍ରୀକୁ । ସେତେବେଳେ ବାଡିପଟେ କୂଅ ଥିଲା । ଘରକୁ ପାଇପ୍ ଲାଇନ୍ ବି ଆସି ନ ଥିଲା । କେହି ଘରେ ନ ଥିଲେ ବୋଲି ସୁବ୍ରତ ପାଣି ବାଲଟିଏ କାଢି ଆଣିବାର ଶାଶୂଙ୍କ ଆଖିରେ ପଡି ଯାଇଥିଲା ଅଚାନକ୍ । ସେ ଖୁବ୍ ଜୋରରେ ରାଗି ଯାଇ ସପ୍ତପୁରୁଷ ଉଝାଳି ଦେଇଥିଲେ ଶୁଭଶ୍ରୀର ।"ହଇ ଲୋ ହେ ସହରିଆ ଝୁଅ ! ମୋ ପୁଅ ଦିନେ ସୁରେଇରୁ ପାଣି ନିଗାଡି ପିଇନାହିଁ , ତୁ ତାକୁ କୂଅରୁ ପାଣି କଢେଇଲୁ ? ତୋର ଯଦି ଦରକାର ଥିଲା ,ମୋତେ ଡାକିଲୁ ନାହଁ ? ହେଇଟି କହିଦଉଛି , ମୁଁ ମଲା ପରେ ବି ମୋ ପୁଅକୁ ଖଟେଇବୁ ନାହିଁ , ବୁଝିଲୁ ?" ସେଦିନ ଶାଶୂଙ୍କର ତାଗିଦର କଟୁକ୍ତି ସ୍ୱର ଆଜି ବି ଗୁଞ୍ଜରିତ ହୁଏ ଶୁଭଶ୍ରୀ କାନରେ ।      ପ୍ରକୃତ ରହସ୍ୟ ଜାଣିବା ପାଇଁ କବାଟ ଫାଙ୍କରେ ଟିକେ ଆଡେଇ ଚାହିଁ ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲା ଶୁଭଶ୍ରୀ । ଏ କ'ଣ ,ସେ ସ୍ୱପ୍ନ ଦେଖୁନାହିଁ ତ ? ଗାମୁଛାରେ ମୁଁହକୁ ପୋଛି ଘରର ଅଳନ୍ଧୁ ଝଡ଼ିବାରେ ବ୍ୟସ୍ତ ଥାନ୍ତି ସୁବ୍ରତ । ଏତେ ଝାଳ ତାଙ୍କର କୋଉଠୁ ଆସେ କେଜାଣି ? ଟିକେ ଗରମ ହେଲେ ଦେହରୁ ପାଣି ନିଗିଡିଲା ପରି ଝାଳ ବୋହି ଚାଲିଥିବ । ଶୋଇଲାବେଳେ ଯେଉଁ କଡ ମାଡି ଶୋଇଥିବେ , ସେ ଜାଗାଟା ପୁରା ଓଦା ଜୁଡୁବୁଡୁ ହୋଇ ଯାଇଥିବ । ନୂଆନୂଆ ଯେତେବେଳେ କିଛି ଜାଣି ନ ଥିଲା ଶୁଭଶ୍ରୀ । କାହାକୁ କିଛି ନ କରି ସର୍ଫ୍ ଓ ଡେଟୋଲ ପାଣିରେ ସଫା କରି ଦେଉଥିଲା ଘରଦ୍ୱାର ।ସୁବ୍ରତଙ୍କ ବିଷୟରେ କିଛି ଅଲଗା ଭାବୁଥିଲା ସେ।ଅସଲ କଥା ଜାଣିଲା ପରେ ମନେ ମନେ ବହେ ହସିଥିଲା ସେଦିନ। ସୁବ୍ରତ ତା ରୁମ ଆଡ଼କୁ ଆସୁଥିବାର ଦେଖି ଚୁପଚାପ ଆଖି ବୁଜି ଶୋଇ ପଡ଼ିଲା ଖଟ ଉପରେ । ଖୁବ ସନ୍ତର୍ପଣରେ ଝାଡୁଟି ରଖି ମୃଦୁ ପାଦରେ ସେ ଘରୁ ଚାଲି ଆସିଲେ ସୁବ୍ରତ । ଶୁଭଶ୍ରୀର ମନେ ପଡିଗଲା ଗତ ସନ୍ଧ୍ୟା ସମୟର କଥା ।ଲକଡାଉନ୍ ବେଳେ ଘରେ ବସି ବସି ଅବା କରିବେ ବା କଣ ? ଟିଭି ଦେଖ ନହେଲେ ମୋବାଇଲ ଖେଳାଅ ।ଶୁଭଶ୍ରୀ ବି ଏ ମୋବାଇଲ ପ୍ରେମରେ କମ ପାଗଳ ନୁହେଁ । କାମଧନ୍ଦା ସବୁ ସାରି ଦେଇ ମୋବାଇଲ ଧରି ବସି ପଡ଼େ ।ବିଭିନ୍ନ ଗପ କବିତା ପଢେ ,କମେଣ୍ଟ ଦିଏ।ନହେଲେ ସାଙ୍ଗସାଥିଙ୍କ ସହିତ ଚାଟିଂ କରେ।ଏବେ ତ ସମସ୍ତେ ଫ୍ରି , ତେଣୁ ଆସରଟା ଭଲ ଜମେ ।ବେଳେବେଳେ ଭାବେ ଅନ୍ଧର ଲଉଡି ସଦୃଶ ଏ ମୋବାଇଲ ଯଦି ନ ଥାନ୍ତା ତେବେ ଏ ଲକଡାଉନ ବେଳେ ମଣିଷ ତ ପୁରା ପାଗଳ ହୋଇଯାଇଥାନ୍ତା !   ତା' ଛଡା ଆଜିକାଲିର get together ବା ବନ୍ଧୁ ମିଳନ ବି ଗୋଟିଏ ଫେସନ୍ ହୋଇଗଲାଣି । ସ୍କୁଲ, କଲେଜ, ୟନଭରସିଟି ଏମିତିକି ଟିଉସନ୍ ସାଙ୍ଗମାନଙ୍କର ମଧ୍ୟ ଅଲଗା ଅଲଗା ଗ୍ରୁପ. ସେଠି ଯେତେ ପ୍ରକାର ଥଟ୍ଟାମଜା ,ଖିଆପିଆ,ମଉଜମସ୍ତି ସବୁ ଚାଲେ । ଯା ହେଉ ଜଞ୍ଜାଳମୟ ପରିବେଶରୁ ଟିକେ ଦୁରେଇ ଯାଇ ପୁରୁଣା ସ୍ମୃତିକୁ ଟିକ ଉଦଜୀବିତ କରି ବନ୍ଧୁମାନଙ୍କ ସହିତ ଟିକେ ସମୟ କାଟିଦେଲେ ଭାରାକ୍ରାନ୍ତ ମନଟା ଟିକେ ହାଲକା ଲାଗେ,ଫୁର୍ତ୍ତି ଲାଗେ ।ସୁଖଦୁଃଖ, ଭଲମନ୍ଦ, ବିପଦଅପାଦରେ ଯିଏ ସାଥୀରେ ଥାଏ ଆଉ ପ୍ରତ୍ୟେକ ପରିସ୍ଥିତିକୁ ଯିଏ ନିଜର ଭାବି ଆପଣେଇ ନିଏ ,ସେ ହିଁ ତ ପ୍ରକୃତ ବନ୍ଧୁ !    ଠିକ ସେମିତି ସୁବ୍ରତଙ୍କ WhatsApp ରେ ମଧ୍ୟ ତାଙ୍କ ପୁରୁଣା ସ୍କୁଲ ସାଙ୍ଗମାନଙ୍କୁ ନେଇ କିଛି ଦିନ ତଳେ ହେବ ଗଢା ହୋଇଛି ଗୋଟିଏ ଗ୍ରୁପ . ବିନ୍ଦୁ ବିନ୍ଦୁରୁ ସାଗର ହେଲା ପରି କୋଣ ଅନୁକୋଣରୁ ବନ୍ଧୁମାନଙ୍କୁ ଖୋଜି ବାହାର କରି ଗ୍ରୁପ ରେ ସାମିଲ କରିବାକୁ ହୋଇପଡିଛନ୍ତି ସଭିଏଁ ତତ୍ପର ।ଏଇ ଖରା ଛୁଟିରେ get together କରିବା ପାଇଁ ଦିନ ମଧ୍ୟ ଧାର୍ଯ୍ୟ ହୋଇ ସାରିଥିଲା। ହେଲେ ଏଇ କରୋନା ଭାଇରସଟା କୋଉଠି ଥିଲା କେଜାଣି ଭିଲିଆନ ହୋଇ ଆସି ସବୁ ବିଗାଡି ଦେଲା ! ଖୁସିର ଜୁଆରରେ ଭଟ୍ଟା ପଡିଗଲା ସତରେ, କେତେ ଖୁସି ହେଉଥିଲେ ସମସ୍ତେ ! ୪୦ ବର୍ଷ କ'ଣ କାମ କଥା ।  ସାଙ୍ଗ ମାନଙ୍କର ସ୍ନେହ ଶ୍ରଦ୍ଧା, ସହଯୋଗ ଓ ଉତ୍ତମ ବୁଝାମଣା ଦେଖି ବେଳେବେଳେ ଅବିଭୂତ ହୋଇଯାଏ ଶୁଭଶ୍ରୀ । ସୁବ୍ରତଙ୍କ ଖୁସିରେ ନିଜକୁ ବି ସାମିଲ କରିଦିଏ ।ସେ ବି ବନ୍ଧୁତାର ମୂଲ୍ୟ ବୁଝେ ।ନିଜ ରକ୍ତର ସମ୍ପର୍କ ବରଂ ଦିନେ ପର କରି ଦେଇ ପାରନ୍ତି ,ହେଲେ ବନ୍ଧୁ ନୁହେଁ ।ଏକଥା ସେ ଭଲ ଭାବରେ ହୃଦୟଙ୍ଗମ କରିଛି ।    କାଲି WP ଦେଖିବା ପରଠାରୁ ସୁବ୍ରତଙ୍କୁ ଚିନ୍ତାମଗ୍ନ ରହିବାର ଦେଖିଛି ଶୁଭଶ୍ରୀ । "ସ୍ତ୍ରୀ ଅର୍ଦ୍ଧାଙ୍ଗିନୀ ,ସୁଖ ଦୁଃଖର ସାଥି ।ତାଙ୍କ ଭଲମନ୍ଦ ରେ ଅଂଶୀଦାର ହେବା ନିହାତି ଜରୁରୀ ।ତେଣୁ ତାଙ୍କ ବନ୍ଧୁମାନେ ଖାଲି ନ ବସିକିଏ ଘର ପୋଛା, ପରିବାକଟା,ବାସନମଜା ,ଏମିତିକି ରୋଷେଇ କାମ କରିବାର ଫଟୋ ଓ ଭିଡ଼ିଓ ଅପଲୋଡ କରୁଛନ୍ତି ଗ୍ରୁପରେ ।ଆଉ ଅନ୍ୟମାନଙ୍କୁ ତଦନୁରୂପ ସେୟାର କରିବାକୁ ମଧ୍ୟ ଦେଇଛନ୍ତି ପ୍ରୋତ୍ସାହନ ।   ସୁବ୍ରତଙ୍କ ମନୋଭାବକୁ ବୁଝିପାରି ଶୁଭଶ୍ରୀ ମଜ୍ଜା କରି କହିଥିଲେ ,"ତମେ ମୋତେ କେଉଁ କାମରେ ସାହାଯ୍ୟ କରିବ କୁହ ତ !ଆଚ୍ଛା, ତମର ମିଛିମିଛିକା ଘର ଓଳାଇବାର ସ୍ନାପ ମୁଁ ଗୋଟେ ନେଇଯାଉଛି ,ତାକୁ ସେୟାର କରିଦେବ ତମ ଗ୍ରୁପରେ ।" 'ନାଁ କଣ କହୁଛ' କହି ହସି ହସି ଚାଲିଗଲେ ଆର ଘରକୁ । ପରିହାସ ପୁର୍ଣ୍ଣ କଥା ସବୁ ସୁବ୍ରତଙ୍କ ଦେହରେ କଣ୍ଟା ହୋଇ ଫୋଡି ହୋଇ ଯାଉଥିଲା ।ଘର କାମ ଯଦି କିଛି ଜାଣି ଥାଆନ୍ତେ ଆଜି ଏତେ କଥା ଶୁଣିବାକୁ ପଡି ନ ଥାନ୍ତା ।ପରେ ଭାବିଲେ ,ଯଦି ସମସ୍ତେ କରି ପାରୁଛନ୍ତି ,ସେ କାହିଁକି ନୁହେଁ ?କେବଳ ସ୍ତ୍ରୀ ଟିଏ କାହିଁକି ,ଘରର ସୁଖ ସ୍ୱାଚ୍ଛନ୍ଦ୍ୟ ପାଇଁ ତ ସମସ୍ତଙ୍କର ସହଯୋଗ ରହିବା ନିହାତି ଦରକାର! ଯେଉଁଥିପାଇଁ ଆଜିର ଏଇ ଅଭିଯାନ । ରୋଷେଇ ଘରେ ସସପ୍ୟାନ୍ ଶବ୍ଦ ଶୁଣି ପ୍ରକୃତିସ୍ଥ ହେଲେ ଶୁଭଶ୍ରୀ ।ଜାଣିପାରିଲେ ଯେ ସୁବ୍ରତ ଚା କରୁଛନ୍ତି ।  

ମଞ୍ଚରେ ଅକ୍ଟର ଟିଏ ନ ହୋଇ ପାରିଲେ ବି ସୁବ୍ରତ ଯେ ଜଣେ ଭଲ ଡାଇରେକ୍ଟର ଏ କଥା କେବେ ଅସ୍ଵୀକାର କରି ନାହାନ୍ତି ଶୁଭଶ୍ରୀ । ଦେଶ ବିଦେଶ ଖବର ଠାରୁ ସମସ୍ତ ବିଷୟରେ ଅଗାଧ ପାଣ୍ଡିତ୍ୟ ରହିଛି ତାଙ୍କର ।ସେଥିପାଇଁ କାହାର କିଛି doubt ଥିଲେ ବୁଲି ବୁଲି ସିଧା ହାଜର ହୋଇ ଯାଆନ୍ତି ସୁବ୍ରତଙ୍କ ପାଖରେ ।ଏମିତିକି ରୋଷେଇ ପ୍ରସ୍ତୁତି ଜଣା ଥିଲେ ବି ଉପାସ ରହିଯିବେ ସିନା ହେଲେ ଡ଼ଙ୍କି ,କର୍ଛୁଲି ଧରି ପାରିବେ ନାହିଁ। ଚା ପାଣି ଫୁଟିବାର ଅପୂର୍ବ ସୁଗନ୍ଧ ତାଙ୍କ ଆଘ୍ରାଣ କୁ ସ୍ପର୍ଶ କରି କରିଦେଲା ଆନମନା ।କ୍ଷଣିକ ପାଇଁ ସେ ହୋଇଗଲେ ଆତ୍ମ ବିଭୋର । ବାସ୍ତବିକ ସବୁ ପ୍ରଥମ ଜିନିଷର ଅନୁଭୂତି ଥାଏ ଟିକିଏ ନିଆରା।ଠିକ ସେମିତି ଏକୋଇର ବଳା ବିଶିକେଶନ ସୁବ୍ରତଙ୍କ ହାତରେ ପ୍ରଥମ ଚା କପର ପିଆଲା ରେ ଚୁମକ ଦେବାକୁ ତାଙ୍କ ଆକାଂକ୍ଷିତ ମନଟି ଉଲ୍ଲସିତ ହୋଇ ଉଠୁଥିଲା ବେଳକୁବେଳ   ହଠାତ ଭୁସକିନା କଣ ପଡିବା ଶବ୍ଦରେ ଭାବନା ରାଇଜରୁ ଫେରି ବିଛଣାରୁ ଉଠି ପଡିଲେ ଶୁଭଶ୍ରୀ ।କଣ କିଛି ଅଘଟଣ ଘଟିଲା କି ? ଦୌଡ଼ିଲେ ରୋଷେଇ ଘରକୁ ।ଚା ସବୁ ଢାଳି ହୋଇ ଭାସୁଥିଲା ଘର ସାରା । ସୁବ୍ରତ ଅନୁତପ୍ତ ଅପରାଧୀଙ୍କ ପରି ଛିଡ଼ା ହୋଇ କହୁଥିଲେ ,"ମୁଁ ତମ ପାଇଁ ଏତିକି ଟିକେ ବି କରି ପାରିଲି ନାହିଁ ।ଭାବିଥିଲି କିଛି ନ ଜଣାଇ ତମକୁ surprise ଦେବି ।ହେଲେ ..ଚା ଛାଣିଲା ବେଳେ ହଠାତ ଫୋନ୍ ଟା ଖସି ପଡ଼ିଲା ଆଉ ତାକୁ ଧରୁ ଧରୁ... ଆଉ କିଛି ବୁଝିବା ପାଇଁ ବାକି ନ ଥିଲା ଶୁଭଶ୍ରୀର । ହସିବ କି କାନ୍ଦିବ ଜାଣି ପାରିଲା ନାହିଁ।ଦେଖିଲା ଗ୍ୟାସ ପାଖରେ ପ୍ଲାଷ୍ଟିକ ଡ଼ବାଟିଏ ଥୁଆ ହୋଇଛି ।ସମ୍ଭବତଃ ଫୋନଟି ତା ଉପରେ ରଖି ଭିଡ଼ିଓ ସୁଟିଂ କରୁଥିଲେ ସୁବ୍ରତ । ହେଲେ ଘଟିଲା ବ୍ୟତିକ୍ରମ । ସୁବ୍ରତଙ୍କ ପାଦରେ ointment ଲଗାଇଲା ବେଳେ ମନେ ମନେ ହସୁଥିଲେ ଶୁଭଶ୍ରୀ ଆଉ ସୁବ୍ରତଙ୍କ ଭାଷାରେ ଭାବୁଥିଲେ, " ଛେଳି ଗୋଡ଼ରେ କଣ ଧାନ ମକଚି ହୁଏ ?"


Rate this content
Log in

Similar oriya story from Comedy