Shakuntala Mohanty

Tragedy

4  

Shakuntala Mohanty

Tragedy

ଗୁରୁ ଦକ୍ଷିଣା

ଗୁରୁ ଦକ୍ଷିଣା

6 mins
236


 

       ସେଦିନ ସଦାନନ୍ଦ ବାବୁ paper ପଢ଼ୁ ପଢ଼ୁ ପତ୍ନୀ ସୁଷମା ଦେବୀଙ୍କୁ ଖୁବ ଜୋରରେ ଡାକ ପକେଇ କହିଲେ , "ହଇହେ ଶୁଣୁଛ ? ଆରେ ଧାଇଁଆସ ଦେଖିବ "।    ସୁଷମାଦେବୀ ମଧ୍ୟ ଭଲ ଭାବରେ ଜାଣନ୍ତି ଯେ ତାଙ୍କ କଥା ନ ଶୁଣିବା ପର୍ଯ୍ୟନ୍ତ ସେ ସେମିତି ରଡି କରି ଚାଲିଥିବେ ।ତେଣୁ ବାସନମଜା ଅଧାରୁ ଛାଡି ଆସି କହିଲେ ,"କଣ ଆଣି ତ ଭାରି ଖୁସି ଜଣା ପଡୁଛ ,ଲଟେରୀ ଉଠି ଯାଇଛି ନା କଣ ?"    " ଆରେ ନା ନା,ତା ଠୁ ବଳି ଖୁସି ଖବର ।ଦେଖ, ଆମ ନିତୁର ସମାଜରେ ଫଟୋ ବାହାରିଛି।ଜାଣିଛ ,ସେ ଏ ବର୍ଷ ପାଇଁ ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛି ।ଆଜି ତାକୁ କଟକର ଶହୀଦ ଭବନ ଠାରେ ସମ୍ବର୍ଦ୍ଧନା ଦିଆଯିବ ବୋଲି ମଧ୍ୟ ଦର୍ଶାଯାଇଛି ।" ଏକ ନିଶ୍ୱାସରେ ସବୁ କହି ପକାଇଲେ ସଦାନନ୍ଦ ବାବୁ ।       ସୁଷମା ଦେବୀ ମୁଁହକୁ ମୋଡି ଚାଲି ଯାଉଥିଲେ ।ହେଲେ ସଦାନନ୍ଦ ବାବୁ ଉଠି ପଡି କହିଲେ ,ତମେ ସଅଳ କଣ ଦି ଟା ରାନ୍ଧି ଦିଅ କି ମୁଁ 3ଟା ରେ ଥିବା 'ପଦ୍ମlବତୀ ' ବସରେ କଟକ ଚାଲିଯିବି।  "ହେଲେ ତମେ ରାତିରେ ରହିବ କୋଉଠି ?" ପ୍ରଶ୍ନ କଲେ ସୁଷମା ଦେବୀ । କାହିଁକି ଆମ ନିତୁ ! ଏତେଦିନ ପରେ ମୋତେ ଦେଖି ସେ ତାଙ୍କ ଘରକୁ ପାଛୋଟି ନେବନି ?ନହେଲେ ଆମ ଗାଁର ହରି ଭାଈ ବି ତ ସେଇ ପାଖରେ ରହୁଛନ୍ତି ।ତାଙ୍କ ଘରେ ରାତିଟା ରହି ସକାଳୁ ସକାଳୁ ଆସି ହାଜିର ହୋଇ ଯିବିନି !  "ହୁଁ ,ତାର ପଛେ କୌଣସି ଖବର ଅନ୍ତର ନ ଥାଉ .." ଏତକ କହି ମୁଁହ ମୋଡ ଚାଲି ଗଲେ ସୁଷମା ଦେବୀ ।କାରଣ ସେ ଜାଣିଥିଲେ ତାଙ୍କୁ କହିବା ଯାହା ,କାଲ ଆଗରେ ମୂଳା ଚୋବାଇବା ସେଇଆ । ସଦାନନ୍ଦ ବାବୁ ବି କିଛି ଶୁଣିବା ଅବସ୍ଥାରେ ନଥିଲେ ।ଅଧାରୁ paper ପଢ଼ା ଛାଡି ନଣ୍ଡଭଣ୍ଡ ହୋଇ ଧାଇଁଲେ ବାଡି ପଟେ ଥିବା ପିଜୁଳି ଗଛ ପାଖକୁ ।ତାଙ୍କୁ ଲାଗିଲା ପେନ୍ଥା ପେନ୍ଥା ହୋଇ ଫଳିଥିବା ପାଚିଲା ପିଜୁଳି ଗଛଟିରେ ବସିଛି ଏକ ୭/୮ ବର୍ଷର କୁନିଝିଅଟିଏ ।ଯିଏ ପିଜୁଳି ଖାଉଛି ଓ ମିଠା ମିଠା ସ୍ୱରରେ ପଦେ ପଦେ ଗୀତ ଗାଉଛି ।ସଦାନନ୍ଦବାବୁ ତାକୁ ପାଖକୁ ଡାକି ସଙ୍ଗୀତ ପ୍ରତି ଥିବା ଆଗ୍ରହ ଓ ତା'ର ଲୁକାୟିତ ପ୍ରତିଭାକୁ ଚିହ୍ନି ତାକୁ ଶିଖାଇଲେ ସେ ଜାଣିଥିବା ଛାନ୍ଦ, ଚମ୍ପୁ ,ଓଡିଶୀ ପ୍ରଭୃତି ଅନେକ ଗୀତ । ସେ ବି ଧୀରେଧୀରେ ତାର ସୁରିଲ ଗଳାରେ ସେ ସବୁକୁ କଣ୍ଠସ୍ଥ କରିଦେଲା ଓ କିଛି ଦିନ ମଧ୍ୟରେ ତା'ର ସୁନାମ ରଚିଗଲା ଗାଁ ସାରା । ନିତୁର ବାପା ଚାକିରୀ କରୁଥିଲେ କଟକର କିଲଟରୀ ଅଫିସରେ ଓ ମା, ବୁଢ଼ୀମା ସହ ନିତୁ ରହୁଥିଲା ଗାଁରେ , ନିପଟ ମଫସଲରେ ନିତୁ ପାଇଁ କିଛି ସୁଯୋଗ ନ ଥିଲା । ତେଣୁ ମାଟ୍ରିକ ପାଶ୍ ପରେ ନିତୁର ଭବିଷ୍ୟତ ପାଇଁ ତା'ର ପରିବାର କୁ ଅନେକ ବୁଝାଇ କଟକରେ ରହିବାକୁ ବାଧ୍ୟ କଲେ ସଦାନନ୍ଦ ବାବୁ ।ସଂଗୀତ ସାଧନା ଜାରି ରଖିବାକୁ ନିତୁକୁ ତାଗିଦ ମଧ୍ୟ କଲେ ।ତାଙ୍କର ଉଦ୍ଦେଶ୍ୟ ଥିଲା ବଣମଲ୍ଲୀଟି ବଣରେ ଫୁଟି ମଉଳି ନ ଯାଉ ।  ନିତୁର ଅତିପ୍ରିୟ ପିଜୁଳି ଗଣ୍ଡାଏ ତୋଳି ତାକୁ ତାଙ୍କ ଚିରା ଚରିତ ଅଖା ବ୍ୟାଗରେ ପୁରାଇ ସିଧା ମୁଁହାଇଲେ ପୋଖରୀ ଆଡ଼କୁ ।ତାଙ୍କ ଗୋଡ ଆଜି ତଳେ ଲାଗୁନି।ଗାଁ ରେ ଯାହାକୁ ଦେଖୁଛନ୍ତି ,ନିତୁ କଥା ବଖାଣୁଛନ୍ତି ତା ଆଗରେ ।ସତେ ଯେମିତି ପୁରସ୍କାର ଟା ନିତୁ ପାଉନି ଯେ ବରଂ ପାଉଛନ୍ତି ସେ ନିଜେ ! ବାସ୍ତବରେ ଅସୀମ ଧୈର୍ଯ୍ୟ ଓ ନିଷ୍ଠାର ସହିତ ନିଜ ହାତରେ ଗଢ଼ା ହୋଇଥିବା ମାଟି ପିଣ୍ଡୁଳାଟି ଯଦି ଜୀବନ୍ୟାସ ପାଏ,ତେବେ ସେଥିରେ ଥାଏ ସ୍ରଷ୍ଟା ର କୋଟିଏ ଗୁଣର ସଫଳତା ,ଅଫୁରନ୍ତ ଆନନ୍ଦ ।ଯାହା ପରିପ୍ରକାଶ ହୁଏନି ପୋଥିରେ କି ପାରିଶ୍ରମିକରେ। ତରବର ହୋଇ ଲୁହା ବାକ୍ସ ଭିତରେ ଲୋଚlକୋଚା ହୋଇ ରହିଥିବା ଧୋତି ପଞ୍ଜାବୀ ହଳେ ବାହାର କଲେ ।ଏତେ ଲୋକଙ୍କ ଭିତରେ ତାକୁ ପିନ୍ଧି ଯିବାକୁ କୁଣ୍ଠାବୋଧ ହେଉଥିଲେ ମଧ୍ୟ କିଏ ବା ଅଛି ଇସ୍ତ୍ରୀ କରିଦେବାକୁ ?ଆଜିର ଏ ସ୍ୱାର୍ଥପର ଦୁନିଆଁରେ ତ ସବୁ ରହିଲେ ଦୂରରେ । ସୁଷମା ଦେବୀ ତାଙ୍କ ଭାବନାକୁ ବୁଝିପାରି କହି ଉଠିଲେ ,"ତମେ ନ ଗଲେ କଣ ଚଳନ୍ତାନି ? ତାର ତ ଏଠୁ ଗଲା ଦିନୁ କିଛି ଖବର ନାହିଁ କି ଫୋନ ନାହିଁ !ହୁଁ, ଯୋଉ ନିଶୁଣୀରେ ଚଢି ଆଜି ଏତେ ଉପରେ ପହଞ୍ଚିଲା, ସେଇ ନିଶୁଣି କୁ ପୁଣି ଠୋକର ମାରିଦେଲା !ଭୁଲି ଯାଇ ପାରିଲା ସେ ପଛକଥା ସବୁ ।" ସଦାନନ୍ଦ ବାବୁ କଥା ଛଡେଇ କହିଲେ "ତମେ କଣ ଭାବୁଛ ଆମ ନିତୁ ଆଉ ସେମିତି ଛୋଟ ପିଲା ହୋଇ ରହିଥିବ ବୋଲି !ସହରରେ ତାର ପାଠପଢା ,ଗୀତ ସହିତ ସାଙ୍ଗସାଥି ଆଉ କେତେ ଦାୟିତ୍ୱ ତମେ ବା ସେଥିରୁ କଣ ବୁଝିବ ?ସେ ଖାଇବାକୁ ଭଲା ଟିକେ ସମୟ ପାଉଥିବ !ହେଲେ ଦେଖିବ ,ମୋତେ ଦେଖିଲେ ସେ କେତେ ଖୁସି ହୋଇଯିବ ! ଆଛା ନିତୁ ଯଦି ଆଜି ତମ ଝିଅ ହୋଇଥାନ୍ତା ,ତାହେଲେ କଣ ତା ଉପରେ ଏମିତି ଅଭିମାନ କରି ମୋତେ ବାରଣ କରିଥାନ୍ତ ଯିବାକୁ !!" ସୁଷମା ଦେବୀ ସଲଜ ଙ୍କ ପରି କୌଣସି ଉତ୍ତର ନ ଦେଇ ବାଟକୁ ପାଣି ବୋତଲ,ଛତା ଆଉ ଚାରି ଛଅ ଖଣ୍ଡ ପାନ ବଟୁଆରେ ପୁରାଇ ବିଦା କଲେ ତାଙ୍କୁ ।     ଗାଁ ପାଖରେ ରିକ୍ସା ଖଣ୍ଡେ ବି ମିଳେନି କୁଆଡେ ଯିବାକୁ ।ଚାଲି ଚାଲି 2 km ବାଟ ବସ ଷ୍ଟାଣ୍ଡ ପାଖକୁ ଯିବାକୁ ପଡେ ।ତେଣୁ ସଦାନନ୍ଦ ବାବୁ କାଳ ବିଳମ୍ବ ନ କରି ପାଟିରେ ପାନ ଖଣ୍ଡିଏ ପୁରେଇ ନିଶ୍ୱାସ ପ୍ରଶ୍ବାସ ବାରି ମାଡି ଚାଲିଲେ ଆଗକୁ ଏକ ମୁହଁl ହୋଇ ।ସୁଷମା ଦେବୀ ଥୋକାଏ ବାଟ ବାଟେଇ ଦେବାକୁ ଆସି ଫେରି ଆସିଲେ ଘରକୁ ।  ସଞ୍ଜ ରତରତ ।ସଦାନନ୍ଦ ବାବୁ ଡେରି ହୋଇଯିବ ଭାବି ସିଧା ପହଁଚିଲେ ତାଙ୍କ ଗନ୍ତବ୍ୟ ସ୍ଥଳରେ ।ସେତେବେଳକୁ କାର୍ଯ୍ୟକ୍ରମ ଆରମ୍ଭ ହୋଇ ନଥାଏ ।କିଛି ଲୋକ ଆସି ନିଜ ନିଜ ଆସନ ଅଳଙ୍କୃତ କରି ଦେଇ ଥାଆନ୍ତି ।ହାତରେ ଝୁଲା ଛତା ,କାନ୍ଧରେ ନାଲି ଗାମୁଛା ପରିଧାନ ଜରିଥିବା ଆଗନ୍ତୁକଙ୍କୁ ଦେଖି ଉପସ୍ଥିତ ଦର୍ଶକ ଚାଂହୁ ଥାନ୍ତି ବଲବଲ କରି ।ହେଲେ ତାଙ୍କର ସେଥି ପ୍ରତି ନିଘା ନ ଥାଏ ।ସିଧା ଯାଇ ସେ ଆଗଧାଡ଼ିରେ ବସିବାକୁ ଉଦ୍ୟତ ହୁଅନ୍ତେ "ତାହା ବିଶିଷ୍ଠ ଅତିଥିଙ୍କ ପାଇଁ ଉଦ୍ଦିଷ୍ଟ " କହି ଘଉଡ଼ାଇ ଦେଲେ ତାଙ୍କୁ । ସେମାନଙ୍କୁ କଟମଟ ଚାହାଣୀରେ ଅନେଇ ତୃତୀୟ ଧାଡିରେ ଥିବା ଚଉକିରେ ଯାଇ ବସି ପଡ଼ିଲେ ।ଶଃ, ଆମ ଗାଁ ହୋଇଥିଲେ ସଦା ମାଷ୍ଟ୍ର ବୋଲି କେତେ ଆଦର ଅଭ୍ୟର୍ଥନା କରିଥାଅନ୍ତ୍ତ୍ୱେ !ଗୁରୁ ପରା ସାକ୍ଷାତ ବ୍ରହ୍ମା ,ବିଷ୍ଣୁ ଓ ମହେଶ୍ବର !! ଏମାନେ ସବୁ କଣ ତାଙ୍କଠୁଁ ବଡ଼ ? ଅନ୍ତର ଭିତରୁ ଉତୁରି ଆସୁଥିବା କ୍ରୋଧକୁ ଚାପି ଚୁପଚାପ ବସି ରହିଲେ ସଦାନନ୍ଦ ବାବୁ । ଇତି ମଧ୍ୟରେ ଆରମ୍ଭ ହୋଇ ଯାଇଥାଏ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ।ହିନ୍ଦୀ ସିନେମା ପରି ପୁଅଝିଅଙ୍କର ଉଦ୍ଧତ ନାଚ ସାଙ୍ଗକୁ ସେମାନଙ୍କ ଅଙ୍ଗଭଙ୍ଗୀ ତାଙ୍କୁ ଅସହ୍ୟ ଲାଗୁଥିଲେ ମଧ୍ୟ ଅପେକ୍ଷା କରି ରହିଥିଲେ ସେଇ ପ୍ରତୀକ୍ଷିତ ମୂହୁର୍ତ୍ତ ,ତାଙ୍କ ଗାଁ ର ଲଳନା ତଥା ମଉଡ଼ମଣି ନିତୁ ର ଆସିବା ସମୟକୁ । ଜଣକ ପରେ ଜଣେ ପୁରସ୍କାର ନେଇ ଗଲାପରେ ପାଳି ପଡିଲା ନିତୁର ।ସମବେତ ଦର୍ଶକଙ୍କ କରତାଳିରେ ସେ ସ୍ଥାନ ହୋଇ ଉଠିଲା ପ୍ରକମ୍ପିତ ।ଏତେ କମ ବୟସରେ ଏପରି ଏକ ପୁରସ୍କାର ପାଇବା କଣ କମ ଗୌରବର ବିଷୟ ନୁହେଁ କି ?ସଦାନନ୍ଦ ବାବୁଙ୍କ ମନ କୁଣ୍ଢେମୋଟ ହୋଇଗଲା । ହେଲେ ଯେତେବେଳେ ନିତୁ ଓରଫ ନନ୍ଦିତା ଦାସ ମଞ୍ଚ ଉପରକୁ ଉଠି ଆସିଲେ ,ସେତେବେଳେ ତାଙ୍କ ଖୁସି ଦ୍ଵି ଗୁଣିତ ହେବା ପରିବର୍ତ୍ତେ ପାଣିଫୋଟକା ପରି ଉଭେଇ ଗଲା ଅଚାନକ ।କାଲି ର ସେଇ ନିରୀହl, ସରଳl ଓ ସଂସ୍କାରୀ ଝିଅଟି ସମୟ ସହିତ ତାଳ ଦେଇ ଉଗ୍ର ଆଧୁନିକାର ପରିଚୟ ଦେଉଥିଲା ତାର ବେଶ ପରିପାଟୀ ରେ ! ପ୍ରେରଣା ସ୍ବରୂପ ନିତୁର ସଂଗୀତ ଗୁରୁଙ୍କୁ ମଧ୍ୟ ଅନୁରୂପ ସମ୍ବର୍ଦ୍ଧନା ଜ୍ଞ୍ୟାପନ କରାଗଲା ମଞ୍ଚ ଉପରେ।ଛଳଛଳ ହୋଇ ଆସିଲା ସଦାନନ୍ଦ ବାବୁଙ୍କ ଆଖି ।ବାସ୍ତବିକ ମୂର୍ଖ ମାନେହିଁ ଅତୀତ କୁ ଜାବୁଡି ଧରନ୍ତି ।ହେଲେ ବର୍ତ୍ତମାନ କୁ ନେଇ ବଞ୍ଚିବା ତ ହେଉଛି ବୁଦ୍ଧିମାନର କାର୍ଯ୍ୟ ।ଏକଥା ମର୍ମେମର୍ମେ ଅନୁଭବ କରୁଥିଲେ ସେ। ପୁରସ୍କାର ଗ୍ରହଣ କରି ନିତୁ ଆଗ ଧାଡିରେ ବସିଥିବା ବିଶିଷ୍ଟ ଅତିଥିଙ୍କ ଆଶୀର୍ବାଦ ଭିକ୍ଷା ପାଇଁ ଓହ୍ଲେଇ ଆସିଲା ତଳକୁ ।କାଳେ ଜାଣି ନ ପାରିବ ନିତୁ ବୋଲି ଡାକି ଦେଇ ସିଟ ଛାଡି ଠିଆ ହୋଇ ପଡିଲେ ସଦାନନ୍ଦ ବାବୁ ।ହେଲେ ଦେଖି ନ ଦେଖିଲା ପରି ନିତୁ ଚାଲି ଯାଉଥିଲା ଆଗକୁ ଆଗକୁ । ପ୍ରକୃତିସ୍ଥ ହୋଇ ସେ ନିଜକୁ ଚାହିଁଲେ କିଛି ସମୟ ପାଇଁ ।ଏ ମଳିମୁଣ୍ଡିଆ ,ଧୂଳି ଧୁସରିଆ ମଫସଲିଆ ଗୁରୁଙ୍କ ପାଦସ୍ପର୍ଶ କରିଦେଲେ ତାର ଅମର୍ଯ୍ୟାଦା ହେବନି !ମନକୁ ବୁଝାଇ ଦେଲେ । ଆଖିରେ ଆଖିଏ ଲୁହ ଓ ଛାତିରେ ଛାତିଏ କୋହ ନେଇ ବାଟ ଚାଲୁ ଥାଆନ୍ତି ସଦାନନ୍ଦ ବାବୁ ।ସେତେବେଳକୁ ରାତି 10ଟା ବାଜିଲାଣି।ଥଣ୍ଡା ବି ପୁରା ଛାଡିନାହିଁ ।କିଏ କଣ ଜାଣିଥିଲା ତାଙ୍କୁ ଏମିତି ଲକ୍ଷ୍ୟହୀନ ଭାବରେ ବାଟ ଚାଲିବାକୁ ପଡ଼ିବ ବୋଲି !ଦୁର୍ଯୋଗ ଯେବେ ଆସେ ,ସେତେବେଳେ ତାର ସାଙ୍ଗସାଥି ଭାଈ କୁଟୁମ୍ବଙ୍କୁ ଧରି ଆସେ ।ନହେଲେ ଏତିକିବେଳକୁ କାହିଁକି ହରିଭାଇ ତୀର୍ଥ କରିବାକୁ ଯାଇଥାନ୍ତେ ନା ତାଙ୍କ ଘର ତାଲା ପଡ଼ିଥାନ୍ତା ଭୋକରେ ବି ପେଟ ଆଉଟୁ ପାଉଟୁ ହେଲାଣି ।ଏ ନିଶାରେ ସଞ୍ଜବେଳେ ଚା କପଟିଏ ବି ପିଇବାକୁ ଭୁଲି ଯାଇଛନ୍ତି ସେ ।ଭାରାକ୍ରାନ୍ତ ମନ ଓ ଅବଶ ଶରୀରରେ ଟଳମଳ ହେଉଛି ପାଦ ଦୁଇଟି । ମନେ ପଡିଲା ସୁଷମା ଦେବୀଙ୍କ କଥା ।କେତେ ନେହୁରା ହେଇ ମନା କରୁଥିଲେ ଆସିବାକୁ ।ସର୍ବଦା କହୁଥିଲେ," ସବୁ କରିବ ,ହେଲେ ଏ ସ୍ୱାର୍ଥପର ଦି ଗୋଡ଼ିଆ ମଣିଷ କେବେ ବି ତିଆରି କରିବ ନାହିଁ ।" ମାଇପି ବୁଦ୍ଧି କହି ସବୁବେଳେ ହସରେ ଉଡେଇ ଦେଇଛନ୍ତି ସେ । ଗାମୁଛା ରେ ଆଖିରୁ ଲୁହ ପୋଛି ମନକୁ ସାନ୍ତ୍ବନା ଦେଲେ ସଦାନନ୍ଦ ବାବୁ ।ନିତୁର ଅବା ଦୋଷ କଣ ?ଦୋଷ ତ ଏଇ ନିଷ୍ଠୁର ସମୟର ,ସ୍ୱାର୍ଥପର ସମାଜର ! ଯେଉଁଠି ଥାଏ ଅର୍ଥ ଓ ସ୍ବାର୍ଥ ,ସେଇଠି ତ ସବୁ ସମ୍ପର୍କ ଜଡିତ ! ମନ ତାଙ୍କର ଲଗାମଛଡ଼ା ହୋଇ ଚାଲୁଥିବା ବେଳେ କୁହୁଡ଼ିଆ ପାଗ ପାଇଁ ହେଉ କି ବେପରୁଆ ଭାବେ ଚାଲୁଥିବା ଗାଡିଟି ତାଙ୍କୁ ପଛରୁ ଆସି ଧକ୍କା ଦେଇଥିଲା ଅଚାନକ ।ରକ୍ତ ଜୁଡୁବୁଡୁ ହୋଇ ସେ ଛିଟିକି ପଡିଲେ କିଛି ଦୂରକୁ । ଗାଡି ଭିତରୁ ନିତୁ ଓ ତାର ବନ୍ଧୁ ବାହାରି ତାଙ୍କୁ ଡାକ୍ତରଖାନା ନେବାକୁ ଉଦ୍ୟତ ହୁଅନ୍ତେ ସଦାନନ୍ଦ ବାବୁ ନିତୁର ମୁଁଣ୍ଡକୁ ଟିକେ ସାଉଁଳେଇ ଦେଇ ଟଳି ପଡିଲେ ରାସ୍ତା ଉପରେ ।ପାଖ ଗଛ କୋରଡରେ ବସିଥିବା ପେଚା ଟି ଅହରହ ରାବି ଚାଲିଥିଲା ।ଆଉ ବାଡିରୁ ତୋଳା ହୋଇ ଆସିଥିବା ପିଜୁଳି ଗୁଡ଼ିକ ଏଣେତେଣେ ହୋଇ ଗଡୁଥିଲା ବିଚ ରାସ୍ତାରେ ।


Rate this content
Log in

Similar oriya story from Tragedy