BISWESWAR MAJHI

Inspirational

4.7  

BISWESWAR MAJHI

Inspirational

ପ୍ରତ୍ୟକ୍ଷ ଇଶ୍ବର

ପ୍ରତ୍ୟକ୍ଷ ଇଶ୍ବର

4 mins
191


ବୋଉ ସଂସାରରୁ ବିଦାୟ ନେବା ଅଠର ଡିସେମ୍ବର ୨୦୧୭, ବର୍ଷ ପରେ ବର୍ଷ ଗଡି ଚାଲିଛି, ବାପାଙ୍କୁ ଉତ୍ତର ନବେ । ବୋଉ ଫଟୋଟି ଦେଖିଦେଲେ ଶକ୍ତି ଭରିଲା ଭଳି ଲାଗେ ସେ ଅଫୁରନ୍ତ ହସରୁ । ସ୍ମୃତି ସବୁ ଧାଡି ବାନ୍ଧି ସାମନାରେ ଛିଡା ହୁଅନ୍ତି । ଭଗବାନଙ୍କୁ କେହି ଦେଖି ନାହିଁ, ତଥାପି ପୂଜା ମଣିଷ କରେ, ଆଶାରେ ଯେ ସର୍ବଶକ୍ତିମାନ କିଛି ଦେବେ । ହେଲେ ଭଗବାନଙ୍କ ଠାରୁ ଉପରେ ଆଉ ଦୁଇଜଣ, ଭୁଲି ଯାଆନ୍ତି କିପରି ? ଭଗବାନ ସର୍ବଶକ୍ତିମାନ, କିନ୍ତୁ ପଂଗୁ ମାଆବାପା ମାନେ ଗିରି ଲଙ୍ଘନ୍ତି, ନିଜ ପାଇଁ ନୁହେଁ, ସନ୍ତାନ ପାଇଁ, କେଉଁଠୁ ଆସେ ସେ ଶକ୍ତି ??

ଶୁଣିଛି ଜନ୍ମ ହୋଇ କେଇ ଦିନର ହୋଇଥାଏ, ନିମୋନିଆ ଆକ୍ରାନ୍ତ ହେଲି । ରାତି ପାହିଲା ବେଳକୁ କାନ୍ଧରେ ମତେ ପକେଇ, ଚାଲି ଚାଲି କଟକ ଆସିଥିଲେ ଡାକ୍ତର ଦେଖେଇବାକୁ। ବଡ ପରିବାର, ନାହିଁ ନାହିଁ ର ସଂସାରକୁ ଠେଲି ପେଲି କିପରି ଚଳାଉଥିଲେ, ଚିନ୍ତା ବି କରି ହୁଏନା । ତା ସାଥିରେ ଛୋଟ ଘର ଖଣ୍ଡେ ଆଉ ଭୁସମ୍ପତ୍ତି କିଛି ଅର୍ଜନ । ନିଜେ ଚାଳିଶ ବର୍ଷ ସାଇକେଲ ଚଲାଇ କଟକ ଯାଆନ୍ତି, ଅଥଚ ମୋ ଚାକିରି ବର୍ଷେ ନପୁରୁଣୁ ଲୁନାଟିଏ କିଣିଦେଲେ ବାପା, ପୁଅ ତାଙ୍କର ଦୁର୍ବଳିଆ ବୋଲି ।

ହାଇସ୍କୁଲ ପାଂଚ ମାଇଲ ଦୂର, ଚାଲି ଚାଲି ଯାଏ । ଫେରିବା ବେଳକୁ ଅନ୍ଧାର ହୋଇଯାଏ ଯଦି, ବୋଉ ଲଂଠନଟିଏ ଧରି ବାବରେ ବାବରେ ଡାକି ଡାକି ରାସ୍ତାକୁ ଚାଲିଥିବ । ଗୋଟିଏ ବର୍ଷ ଖରାଦିନେ ଆମ ଅଂଚଳରେ ଚାଉଳ ମିଳିଲା ନାହିଁ, କିଲେ ଚାଉଳକୁ ବାଣ୍ଟି ପରିବାର ଖାଉ । ଖାଇଲା ବେଳକୁ ମୋ ଆଣ୍ଠୁ ଦିଇଟା ଥରିକି ଡିଏଁ, ଦୁର୍ବଳତାରୁ । ବୋଉ ତା ଭାତକୁ ମୋ ଆଡକୁ ପେଲି ଦେଇ ନିଜେ ପେଜ ପିଇ ରହିଯାଏ । ସବୁଦିନ ସମସ୍ତେ ଖାଇ ସାରଲା ପରେ ତରକାରି ଅଭାବ, ବୋଉ ଶୁଖିଲା କେମିତି ଖାଇଦିଏ ଯେ !! 

ସକାଳୁ ଦାନ୍ତ ଘସିଲା ବେଳକୁ ବୋଉ କହିବ "ପାଟି ଆଁ କର", ଯଦି ପାଉଁଶରେ ଘସି ଦାନ୍ତ ସଫା ହୋଇନାହିଁ, ଠୋକିନା ଚଟକଣି ଟିଏ ଉପହାର ମିଳେ ।ସାହିରେ ବୁଲି ଆସିଲେ, ଅମୁକ ପାଟରା, ସମୁକ ତେଲି ଶୁଣିକି ଆସୁ । ଘରେ ଯଦି ପାଟିରୁ ବାହାରି ଗଲା, ସମ ଉପହାର ଭବିତବ୍ୟ । ମାମୁଁ ଦାଦା କି ମଉସା ବୋଲି କହିବାକୁ ପଡିବ । ଅପାଠୋଇ ବୋଉ ଛୋଟ ଛୋଟ ଗପ କାହାଣୀ କହେ, ପ୍ରେରଣା ଦାୟୀ ଆଉ କହେ "ବାବୁରେ ପଢିଲେ ଜାଣିବୁ ।" ଗୋଟାଏ ଉତାଣି ଛୁଆକୁ କାନ୍ଧରେ ଆଉ ଗୋଟାକୁ କୋଳରେ ପୁରାଇ କଟା ବଟା ରୋଷେଇ ସବୁ କରେ, କିନ୍ତୁ ଷ୍ଟଡି ଆୱାରରେ ଆମେ ପଢିଲୁକି ନାହିଁ, ନଜରଟିଏ ଥିବ । 

କୁହନ୍ତି ଉଚ୍ଚାରଣ ସହିତ ଆଚରଣ ମିଶିଲେ ହିଁ ସନ୍ତାନ ମାନେ ଉଚିତ୍ ଶିକ୍ଷା ପାଆନ୍ତି । ବାପାବୋଉ ଉଭୟଙ୍କ ଜୀବନି ଏପରି ପ୍ରେରଣା ଦାୟୀ ଯେ, କିଛି ସେମାନଙ୍କୁ ଉପଦେଶ ଦେବାକୁ ପଡେନାହିଁ । ପରୋପକାର, ସମାଜସେବା ଅନୁଷ୍ଠାନ ଗଢିବାର ନିଶା ନ୍ୟାୟ ମୀମାଂସାରେ ନିଷ୍ପକ୍ଷତା ଆଦି ସହଜାତ ଗୁଣ ବାପାଙ୍କୁ ଏକ ସମ୍ମାନିତ ବ୍ୟକ୍ତିତ୍ୱ କରେ । ଚାକିରିଟିଏ କଲା ପରେ ଗାଆଁ ରେ ପାଠାଗାର, ଡ୍ରାମାଟିକ କ୍ଲବ୍, ଅଷ୍ଟ ପ୍ରହରୀ ଇତ୍ୟାଦିରେ ଅଗ୍ରଣୀ ଭୂମିକା ନେଇଥିଲେ ବାପା । ଗାଆଁର ଅନ୍ୟ ମାନଙ୍କୁ ଚାକିରି ଦେବାରେ ସହଯୋଗ କରି ମାସ ମାସ ନିଜ ସାଇକେଲରେ ବସାଇ ନେଇ ଯାଆନ୍ତି । ସେମାନଙ୍କ ପରିବାର ଆଜି ପ୍ରତିଷ୍ଠିତ। ଗାଆଁରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଟିଏ ଥିଲା । ମଧ୍ୟ ଇଂରାଜୀ ସ୍କୁଲ ଉଦ୍ୟମ କରି ଗଛ କାଟିବାକୁ ଜଂଗଲକୁ ଯାଇଥିଲେ, ଧରାହୋଇ ଥାନାରେ ବସିଲେ । ଗାଆଁର ଘରେ ଘରେ ପାଛିଆ ଗୋଟେ ଗୋଟେ ବସାଇ ଥାଆନ୍ତି, ମାସକ ପରେ ବୁଲି ବୁଲି ସଂଚିତ ଖୁଚୁରା ପଇସା ସଂଗ୍ରହ କରି ଆଣନ୍ତି ସେ ପାଛିଆରୁ, ଶିକ୍ଷକ ମାନଙ୍କ ଦରମା ପାଇଁ । ଗାଆଁରେ କିଏ ବାହା ହୋଇ ପାରୁନାହିଁ, ସହଯୋଗର ହାତଟିଏ ବଢାଇ ଦିଅନ୍ତି ବାପା । ଘରୁ ଧାନ ଗଣ୍ଡେ ଟଂକା କିଛି ସାହାଯ୍ୟ କରନ୍ତି, ଦୋକାନରେ ବାକି ପାଇଁ ଜିମା ନିଅନ୍ତି ।

ବୋଉ ଗାଆଁ ର ଝିଅ, ତେଣୁ ବାପା ମାନଙ୍କର ନାନି, ତାଙ୍କ ପୁଅ ଝିଅଙ୍କର ବି ପିଉସୀ ନାନି, ଅତି ଆଦରର ରମାନାନି । ଦିପହରରୁ ସଂଧ୍ୟା ପର୍ଯ୍ୟନ୍ତ ଦାଣ୍ଡରେ ଝିଆରି ମାନଙ୍କର ମେଳା ବସେ । କାହା ମୁଣ୍ଡ କୁଣ୍ଡା ହେବ, କାହାର ନାକ କି କାନ ଫୋଡା ହେବ, କାହାର ଘାଆ ବଥ ଚିପା ହେବ, ସେଇ ରମାନାନି । ବାହାଘରରେ ଝିଅ ବିଦା ବେଳକୁ, ସବାରିରେ ବସିବାକୁ ଯିବେ ନାହିଁ, ରମାନାନି ଥିଲେ ଚିନ୍ତା ନାହିଁ, ଜବରଦସ୍ତି ବସାଇ ଦେବ । 

ବାରବର୍ଷର ହୋଇଥିଲା, ବୋଉ ଏକା କିଶୋରନଗର ହାଟରୁ ଲୁଣ ଧରି ଫେରୁଥିଲା, କାଇଜଂଗମାଳ ଜଂଗଲ ମଝିରେ ହେଟାବାଘଟିଏ ଡେଇଁଲା ଠିକ୍ ମୁଣ୍ଡ ପାଖ ଦେଇ । ନିର୍ଭିକତା ହେତୁ ବିଷଧର ସାପକୁ ବି ଡରେନାହିଁ । ଘରର ଛାତ କାମ ପାଇଁ, ଡଂଗାରେ କାତ ମାରି ମହାନଦୀ ଆରପାରିରୁ ଗୋଡି ସଂଗ୍ରହ କରିଥିଲା । ବନ୍ଧୁ ବାନ୍ଧବଙ୍କ ବାହା ନିମିତ୍ତରେ ହଣ୍ଡା ଉଠେଇବା ପର୍ଯ୍ୟନ୍ତ ଅନାୟସରେ କରିପାରେ ବୋଉ । ଅନ୍ୟ ମାନଙ୍କୁ ସାହସ ପ୍ରେରଣା ଯୋଗାଇବା ତା ପାଇଁ ସହଜାତ ଗୁଣଟିଏ ଥିଲା ।

ଘରକୁ କେହି ଆସିଲେ ଖାଲି ହାତରେ ଫେରନ୍ତି ନାହିଁ, ଚା କପେ ହେଉ, ଜଳଖିଆ ଟିକେ ହେଉ । ଘରକୁ କୁଣିଆ ହଠାତ୍ ପହଂଚି ଗଲେ, କେତେବେଳେ ବୋଉ କିଛି ନହେଲେ ସୁଜି ହାଲୁଆ ଟିକେ ତିଆରି କରି ଦିଏ ଯେ ସବୁ ବନ୍ଧୁ ବାନ୍ଧବଙ୍କ ଅଫୁରନ୍ତ ପ୍ରଶଂସା । ପୁଅ ବାହା ହୋଇ ଘରକୁ ବୋହୁ ଆସିଲେ । କାହାକୁ ଅପେକ୍ଷା ନଥାଏ ରୋଷେଇ ତା ସମୟରେ ବୋଉ କରିଦେବ । କହିବ "ମୋ ପିଲାମାନେ ଖାଇବେ ଅପେକ୍ଷା କରିବି କାହାକୁ ?" ବୋଉର ଦୃଷ୍ଟି ଶକ୍ତି ବାଧକ ହେବା ଯାଏ ପରିବା କଟା ଶାଗବଛା ଆଦି ସହଯୋଗ ବଜାୟ ରଖିଥାଏ । ଏପରି ନିରଳସ ପରୋପକାରୀ ସ୍ନେହର ମୂର୍ତ୍ତି ପ୍ରେରଣା ଦାୟୀ ହେବନାହିଁ ତ ଆଉ କିଏ ହେବ ? ବୁଲା ବିକାଳି ହୁଅନ୍ତୁ କି ଭିକାରୀ, ଭାରି ଆଦର, କୁହନ୍ତି ମା ତୋ ହାତରୁ ଗଣ୍ଡେ ଖାଇବାକୁ ଇଛା । ଜଣେ ଦୁର ଗାଆଁ ର କଂସାବାସନ ବେପାରୀ ବୋଉ ଆଶ୍ରାରେ ଆମ ଘରେ ରହି ଯାଆନ୍ତି, ଝିଅ ଭଳି ଭଲ ପାଆନ୍ତି ।

ଈଶ୍ବରଙ୍କ ଇଛା ଭିନ୍ନ ଥିଲା ବୋଧେ, ଉତ୍ତର ଅଶିତି ବର୍ଷରେ ବୋଉ ହେଲା ଶଯ୍ୟାଶାୟୀ । ଠିକ୍ ତିନି ବର୍ଷ ପରେ ସ୍ୱର୍ଗ ପ୍ରାପ୍ତି । ଏକାଦଶ ଦୀପ ହାଣ୍ଡିରେ ଓଁକାର ଚିହ୍ନ ଦେଖି ବିଶ୍ୱାସ ହେଲା ତିନି ବର୍ଷର ପୀଡନ ପରେ ମୋକ୍ଷ ପ୍ରାପ୍ତି ହେଲାକି ଆତ୍ମା !! ବାପା ଉତ୍ତର ନବେରେ କର୍ମଠ, ଆମ ପାଇଁ ଆଦର୍ଶ । କୌଣସି ଖାଦ୍ୟ ଏତେ ପ୍ରିୟ ନୁହେଁ ଯେ ମନ ଭରି ପେଟେ ଖାଇଯିବେ ବାପା । ତେଣୁ ଅଖାଦ୍ଯ ଜନିତ ରୋଗ ନାହିଁ । ଈଶ୍ବର କରନ୍ତୁ ତାଙ୍କ ଆଦର୍ଶ ଆମକୁ ଅନୁପ୍ରାଣିତ କରୁ ଏକ ଉଚ୍ଚ ମାନର ଜୀବନ ଧାରଣ ପାଇଁ ।



Rate this content
Log in

Similar oriya story from Inspirational