STORYMIRROR

Ajayakumar Mohanty

Romance

3  

Ajayakumar Mohanty

Romance

ଟୋପାଏ ସିନ୍ଦୂର

ଟୋପାଏ ସିନ୍ଦୂର

5 mins
164


ନିଜ ବାଡ଼ିରେ ଥିବା ବଉଳ ଗଛ ମୂଳରେ ହୋଇଥିବା ସିମେଣ୍ଟ ଚାନ୍ଦିନି ଉପରେ ବସିଥାନ୍ତି ମାନସୀ ପଟ୍ଟନାୟକ । ଫିକା ଫିକା ଜହ୍ନ ଛାଇରେ ମିଠା ପରିବେଶ ଆଲିଙ୍ଗନ ଭିତରେ ସେ ଭୁଲି ଯିବାକୁ ଚେଷ୍ଟା କରୁଛନ୍ତି ଅତୀତର ସମସ୍ତ ସ୍ମୃତି । ମନ ଭିତରେ ଗୋଟିଏ ପ୍ରଚ୍ଛନ୍ନ ନୀରବତାକୁ ଖୋଜି ଚାଲିଥାନ୍ତି । ଫିଙ୍ଗି ଦେବାକୁ ଚାହାନ୍ତି ସେ ଅତୀତର କଥା ସବୁ ଦୂରକୁ ବହୁ ଦୂରକୁ । କିନ୍ତୁ ନା ମନରେ ରାଗ ଆସୁଥାଏ ଯେତେ ଚେଷ୍ଟା କଲେ ମଧ୍ୟ ସେ ଅତୀତଟାକୁ ଭୁଲି ପାରୁନଥିଲେ । ବାରମ୍ବାର ପିଲା ବେଳରୁ ଏ ପର୍ଯ୍ୟନ୍ତ ସବୁ ଘଟଣା ଗୁଡ଼ିକ ଆଖି ଆଗରେ ନାଚି ଯାଉଥିଲା । 

    ତାଙ୍କ ଘରକୁ ପ୍ରାୟ କୋଡ଼ିଏ ହାତ ଦୂର ଅବିନାଶଙ୍କ ଘର ଘରକୁ ଘର ଲାଗିଛି କହିଲେ ଚଳେ । ଅବିନାଶ ଭାଇ ତାଠାରୁ ଦୁଇଟି ଶ୍ରେଣୀ ଅଧିକ ପଢୁଥିଲେ । ତେଣୁ ସେମାନେ ପ୍ରାଥମିକ ବିଦ୍ୟାଳୟ ଠାରୁ ହାଇ ସ୍କୁଲ ପର୍ଯ୍ୟନ୍ତ ସାଙ୍ଗ ହୋଇ ସ୍କୁଲ ଯାଉଥିଲେ । ଉଭୟଙ୍କ ମଧ୍ୟରେ ବହୁତ ବନ୍ଧୁତା ଥିଲା । ଏକ ପ୍ରକାର ଇଣ୍ଟିମେଣ୍ଟ ଫ୍ରେଣ୍ଡ୍ । ସେମାନଙ୍କ ଭିତରେ ପୁଅ ଝିଅ ବାଛ ବିଚାର ମଧ୍ୟ ନଥାଏ । 

ଅବିନାଶର ପୁଅ ପିଲାସାଙ୍ଗ ବେଶି ନଥାନ୍ତି । କେତେ ବେଳେ କେମିତି ସେମାନଙ୍କ ସାଙ୍ଗରେ ସାଙ୍ଗ ହୁଏ । କିନ୍ତୁ ମାନସୀ ସାଙ୍ଗରେ ତା'ର ସବୁବେଳେ ସାଙ୍ଗ । ସାଙ୍ଗ ହୋଇ ସ୍କୁଲକୁ ତ ଯାଆନ୍ତି, ତାଛଡ଼ା ଅନ୍ୟ ବେଳେ ମଧ୍ୟ ସାଙ୍ଗ ହୋଇ ଖେଳନ୍ତି । ଏମିତିକି ମାଡ଼ ଗୋଳ ଲାଗି କୁଣ୍ଢାକୁଣ୍ଢି ହୋଇ ଭୂଇଁରେ ଗଡାପଡା ହୁଅନ୍ତି । 

ସାଙ୍ଗ ହୋଇ ବିଲକୁ ଯାଆନ୍ତି ବିଲରୁ ବିରି ଛୁଇଁ,ମଟର ଛୁଇଁ,ଖେସାରି ଛୁଇଁ ଓ କଣ୍ଟି କୋଳି ତୋଳି ଖାଆନ୍ତି । କିଆ ବୁଦା ଭିତରେ ଥିବା ପିଜୁଳି ଗଛରୁ ପିଜୁଳି ଓ ଜାମୁକୋଳି ଗଛରୁ ଜାମୁକୋଳି ତୋଳନ୍ତି । ଖରାଦିନେ ଲୁଚିଛପି ଯାଇ ଆମ୍ବତୋଟାରୁ ଆମ୍ବ ପାରନ୍ତି । ସବୁ ଗୋଟି ଗୋଟି ମନେ ପଡ଼ି ଯାଉଛି । 

ଅବିନାଶ ମେଟ୍ରିକ୍ ପାସ୍ କଲା ପର୍ଯ୍ୟନ୍ତ ତାଙ୍କ ଭିତରେ ଥିବା ପୁଅ ଝିଅ ସମ୍ପର୍କ ଜାଣି ନଥିଲା । ବେଳେ ବେଳେ ମାନସୀକୁ ଛାତିରେ ଚାପି ଧରି ଗେଲ କରୁଥିଲା ତାର ଗାଲ ଓ ଓଠକୁ କାମୁଡ଼ି ପକାଉଥିଲା । କିନ୍ତୁ ମାନସୀକୁ ସବୁ ଅଡ଼ୁଆ ଲାଗୁଥିଲେ ବି ସେ ପ୍ରତିବାଦ କରୁ ନଥିଲା । କାରଣ ମନେ ମନେ ସେ ଅବିନାଶକୁ ଭଲ ପାଇ ବସିଥିଲା । ହେଲେ ଅବିନାଶର ଭଲ ପାଇବା ବିଷୟରେ ଧାରଣା ନଥିଲା । 

   ଅବିନାଶର ବାପା ଥିଲେ ଜଣେ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ । ବାପାଙ୍କ ସଂସ୍କାର ଅନୁସାରେ ଅବିନାଶ ଖୁବ୍ ଭଲ ପଢ଼ୁଥିଲା । ମାନସୀର ବାପା ଜଣେ କ୍ଷୁଦ୍ର ବ୍ୟବସାୟୀ । ଉଭୟ ପରିବାର ମଧ୍ୟରେ କ୍ଷୀର ନୀର ସମ୍ପର୍କ ଥିଲା । ମାନସୀ ମଧ୍ୟ ଖୁବ୍ ଭଲ ପଢ଼ୁଥିଲା । ଇତି ମଧ୍ୟରେ ଅବିନାଶର ମେଟ୍ରିକ୍ ପରୀକ୍ଷା ଫଳ ବାହାରିଲା । କୃତିତ୍ଵର ସହ ଅବିନାଶ ମେଟ୍ରିକ୍ ପାସ୍ କରିଥିଲା । ବାପାଙ୍କ ଇଚ୍ଛାକୁ ସଫଳ କରିବା ପାଇଁ ସେ ସେ ବିଜ୍ଞାନ ଛାତ୍ର ଭାବରେ ରେଭେନ୍ସା ମହାବିଦ୍ୟାଳୟରେ ଯୋଗ ଦେଲା । ଏଇଠୁ ଆରମ୍ଭ ହେଲା ମାନସୀ ଓ ଅବିନାଶ ମଧ୍ୟରେ ଦୂରତା । ଅବଶ୍ୟ ଅବିନାଶ ମଝିରେ ମଝିରେ ସମସ୍ତଙ୍କ କଥା ବୁଝିବା ପାଇଁ ମାନସୀ ପାଖକୁ ଚିଠି ଦେଉଥିଲା । ଅବିନାଶ ଥିଲା ବାପା ମା ଙ୍କର ଗୋଟିଏ ବୋଲି ପୁଅ । ତାର କୃତିତ୍ୱରେ ତାଙ୍କ ଘରେ ଖୁବ୍ ଖୁସି ଥିଲେ । ଏହାପରେ ମାନସୀ ମଧ୍ୟ କୃତିତ୍ୱ ସହକାରେ ମେଟ୍ରିକ୍ ପାସ୍ କଲା । ମାନସୀ ବାପାଙ୍କର ଦୁଇଟି ଝିଅ । ତେଣୁ ବାପା ମାଆଙ୍କୁ ଛାଡ଼ି ସେ ଦୂର କଲେଜକୁ ପାଠ ପଢ଼ିବାକୁ ଯାଇ ପାରି ନ ଥିଲା । ପାଖ କଲେଜରେ ପଢିଲା । 

ଧିରେ ଧିରେ ପରିସ୍ଥିତି ବଦଳିବାକୁ ଲାଗିଲା । ମାନସୀ ବାପାଙ୍କର ବେପାର କ୍ଷତିରେ ଚାଲିବାକୁ ଲାଗିଲା । ବାଧ୍ୟ ହୋଇ ମାନସୀ ଆଇ.ଏସ୍.ସି. ପରେ ସିଟି ଟ୍ରେନିଂ ପଳାଇଲା । ଅବିନାଶ ବାବୁ ମଧ୍ୟ ଚାକିରିରୁ ଅବସର ଗ୍ରହଣ କଲେ । ଅବିନାଶ କଷ୍ଟକରି ବହୁ ପରିଶ୍ରମ କରି ଓଡ଼ିଶାରେ ଆଇ ଏ ଏସ୍ ପରୀକ୍ଷାରେ ପ୍ରଥମ ହେଲା ଏବଂ ସିଧାସଳଖ ଦିଲ୍ଲୀରେ ତାର ପୋଷ୍ଟିଂ ହୋଇଗଲା । ସେହି ଖୁସିରେ ଗାଆଁରେ ଗୋଟାଏ ଉତ୍ସବ ପାଳନ ହେଲା କିନ୍ତୁ ଉତ୍ସବରେ ଯୋଗଦେଇ ପାରିଲାନି ଅବିନାଶ । ମାନସୀ ମଙ୍ଗଳାଙ୍କ ପାଖରେ ଭୋଗ ଲଗାଇ ଗାଆଁ ସାରା ବାଣ୍ଟିଲା । ମାନସୀ ମଧ୍ୟ ସି.ଟି. ପାସ୍ କରି ଗାଆଁ ସ୍କୁଲରେ ଶିକ୍ଷୟିତ୍ରୀ ଚାକିରୀ ପାଇଗଲା । ଏହାର ଠିକ୍ ଦୁଇ ବର୍ଷ ପରେ ଅବିନାଶର ଚିଠି ଆସିଲା ଲେଖିଥିଲା, ମାନସୀ, ମୁଁ ଏଠାରେ ମୋ ଅଫିସରେ କାମ କରୁଥିବା ଗୋଟିଏ ଝିଅକୁ ଖୁବ୍ ଭଲ ପାଉଛି । ସେ ଭିନ୍ନ ରାଜ୍ୟର ଝିଅ । କିନ୍ତୁ ମୁଁ ତାକୁ ବିବାହ କରିବାକୁ ଚାହେଁ । ହେଲେ ବାପାଙ୍କୁ ଏକଥା କେମିତି କହିବି କିଛି ବୁଝି ପାରୁନି, ତୁ ମୋତେ ସାହାଯ୍ୟ କର । ‘ମାନସୀ ମୁଣ୍ଡରେ ବଜ୍ର ପଡ଼ିଲା ପରି ଜଣା ପଡ଼ିଲା । ଯାହାକୁ ସେ ମନ,ପ୍ରାଣ ହୃଦୟ ଦେଇ ଭଲ ପାଉଥିଲା । ସେ ଅନ୍ୟ କାହାର ହୋଇଗଲା ଏକଥା ସେ ଜମା ସହ୍ୟ କରି ପାରିଲାନି । 

ଛାତି ଭିତରୁ କୋହ ଉପରେ କୋହ ଉଠେଇ ଆସିଲା । କିନ୍ତୁ ସେ ଦୋଷ ଦେବ କାହାକୁ ସେ ଅବିନାଶକୁ ଭଲ ପାଏ ବୋଲି ମନ ଖୋଲି ତାକୁ ଖୋଲି କହିପାରିନି । ଅପେକ୍ଷା କରିଥିଲା ହୁଏତ ସେହି କଥା ଦିନେ ଅବିନାଶ ତାକୁ କହିବ । କିନ୍ତୁ ଆଶା ସବୁ ଆଶାରେ ରହିଗଲା । ତା ବିଶ୍ଵାସର ବାଲିବନ୍ଧ ଭାଙ୍ଗି ଗଲା । ଛାତି ଭିତରୁ ଉଠୁଥିବା କୋହକୁ ସେ ଛାତି ଭିତରେ ଚାପି ଧରିଲା । ଅବିନାଶକୁ ଚିଠି ଲେଖିଲି ତୁ ସେ ଝିଅକୁ ଧରି ଆସେ ସବୁ ଠିକ୍ ହୋଇ ଯିବ । 

ପ୍ରାୟ ପନ୍ଦର ଦିନ ପରେ ସୁଲଗ୍ନାକୁ ନେଇ ଅବିନାଶ ସିଧାସଳଖ ମାନସୀ ଘରେ ପହଞ୍ଚିଲା । ହୃଦୟର ସମସ୍ତ ଦୁଃଖକୁ ଚାପି ରଖି ମାନସୀ ସେ ଦୁହିଁଙ୍କୁ ନେଇ ମଙ୍ଗଳା ମନ୍ଦିରକୁ ଗଲା । ସେହି ମଙ୍ଗଳାଙ୍କ ଫୁଲ ହାର ଦୁହେଁ ଦୁହିଁଙ୍କ ବେକରେ ଗଳାଇ ଦେଲେ । ମଙ୍ଗଳାଙ୍କ ସିନ୍ଦୂର ଟିକିଏ ଆଙ୍ଗୁଠିରେ ଆଣି ଅବିନାଶ ଆଙ୍ଗୁଠିରେ ଦେଲା । ଏତିକି ବେଳେ ମାନସୀ ଆଙ୍ଗୁଳି ଅବିନାଶ ଆଙ୍ଗୁଳିକୁ ଛୁଇଁ ଗଲା । ମାନସୀ ଦେହରେ ହଠାତ୍ ଏକ ଅଦ୍ଭୁତ ଶୀହରଣ ଖେଳିଗଲା । 

ଅବିନାଶ ସୁଲଗ୍ନା ମଥାରେ ସିନ୍ଦୂର ଲଗେଇ ଦେଲା । ମାନସୀ ସେ ଦୁହିଁଙ୍କୁ କହିଲା, ଚାଲ । ମୁଁ ଟିକେ ମଙ୍ଗଳାଙ୍କୁ ଜୁହାର ହୋଇ ଯାଉଛି । ସେମାନେ ମଙ୍ଗଳାଙ୍କ ମଣ୍ଡପରୁ ତଳକୁ ଓହ୍ଲେଇ ଯିବାରୁ ଲୁହ ଛଳଛଳ ଆଖିରେ ମଙ୍ଗଳାଙ୍କୁ ସାକ୍ଷୀ ରଖି ସେହି ସିନ୍ଦୂର ବୋଳା ହାତକୁ ନିଜ ମୁଣ୍ଡରେ ବୋଳିଦେଲା । ସାଙ୍ଗ ହୋଇ ଅବିନାଶ ଘରେ ସମସ୍ତେ ପହଞ୍ଚିଲେ । ସବୁ କଥା ମାନସୀ ତା ବାପା ମାଆଙ୍କୁ ସବୁ ବୁଝାଇଲା । ଅବିନାଶର ବାପା ଗମ୍ଭୀର ହୋଇଗଲେ । ହେଲେ ଦ୍ୱିଧାରେ ପଡ଼ି ସ୍ୱୀକାର କରିବାକୁ ବାଧ୍ୟ ହେଲେ । ଯେତେ ହେଲେ ଗୋଟିଏ ବୋଲି ପୁଅ । ବୈଦିକ ରୀତିରେ ପୁନଶ୍ଚ ବାହାଘର ହେଲା । ଅଷ୍ଟମଙ୍ଗୁଳା ପରେ ପରେ ସେମାନେ ସେମାନଙ୍କ କର୍ମକ୍ଷେତ୍ରକୁ ଫେରିଗଲେ । ସେମାନେ ଗଲେ ଯେ ସେହି ଦିନଠାରୁ ଆଉ ଫେରି ନାହାନ୍ତି । ଅବିନାଶ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଜଣେ ସୁଦକ୍ଷ ସଚିବ । ଏପଟେ ମାନସୀ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ । ଅବିନାଶଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ । ଅବିନାଶଙ୍କ ବାପା ମାଆ ଖୁବ୍ ବୁଢ଼ାବୁଢ଼ୀ ହୋଇ ଗଲେଣି । ଦେଖା ଶୁଣା କରିବାକୁ କେହି ନାହାନ୍ତି । ସ୍ୱେଚ୍ଛାକୃତ ଭାବେ ମାନସୀ ସେସବୁ ଦାୟିତ୍ଵ ନିଜ ଉପରକୁ ନେଇ ଯାଇଛନ୍ତି । ଅବିନାଶ ଫୋନ କରି କୁହନ୍ତି,ଦେଖଛୁ ମାନସୀ, କେମିତି ମୁଁ ଦାୟିତ୍ଵ ବୋଝରେ ବୁଡି ରହିଛି । ବାପାମାଆଙ୍କ କଥା ମୁଁ ବୁଝି ପାରୁନାହିଁ । ତୁ ଟିକିଏ ତାଙ୍କ ଉପରେ ନଜର ରଖିଥିବୁ । ମୋର ଆଉ କିଏ ଅଛି କହିଲୁ । ‘କିନ୍ତୁ ପଦିଏ ବି ପଚାରନ୍ତି ନାହିଁ । ମାନସୀ ତୁ କେମିତି ଅଛୁ । ସେହି ମିଛି ମିଛିକା ଟୋପାଏ ସିନ୍ଦୂର ର ବୋଝ ବୋହି ଚାଲି ଛନ୍ତି ମାନସୀ । ଗତକାଲି ଫୋନ୍ କରିଥିଲେ ଅବିନାଶ । ସେ କରୋନାରେ ଆକ୍ରାନ୍ତ । ସେହି ଚିନ୍ତାରେ ଅବସନ୍ନ ମାନସୀ । ନା କାହାକୁ କହି ପାରୁଛନ୍ତି ନା ସହି ପାରୁଛନ୍ତି । 

    



Rate this content
Log in

Similar oriya story from Romance