STORYMIRROR

ayiswarya maharana

Drama Tragedy Inspirational

3  

ayiswarya maharana

Drama Tragedy Inspirational

ତାରା ଭର୍ତ୍ତି ଆକାଶ

ତାରା ଭର୍ତ୍ତି ଆକାଶ

6 mins
151

ସମୟ ରାତି ସାଢ଼େ ଏଗାରଟା। ଇନ୍ସପେକ୍ଟର ଅଭିନବ ମହାନ୍ତିଙ୍କ ପତ୍ନୀ, କରୁଣା ମହାନ୍ତି ଚାହିଁ ରହିଥାନ୍ତି ସେହି ନିସ୍ତବ୍ଧ ତାରା ଭର୍ତ୍ତି ଆକାଶ କୁ।ଆଖି ଦୁଇଟି ଖୋଜି ବୁଲୁଥାଏ ସେହି ଜହ୍ନ ଟିକୁ।ସେହି ଗୋଟିଏ ଜହ୍ନ ବିନା ଏ ବିଶାଳ ଆକାଶ ର ପରିବାର ରେ ଅମାପ ଶୂନ୍ୟତା। ଏଇ ଯେମିତି ଅଭିନବ ଏବଂ କରୁଣା ଙ୍କର କୋଳ ଆକାଶ ରେ ସେ ଶୂନ୍ୟତା ଛାଇ ଯାଇଛି।

                             ଅଭିନବ ଓ କରୁଣା ଦୁହେଁ ଥିଲେ ଗୋଟିଏ କଲେଜର ଗୋଟିଏ ବିଭାଗ ରେ ସହପାଠୀ। ସେମାନଙ୍କ ଅଜାଣତରେ ବନ୍ଧୁତା ଟି ପ୍ରେମର ରୂପ ନେଇସାରିଥିଲା। ୩ ସରିବା ପରେ କରୁଣା p.g. କରିଲା ହେଲେ ଅଭିନବ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଚେଷ୍ଟା କରୁଥିଲା। ଥରେ କୁମାର ପୂର୍ଣ୍ଣିମା ଉତ୍ସବରେ ସନ୍ଧ୍ୟାପୂଜା ସାରି ଛାତ ଉପରେ ଶରତର ହାଲକା ହାଲକା ଶୀତଳ ପରିବେଶରେ ଏକାକୀ ବସିଥିଲା।ଏସମୟ ରେ ଅଭିନବ ର କଲ୍ ଦେଖି କରୁଣା ବହୁତ୍ ଖୁସି ହୋଇଯାଇଥିଲା। ଅଭିନବ ପଚାରିଥିଲା," କ'ଣ ଜହ୍ନ ଦେଖୁଛ" । କରୁଣା ଆଶ୍ଚର୍ଯ୍ୟ ହୋଇ ପଚାରିଦେଲା,"ଆରେ ତମେ କ'ଣ ଏଠି କେଉଁଠି ଅଛକି ? ତୁମେ କେମିତି ଜାଣିଲ ମୁଁ କ'ଣ କରୁଛି ବୋଲି ?" ଅଭିନବ କହିଲା,"ବୋକି, ସାଧାରଣତଃ କାହାକୁ ମନ ଦେଇ ଥିବା ଝିଅ ଟିଏ ଏ ସମୟରେ ସେଇ ଜହ୍ନକୁ ହିଁ ଦେଖୁଥିବ ଆଉ ତା ମନର ମଣିଷ କଥା ହିଁ ଭାବୁଥିବ। ଏବେ ତୁମେ ତୁମ ଜହ୍ନ ଦେଖୁଥାଅ। ବାହାଘର ପରେ ଆମ ଜୀବନ ରେ ବି ଏମିତି ଜହ୍ନ ଟିଏ ଆସିବ। ଏତିକି ଶୁଣି କରୁଣା ଲାଜେଇ ଯାଇ ଫୋନ୍ ରଖିଦେଲା।

                     ସତରେ ଏ ଜହ୍ନ ଟିକୁ ଉପଗ୍ରହ ଭାବେ ଜାଣିଲା ପରେ ମଧ୍ୟ ମଣିଷ ଟି କେତେବେଳେ ତାକୁ ନିଜ ପ୍ରିୟ ମଣିଷ ସହ ତୁଳନା କରିଦିଏ ତ କେତେବେଳେ ପୁଣି ତାକୁ ନିଜ କୁଳଚନ୍ଦ୍ରମା କରେ , ପୁଣି କେତେବେଳେ ତାକୁ ନିଜର ସୁନ୍ଦର ସ୍ୱପ୍ନ ସହ ତୁଳନା କରିଦିଏ। ବୋଧହୁଏ ଜହ୍ନ ପରି ତାକୁ ଦୁଷ୍ପ୍ରାପ୍ୟ ମନେକରି ଏହି ସୁନ୍ଦର ତୁଳନା କରିଦିଏ।

    ବିବାହ ବୟସ ହେଉଥିବାରୁ କରୁଣା ପାଇଁ ବହୁତ ପ୍ରସ୍ତାବ ଆସୁଥାଏ। କରୁଣା ଏସବୁ ଅଭିନବକୁ କହି ବ୍ୟସ୍ତ କରିଦିଏ। ଅଭିନବ କହେ ମୋର ତ ଏବେ କିଛି ରୋଜଗାର ନାହିଁ, କେମିତି ତୁମ ଘରକୁ ଯିବି। ଦିନେ କରୁଣା ଏସବୁ ରେ ବିରକ୍ତ ହୋଇ ତାଙ୍କ ଘରେ ଅଭିନବ ସମ୍ପର୍କରେ ଜଣାଇଦେଲା। ବାପା ଏସବୁ ଶୁଣି ଦୁଃଖ ଓ ଘୃଣା ରେ ତାଠାରୁ ମୁହଁ ଫେରେଇ ନେଲେ।ମା ପ୍ରଥମେ ବୁଝାଉଥିଲେ କିନ୍ତୁ ପରେ ସେ ତା'କୁ କଥା କଥା ରେ ଗାଳି କରିବାରେ ଲାଗିଲେ। ଯେତେବେଳେ ଆପଣାର ଲୋକ ମାନେ ପର ଭଳି ବ୍ୟବହାର କରନ୍ତି ସେତେବେଳେ ମଣିଷ ଟି ପାଖରେ ସବୁ ଥାଇବି ସେ ନିସ୍ଵ ହୋଇଯାଏ, ନିଜର ବିଚାର ଶକ୍ତି ହରାଇଦିଏ। ଘରେ ଏଭଳି ବ୍ୟବହାର ରେ ସେ ଅଣନିଃଶ୍ବାସୀ ହୋଇ ପଡ଼ୁଥିଲା। ସେ ଅଭିନବ ସହ ଶେଷଥର ପାଇଁ କଥା ହୋଇ କିଛି ନିଷ୍ପତ୍ତି ନେବାପାଇଁ ଚାହୁଁ ଥିଲା।

ସେଦିନ ରାତିରେ ଅଭିନବକୁ ଫୋନ୍ କରି ବହୁତ କାନ୍ଦିଥିଲା।

ଅଭିନବ ପଚାରିଥିଲା କ'ଣ ଆଗକୁ ରାସ୍ତା ଯେମିତି ଥିବ, ତୁମେ ମୋ ସହ ଚାଲିପାରିବ? କରୁଣା ର ସଂକ୍ଷିପ୍ତ ଉତ୍ତର ଟିଏ ଥିଲା ,"ହଁ"।ତା ପରଦିନ ୟୁନିଭରସିଟିରେ କିଛି କାମ ଅଛି କହି ସବୁଦିନ ପାଇଁ ଅଭିନବ ସହ ଘରଛାଡ଼ି ଆସିଥିଲା ଅଭିନବ ଘରକୁ।

      ଅଭିନବ ଘରେ ଅଭିନବକୁ ତ ଗ୍ରହଣ କରିନେଲେ କିନ୍ତୁ କରୁଣା କୁ ସେମିତି ଗ୍ରହଣ କରିପାରିଲେନି। ପରିବାର ସଦସ୍ୟଙ୍କୁ ଯେତେ ସେବା ଯତ୍ନ କରିଲେ ମଧ୍ୟ ସେମାନେ ତାକୁ ଆପଣେଇ ପାରିନଥିଲେ। ବରଂ ଆଯଥା ରେ ବହୁତ୍ ଗାଳି ଦେଉଥିଲେ। ଏଭଳି ପରିସ୍ଥତିରେ ସେ ନିଜକୁ ଖୁବ୍ ଏକା ମନେକରୁଥିଲା। ଅତି ଗେହ୍ଲା ରେ ବଢ଼ିଥିବା ଝିଅ ପାଇଁ ଏହା ଖୁବ୍ ଯନ୍ତ୍ରଣା ଦାୟକ ଥିଲା। ତାର ତା ବାପାମାଆ ଙ୍କ କଥା ବହୁତ ମନେପଡୁଥିଲା। ଏସବୁ ଭିତରେ ଗୋଟିଏ ସୁଖ ଥିଲା ଅଭିନବ। ତାର ଟିକିଏ ମିଠା କଥାରେ କରୁଣା ତା'ର ସବୁ ଦୁଃଖ ଭୁଲିଯାଉଥିଲା। କିନ୍ତୁ ସେ ବେଳେ ବେଳେ ଭାବେ ଯଦି ଅଭିନବ ବଦଳିଯାଇଥାଆନ୍ତା ତାହେଲେ ସେ କ'ଣ କରିଥାଆନ୍ତା, କାହାକୁ ନିଜ ମନ କଥା କହିଥାନ୍ତା। କହିବାକୁ ଗଲେ ତାର ଦୁନିଆ ଟି ଅଭିନବ ଭିତରେ ହିଁ ସୀମିତ ରହିଗଲା।

              ବାହାଘର ତିନି ବର୍ଷ ପରେ ଅଭିନବ , ଇନ୍ସପେକ୍ଟର ଅଭିନବ ମହାନ୍ତି ରୂପେ ପ୍ରତିଷ୍ଠିତ ହୋଇଥିଲା। କରୁଣା ସେଦିନ ବହୁତ ଖୁସି ହୋଇଯାଇଥିଲା। ସେଦିନ ସେ ଅଭିନବ ଛାତି ରେ ମଥା ରଖି ବହୁତ୍ କାନ୍ଦିଥିଲା। ସବୁ ନାରୀ ଧନ ଆଭିଯାତ୍ୟ ଚାହିଁନଥାନ୍ତି, କିଛି ଜଣ ଏମିତି ଏକ ପୁରୁଷ ର ଛାତି ଖୋଜିଥାନ୍ତି ଯେଉଁଠି ସେ ସୁରକ୍ଷିତ ଥିବେ,ତା ଛାତି ରେ ମଥା ରଖି କାନ୍ଦି ପାରୁଥିବେ। ଭାବିଥିଲା ତା ସୁଖର ଦିନ ସବୁ ଆରମ୍ଭ ହେଲା। ଏବେ ବୋଧହୁଏ ତାକୁ ଶାଶୁ ଘରେ ଆପଣେଇବେ। ହେଲେ

ଏଭଳି ବିବାହ କ୍ଷେତ୍ରରେ ପୁଅ ଘରେ ଏକ ଦୃଢ଼ ଧାରଣା ଥାଏ ଯେ ପୁଅ ଟି ସମ୍ପୂର୍ଣ୍ଣ ନିର୍ଦ୍ଦୋଷ, ଯାହା ବି ସବୁ ଘଟେ କେବଳ ଝିଅଟି ହିଁ ଦାୟୀ। ତେଣୁ କରୁଣା ଜୀବନରେ ସେମିତି କିଛି ପରିବର୍ତ୍ତନ ହୋଇନଥିଲା। କିନ୍ତୁ ଏହା ଉପରେ ଆଊ ଏକ ଦୁଃଖ ଆସିଥିଲା। ବାହାଘର ୧୦ବର୍ଷ ପରେ ବହୁ ଚିକିତ୍ସା କରି ମଧ୍ୟ ସେ ମାଆ ହୋଇପାରିନଥିଲା। ସେଇ ଜହ୍ନ ବିନା ତା ଜୀବନ ଆକାଶରେ ଯେମିତି ଶୂନ୍ୟତା ସହ ଅସହ୍ୟ ଅନ୍ଧକାର ଘେରି ରହିଥିଲେ। ଆକାଶ ର ସେଇ ତାରା ଗୁଡ଼ିକ ତାକୁ ପ୍ରତି ମୁହୂର୍ତ୍ତରେ ତାତ୍ସଲ୍ୟ କରିଚାଲିଥିଲେ ,ହେଲେ ତା ଅନ୍ଧକାର କୁ ଦୂରେଇପାରିନଥିଲେ। ଛୁଆ ଟିଏ ଦେଖିଲେ ତା ମନ ବ୍ୟାକୁଳ ହେଉଥିଲା। କୋଳ କୁ ଛୁଆଟିକୁ ନେଇ ଗେଲା କରିବାକୁ ତାକୁ ଅନୁମତି ନଥିଲା, କୁଆଡେ ଛୁଆ ଟିର ଅମଙ୍ଗଳ ହେବ। ପିଲା ଟିଏ ନଥିବାରୁ ସମାଜ ତାକୁ ତଥା କଥିତ ବିଶେଷଣ ଶବ୍ଦ ଟିଏ ମଧ୍ୟ ଦେଇସାରିଥିଲା।

କରୁଣା ଭାବୁଥିଲା ବୋଧହୁଏ ତା ବାପା ମାଆ ଙ୍କୁ କଷ୍ଟ ଦେଇ ସେ ଚାଲିଆସିଛି, ଆଉ ତାର ଅଭିଶାପ ଭୋଗୁଛି। ହେଲେ ବାପା ମା କଣ ପିଲା ମାନଙ୍କର ଅନିଷ୍ଟ ଚିନ୍ତା କରନ୍ତି ? ସେମାନଙ୍କ ରାଗ ପଛରେ ବି ପିଲାଙ୍କ ପାଇଁ ଅଯାଚିତ ସ୍ନେହ ଭରିରହିଥାଏ।      

                       ଧୀରେ ଧୀରେ କରୁଣା ର ଧର୍ଯ୍ୟ ଭାଙ୍ଗିବାରେ ଲାଗିଥିଲା। ଅଭିନବ କରୁଣା ନିଷ୍ପତ୍ତି ନେଲେ ଯେ ଅନାଥାଶ୍ରମରୁ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ। କିନ୍ତୁ ଅଭିନବ ର ବାପା କଠୋର ଭାବେ ମନା କରିଦେଲେ। କହିଲେ ସେ ପିଲା କାହାର ହୋଇଥିବ, ତାର ଜାତି ଗୋତ୍ର ଅଜଣା,ସେଭଳି ପିଲା ମୋ ଘରର ଉତ୍ତରାଧକାରୀ ହୋଇପାରିବ ନାହିଁ। ଅଭିନବ ଆଉ ଚୁପ୍ ହୋଇ ରହିପାରିନଥିଲା। ତା ବାପାଙ୍କୁ କହିଲା,"ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସେବାରେ ସନ୍ତୁଷ୍ଟ ହୋଇ ସ୍ଵଂୟ ଜଗତର ନାଥ ଜଗନ୍ନାଥ ଆବିର୍ଭାବ ହୋଇ ବର ଯାଚନା କରିବାକୁ କହିଥିଲେ। କିନ୍ତୁ ରାଜା ବର ରେ ମାଗିଥିଲେ କି ତାଙ୍କର ବଂଶ ରେ କେହି ଉତ୍ତରାଧିକାରୀ ନରୁହନ୍ତୁ। ପ୍ରଭୁ କହିଲେ ମୁଁ ତୁମକୁ ବର ମାଗିବାକୁ କହିଲି ଆଉ ତୁମେ ମତେ ଇଏ କଣ ମାଗିନେଲ। ରାଜା ପ୍ରତିଉତ୍ତର ଦେଇଥିଲେ ଯେ ମୁଁ ଚାହୁଁନି ଭବିଷ୍ୟତରେ ମୋ ଉତ୍ତରାଧିକାରୀ ଭାବେ ସେମାନେ ଏ କିର୍ତ୍ତୀକୁ ନେଇ ଗର୍ବ କରନ୍ତୁ।"ଯେତେେବେଳେ ଏତେ ମହାନ ରାଜା ତାଙ୍କ ବଂଶ କୁ ନେଇ ଚିନ୍ତା କରିନଥିଲେ, ତେବେ ତୁମେ କେଉଁ ବଂଶ ଆଭିଯାତ୍ୟର ଦ୍ୱାହି ଦେଇ ଏପରି କହୁଛ।"

         ଅଭିନବ ଓ କରୁଣା ବହାରିଯାଇଥିଲେ ଏକ ଅନାଥାଶ୍ରମର ଅଭିମୁଖେ ସେଇ ଜହ୍ନ ଟିକୁ ଆଣିବା ପାଇଁ, ଯିଏ ତାଙ୍କ କୋଳ ର ଶୂନ୍ୟତା କୁ ଦୂରେଇଦେବ। ଛୁଆଟି ପାଇଁ ସେମାନେ ଗଲାବେଳେ ବହୁତ୍ ଖେଳନା,ଡ୍ରେସ୍ ,ଶିଶୁ ଖାଦ୍ୟ ଆଦି କିଣି ନେଇଗଲେ। ଯିବା ସମୟ ରେ କରୁଣା ଏକ ସୂତା ଶାଢ଼ୀ ଟିଏ ପିନ୍ଧିଲା, ଯେପରିକି ପିଲାକୁ ଧରିବା ବେଳେ କିଛି ଅସୁବିଧା ହେବନାହିଁ। ଯିବା ରାସ୍ତା ରେ ଏକ ନିଶୁନ୍ ରାସ୍ତାରେ ଅଭିନବ ଏକ ବିକଳ କାନ୍ଦ ଶୁଣି କାର୍ ରଖିଦେଲେ। ଶବ୍ଦ ଆସୁଥିବା ଦିଗରେ ଦୁହେଁ ଯିବାକୁ ଲାଗିଲେ।ଦେଖିଲେ ଏକ ଗଛ ମୂଳେ ୨/୩ଦିନର ଶିଶୁ ପୁତ୍ର କୁ କିଏ ଛାଡ଼ି ଯାଇଛି।ଆଉ ତା ପାଖରେ ଗୋଟିଏ କୁକୁର ବସିଛି। ହୁଏତ ପଶୁ ହେଲେ ମଧ୍ୟ ତା ମନରେ ମା'ର ସମ୍ବେଦନା ସୃଷ୍ଟି ହୋଇଥିବ କିମ୍ବା ସେ ଆହାର ପାଇଁ ଶିଶୁ ର ମୃତ୍ୟୁକୁ ଅପେକ୍ଷା କରିଥିବ।କରୁଣା ଧାଇଁ ଯାଇ ପିଲାଟିକୁ କୋଳକୁ ନେଇଯାଇଥିଲା।ପିଲାଟି ବି ତା କୋଳକୁ ଯିବା କ୍ଷଣି ଚୁପ୍ ହେଇଗଲା। ପିଲାଟି ମାଆ କୋଳ ପାଇଯାଇଥିଲା ଆଉ ମାଆ ଟି ତା ପିଲାକୁ। କରୁଣା ପିଲାଟିକୁ କୋଳକୁ ନେଇ କିଛି ପାଣି ପିଆଇ ତାକୁ ନିଜ ପିନ୍ଧା ଲୁଗା ରେ ପରିଷ୍କାର କରିଦେଲା। ପିଲାଟି କରୁଣା କୋଳରେ ଶାନ୍ତି ରେ ଶୋଇଗଲା। କରୁଣା ତା ନିଷ୍ପାପ ମୁହଁ ଟିକୁ ଚାହିଁ ରହିଥିଲା। ଭାବୁଥିଲା କାହାର ପାପ ପ୍ରଣୟର ଫଳ ଏ ଶିଶୁ ଭୋଗିବାକୁ ଯାଉଥିଲା।କିଏ ସେ ପାଷାଣ ହୃଦୟର ନାରୀ ଯାହାକୁ ନିଜ ଶିଶୁର କାନ୍ଦ ବିଚଳିତ କରିପାରିଲା ନାହିଁ ଏମିତି ଅନିଶ୍ଚିତ ଭାଗ୍ୟ ରେ ଛାଡି ଯିବାକୁ। ଭାଗ୍ୟର ବିଡମ୍ବନା କେଉଁଠି ଶିଶୁଟି ମା କୋଳ ଖୋଜି ପାରୁନାହିଁ ତ କେଉଁଠି ମା କୋଳ ଶିଶୁ ପାଇଁ ବ୍ୟାକୁଳ। ଯଦି ଏ ଦୁହେଁ ଏକାଠି ହୁଅନ୍ତି, ବୋଧହୁଏ ଦୁନିଆଁର ସବୁଠାରୁ ସୁନ୍ଦର ପ୍ରେମ ର ପରାକାଷ୍ଠା ଚିତ୍ରିତ ହୋଇଯାଆନ୍ତା।

             ଆଜିର ଉଦ୍ଭ୍ରାନ୍ତ ଯୁବପିଢ଼ି କ୍ଷଣକ ଆକର୍ଷଣ କୁ ପ୍ରେମ ର ନାମ ଦିଅନ୍ତି। ଯେଉଁ ସମ୍ପର୍କର କିଛି ନାମ ଦେବାକୁ ସାହାସ କିମ୍ବା ଧର୍ଯ୍ୟ ନଥାଏ ସେହି ସମ୍ପର୍କ କୁ ପ୍ରମାଣ କରିବାକୁ ଯାଇ ଯେଉଁ ପାପ କରନ୍ତି ତା'ର ଦଣ୍ଡ ଭୋଗନ୍ତି ଏଭଳି ନିଷ୍ପାପ ଶିଶୁମାନେ, କେବେ କେଉଁ ଡଷ୍ଟବିନ୍ ରେ,କେବେ ଗଛ ମୂଳେ ପୁଣି କେବେ ହସ୍ପିଟାଲ ର ଅଳିଆ ଆବର୍ଜ୍ଜନା ରେ। ପ୍ରେମ ସର୍ବଦା ସର୍ଜନା କରେ, କେବେ ବିନାଶ କରେନାହିଁ।

କରୁଣା ଏପରି ଭାବନା ରେ ବୁଡି ରହିଥିଲା ବେଳେ ଅଭିନବ ତାକୁ ପ୍ରକୃତିସ୍ଥ କରି ପୋଲିସ ଷ୍ଟେସନ ଯିବାକୁ ଡାକିଲା। କିନ୍ତୁ କରୁଣା ଛୁଆ ଟିକୁ ତା ସହ ନେଇ ଯିବାକୁ ଚାହୁଁଥିଲା। ଅଭିନବ ବୁଝାଇଲା ଏ ସବୁ ପାଇଁ କିଛି ଫର୍ମାଲିଟି କରିବାକୁ ପଡ଼ିବ ,ତାପରେ ଛୁଆଟିକୁ ଆମେ ନେଇ ପାରିବା। ସଂଧ୍ୟାରେ ଦୁହେଁ ଛୁଆଟିକୁ ନେଇ ଘରକୁ ଫେରିଲେ। କରୁଣା ବହୁତ ଶୀଘ୍ର ଫ୍ରେସ୍ ହୋଇ ଛୁଆଟିର କାମ କରିବାରେ ଲାଗିଲା, ଯେମିତି ତାକୁ ଦେଖି ସେଠାରେ ଆଉ କାହାର ଉପସ୍ଥିତି ଅନୁଭଵ ହେଉନଥିଲା। ଏସବୁ ଦେଖି ଅଭିନବ ର ବାପା ମା ମଧ୍ୟ ନିଜକୁ ସମ୍ଭାଳି ପାରିନଥିଲେ, ଛୁଆଟିକୁ ନିଜ ପାଖକୁ ନେଇ ଖୁବ୍ ଆଦର କରିଥିଲେ।

         ସେଦିନ ସନ୍ଧ୍ୟାରେ ତାରା ଭର୍ତ୍ତି ଆକାଶ ରେ ପୂର୍ଣ୍ଣମୀ ଜହ୍ନ ଟି ତା'ଶୂନ୍ୟସ୍ଥାନ ପୂରଣ କରିସାରିଥିଲା।ବାଲ୍କୋନୀରେ ଆରାମ ଚେୟାର ରେ ବସି କରୁଣା ,ଶିଶୁ ଟିକୁ କୋଳରେ ଶୁଆଇ ଦେଇ ଚାହିଁ ରହିଥିଲା ସେ କୁନି ମୁହଁଟିକୁ। ଭାବୁଥିଲା ଆଜି ତା'ର ନାରୀ ଜନ୍ମର ପୂର୍ଣ୍ଣତା ମିଳିଯାଇଛି।ଏସମୟରେ ଅଭିନବ କରୁଣା କାନ୍ଧରେ ହାତ ରଖି କହିଲା ବାହାରେ ଧୀରେ ଧୀରେ ଶୀତ ପଡୁଛି, ପୁଅ କୁ ଭିତରେ ଶୁଆଇଦେଇ ଆସ। କରୁଣା ଆଖିରୁ ଦୁଇ ଧାର ଖୁସିର ଲୁହ ,ଓଠରୁ ସ୍ମିତ ହାସ୍ୟଟିଏ ଝରିଆସିଲା।

    



Rate this content
Log in

Similar oriya story from Drama