ପ୍ରଥମ ଚିଠି
ପ୍ରଥମ ଚିଠି
ଗୋଟିଏ ଅଖ୍ୟାତ ପଲ୍ଲୀରେ ସରୋଜର ଗାଁ। ପଞ୍ଚମ ଶ୍ରେଣୀରେ ପଢ଼େ। ଥରେ ତାଙ୍କ ପଡ଼ୋଶୀ ଘରକୁ ତା ବୟସର ଜଣେ ପିଲା ଆସିଥିଲା। ସେ ମଧ୍ୟ ତାଙ୍କ ଗାଁ ସ୍କୁଲରେ ପଞ୍ଚମ ଶ୍ରେଣୀରେ ପଢ଼ୁଥିଲା। ତା ନାଆଁ ସନ୍ତୋଷ। ଏମିତି ଦୁହେଁ କଥାବାର୍ତ୍ତା ହେଉଁ ହେଉଁ ଉଭୟେ ପରସ୍ପର ଭଲ ସାଙ୍ଗ ପାଲଟିଗଲେ। ଖୁବ୍ ହସ ଖୁସି ଖେଳରେ ଖେଳରେ ଦିନ ଗୁଡ଼ିକ ବିତିବାକୁ ଲାଗିଲା। ହେଲେ କଣ ହେବ ଖରାଦିନ ଛୁଟି ଖୋଲିଗଲା। ସନ୍ତୋଷ ତାଙ୍କ ଗାଁକୁ ଯିବାକୁ ବାହାରିଲା। ସନ୍ତୋଷ ପଳାଇ ଯାଉଥିବାରୁ ସରୋଜ ମନ ଖୁବ୍ ଦୁଃଖ ହେଲା। ହେଲେ ଆଉ ଉପାୟ ବା କଣ ଅଛି? ସରୋଜ ସନ୍ତୋଷଠାରୁ ତା ଠିକଣା ଟିପି ରଖିଲା। ସେତେବେଳେ ଏମିତି ମୋବାଇଲ ଯୁଗ ନଥିଲା। କାହା ପାଖକୁ ଫୋନ୍ କରିବା କାଠିକର ପାଠ ଥିଲା। ଆ ପାଖକୁ ଯା ନହେଲେ ଡାକଘରକୁ ଯିବାକୁ ପଡ଼ୁଥିଲା। ଯୋଗାଯୋଗର ଏକମାତ୍ର ଉପାୟ ଥିଲା ଚିଠି ପତ୍ର ଦିଆ ନିଆ। ତେଣୁ ସରୋଜ ସନ୍ତୋଷ ପାଖକୁ ପୋଷ୍ଟ କାର୍ଡ଼ରେ ନିଜ ଗାଁ କଥା, ନିଜ ଘର କଥା ଓ ସ୍କୁଲ ବିଷୟରେ ଗୋଟିଏ ଚିଠି ଲେଖିଲା,। ତାକୁ ଗାଁ ପାଖ ପୋଷ୍ଟ ଅଫିସ ଡାକ ବାକ୍ସରେ ଗଳାଇ ଦେଲା। ଆଉ ଅପେକ୍ଷା କରି ରହିଲା ସନ୍ତୋଷ କେବେ ଚିଠି ଦେବ। ମନ ଖାଲି ଛକ ପକ ହେଉ ଥାଏ। ବାଟରେ ଡାକବାଲାକୁ ଦେଖି, ମୋର ଚିଠି ଆସିଛି କି ବୋଲି ପଚାରି ଦେଉଥାଏ। ଡାକବାଲା ମନା କରିବାରୁ ତା ମନ ଦୁଃଖ ହେଉଥାଏ କିନ୍ତୁ କ'ଣ ବା କରିବ।
ଏମିତି ଦିନେ ସେ ଘରେ ଥାଏ। ତାଙ୍କ ଦୁଆରେ ସରୋଜର ନାଁ ଧରି ଡାକ ପକାଇଲା। ସରୋଜ ବହୁତ ଖୁସିରେ ଡିଆଁ ମାରି ଡାକବାଲା ପାଖରେ ପହଞ୍ଚି ଗଲା।ଡାକବାଲା ସନ୍ତୋଷର ପୋଷ୍ଟ କାର୍ଡ଼ ଖଣ୍ଡକ ବଢ଼ାଇ ଦେବାରୁ ସେ ଖୁସିରେ ନାଚି ନାଚି ଚିଠି ଧରି ବାରଣ୍ଡାରେ ବସି ପଢ଼ିବାକୁ ଲାଗିଲା। ସନ୍ତୋଷ ମଧ୍ୟ ତାଙ୍କ ଗାଁ କଥା, ଘର କଥା ସ୍କୁଲ କଥା ସବୁ ଲେଖିଥାଏ। ସରୋଜକୁ ଲାଗୁଥାଏ ଯେମିତି ସନ୍ତୋଷର ମୁହଁଟା ସେହି ଚିଠି ଭିତରେ ଦେଖାଯାଉଛି। ତା ଜୀବନରେ ସେହିଟା ତାର ପ୍ରଥମ ଚିଠି। ଏତେ ଖୁସି ତାକୁ ଲାଗୁଥାଏ ଯେ ସେ ଘରେ ସମସ୍ତଙ୍କୁ ସେ ଚିଠି ଦେଖେଇ ପକେଇଲା। କହିଲା, "ଦେଖ ମୋ ସାଙ୍ଗ ସନ୍ତୋଷ ମତେ ଚିଠି ଦେଇଛି "। ତା ସାଙ୍ଗମାନଙ୍କୁ ମଧ୍ୟ ଚିଠିଟା ଦେଖେଇ ପକେଇଲା ତା ମନରେ ଗୋଟିଏ ଗର୍ବ ମଧ୍ୟ ଆସିଲା। ସ୍କୁଲରେ ଆଉ କାହା ପାଖକୁ ଚିଠି ନ ଆସୁଥିବା ବେଳେ ତା ପାଖକୁ ଚିଠିଟିଏ ଆସିଛି ଏ କଣ କମ୍ କଥା।
ସେତେବେଳେ ପ୍ରଥମ ଚିଠିର ବାସ୍ନା ଗୋଟାଏ ଅଲଗା ପ୍ରକାର ଅନୁଭବ ଆଣିଦେଉଥିଲା ତାହା ଏବେ ବୁଝାଇବା ସମ୍ଭବ ନୁହେଁ। ପ୍ରଥମ ଚିଠି କେବଳ ଗୋଟେ ମିଠା ସ୍ମୃତି। ପ୍ରଥମ ପ୍ରେମ ଚିଠି (୨)
ହଁ ସେହି ଅଖ୍ୟାତ ପଲ୍ଲୀ ଅଞ୍ଚଳର ସରୋଜ କଥା କହୁଛି। ହାଇସ୍କୁଲ ପାସ୍ କରି ପାଖ କଲେଜରେ ନାଁ ଲେଖାଇଲା। ନରସିଂହ ଚୌଧୁରୀ ମହାବିଦ୍ୟାଳୟର ନାଁ ଓଡ଼ିଶାରେ ଅଛି। ଆଗରୁ କହିଛି ସରୋଜ ଭଲ ପାଠ ପଢ଼ୁଥିଲା। ତେଣୁ କଲେଜରେ ତାକୁ ବହୁତ ଭଲ ଲାଗୁଥିଲା। ମାତ୍ର ଘରର ଆର୍ଥିକ ପରିସ୍ଥିତି ଭଲ ନ ଥିବାରୁ ସେ ଗୋଖନାର କେନାଲ୍ କଡ଼ରେ କମ୍ ଭଡ଼ାରେ ଏକ ଝୁମ୍ପୁଡ଼ି ଘରେ ରହୁଥିଲା। ତା ସାଙ୍ଗ ସନ୍ତୋଷ ରେଭେନ୍ସା କଲେଜରେ ପଢ଼ିଲା। କିନ୍ତୁ ଉଭୟଙ୍କ ମଧ୍ୟରେ ଚିଠି ଦିଆନିଆ ହୋଇ ଭଲ ସମ୍ପର୍କ ରହିଥାଏ। ସରୋଜ ଇଣ୍ଟରମେଡିଏଟ୍ ବିଜ୍ଞାନ ପଢ଼ୁଥିଲେ ମଧ୍ୟ ଘର ପରିସ୍ଥିତି ଭଲ ନଥିବାରୁ ଟିଉସନ୍ ହୋଇ ପାରୁନଥାଏ। ଓଡ଼ିଆ ମିଡିଅମ୍ ରୁ ଇଂଲିଶ ମିଡିଅମ୍ ପଢ଼ିବା ତା ପାଇଁ କଷ୍ଟ ହେଉଥାଏ। କଣ ବା ଆଉ କରାଯାଇ ପରିସ୍ଥିତି ସହ ଖାପ ଖୁଆଇ ଚଳୁଥିଲା।
ଠିକ୍ ସମୟର କଥା ସେ ପ୍ରଥମ କରି ପ୍ରେମ ତିଠିଟିଏ। ତା ଜୀବନର ପ୍ରଥମ ପ୍ରେମ ଚିଠି ।ତା ମାଉସୀ ଘର ଗାଁର ସେହି ଉଦଣ୍ଡି ଝିଅଠାରୁ ଯାହା ଉପରେ ସେ ପ୍ରଥମେ ପ୍ରଥମେ ଭାରି ଚିଡ଼ୁଥିଲା। ପରେ ଅବଶ୍ୟ ସେମାନେ ପରସ୍ପର ସାଙ୍ଗ ହୋଇ ଯାଇଥିଲେ। ସେ ଝିଅଟିର ନାଁ ଥିଲା ପଙ୍କଜିନୀ। ନାଁ ସହିତ ନାଁ ମେଳ ଖାଉଥିଲା ତେଣୁ ସାଙ୍ଗ ପିଲାମାନେ ତା ନାଁ କୁ ଆ ନାଁ ସାଙ୍ଗରେ ଯୋଡ଼ି ଚିଡ଼ାଉଥିଲେ। ପଙ୍କଜିନୀ ଯେ ଉଦଣ୍ଡି ମୁଁ ଆଗରୁ କହିଛି। ଗଛରେ ଚଢ଼େ ପାଣିରେ ବୁଡ଼େ। ପୁଆ ଝିଅ ସମସ୍ତଙ୍କ ସାଙ୍ଗରେ ସାଙ୍ଗରେ ସାଙ୍ଗ ହୁଏ। ଲାଜ ସରମ ବୋଲି ତାର କିଛି ନଥାଏ। ପୁଅ ପିଲାମାନଙ୍କ ସହ ମାଡ଼ ଗୋଳ କରେ। କେଜାଣି କାହିଁକି ସରୋଜକୁ ସେ ଖୁବ୍ ଭଲ ଲାଗେ, ତେଣୁ ଦୁଇ ଜଣ ଯାକ ଭଲ ସାଙ୍ଗ ହୋଇଗଲେ। ତା ବୋଲି ସେମାନଙ୍କ ଭିତରେ ଯେ ମାଡ଼ଗୋଳ ହୁଏନା ସେକଥା ନୁହଁ। ଉଭୟେ ବେଳେ ବେଳେ ଗଡ଼ା ପଡ଼ା ବି ହୁଅନ୍ତି। କିନ୍ତୁ ପୁଣି ସାଙ୍ଗ ହୋଇଯାନ୍ତି। ଆସ୍ତେ ଆସ୍ତେ ସେମାନଙ୍କ ଭିତରେ ଗୋଟେ ଅଲଗା ପ୍ରକାର ଭାଵ ଆସିଲା। ସେଇଟା ଭଲ ପାଇବା କି ନୁହେଁ ସେମାନେ ପ୍ରଥମେ ଜାଣିପାରି ନ ଥିଲେ। ଆସ୍ତେ ଆସ୍ତେ ସେମାନଙ୍କ ଭିତରେ ମିଳାମିଶା କମି ଯାଉଥିଲା ସିନା ମନେ ମନେ ଦୁହେଁ ଦୁହିଁଙ୍କୁ ଖୁବ୍ ଭଲ ଲାଗୁଥିଲେ। ସେମାନଙ୍କର ବେଳେ ଇଚ୍ଛା ହୁଏ ପୁଣି ସାଙ୍ଗ ହୋଇ ଖେଳିବାକୁ ହେଲେ ଲାଜରେ ଆଉ ସେକଥା ହୋଇପାରେନା। ସେହି ଉଦଣ୍ଡି ଝିଅଠାରୁ ସରୋଜ ପାଇଲା ପ୍ରଥମ ପ୍ରେମ ଚିଠି। ଦୁର୍ଗା ପୂଜା ଛୁଟିରେ ସେ ମାଉସୀ ଘର ଗାଁକୁ ଯାଇଥାଏ। ଦୁହିଁଙ୍କର ଦେଖା ଚାହାଁ ହୁଏ କିନ୍ତୁ କାଳେ କିଏ କଣ ଭାଵିବ ସେଥିପାଇଁ କଥାବାର୍ତ୍ତା ହୋଇ ପାରୁନଥାନ୍ତି। ସେ ଖରାବେଳେ ସରୋଜ ଦୁର୍ଗା ଦେଖିବାକୁ ଯାଉଥାଏ। ଏହି ସମୟରେ ପଙ୍କଜିନୀ ମଧ୍ୟ ଦୁର୍ଗା ଦେଖି ଯିବା ବାହାନାରେ ଘରୁ ବାହାରି ଆସିଲା। ସରୋଜ ପାଖାପାଖି ହୋଇ ଗୋଟିଏ କାଗଜରେ ମୋଡ଼ା ଚିଠିଟିଏ ସରୋଜ ଆଗରେ ପକାଇ ଦେଲା। ସରୋଜ ଚଟ୍ କରି ସେ ଚିଠିଟିକୁ ପକେଟରେ ପୁରାଇ ଦେଲା। ସେଇଟା ତା ଜୀବନର ପ୍ରଥମ ପ୍ରେମ ଚିଠି। ଛାତି ଖାଲି ଧଡ଼ପଡ଼ ହେଉଥାଏ। ଚଞ୍ଚଳ ଚଞ୍ଚଳ ଦୁର୍ଗା ଦର୍ଶନ ସାରି ନଇ କୂଳ ଆଡ଼େ ମୁହାଁଇଲା। ନିରୋଳାରେ ଚିଠି ଖୋଲି ପଢ଼ିବ ବୋଲି। ଗୋଟିଏ ନୂଆ ନୂଆ ରଙ୍ଗ ତା ମନରେ ଲାଗି ଯାଉଥିଲା।
