BISWESWAR MAJHI

Abstract

4.5  

BISWESWAR MAJHI

Abstract

ଭାଇ ଭାଗ

ଭାଇ ଭାଗ

4 mins
341



 ବାନାମ୍ବର ଭାବି ଚାଲିଥିଲା ଆକାଶ ପାତାଳ। ମନେ ପଡୁଥିଲା ରାବଣର ମୃତ୍ୟୁ ସମୟରେ ଶ୍ରୀରାମଙ୍କୁ କହିଥିବା କଥା, "ମୁଁ ସ୍ଵର୍ଣ୍ଣମୟୀ ଲଙ୍କାର ରାଜା, କୁମ୍ଭକର୍ଣ୍ଣ, ମେଘନାଦ, ମହୀରାବଣ ପରି ମହାବୀର ମୋ ପକ୍ଷରେ ଥାଇ ମଧ୍ଯ ଆଜିର ଅବସ୍ଥା ମୋ ଭାଇ ବିଭୀଷଣ ଯୋଗୁଁ ହେଲା। ତୁମେ ସାଧାରଣ ଯୋଗୀଟିଏ ହୋଇ, କିଛି ଭାଲୁ ମାଙ୍କଡଙ୍କୁ ସାଥୀରେ ଧରି ବିଜୟ ଲାଭକଲ କାରଣ ତୁମ ଭାଇ ଲକ୍ଷ୍ମଣ ତୁମ ସହିତ ଦୃଢ଼ ହୋଇ ଥିଲା।" ସ୍ୱୟଂ ଶ୍ରୀରାମ କହିଥିଲେ, "ବଳଂ ଭ୍ରାତୃ ବଳାନ୍ୱିତ ନାନ୍ୟ ବଳଂ।" କେଉଁଠି ତା'ର ଭୁଲ୍ ରହିଗଲା ବଡ଼ ଭାଇର କର୍ତ୍ତବ୍ଯ କରିବାରେ !


 ଅବଶ୍ଯ ସେ କେଉଁଠି ପଢ଼ିଥିଲା 'ସବୁଠାରୁ ବଡ ଶତୃ ଥାଏ ମା ପେଟରେ' ଓ ଭାଇ ହିଁ ଭଗାରି। ତଥାପି ଗ୍ରହଣ କରିବା ତା ପାଇଁ କଷ୍ଟକର ଥିଲା। ସାନ ବୋହୂ ଫୋନ୍ କରି କହିଛନ୍ତି ସେମାନେ ଆସିବେ, ତାଙ୍କ ଭାଗର ଜମିବାଡ଼ି ଓ ଘରଡିହ ସବୁ ବିକି ଦେଇ ଯିବେ। ଜମିବାଡ଼ିରୁ ତ ଆଜିକାଲି ଆୟ ନାହିଁ, କଷ୍ଟେମଷ୍ଟେ ଚଳୁଛନ୍ତି, କିନ୍ତୁ ଘରବାଡ଼ି ବିକିଲେ ବାନାମ୍ବର ପରିବାର ରହିବେ କେଉଁଠି ? ଦୁଇ ବଖରା ଘର, ମରାମତି ଅଭାବରୁ ଛାତରୁ ପାଣି ଗଳୁଛି। ସାନବୋହୂ ଅବଶ୍ଯ ଶୁଣାଇ ଦେଇଛନ୍ତି ଚାହିଁଲେ ଉପଯୁକ୍ତ ଦାମ୍ ଦେଇ ବାନାମ୍ବର ସେ ସମ୍ପତ୍ତି କିଣି ପାରିବେ। କିନ୍ତୁ ନାହିଁ ନାହିଁର ସଂସାରକୁ ବିବାହ ଯୋଗ୍ଯ ଝିଅ, ବେକାର ପୁଅ, ସେଥିରେ ଜମି କିଣିବା କଥା ଦୁଃଖରେ ବି ହସେଇବା ପରି।


 ସାନଭାଇ ବିଶ୍ବମ୍ବର ସବୁ ଜାଣି ବି ନୀରବ ରହିଲା କିପରି ? ପିଲାଦିନର ସେ ଆଦର ସୋହାଗ, ସବୁ ଭୁଲିଗଲା ! ବାପା ବୋଉ ଆଗ ପଛ ହୋଇ ଚାଲିଗଲେ, ଯେତେବେଳେ ତା ବୟସ ଚଉଦ ଓ ବିଶ୍ବମ୍ବରକୁ ଆଠ ବର୍ଷ। ନିଜେ ପାଠ ଛାଡ଼ି, ମୂଲ ମଜୁରି କରି ପାଠ ପଢ଼ାଇଲା ବିଶ୍ବମ୍ବରକୁ। ତା ସହିତ ରୋଷେଇ ବାସନ ମଜା ସବୁ, ତା ପଢ଼ାରେ ଯେପରି ବ୍ୟାଘାତ ନହୁଏ। ସେଥିରେ ବିଶ୍ବମ୍ବର ଦୁର୍ବଳିଆଟା ବୋଲି ଜ୍ୱର ବାଧକି ସବୁବେଳେ, ତା ସେବାରେ ମଜୁରି ଲାଗିବାକୁ ବି ବେଳେବେଳେ ଯାଇ ହୁଏନାହିଁ। ନିଜେ ଉପାସ ରହିଯାଏ। ବିଶ୍ବମ୍ବର କହେ, ମୋ’ ଭାଇ ମୋର ବାପା, ମାଆ, ଗୁରୁ ଭଗବାନ ସବୁକିଛି। 


ଶୁଣିଛି ଗାଆଁର ଗୁଣ୍ଡା ସରପଞ୍ଚ ସର୍ବେଶ୍ଵର ଦୁଇ ଲକ୍ଷ ଦେଇ କିଣିବ ସମ୍ପତ୍ତି। ତାପରେ ବାନାମ୍ବର ପରିବାର ଆଉ ସେ ଘରେ ନରହି ମନ୍ଦିର ଅଗଣାରେ ମୁଣ୍ଡ ଗୁଞ୍ଜିବା ବରଂ ଭଲ ହେବ। ଆଜି ସ୍ତ୍ରୀ କୁ ପଦେ କହି ପାରିଲା ନାହିଁ ବିଶ୍ବମ୍ବର, ନିଷ୍ପତ୍ତି ଉପରେ, ଏ ଘର ବିକିଦେଲେ ଭାଇ, ପିଲାଛୁଆ ରହିବେ କେଉଁଠି ?


 ଯେଉଁଦିନ ସାନବୋହୂ ଆସିବାକୁ କହିଥିଲେ ତା ପୂର୍ବ ରାତିରେ ଗାଆଁ ଶେଷ ମୁଣ୍ଡ ରମେଶ, ଯିଏ ବିଶ୍ବମ୍ବରର ପିଲାଦିନ ସାଙ୍ଗ, ଆସିଲା। ଘର ଭିତରକୁ ଡାକି ନେଇ ପଇସା ଭର୍ତ୍ତି ବ୍ୟାଗଟିଏ ବଢ଼ାଇ ଦେଲା। କହିଲା, "ଭାଇ ବିଶ୍ବମ୍ବର ଭାଗ ଜମି, ଘର ସବୁ ମୁଁ କିଣିବି, ସେ ସରପଞ୍ଚକୁ କିଣିବାକୁ ଦେବି ନାହିଁ। ହେଲେ ସାଙ୍ଗର ସମ୍ପତ୍ତି କିଣି କିପରି ଲୋକହସା ହେବି ? ସେଥିପାଇଁ ଆପଣଙ୍କ ନାମରେ କିଣି ଦିଅନ୍ତୁ। ପରେ ମୋ ନାମକୁ କରାଇ ନେବି।" ବାନାମ୍ବରକୁ କିଛି କହିବାକୁ ସୁଯୋଗ ନଦେଇ କେବଳ ରାଣ ପକାଇ ଝଡ଼ ପରି ବାହାରି ଚାଲିଗଲା। ପରିସ୍ଥିତିର ତାଡ଼ନାରେ ବାନାମ୍ବର ଇଶ୍ବରଙ୍କ ଆଶୀର୍ବାଦ ଭାବି ସକାଳକୁ ଅପେକ୍ଷା କରି ରହିଲା। 


 ସକାଳେ ବିଶ୍ବମ୍ବର ସପରିବାର ପହଞ୍ଚିଲା ଗାଆଁରେ ଓ ନିଜ ଭାଗର ଜମି ବଡ଼ ଭାଇକୁ ବିକ୍ରି କରି ଚାଲିଗଲା ଯେପରି କିଛି ବି ସମ୍ପର୍କ ନାହିଁ। ଦୁଃଖରେ ଭାଙ୍ଗି ପଡ଼ିଥିବା ବାନାମ୍ବର ପ୍ରତି ରାତିରେ ଅନିଦ୍ରା ରହି ଭାବେ କ'ଣ ତା'ର ଭୁଲ୍ ଯେ ଲକ୍ଷ୍ମଣ ପରି ସାନଭାଇ ଏପରି ବଦଳିଗଲା।


 ତିନି ମାସ ଗଲା, ଛ ମାସ ଗଲା ରମେଶର ଧରାଛୁଆଁ ନାହିଁ କି ଜମି ବାଡ଼ିର କାଗଜ ପତ୍ର ବିଷୟରେ କିଛି କହୁନି। ବାନାମ୍ବର ଝିଅ ପାଇଁ ପ୍ରସ୍ତାବ ଟିଏ ଆସିଲା। ଗୁଣର ଝିଅ ପୁଣି ସୁନ୍ଦର, ବୋହୂ କରି ନେବାକୁ ରାଜି ହୋଇଛନ୍ତି ସ୍ୱଚ୍ଛଳ ପରିବାରଟିଏ। ଯୌତୁକ ଲୋଡ଼ା ନାହିଁ ତାଙ୍କର, କେବଳ ସର୍ତ୍ତ ତାଙ୍କ ମର୍ଯ୍ୟାଦା ଅନୁସାରେ ବରଯାତ୍ରୀ ଚର୍ଚ୍ଚା। ପୁଣି ଗହଣା ଗାଣ୍ଠି କିଛି ତ କରିବାକୁ ପଡ଼ିବ। ଏତେ ପଇସା କେଉଁଠାରୁ ସଂଗ୍ରହ କରିବ ବାନାମ୍ବର ! ବାହାଘର ଭାଙ୍ଗିଯିବ ବୋଲି ଖବର ଗାଆଁ ସାରା ଖେଳିଗଲା। ସେଦିନ ସନ୍ଧ୍ୟାରେ ରମେଶ ପୁଣି ଦେଖାଦେଲା। ବାନାମ୍ବର ଭାବିଲା ବେଡ଼ି ଉପରେ କୋରଡ଼ା ପରି ଏ ପରିସ୍ଥିତିରେ ରମେଶ ଜମି କାଗଜପତ୍ର ପାଇଁ ଆସିଗଲା, ଅର୍ଥ ବେଘର ହେବା ବେଳ ଆସିଗଲା। କିନ୍ତୁ ଏ କ'ଣ, ରମେଶ ହାତରେ ପୁଣି ଟଙ୍କାର ବ୍ୟାଗ। କହିଲା ବଡ଼ଭାଇ, ଝିଅ ବାହାଘର ଭାଙ୍ଗିଯିବା ଶୁଣି ସମ୍ଭାଳି ପାରିଲି ନାହିଁ। ପଇସା ଧାର ଭାବି ରଖିଥାଅ, ସୁବିଧା ହେଲେ ଫେରାଇ ଦେବ। ବାହାଘର କାମ ବନ୍ଦ ନହେଉ। ସେ ଝିଅ କ'ଣ ମୋର ନୁହେଁ !! ବାନାମ୍ବର ମୁହଁରୁ ବାହାରି ଗଲା, "ଯିଏ ଝିଅ ଭାବି କର୍ତ୍ତବ୍ଯ କରିଥାନ୍ତା, ସେଇ ବିଶ୍ବମ୍ବର ସବୁ ଦାୟିତ୍ବ ଭୁଲିଗଲା ଆଉ ତୁ ରକ୍ତର ସମ୍ପର୍କ ନଥାଇ, ଯାହା କଲୁ, ଜୀବନରେ ଭୁଲି ପାରିବି ନାହିଁ।" ରମେଶ ତରବରରେ ଉଠି ଯାଉ ଯାଉ ପାଟିରୁ ବାହାରି ପଡ଼ିଲା, "ବିଶ୍ବମ୍ବର ଖାଣ୍ଟି ସୁନା ଭାଇ। ତା ନାଆଁରେ କିଛି କହିଲେ ମୁଁ ସହି ପାରିବି ନାହିଁ। ମତେ ଯେଉଁ ଦାନୀ କର୍ଣ୍ଣ ଭାବୁଛ, ସବୁ ପଇସା ସେଇ ବିଶ୍ବମ୍ବର ଦେଇଛି, ଆଉ ମତେ ରାଣ ପକାଇ ନାଆଁ ନକହିବାକୁ କହିଛି। ତା ନିନ୍ଦା ସହି ପାରିଲି ନାହିଁ, ତା ଦ୍ରୋହି ହୋଇ ସତ କଥା କହିଦେଲି। ସେତିକି ନୁହେଁ ବିଶ୍ବମ୍ବର କହିଛି, ତୁମ ପୁଅ ପାଇଁ ବ୍ୟବସାୟ କରିବାକୁ ସବୁ ବ୍ୟବସ୍ଥା କରି ସାରିଲାଣି। ଝିଅ ବାହାଘର ପରେ ପୁଅର ନୂଆ ବ୍ୟବସାୟ ଆରମ୍ଭ କରେଇ ଦେବ। କେବଳ ଅନୁରୋଧ, ରାଣ ରହିଲା ଏ କଥା ଯେପରି ପ୍ରଘଟ ନହୁଏ କାରଣ ତାଙ୍କ ପରିବାରେ ଝଡ଼ ଉଠିବ।"


 ବାନାମ୍ବର ମୂକ ପାଲଟି ଯିବ କି ଆଉ ! ଈଶ୍ବର ଏପରି ଖେଳ କାହିଁକି ଖେଳିଲେ ତା ସହିତ ! ତା ସାନ ଭାଇ ବିଶ୍ବମ୍ବର ତା ଆଖିରେ ବଡ଼ ଦେଖା ଯାଉଥିଲା, ଠିକ୍ ରାମ ଲକ୍ଷ୍ମଣ ରୂପ ବଦଳି କୃଷ୍ଣ ବଳରାମ ରୂପ ନେଲାପରି। ଭାବୁଥିଲା ସେଇ ପୁରୁଣା କଥା:-

 କ୍ଷୀର ଖାଇବାକୁ ମନ ଘରେ ଥିବ ଗାଇ

 ଲଢ଼େଇକୁ ବାହାରିବ ସଙ୍ଗେ ଥିବ ଭାଇ।


 ରମେଶ ଚାଲିଗଲାଣି କେତେବେଳୁ, ବାନାମ୍ବର ସେଇଠି କାଠ ପରି ବସିଛି ଯେ ବସିଛି। ନିଜକୁ ଧିକ୍କାର କରି ପାରୁନି କି କୃତାର୍ଥ ବି ହୋଇ ପାରୁନି। ସ୍ତ୍ରୀଙ୍କ ଡାକରେ ଚମକି ପଡ଼ିଲା ବାନାମ୍ବର।




Rate this content
Log in

Similar oriya story from Abstract