STORYMIRROR

Bhagirathi Mohanty

Abstract Romance Others

4  

Bhagirathi Mohanty

Abstract Romance Others

ସମୟ ରଥ

ସମୟ ରଥ

7 mins
30


ବିରୁପାକ୍ଷ ର ରେଣୁ ସହିତ ଦେଖା ହୁଏ ତାଙ୍କ ଗାଁ ଠାରୁ ଗୋଟେ କି.ମି.ଦୂର ହାଇ ୱେ ବସ୍ ରହଣି ସ୍ଥାନ ରେ । ନିୟମିତ ରେଣୁ ହାତ ଟେକି  ବସ୍ ଅଟକଉ କି,ଅନ୍ୟ କେଉଁ ଯାତ୍ରୀ ;ହୋଇପାରେ କରୁଣା ଦୋକାନୀ , ତା'ର ହ୍ବାଟ୍

 ନଟ୍ ଷ୍ଟୋର କୁ ମଗେଇ ଥିବା ଜିନିଷ ନେବା ପାଇଁ ,ଦୂର ଦୂରାନ୍ତରକୁ ମୁଢିଟିଣ,ବାରି ଆମ୍ବ,ପିଜୁଳି,ପିଠା କୁ ଆସିଥିବା ଲୋକେ ବସ୍ ରୋକୁଥିବେ। ଜଣା ନାହିଁ; କୌଣସି କାରଣ ରୁ ତ କେ‌ହି ହାତ ଉଠେଇ ବସ୍ ଅଟକଉ ଥିବେ? ଜିନିଷ ନେବା ଆଣିବା ଡ୍ରାଇଭର ର,ଏକ୍ସଟ୍ରା ଆୟ। 

  ଯେ କୌଣସି କାରଣ ରୁ ବି ହେଉ ହାଇୱେ ରେ ବସ୍ ଅଟକିବ ଆଉ ରେଣୁ ଧାଇଁ ଯାଇ ବସ୍ ଭିତରକୁ ପଶି ଯିବ ,ପଛରୁ ଆଗ ଯାକେ ତନ୍ନ ତନ୍ନ କରି  ଦେଖିବ ପୁଣି ଓହ୍ଲେଇ ଆସିବ। ତା'ର ଏଇଟା ଗୋଟେ ମାନିଆ ବୋଲି ତାକୁ ବାରମ୍ବାର ଦେଖୁଥିବା ଲୋକେ କହନ୍ତି।

    କିନ୍ତୁ ତା'ର ଏଇ ମାନିଆ କ'ଣ ପାଇଁ କେହି ବୁଝିବାକୁ ଚେଷ୍ଟା କରନ୍ତି ନାହିଁ । କେମିତି ଗୋଟେ ହତାସିଆ  ନିଃଶ୍ବାସ ପକେଇ ସେ ତଳକୁ ପାଦ ବଢାଏ।

  ଗୋଟେ କ୍ୟାଲେଣ୍ଡର ୟର୍ ରେ ଥରେ କି ଦୁଇଥର ବିରୁପାକ୍ଷ ସହିତ ଦେଖା ହେଉଥିବ କି ନାହିଁ କିନ୍ତୁ ଖରା,ବର୍ଷା ,ଶୀତ ନମାନି ସେ ବସ୍ ଉପରୁ କୁ ଉଠିବ ଏବଂ ଓହ୍ଲେଇବ।ଯୋଉ ଦିନ ବିରୁପାକ୍ଷ ର ଦେଖା ପାଇଯାଏ ସେ ପାଗଳୀ ପରି ପାସେଞ୍ଜର ମାନଙ୍କୁ ଦଳି ଚକଟି ତା'ପାଖରେ ପହଞ୍ଚି ଯାଇ ତା' ବୁକୁ ରେ ଚାପି ଧରିବ। ତା'କାନରେ ବାଜୁଥିବ ଯାତ୍ରୀ ମାନଙ୍କ କଥା,"ଏଡେ ଅଲାଜୁକି ଏଇ ଝିଅଟା ! କି ଯୁଗ ହେଲାରେ ବାବା ......

କଣ୍ଡକ୍ଟର ପଚାରୁ ଥିବ ,"ଯିବ ନା ଓହ୍ଲେଇବ?"

  ତା'କଥା କାନରେ ବାଜୁଥିବ କି ନାହିଁ କେଜାଣି ; ତା'ଇଚ୍ଛାରେ ସେ ଚଢେ ଆଉ ଓହ୍ଲାଏ। ଏତେ ଅଳ୍ପ ସମୟ ଭିତରେ ବହୁତ କଥା କହିଦେବ ବୋଲି ଭାବୁଥିବା ରେଣୁ କିଛି କହି ପାରେ ନାହିଁ। ତା' କଣ୍ଠ ରୁଦ୍ଧ ହୋଇଯାଏ ।ଅବଶୋଷ ଏବଂ ଅସନ୍ତୋଷ ସାଥିରେ ନେଇ ପଳେଇ ଆସି,ବସ୍ ଟି ତା'ଦୃଷ୍ଟିର ଅନ୍ତରାଳ ରୁ ଚାଲି ଯିବା ଯାଏଁ ସେ ଚାହିଁ ରହିଥାଏ।ଛାତିଥରା ଦୀର୍ଘ ଶ୍ଵାସ ସାଙ୍ଗରେ ନେଇ ସେ ଫେରି ଆସେ ଘରକୁ। କେଉଁ ଦିନ ଏକ ଦୁଃଖଦ ମୁହୂର୍ତ୍ତରେ   ବଡ ମେଡିକାଲ୍ ରେ କ୍ୟାନସର ରେ ପଡି ଛଟପଟ ହେଉ ଥିବା ମାମୁ ଙ୍କୁ ଦେଖି ମା'ସହିତ ଆସି ଫେରନ୍ତା ଶାନ୍ତିଲତା ବସ୍ ଉପରକୁ ଉଠି ଦେଖେ ତ ଲୋକେ ରେଲିଙ୍ଗ ଧରି ଛିଡା ହେଇଛନ୍ତି। ମାଆ କୁ ସିଟ୍ ମିଳିବା ଦରକାର।ଆଉ କିଛି ଉପାୟ ନ ଥିଲା । ମା'କୁ ଡ୍ରାଇଭର କେବିନ୍ ପାଖ ସିଟ୍ ରେ ବସେଇ ଦେଇ ସେ ଅନ୍ୟ ଯାତ୍ରୀ ଙ୍କ ପରି ଭେନିଟି ବ୍ୟାଗ୍ ଟି କାନ୍ଧରେ ଗଳେଇ ଝାଳ ସର ସର ମୁହଁ କୁ ଚୁନୁରି ରେ ବାରମ୍ବାର ପୋଛୁ ଥାଏ । ସକାଳ ର ସଜ ଫୁଲ ପରି ମୁହଁ ଟି ଅପରାହ୍ନ ରେ ମଳିଛିଆ ହେଇଯାଇଥାଏ।

   କଣ୍ଡକ୍ଟର ତା'ସାମନା ପଟ କୁ ଚାଲିଆସି ବ୍ୟାଗ ସହ ତାକୁ ଭିଡିଧରି ପଚାରୁଥାଏ ,"କୋଉଠି କୁ ଯିବ ?"

  "ତୁମେ ମୋତେ ଭିଡି ଧରିଛ କାହିଁକି ? ଘୁଞ୍ଚି ଯାଅ।ଇଡିଅଟ୍ ,(ଏଇ ଶବ୍ଦ ଟି)ତାକୁ ନ ଶୁଭିବା ପରି କହୁଥାଏ। କପ୍ତିପଦା ରୁ ଖୁଣ୍ଟା ଭିତରେ,ଯୋଉଠି କୁ ବି ଟିକେଟ୍ କାଟିଦେଲେ ବି ଚଳିବ।"

  କଣ୍ଡକ୍ଟର ବିସ୍ମୟ ବିମୂଢ ହୋଇ ତାକୁ ଚାହିଁ ରହିଥାଏ। ତାକୁ ଛାଡିଦେଇ ଚାଲିଗଲା ବେଳେ ସେ ପଛରୁ ଡାକି ପଚାରିଲା," ଯଦି ଭଡା ନବ ତ, ମୋ ପାଇଁ ସିଟ୍ ଟେ କରିଦିଅ।‌"

    "ଆସ ମୋ ସାଙ୍ଗରେ । ଯିଏ ଆଡଭାନସ୍ କରିଥିଲା ତା'ର ଦେଖା ନା‌ହିଁ। ବସିଥାଅ । ଆଉ ଜଣେ ବସିଛି ବେଟିକିଟିଆ । ପରେ ଟିକେଟ୍ କାଟିବ କହୁଛି। ହଉ, ଯାଅ ,ବସ।"

   ସେ ଯାଇ ବସିଲା ।

  ମଧ୍ୟ ବୟସ ର ଲୋକଟି ପାଖରେ ।ନିରେଖୀ ନ  ଦେଖିଲେ ଜାଣି ହେବ ନି ବୟସ। ଏଇ ଲୋକଟି ଚୁଟି କୁ କଳା କରିଛି। ନିଶ କୁ ବି । ଫ୍ରେଞ୍ଚ କଟ୍ ଦାଢି। ତଥାପି ବୟସ ଲୁଚେଇ ପାରିନି‌। ରେଣୁ ତା'ପାଖରେ ବସିବାର ଦେଖି ସେ ଜଗନ୍ନାଥ ଙ୍କ କୋଟି କୋଟି ପ୍ରଣାମ କରୁଥିବ ,ଏଇ ସୁନ୍ଦରୀ ଟି ଯେମିତି ବାଟ ରେ ଓହ୍ଲେଇ ନ ଯାଉ।

    ଶାନ୍ତିଲତା ବାଦାମ ବାଡି ରୁ ବାହାରି ମହାନଦୀ ପୋଲ, ଏଇ ଡେଇଁବ ଡେଇଁବ ହେଉ ହେଉ ଅତି କମ୍ ରୁ ଚାରି ପାଞ୍ଚ ଜାଗାରେ ରହିଯାଏ ପାସେଞ୍ଜର ଉଠାଇ କଣ୍ଡକ୍ଟର ର ମୁନାଫା ବଢେଇବା ଲାଗି।ଓ.ଏମ. ପି. ଫେରିବା ବାଟରେ ଶେଷ ସ୍ଟପେଜ୍ ।ଜଗତପୁର ,ପାଣିକୋଇଲି,କୁଆଖିଆ ଯିବା ପାଇଁ ଯାତ୍ରୀମାନେ ବସ୍ ଚଢିଲେ । ସେମାନଙ୍କ ଭିତରକୁ ଜଣେ ଭିତରକୁ ପଶି ଆଡାଭାନସ୍ କରିଥିବା ଟିକେଟ୍ ଦେଖେଇଲା। କଣ୍ଡକ୍ଟର ଭିଡ ଭିତରେ  ପେଲି  ରେଣୁ କୁ ଲାଗି ବସିଥିବା ଯାତ୍ରୀକୁ କହିଲା ,"ଏଥର ଉଠ। ଟିକେଟ୍ କାଟି ଥିବା ବାବୁ ଆସିଗଲେ।"

    "ନାଇଁ ମୁଁ ଉଠିବିନି । "

   "ଉଠିବନି ?"

   "ବସିବ ଯଦି ଟିକେଟ ଦେଖାଅ ‌"

  "ଆପଣ ମୋତେ କହିଥିଲେ...। ଏ ଝିଅ ର କ'ଣ ଟିକେଟ୍ ଅଛି ?"

  "ଲେଡିଜ୍ ଫାଷ୍ଟ।"

   ତା'ର କିନ୍ତୁ ଗୋଟିଏ ଜିଦ ସେ ସିଟ୍ ର ବାଡ଼ା ଧରି ସେଇଠି ଠିଆ ହେବ ଆଉ,ରେଣୁ କୁ ଚାହିଁ ରହିଥିବ ଓହ୍ଲେଇବା ଯାଏଁ।

  ବିରୁପାକ୍ଷ କିନ୍ତୁ ତାହା କରେଇ ଦେଲାନି ।ରେଣୁ କୁ ଝରକା ପାଖରେ ବସେଇ ଦେଇ ବସ୍ ଭିତର ଆଡକୁ ବସିଲା । ସେଇ ଲୋକ ବ୍ୟର୍ଥ ମନୋରଥ ହୋଇ ଧିରେ 

ଧିରେ ରେଣୁ ଉପରୁ ଦୃଷ୍ଟି ଫେରେଇ ଖର ନିଶ୍ଵାସ ଟିଏ ପକେଇ ଉପର ରେଲିଙ୍ଗ   ଧରି ଠିଆ ହୋଇ ଥିବ। ଯାତ୍ରୀ ଦେହରେ ଏହା ଯାଉ ନଥିବ,  ତାକୁ ଠେଲି ଠେଲି ନେଇ 

 ବସ୍ ର ମୁହଁ ଆଡକୁ ଆଡକୁ ନେଇ ଯାଇଥିବେ।

  ବସ୍ ଜାରକିନ ରୁ

  ପ୍ରଥମେ କଥା ଆରମ୍ଭ କଲା ରେଣୁ,"ବସ୍ ଟା ଉଠୁଛି ପଡୁଛି।ଚାରିଆଡେ ଉଚ୍ଚା ଖାଲ।ରାସ୍ତା କାମ କୋଉ ଦିନ ସରିବ? ଆଉ କେତେ ଲାଗିବ ?କେତେ ଓସାରିଆ ହେବ ?"

  ସ୍ମିତ ହସି ବିରୁପାକ୍ଷ କହିଲା,"ରାସ୍ତା କାମ ସରିବନି।ଆହୁରି ଓସାରିଆ ହେବ । ବିଶାଳକାୟ ବୃକ୍ଷ ଭୂପତିତ ହେବେ ଓ ଅଙ୍ଗାରକାମ୍ଳ ନିର୍ଗମନ ହେବ ,ଦୁଇଚକିଆ ଓ ଚାରିଚକିଆ ଯାନ ର ଅବାଧ ଯାତାୟତ ହେବ । ମଦୁଆ ଡ୍ରାଇଭର ମାନେ ଆକ୍ସିଡେଣ୍ଟ କରିବେ।ଲୋକ ମରିବେ ।  

।ତାପରେ ପୁଣି ବଡ ବଡ ନଦୀ ବ୍ରହ୍ମପୁତ୍ର ,ମହାନଦୀ ଆଦି  ଗୁଡିକୁ ଶିଳ୍ପ କାରଖାନା ରୁ ନିର୍ଗତ ବର୍ଜ୍ୟ ବସ୍ତୁ ପାଇଁ ଦୂଷିତ ହେବେ।"

   ରେଣୁ ର ଆଉ ଗଛ କଟା, ଶିଳ୍ପାୟନ ,ଦୂଷିତ ପାଣି ପ୍ରଭୃତି ବଡ ବଡ କଥା ଆଲୋଚନା କରିବାର ଇଚ୍ଛା ନ ଥିଲା। ସେ ଭାବୁଥିଲା ଏ ସବୁ ସରକାର ବୁଝିବେ। ତା' ପରି ସାଧାରଣ ଲୋକ ର ଏ କାମ ନୁହେଁ।

   ଦୁଇଜଣ ଯାକ ଗୋଟେ ଯୋଡିକିଆ ସିଟ୍ ରେ ବସିଥିଲେ ବି ଗୋଡ କୁ ଗୋଡ, ମୁଣ୍ଡକୁ ମୁଣ୍ଡ କୁଟି ନ ଯାଉ_ଉଭୟ ଖୁଵ୍ ସତର୍କ ଥିଲେ । କିନ୍ତୁ ବସ୍ ଓ ରାସ୍ତା ସେମାନଙ୍କ କଥା ଶୁଣୁନଥିଲେ।

  ବିଷୟ ବଦଳେଇ ରେଣୁ ପଚାରିଲା,"ଆପଣ କଟକରେ ରୁହନ୍ତି ନା କୌଣସି କାମରେ କଟକ ଆସିଥିଲେ ? ଚାକିରି କରନ୍ତି କି?"

  ବିରୁପାକ୍ଷ କହିଲା ," ହଁ ,ମୁଁ କଟକରେ ରୁହେ। ବଡ ମେଡିକାଲ ର ତୃତୀୟ ବର୍ଷ ର ଛାତ୍ର "

 ତା'କଥାରେ ଅହଂକାର ଥିଲା।ଚାରୁ ଚନ୍ଦ୍ରୋଦୟ ମସାଲ ପାଖରେ ଦୀପ ନିଷ୍ପ୍ରଭ ହେଇ ଯିବା ପରି ରେଣୁ ବି.ଏ.ତୃତୀୟ ବର୍ଷ ର ଛାତ୍ରୀ କହିବାକୁ ଜିଭ ପଲଟୁନଥିଲା।

   ତାର ଗୋଟେ ଅସାଧାରଣ ବ୍ୟକ୍ତିତ୍ବ ଥିଲା _ଅଳ୍ପ ସମୟ ଅବଧିରେ ପର କୁ ଆପଣାର କରିବାରେ। ଏବେ ଗୋଡ ଭେଟୁ, ମୁଣ୍ଡ ଭେଟୁ, କି ରେଣୁ ର ଛାତି ଉପରେ ବିରୁପାକ୍ଷ ର ହାତ ଅଜାଣତରେ ଭେଟିଯାଉ ସେଥିପାଇଁ ସେ ନିର୍ଲିପ୍ତ  ଥିଲା। ଏମିତିକା ଭିଡ ରେ ବସ୍ ଚଢି ସେ କେତେ ଆଡେ ନ ଯାଏ ଏବଂ ପ୍ରତିବାଦ ବି କରେ ଟୋକୀ ଲାଳସିଆ ଲୋକ ମାନଙ୍କୁ।ଟୋକୀ ପାଇଁ ଲାଳସା ଅଶି ପର ର ଲୋକଙ୍କର  ବି ଅଛି ।ବସ୍ ରେ ଚୋର ବି ଯାଏ ,ପାକେଟ ମାର ବି ଯାଏ ଭଲ ଲୋକ ବି ଯାଆନ୍ତି। ଆଜି ତା'ପାଇଁ ଏକ ଅନନ୍ୟ ସମୟ। ଏଇ ଯୁବକ ଟିକୁ ତା'ପ୍ରେମ ଜାଲ ରେ ନିଶ୍ଚୟ ଫସେଇବ । 

  ଏମିତି ତା'ସହିତ ଦୁଇ ଚାରି ଥର ବସ୍ ରେ  ଦେଖା ହୋଇଗଲେ , ସେ ତା'ର ହୋଇଯିବ , ନିଶ୍ଚିତ ଥିଲା ସେ।

   ଭୁବନେଶ୍ଵର ରୁ ଫେରନ୍ତା ଶାନ୍ତିଲତା ରେ ତାଙ୍କ ଗାଁ ସ୍ଟପେଜ୍ ରେ ସେ ଉଠେ । ଖୋଜେ ବିରୁପାକ୍ଷ କୁ।ତାକୁ ପାଇଗଲେ ତ ସୁନା ମୁଣ୍ଡା ଟିଏ ପାଇଗଲା କି ।ତା' ପ୍ରେମର ଅତିଶୟୋକ୍ତି ବିରୁପାକ୍ଷ କୁ କିଛି ଫରକ୍ ପଡେ ନାହିଁ।  ଏସ.ସି.ବି.ରେ ତାକୁ ପାଇବା ପାଇଁ ଅନେକ ପ୍ରତିଦ୍ବନ୍ଦୀ ଅଛନ୍ତି ।କଟକ ର : ମଙ୍ଗଳାବାଗ,ପାଲା ମଣ୍ଡପ,ଛତରା ବଜାର;ଜୋବ୍ରା ଆନିକଟ୍ ରେ ବୁଲୁ ବୁଲୁ ସୁନ୍ଦରୀ ଝିଅ ମାନେ ତା 'ସହିତ ସେଲଫି ନିଅନ୍ତି। ତା'ର ଚାହିଦା ବହୁତ। 

 କଣ୍ଟେସ୍ଟଣ୍ଟ ଲିଷ୍ଟ୍ ରେ 

 ରେଣୁ ପରି ଅସଂଖ୍ୟ ସୁନ୍ଦରୀ।

   ଏଇ ଭିତରେ ଦୁଇ ବର୍ଷ କେତେବେଳେ କଟି ଗଲାଣି। ଏବେ ହାଉସମେନସିପ୍ ରେ ବିରୁପାକ୍ଷ_ ଚଣ୍ଡିଗଡ ରେ।ଓନୋଲୋଜି ତା'ର ସେପ୍ଶିଆଲ ପେପର। ତା'ବାହାଘର ପାଇଁ ଏଡଭାନସ୍ ବୁକ୍ କଲେଣି କନ୍ୟା ପିତା ମାନେ। ସିଏ କାହା ଭାଗ୍ୟରେ ଅଛି କିଏ ଜାଣେ? ବି.ଏ. ପାଶ୍ କରି ଘରେ ବସିଥିବା ରେଣୁ ର ନାଁ ସେଇ  ଲିଷ୍ଟ ଭିତରେ 

 ନଥିବ ନା ଥିବ ! 

 କିନ୍ତୁ ଏତେ ସହଜରେ ତାକୁ କ'ଣ ସେ ଛାଡିଦେବ ଅନ୍ୟ କାହା ହାତ ଧରା ଦେବା ପାଇଁ!!

 ତାକୁ କ'ଣ ସେ ଜବରଦସ୍ତ କରି ପାରିବ ? ସିଏ କେବେବି ତାକୁ କହିଚି କି,"ମୁଁ ତୁମକୁ ଭଲପାଏ ଲୁଚି ଲୁଚିକା‌।"

  ବିରୁପାକ୍ଷ ଚଣ୍ଡିଗଡ ରେ ପଢୁଛି ବୋଲି ଜାଣିବା ପରେ ,ସେ ଫେରନ୍ତା ଶାନ୍ତିଲତା କୁ ଅଟକାଇ  ନାହିଁ।କିନ୍ତୁ ସେ ଖବର ରଖେ ,ଚଣ୍ଡିଗଡ ରୁ କେବେ ଛୁଟିରେ ଘରକୁ ଆସେ। ତାଙ୍କ ଗାଁ ତାଡକି ଝରଣ ରେ ପହଞ୍ଚି ଯାଇ ,ତାକୁ ଦେଖା କରି କହେ ,"ମୁଁ ନ ଚାହିଁଲେ ତମେ ଅନ୍ୟ କାହାକୁ ବିଭା ହୋଇ ପାରିବନି । ଯେଉଁ ଝିଅ ମାନଙ୍କ ସାଙ୍ଗରେ ତା'ର ବିବାହ ପ୍ରସ୍ତାବ ପଡିଚି ସେମାନଙ୍କ ଫଟୋ ଦେଖେଇ ପଚାରେ

"ଏଇ ଝିଅ ମାନଙ୍କ ଭିତରୁ କିଏ ମୋ ଠାରୁ ସୁନ୍ଦରୀ କହି ପାରିବ ? ଧନରେ ପୋତି ଦେଇ ପାରନ୍ତି ସେମାନଙ୍କ ବାପାମାନେ _ ତୁମର ଧନ ର କୋଉ ଅଭାବ ଅଛିକି?ତମ ବାପା 'ଏ' କ୍ଲାସ କଣ୍ଟାକଟର୍ ,ମା' ,ସରକାରୀ ହୋମିଓପାଥି ଡାକ୍ତର । ଜମିଜମା ବି ବହୁତ। ଏଥର ମତେ କୁହ ଧନ ପଛରେ ଗୋଡ଼େଇ ବ ନା ,ସୁନ୍ଦରୀ ଗୁଣବତୀ ଝିଅ କୁ ବାହା ବେଦି ରେ ଦେଖିବ?"

  ବିରୁପାକ୍ଷ ମୁଣ୍ଡ ଧରି ବସିପଡ଼ି କହେ,"ଦୟାକରି ଏଠୁ ଚାଲିଯାଅ। ଏଇ ଫଟୋ ସବୁ ତମ ଆଗରେ ଚିରି ଫୋପାଡି ଦିଅ। ମୋର ଏବେ ବିଭା ହେବାର ନାହିଁ।ତମେ ଯାଅ ପ୍ଲିଜ।"

    ଚଣ୍ଡିଗଡ ରେ ବି କ'ଣ  ତାକୁ ଶାନ୍ତିରେ ରଖିବାକୁ ଦିଏ ରେଣୁ ? ଫୋନ୍ କରୁଥିବ କରୁଥିବ କରୁଥିବ ; ଫୋନ୍ ନ ଉଠେଇବା ଯାଏଁ ।

   ରେଣୁ ର ବାପା ମା',ଝିଅର ପାଗଳାମୀ କଥା ଜାଣି ପାରି ଅନ୍ୟତ୍ର ତା'ର ବାହାଘର ଠିକ କରିବା ପାଇଁ ଲାଗି ପଡନ୍ତି।

   ରେଣୁ କହେ,"ମୋ ବର ମୁଁ ଠିକ୍ କରିବି ତମେ ନୁହେଁ। ବେଶି ଅସ୍ଥିର ହୁଅ ନାହିଁ।"

  ସେ କୌଣସି ସୂତ୍ର ରୁ ଜାଣି ପାରେ ତାକୁ ଦେଖିବା ପାଇଁ ଆସୁଥିବା ବର ପକ୍ଷଙ୍କ ଦିନ ତାରିଖ। ବସ୍ ରହିବା ଜାଗାରେ ,ତା'ର ସାଙ୍ଗ ମାନଙ୍କୁ ଜଗି ରହିଥାନ୍ତି । 

  "ଆପଣ ମାନେ କୋଉଠୁ ଆସିଛନ୍ତି?" ରୁ କଥା ଆରମ୍ଭ ହୋଇ ଯାଏ। ତା'ସାଙ୍ଗ ମାନେ ଭଡକାନ୍ତି ବର ପକ୍ଷ କୁ।"ରେଣୁ ଗୋଟାଏ ଚରିତ୍ର ହୀନା ଝିଅ ଜାଣି ନାହିନ୍ତିକି?"

  ତା'ସମ୍ପର୍କରେ ଏତେ ଖରାପ କରି କହନ୍ତି ଯେ ସେଇ ଷ୍ଟପେଜ ରୁ ହିଁ ସେମାନେ ଫେରି ଯାଆନ୍ତି।

    ସମୟ ଧିରେ ଧିରେ ରେଣୁ ପ୍ରତି ନିଷ୍ଠୁର ଆଚରଣ କରେ। ବିରୁପାକ୍ଷ ବ୍ୟସ୍ତ ରହୁଥିବାରୁ ତା'ଫୋନ୍ ଉଠେଇ ପାରେ ନାହିଁ। ସେ ହତପ୍ରଭ ହୋଇଯାଏ। ମାନସିକ ଯନ୍ତ୍ରଣା ରୁ ଶାରୀରିକ କଷ୍ଟ ଆରମ୍ଭ ହୁଏ। ଅନେକ ସମୟ ରେ ଦେହ ଖରାପ ରହେ।

   କୌଣସି ପ୍ରକାରେ ବିରୁପାକ୍ଷ ର ବାପା,ମା',ଆତ୍ମିୟ ସ୍ୱଜନ ଜାଣି ପାରନ୍ତି ଯେ ଯେଉଁ ଝିଅ ଜବରଦସ୍ତ ୟାକୁ ଭଲ ପାଉଛି ସେ ହଳୁଆ ବ୍ରାହ୍ମଣ ଜାତିର। ଏମାନେ ଶାସନୀ ବ୍ରାହ୍ମଣ। ତା' ଜେଜେମା' ଦେହ ଅତିଶୟ ଖରାପ ବୋଲି ମିଛ ଖବର ଦେଇ ତ୍ବରାନ୍ବିତ ଗତିରେ ତା'ବିବାହ ଆୟୋଜନ କରନ୍ତି।ବିବାହ ର ଦୁଇ ଦିନ ପୂର୍ବରୁ ତାକୁ ଗୋଡେ ଗୋଡେ ଜଗି ରହନ୍ତି ପରିବାର ବର୍ଗ। ରେଣୁ ର ଭଲ ପାଇବାକୁ ଅବିଶ୍ବାସ କରୁ ନଥିବା ବିରୁପାକ୍ଷ ତାକୁ ବିବାହ କରିବାର ସିଦ୍ଧାନ୍ତ ନେଇଥିଲେ ବି ସମୟ ରଥ ର ସାରଥି କୁ ଜୋର କରି ଅଟକାଇ ପାରୁନଥିଲା କି କଛି କରିବାକୁ ଦେଉ ନ ଥିଲା । ସେ ଥିଲା ନାଚାର ।

   ବ୍ରେନ ମେଲେରିଆ ରେ ପୀଡିତା 

 ରେଣୁ କାନରେ ଏ କଥା ପଡିବା କ୍ଷଣି    ସମସ୍ତଙ୍କ ଅଜାଣତରେ ,୧୦୩° ଜ୍ୱର ସାଙ୍ଗରେ ଧରି ,ହାତ ଗଣ୍ଠି ପଡିବାର କେତୋଟି ମୁହୂର୍ତ୍ତ ପୂର୍ବରୁ ପହଞ୍ଚି ଯାଇ ବେଦି ଉପରେ ବସିଥିବା କନିଆଁ କୁ , "ରୁହ" କହି ଉଠେଇ ଦେଉ ଦେଉ ସେ ନିଜେ ସେଠି କଚାଡି ହୋଇ ପଡିଥିଲା। ଡାକ୍ତର ବିରୁପାକ୍ଷ ଆସି ନାଡି ପରୀକ୍ଷା କରି ଦେଖେ ତ ସେ ମୃତ। ବାହାଘର ବନ୍ଦ ହୋଇ ଯାଇଥିଲା।

   ଚଣ୍ଡିଗଡ ଫେରି ଯାଇଥିଲା ଓନୋକଲଜିଷ୍ଟ୍ ବିରୁପାକ୍ଷ। ରେଣୁ ର ଅଶୃତ ପୂର୍ବ,ଅଭୂତ ପୂର୍ବ ପ୍ରେମ ଆଗରେ ମଥା ନତ କରିଥିଲା ସେ। ପ୍ରତ୍ୟେକ ଦିନ ସକାଳେ ଗାଧେଇ ସାରି ରେଣୁ ର ଆବକ୍ଷ ଫଟୋ ରେ ଧୂପ ଲଗେଇ କହେ ,"ରେଣୁ ତୁମ ପାଖରେ ମୁଁ ହାରି ଗଲି । ତୁମ ପ୍ରେମ ଅଜର ,ଅମର। ଏ ଛାତି ଭିତରେ ମୁଁ କାହାକୁ ଜାଗା ଦେଇ ପାରିବିନି।"

................. ‌ ...............


विषय का मूल्यांकन करें
लॉग इन

Similar oriya story from Abstract