BISWESWAR MAJHI

Abstract

4.7  

BISWESWAR MAJHI

Abstract

ସ୍ମୃତି ଏକ ରୂପା ଜହ୍ନ

ସ୍ମୃତି ଏକ ରୂପା ଜହ୍ନ

4 mins
367


ଜୟନ୍ତୀ ସ୍ବାମୀ ଓ ଦୁଇ ଝିଅଙ୍କ ସହ ଟ୍ରେନରେ ବସିଥାନ୍ତି। ସୁଦୁର ଦିଲ୍ଲୀରୁ ଭୁବନେଶ୍ଵରକୁ ରାଜଧାନୀ ଏକ୍ସପ୍ରେସରେ ଯାତ୍ରା। ସ୍ବାମୀ ଅନିମେଶ ବହୁତ ବଡ କମ୍ପାନୀରେ ପଦସ୍ଥ ଅଫିସର। କିନ୍ତୁ ସେମାନେ ଇଚ୍ଛା କରି ରେଳଯାତ୍ରାର ମଜା ନେବାକୁ ତଥା ଝିଅ ଦୁହିଁଙ୍କୁ ବିଭିନ୍ନ ରାଜ୍ୟ ଓ ସହର ସମ୍ବନ୍ଧରେ ସମ୍ୟକ ପରିଚିତ କରାଇବାକୁ ଏ ଯୋଜନା। ମୋଗଲସରାଇ ପୂର୍ବରୁ ସାମନା ସିଟ୍ ର ପରିବାର ଓହ୍ଲାଇ ସାରିଥାନ୍ତି, ଏବେ ନୂଆ ପରିବାରଟିଏ ଚଢିଲେ, ସେହି ସ୍ଥାନ ଅଧିକାର କରି। ଅନିମେଶ ଲାପଟପ୍ ରୁ ଆଖି ଉଠାଇ ଦେଖିଲେ ଆଉ ଖୁସିରେ ଗଦଗଦ ହୋଇ କୁଣ୍ଢାଇ ପକାଇଲେ। ଏ ତ ତାଙ୍କ ବାଲ୍ୟ ବନ୍ଧୁ ସୁଦର୍ଶନ। ଜୟନ୍ତୀ ସମ୍ପୂର୍ଣ୍ଣ ଅନ୍ୟମନସ୍କ ହେବା ଦେଖି ଅନିମେଶ ତାଙ୍କ ବାଲ୍ଯ ବନ୍ଧୁଙ୍କ ସହ ପରିଚିତ କରାଇ ଦେଲେ। ଜୟନ୍ତୀ ପୁଣି ହଜିଗଲେ ସ୍ମୃତି ରାଜ୍ୟରେ।

  ଏ ସେଇ ସୁଦର୍ଶନ ଯାହା ବିନା ଜୟନ୍ତୀ ଜୀବନ ପଥରେ ଆଗକୁ ଯିବା ଦୁଃସ୍ବପ୍ନରେ ମଧ୍ଯ ଦେଖି ନଥିଲେ। ହାଇସ୍କୁଲ ଠାରୁ କଲେଜ ପର୍ଯ୍ୟନ୍ତ ଉଭୟଙ୍କ ଅନାବିଳ ବନ୍ଧୁତା କ୍ରମେ ସମ୍ପର୍କର ରୂପ ନେଲା। ପଦାର୍ଥ ବିଜ୍ଞାନରେ ଉଭୟ ସ୍ନାତକୋତ୍ତର କରୁଥିଲେ, ଦୁଇଟି ଶରୀର ଗୋଟିଏ ଆତ୍ମା ଭାବରେ। ଅବଶ୍ଯ ସୁଦର୍ଶନ ଘର ପରିବାର ଚଳନ ପକ୍ଷ ନଥିଲେ, ବାପା ତାଙ୍କର ନାମ ମାତ୍ର ଚାଷୀ। ବହୁ କଷ୍ଟରେ ପୁଅ ପାଇଁ ପାଠ ପଢିବାର ସାମର୍ଥ୍ଯ ଯୋଗାଡ କରିବା ଅସମ୍ଭବ ହେଉଥିଲା। ସୁଦର୍ଶନ କିନ୍ତୁ ସବୁ କଷ୍ଟକୁ ଚନ୍ଦନ ପରି ମଥାରେ ବୋଳି ଏକ ଲକ୍ଷ୍ୟରେ ପାଠ ପ୍ରତି ଧ୍ୟାନ ଦେଉଥିଲେ, କିପରି ନିଜ ଗୋଡରେ ଛିଡା ହୋଇ ବାପାଙ୍କୁ ସାହାଯ୍ଯ କରି ପାରିବେ।

 ଜୟନ୍ତୀ ଦେଖୁ ଦେଖୁ ଜାଣିପାରେ ସୁଦର୍ଶନଙ୍କ ଅସୁବିଧା କଣ ! ଯଥା ସମ୍ଭବ ସାହାଯ୍ଯ କରିବାକୁ ଚେଷ୍ଟାକଲେ ସ୍ୱାଭିମାନୀ ସୁଦର୍ଶନ ଅଗ୍ରାହ୍ଯ କରନ୍ତି। ନାନା ମିଛର ଆଶ୍ରୟ ନେଇ ଜୟନ୍ତୀ ତାଙ୍କୁ ସାହାଯ୍ଯ କରିବାକୁ ଚେଷ୍ଟାକରେ। କଲେଜର ସମସ୍ତେ ଏହି ଆଦର୍ଶ ଯୋଡିକୁ ବହୁ ସମ୍ମାନ ଦେଖାନ୍ତି, କାରଣ ଉତ୍ସୃଙ୍ଖଳତାର ଚିହ୍ନ ମଧ୍ଯ ସେମାନଙ୍କ ବ୍ୟବହାରରେ ନଥାଏ। ଶେଷ ପରୀକ୍ଷା ସରିଲା ପରେ ଉଭୟ ନିଜ ନିଜ ବାସସ୍ଥାନକୁ ଫେରିଯିବାକୁ ବାହାରିଲେ। ଜୟନ୍ତୀ ମେଧାବୀ ଛାତ୍ରୀ ଭାବରେ ଅଧ୍ୟାପିକାଟିଏ ହେବାକୁ ଇଚ୍ଛୁକ ଥିଲେ ମଧ୍ଯ ତାଙ୍କ ରକ୍ଷଣଶୀଳ ପରିବାର ଏଥିପାଇଁ ଅନୁମତି ଦେବେନାହିଁ ଜାଣିଥିଲେ। ସୁଦର୍ଶନ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତି କରୁଥିଲେ ମଧ୍ଯ ପରିବାରର ଆର୍ଥିକ ପରିସ୍ଥିତିର ତାଡ଼ନାରେ ଅଧ୍ୟାପକ ବା ବ୍ୟାଙ୍କ୍ ଭଳି କିଛି ଚାକିରୀର ସନ୍ଧାନରେ ଥିଲେ। 

  ପ୍ରତିଦିନ ମୋବାଇଲ ଫୋନ୍ ରେ ପରସ୍ପର ସୁଖଦୁଃଖରେ ଭାଗିଦାର ହେଉଥାନ୍ତି। ଦିନେ ଜୟନ୍ତୀ ଫୋନ୍ ଧରି କେବଳ କାନ୍ଦିବାକୁ ଲାଗିଲା। ସୁଦର୍ଶନ ବହୁ ଧୈର୍ଯ୍ୟର ସହ କଥା ଆଦାୟ କଲେ, ଜୟନ୍ତୀର ଘର ଲୋକେ ବାହାଘର ସ୍ଥିର କରିଛନ୍ତି। ସେ ସୁଦର୍ଶନଙ୍କୁ ଭଲ ପାଇବା କଥା ମାଆଙ୍କୁ ଜଣାଇଛି, ମାଆ କିନ୍ତୁ ରାଣ ପକାଇ ମନତଳେ ସେ ଭଲପାଇବାକୁ ସମାଧି ଦେବାକୁ ତାକୁ ଯୋଡହସ୍ତରେ ଅନୁରୋଧ କରିଛନ୍ତି। କାରଣ ସୁଦର୍ଶନ ବେକାର ଆଉ ବରଟି ପଦସ୍ଥ ଅଫିସର। ତା ବାପା ଦାଦାମାନେ ସମାଜର ପ୍ରତିପତ୍ତିଶାଳୀ କେବେ ଗ୍ରହଣ କରିବେ ନାହିଁ ଏ ପ୍ରସ୍ତାବକୁ। ସୁଦର୍ଶନ ବୁଝାଇଥିଲେ, "ଆମେ ଆମ ଭଲ ପାଇବାକୁ ସମାଧି ଦେବାକୁ ହେବ ପରିବାର ପାଇଁ। ମୋ ଦରିଦ୍ର ପରିବାର ଚାହିଁ ବସିଛି ମୋ ଆର୍ଥିକ ସହାୟତାକୁ। ତୁମ ପରିବାର ତୁମ ପାଇଁ ଭଲ ଚିନ୍ତା ନିଶ୍ଚିତ କରିଥିବେ। ରାଣ ପକାଅ ମତେ ମନରୁ ପୋଛି ଦେଇ, ସୁନ୍ଦର ବୈବାହିକ ଜୀବନକୁ ସ୍ବାଗତ କରିବ।" ଜୟନ୍ତୀ ଥିଲା ନାଚାର। ଜୀବନରେ କେବେ ଉତ୍ସୃଙ୍ଖଳତାକୁ ଉଭୟ ନା ପ୍ରଶ୍ରୟ ଦେଇଥିଲେ ନା ଆଗକୁ ଦେବେ। ଜୟନ୍ତୀ ଶେଷଥର ପାଇଁ ଫୋନ୍ କାଟିବା ପୂର୍ବରୁ ପ୍ରତିଶୃତି ଆଦାୟ କରିଥିଲା ସୁଦର୍ଶନ ଠାରୁ, "ତୁମେ ମଧ୍ଯ ଭଲ ଚାକିରିଟିଏ ପାଇଲା ପରେ ମୋ ଠାରୁ ଭଲ ଝିଅଟିଏ ଦେଖି ସୁଖର ସଂସାର କରିବ।" 

ଆଜି ଦୀର୍ଘ ସତର ବର୍ଷ ପରେ ସୁଦର୍ଶନ ସହ ଦେଖା। ଇଚ୍ଛାକରି କେହି କାହା ଜୀବନରେ ହସ୍ତକ୍ଷେପ କରିବେ ନାହିଁ ବୋଲି ମୋବାଇଲ ସିମ୍ ବଦଳାଇ ଦେଇଥିଲେ। ଅନିମେଶ ଓ ସୁଦର୍ଶନ ବାଲ୍ଯ ବନ୍ଧୁ ସ୍ଥାନ କାଳ ପାତ୍ର ଭୁଲି ପାଗଳଙ୍କ ପରି ଗପି ଚାଲିଥାନ୍ତି। ସପ୍ତମରୁ ଅନିମେଶ ବାପାଙ୍କ ବଦଳି ହେତୁ କେହି କାହାରି ସମ୍ପର୍କରେ ନଥିଲେ। ହାଇସ୍କୁଲ ଠାରୁ ପୁଣି ଜୟନ୍ତୀ ଭଳି ବାନ୍ଧବୀ ପାଇ ସୁଦର୍ଶନ ସବୁ କିଛି ଭୁଲି ଯାଇଥିଲେ। ଜୟନ୍ତୀର ଆଖି ଖୋଲା ଥାଇ ମଧ୍ଯ ସେ କିଛି ଦେଖି ପାରୁ ନଥିଲା। କାରଣ ସ୍ମୃତି ସବୁ ଧାଡି କରି ତା ଆଗକୁ ଆସୁଥିଲେ ଗୋଟିଏ ପରେ ଗୋଟିଏ। ସୁଦର୍ଶନ ଓ ଅନିମେଶ କଥାବାର୍ତ୍ତାରୁ ଗୋଟିଏ କେବଳ ତା କାନରେ ପଡିଛି, ସୁଦର୍ଶନ ଆଇ.ଏ.ଏସ୍ ପାଇ ବର୍ତ୍ତମାନ ଆର୍.ଡି.ସି. ଭାବରେ କାର୍ଯ୍ଯରତ। କେହି କାହାକୁ ନ ଚିହ୍ନିଲା ପରି ବ୍ଯବହାର କିନ୍ତୁ ସଞ୍ଜତ, ଯେପରି କାହାର କାହାପ୍ରତି ଈର୍ଷା ବା ଆସୂୟା କିଛି ନାହିଁ। ସେଇ ସ୍ମୃତି ଭିତରେ ଭାସିଆସୁଥାଏ, ଲାଇବ୍ରେରୀରେ ସାଙ୍ଗ ହୋଇ ପଢିବା, କଲେଜ କ୍ୟାଣ୍ଟିନ୍ ରେ ସାଙ୍ଗ ହୋଇ ଖାଇବା, କଲେଜ ଲନ୍ ରେ ଫାଙ୍କା ସମୟ ଅତିବାହିତ କରିବା, ବାର୍ଷିକ ଗ୍ରୀଷ୍ମ ବା ଦରହରା ଛୁଟିରେ ଘରକୁ ଗଲେ ଫୋନ୍ ରେ ଘଣ୍ଟାଘଣ୍ଟା ଗପିବା। ଜୟନ୍ତୀର ପ୍ରତିଟି ଶାଢୀ ସୁଦର୍ଶନ ପସନ୍ଦରେ କିଣାହୁଏ। ସୁଦର୍ଶନ ମନ ଜାଣି ତା ପାଇଁ ଜୟନ୍ତୀ ଛୋଟ ଛୋଟ ଉପହାର ଦିଏ। ଏମିତି ସ୍ମୃତି ସବୁ ତାକୁ ଆବେଶ କରି ରଖିଥାନ୍ତି। ନା ସେ ଅନୁଭବ କରିପାରୁଥାଏ ପାଖରେ ଗପ କରୁଥିବା ଦୁଇ ବନ୍ଧୁଙ୍କୁ ନା ଉଭୟଙ୍କ ବାକି ପରିବାରକୁ। ଦିନେ ସେ ସୁଦର୍ଶନଙ୍କ ଜନ୍ମ ଦିନରେ ହାତବନ୍ଧା ଘଡ଼ିଟିଏ ଉପହାର ଦେଇଥିଲା। ଆଜି ଏତେବଡ ପଦସ୍ଥ ଅଫିସର ହୋଇ ମଧ୍ଯ ତାଙ୍କ ହାତରେ ସେଇ ଘଡ଼ିଟି ଥାଏ। ଦୈବାତ୍ ନିଜ ମୁଣ୍ଡରେ ହାତ ବାଜିଗଲା ଜୟନ୍ତୀର। ତା ଅଜାଣତରେ ସୁଦର୍ଶନ ତାକୁ ଉପହାର ଦେଇଥିବା ହେୟାର ବ୍ୟାଣ୍ଡଟି ଉପରେ ହାତ ବାଜିଗଲା। ଚମକି ପଡିଲା ସେ। ଉଭୟ ସତର ବର୍ଷ ତଳେ କରିଥିବା ଶପଥକୁ ମନେ ପକାଇଲା ଜୟନ୍ତୀ। କେହି କାହା ସାଂସାରିକ ଜୀବନରେ ଦଖଲ ଦେବେ ନାହିଁ, ମନେ ପଡିଗଲା।ଏଥର ସହଜ ହେବାକୁ ଚେଷ୍ଟା କଲା ଜୟନ୍ତୀ ସୁଦର୍ଶନ କେବଳ ତା ମନର ପୁରୁଷ ନୁହନ୍ତି, ତା ସ୍ବାମୀଙ୍କର ଭଲ ବନ୍ଧୁ ମଧ୍ଯ। ଏବେ ହୁଏତ ସେମାନଙ୍କର ପାରିବାରିକ ସମ୍ପର୍କ ବଢିବ। ହେୟାର ବ୍ୟାଣ୍ଡଟି ଖୋଲି ସୁଦର୍ଶନଙ୍କ ଜାଣତରେ ପର୍ସରେ ରଖିଲା, ଆଖିର ଛୋଟିଆ ଇଙ୍ଗିତ ଆଉ କେବେ ପିନ୍ଧିବ ନାହିଁ, ଆଜୀବନ। ସୁଦର୍ଶନ ମଧ୍ଯ ବାଥରୁମ୍ ଯାଇ ଫେରିଲା ପରେ ଘଡିଟି ଖୋଲି ବ୍ଯାଗରେ ରଖିଲେ, ଆଖିରେ ପ୍ରତିଶୃତି ଆଉ କେବେ ବି ସେ ଘଡିଟି ପିନ୍ଧିବେ ନାହିଁ। ସ୍ମୃତି ଖାଲି ଘଡିରେ ନ ଥାଏ, ସ୍ମୃତି ତ ଏକ ରୂପା ଜହ୍ନ ପରି ହୃଦୟରେ ଚିର ଜାଜୁଲ୍ୟମାନ। ଭୁବନେଶ୍ବର ଷ୍ଟେସନରେ ଉଭୟ ପରିବାର ଓହ୍ଲାଇ ନିଜ ନିଜ ଗାଡିରେ ବସିଲା ବେଳକୁ ପାରିବାରିକ ବନ୍ଧୁ ପାଲଟି ଯାଇଥିଲେ ପ୍ରତିଟି ସଦସ୍ଯ।


Rate this content
Log in

Similar oriya story from Abstract