STORYMIRROR

BISWESWAR MAJHI

Inspirational

3  

BISWESWAR MAJHI

Inspirational

ସେରକ ପୁରିଲା ମାଣକ ପୁରିଲା

ସେରକ ପୁରିଲା ମାଣକ ପୁରିଲା

2 mins
228

ମନମୋହନ ବାବୁଙ୍କ ପରିବାର କହିଲେ ବାପା, ମା, ପୁଅ ଏବଂ ଝିଅ। ପୁଅ ଝିଅ ସୁଦୂର ଆମେରିକା ରେ ଅବସ୍ଥାପିତ । ସୁରୁଖୁରରେ ସନ୍ତାନଙ୍କ ଦାୟିତ୍ୱ ସାରି ସଫଳ ଜୀବନ ଅତିବାହିତ କରୁଥାଆନ୍ତି ପ୍ରୌଢ ପିତାମାତା । ଯେଉଁ ଦିନ ପୁଅ ଝିଅ ଆମେରିକାର ସାନ ଯୋଶେ ଓ ସାନଫ୍ରାନସିସକୋ ଭଳି ସହରରେ ଭଲ ଚାକିରି ପାଇଲେ ଗର୍ବରେ ଫାଟି ପଡିଥିଲେ ଅବସର ପ୍ରାପ୍ତ ଓଡିଶା ପ୍ରଶାସନିକ ସେବା ଅଧିକାରୀ ମନମୋହନ ବାବୁ। ଖବର କାଗଜରେ ଫଟୋ ଛପାଇ ଥିଲେ, ବନ୍ଧୁ ବର୍ଗଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ତାଙ୍କ ପତ୍ନୀ ସରଳା ଦେବୀ ଏକ ସତ୍ୟନାରାୟଣ ପୂଜାର ଆୟୋଜନ କରି ରାଜଧାନୀର ସମ୍ଭ୍ରାନ୍ତ ଅଞ୍ଚଳ ଚନ୍ଦ୍ରମା ଆପାର୍ଟମେଣ୍ଟର ସମସ୍ତ ପଡୋଶୀଙ୍କୁ ନିମନ୍ତ୍ରଣ କରିଥିଲେ। ଠାକୁରଙ୍କୁ କୃତଜ୍ଞତା ଜଣାଇବା ଛଡା ପଡୋଶୀଙ୍କୁ ଜଣାଇ ଦେବା ଥିଲା ଅନ୍ୟ ପ୍ରଛନ୍ନ ଉଦ୍ଦେଶ୍ୟ ପୂଜା ଆୟୋଜନର।

ପିଲାମାନେ ସବୁଦିନେ ଭିଡିଓ କଲ୍ କରି କଥା ହୁଅନ୍ତି। ଧିରେ ଧିରେ ସେମାନଙ୍କ ବ୍ୟସ୍ତତା ବଢିଲା । ମାସ ପୁରିଲେ ଡଲାର୍ ପଠାଇବାକୁ ପିଲାମାନେ ଇଛା କରନ୍ତି। କିନ୍ତୁ ମନମୋହନ ପେନସନ ଓ ଗଛିତ ଅର୍ଥ ତାଙ୍କ ଦୁଇ ଜଣଙ୍କ ପାଇଁ ଯଥେଷ୍ଟ। ତେଣୁ ମନା କରି ଦିଅନ୍ତି। ବିକଶିତ ଦେଶ ମାନଙ୍କରେ ସୁଧ ପ୍ରାୟ ମିଳେନାହିଁ, ତେଣୁ ପିଲାମାନେ ବାଧ୍ୟ କରି ପ୍ରତି ମାସରେ ପଠାଇ ଦିଅନ୍ତି କିଛି ଡଲାର୍ ।

ବଞ୍ଚିବା ପାଇଁ ଅର୍ଥ ଆବଶ୍ୟକ କିନ୍ତୁ ଅର୍ଥ ସୁରକ୍ଷା ଦିଏ ନାହିଁ, ବେଶି ଅସୁରକ୍ଷିତ କରେ। ବୃଦ୍ଧ ବୟସରେ ସାହାରା କହିଲେ କାର୍ ର ଚାଳକ ଓ ବାଇ । ଧୀରେ ଧୀରେ ବୟସ ବଢ଼ି ଚାଲିଲା । ରୋଗ ଶରୀରକୁ ଗ୍ରାସ କରିବାରେ ଲାଗିଲା । ପ୍ରଥମେ ସ୍ଵାମୀଙ୍କୁ ପାରାଲିଶିସ୍, ପରେ ପରେ ସ୍ତ୍ରୀ ଙ୍କୁ ଯକୃତ ରୋଗ । ଦୁଇ ବର୍ଷ କାଳ ଡାଇ ଲିଶିସ୍ ହେଲା, ଅନେକ କଷ୍ଟ ତା ସଙ୍ଗେ ପୁଣି ଏକାନ୍ତ ଜୀବନ ଫ୍ଲାଟ୍ ଘରେ । ଗାଆଁ ସହିତ ସମ୍ପର୍କ କାଟିଛନ୍ତି ଅନେକ ବର୍ଷ ତଳୁ, ନିଜକୁ ଓ ନିଜ ସନ୍ତାନଙ୍କୁ ଉନ୍ନତିର ଚରମ ସୋପାନରେ ଦେଖିବେ ବୋଲି। କୌଣସି ସମ୍ପର୍କୀୟଙ୍କ ସହ ଯିବା ଆସିବା ସମ୍ପର୍କ ନାହିଁ ।

 ପ୍ରତିଥର ଭଳି ସ୍ଵାମୀ ଅପେକ୍ଷା କରିଥାନ୍ତି ସ୍ତ୍ରୀଙ୍କ ହସ୍ପିଟାଲ୍ ରୁ ଫେରିବା ବାଟକୁ, କାରଣ ସପ୍ତାହରେ ଦୁଇଥର ସରଳା ଯାଆନ୍ତି ଡାଇଲିସିସ୍ ପାଇଁ ଡ୍ରାଇଭର୍ ସହ। କିନ୍ତୁ ବିଧିର ବିଧାନ ଅନ୍ୟ କିଛି ଥିଲା। ଡାଇଲିଶିସ୍ ସମୟରେ ହିଁ ତାଙ୍କ ପ୍ରାଣ ବାୟୁ ଉଡିଗଲା । "ମୁଁ ଯାଉଛି ପିଲେ।"ଏହି ଥିଲା ମା ର ପୁଅ ଝିଅଙ୍କୁ ଭିଡିଓ କଲ୍ ରେ ଶେଷ ବାର୍ତ୍ତା ।

କିଏ କହିବ ବିଛଣାରୁ ଉଠି ପରୁନଥିବା ସ୍ବାମୀଙ୍କୁ ଯେ ଆଉ ତାଙ୍କ ପ୍ରିୟେ ଫେରିବେନି । ପୁଅ ଝିଅ ମୃତ୍ୟୁ ଖବର ପାଇ ଆମେରିକାରୁ ଆସୁ ଆସୁ ପଚାଶ ଘଣ୍ଟା ଅତିବାହିତ ହୋଇସାରିଥିଲା । ଡ୍ରାଇଭର ପ୍ରଚେଷ୍ଟାରେ ତଥା ପଡୋଶୀ ମାନଙ୍କ ସହଯୋଗରେ ଶବକୁ ହସ୍ପିଟାଲ୍ ରୁ ଫ୍ଲାଟ୍ କୁ ଆଣି ଅନ୍ତିମ ବିଦାୟ ର ପ୍ରସ୍ତୁତି ଚାଲିଥାଏ । ଶେଷ ଦର୍ଶନ ପାଇଁ ହୁଇଲ ଚେଆର୍ ରେ ଅଣାହେଲେ ବୃଦ୍ଧ ସ୍ଵାମୀ ଆପାର୍ଟମେଣ୍ଟର ବେସମେଣ୍ଟ ଏରିଆକୁ । ସେ ବୁଝି ପାରୁ ନ ଥାନ୍ତି ଯେ କଣ ସବୁ ହେଉଛି । ପଡୋଶୀ ପାର୍କର ଗଛ ଡାଳରୁ ପକ୍ଷୀଟିଏ ଅବିରତ ରାବ ଦେଉଥିଲା। ସତେବା ସେ କହୁଥିଲା "ସେରକ ପୁରିଲା ମାଣକ ପୁରିଲା.......।"

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational