ଲେଖନୀରୁ ପ୍ରେରଣା
ଲେଖନୀରୁ ପ୍ରେରଣା


ପିଲା ଦିନରୁ ଗଳ୍ପ ପଢ଼ିବାର ଝୁଂକ ନିଆରା l ଗୋଟିଏ ଗଳ୍ପ କି ଉପନ୍ୟାସ ବହି ମିଳିଗଲେ ଗୋଟିଏ କି ଦୁଇଟା ସିଟିଂରେ ସାରିବାକୁ ଚେଷ୍ଟା କରେ l ଲେଖିବାକୁ ଚେଷ୍ଟା କରି ଅସଫଳ ହେଲି, କାରଣ ଲେଖାର ପରିପାଟୀ ମନକୁ ଯାଏନାହିଁ l ପ୍ରବନ୍ଧ ବା ପୁସ୍ତକ ଆଲୋଚନା ଆତ୍ମ ସନ୍ତୋଷ ଦେଉଥିଲା କିନ୍ତୁ ମୁଦ୍ରିତ ରୂପ ଦେଖିବା ସମ୍ଭବ ହେଲାନାହିଁ l ଯେଉଁ ସମ୍ବାଦପତ୍ରକୁ ଡାକ ଯୋଗେ ପଠାଏ ଛପା ହୁଏନାହିଁ l ଜାଣେ ଧରାଧରି ନଥିଲେ ଛପା ହେବ ନାହିଁ l ନୂଆ ଚାକିରୀର ତାଡନା ବି ବାଧକ ହେଲା, ତେଣୁ ଲେଖାଲେଖିରେ ପ୍ରାୟତଃ ଡୋରୀ ବନ୍ଧାହେଲା l
କାଁ ଭାଁ କବିତା ବିଶେଷ କରି ଜଣାଣଟିଏ ଲେଖିବାକୁ ଚେଷ୍ଟା କରେ l ବଦଳି ଚାକିରୀରେ ପହଂଚିଲି ଉଦଳା ଭାରତୀୟ ଷ୍ଟେଟ୍ ବ୍ୟାଂକ୍ ଶାଖାର ମୁଖ୍ୟ ପରିଚାଳକ ଭାବେ ୨୦୧୨ରେ l ସଭା ସମିତିରେ ଡାକରା ମିଳେ l 'ମହାବାହୁ' ମାଗାଜିନ୍ ପାଇଁ ଜଣାଣଟିଏ ଦେଲି l ଆତ୍ମ ତୃପ୍ତି ମିଳିଲା l ଜଗନ୍ନାଥାଷ୍ଟକର ଛାୟାନୁବାଦ ଲେଖି ପଠାଇଲି "ଉତ୍କଳ ପ୍ରସଂଗ" ନବକଳେବର ସଂଖ୍ୟା ପାଇଁ l ସାଂଗଟିଏ ଜନ ସଂପର୍କ ବିଭାଗରେ ଥିବାରୁ, ଲେଲିନ୍ ମହାନ୍ତିଂକୁ ପ୍ରଭାବିତ କରି କୋଡିଏଟି ପଦରୁ ମାତ୍ର ଛଅଟି ପଦ ପ୍ରକାଶିତ ହୋଇ ପାରିଲା l ଉଦଳାରେ ଚହଳ ପଡିଗଲା ମୁ ବଡ଼ କବିଟିଏ l ସମଗ୍ର ଜଲ୍ଲାରୁ ମୋରି ଲେଖା ପ୍ରକାଶିତ ହୋଇଛି, କହୁଥାନ୍ତି ନିଜେ ଉପଖଣ୍ଡ ଲୋକ ସଂପର୍କ ଅଧିକାରୀ l ସଭାସମିତିରେ ସ୍ୱଳ୍ପ ଉପାଦେୟ ଭାଷଣ ପାଇଁ ପ୍ରଶଂସା ସାଉଁଟିବା ମୋ ଭିତରେ ଆଗ୍ରହ ବଢ଼ାଉ ଥାଏ l
ଅକାଳରେ ସ୍ୱର୍ଗବାସୀ ଯୁବ ସାହିତ୍ୟ ସଂଯୋଜକ ପ୍ରଶାନ୍ତ ବେହେରା ଓ ଅନ୍ୟମାନେ ଲେଖା ମାଗିନେଇ ଉଦଳା, ବାରିପଦା ଓ ବାଲେଶ୍ୱରରେ ପ୍ରକାଶିତ ବିଭିନ୍ନ ମାଗାଜିନରେ ଲେଖା ଛାପି ଉତ୍ସାହ ବର୍ଦ୍ଧନ କରୁଥାନ୍ତି l ଯେଉଁଦିନ ହଠାତ୍ ବଦଳି ଆଦେଶ ମିଳିଲା ବିଜୁଳି ବେଗରେ ଖବର ପ୍ରଚାର ହୋଇଗଲା ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଦେଖା କରିବାକୁ ଆସିଲେ । ସେହି ସନ୍ଧ୍ୟାରେ ପାଞ୍ଚଟି ସାହିତ୍ୟ ଅନୁଷ୍ଠାନ ତଥା ଉପଖଣ୍ଡ ସୂଚନା ଅଧିକାରୀ(ADPRO) ନିଜେ ଏକ ଭବ୍ୟ ବିଦାୟ ସଭାର ଆୟୋଜନ କରି ବିଶେଷ ମାନପତ୍ର ଦ୍ଵାରା ସମ୍ମାନିତ କଲେ। ମୋ ଜୀବନର ଶ୍ରେଷ୍ଠ ଅନୁଭୂତି ମଧ୍ୟରୁ ତାହା ଗୋଟିଏ।
ବଦଳି ହେଲା ଯାଜପୁର ରୋଡ୍ l ପରିଚିତ ହେଲେ କଳିଂଗ ନଗର ବୁଲେଟିନର ସଂପାଦକ ଶ୍ରୀମାନ୍ ହାରାଧନ ବାନାର୍ଜୀ l ତାଂକୁ ହ୍ୱାଟସାପ୍ ରେ ଲେଖାମାନ ପଠାଇ ଦିଏ, ସେ ପ୍ରାୟ ସବୁ ମାସରେ ଲେଖାଟିଏ ଛାପି ଦିଅନ୍ତି l ପର ବର୍ଷ ତାଂକ ବାର୍ଷିକ ଉତ୍ସବରେ ମୋତେ ଶ୍ରେଷ୍ଠ ସାହିତ୍ୟିକ ସମ୍ମାନରେ ସମ୍ମାନିତ କରିଥିଲେ। ଅପ୍ରତ୍ୟାଶିତ ଥିଲେ ମଧ୍ୟ ମୋ ପାଇଁ ଏହା ବିଶେଷ ପ୍ରୋତ୍ସାହନ ପ୍ରଦାନକାରୀ ଥିଲା।
ଏହା ପୂର୍ବରୁ ମୋର ଜଣେ ହିତାକାଂକ୍ଷୀ ଶାଳକଂକ ପରାମର୍ଶରେ "ଆମେ ଓଡିଆ" ନାମକ ଏକ ସାହିତ୍ୟ ପରିବାରରେ ଲେଖା ପୋଷ୍ଟ କରୁଥିଲି । ପଲ୍ଲବିନୀ ମାଡମ୍ "ଖୋକାଭାଇ ତୁମେ ଧୋକା ଦେଲ" କବିତା ପଢି ଯୋଗାଯୋଗ କଲେ "ଷ୍ଟୋରୀ ମିରର୍" ପାଇଁ। ଏହି ଠାରୁ ହିଁ ନାଟକୀୟ ମୋଡ ଆସିଲା ସାହିତ୍ୟ ସାଧନାରେ । ଅନ୍ୟାନ୍ୟ ସାହିତ୍ୟ ପରିବାରର କାରପଟଦାର ମାନେ ତାଂକ ପରିବାରରେ ଯୋଡିଲେ। କବିତା ଲେଖାର ଝୁଂକ୍ ବଢିଲା । ଗଳ୍ପବି ଅଳ୍ପ ଅଳ୍ପ ଲେଖାହେଲା।
ସାହିତ୍ୟର ସ୍ୱୀକୃତି ସ୍ୱରୂପ "ଷ୍ଟୋରୀ ମିରର୍" writer of the year ପାଇଁ ମନୋନୀତ ହେଲି ଏବଂ ବାର୍ଷିକ ଉତ୍ସବରେ ସମ୍ବର୍ଦ୍ଧିତ ହେଲି। ସାପ୍ତାହିକ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛି କେତେଥର । ବାଉନ ସପ୍ତାହ ଲେଖନ ପ୍ରତିଯୋଗୀତାରେ ଭାଗ ନେଇ Literary Brigadier ପଦବୀ ମଣ୍ଡନ କରିବାର ସୌଭାଗ୍ୟ ପ୍ରାପ୍ତ ହୋଇଛି ।
ବହି ଛାପିବାକୁ ଅନେକ ପରାମର୍ଶ ଏଡାଇ ଯାଇଛି । ପଲ୍ଲବିନୀ ମଧ୍ୟ ଯୋଗାଯୋଗ କରିଛନ୍ତି ପୁସ୍ତକ ପ୍ରକାଶନ ପାଇଁ ବା ଇ-ପୁସ୍ତକ ପାଇଁ। କିନ୍ତୁ ଚାକିରୀ ଜୀବନରେ ପୂର୍ଣ ସମୟ ସାହିତ୍ୟିକ ହେବା କଷ୍ଟସାଧ୍ୟ। ଇ-ପରିବାରରେ ଅନ୍ୟ ମାନଂକ ଲେଖାରେ ମତାମତ ଦେଇ ଉତ୍ସାହିତ କରିବା ଦ୍ବାରା ବନ୍ଧୁତ୍ୱର ଡୋର ମଜବୁତ୍ ହୋଇଛି। ପରାମର୍ଶ ଦେଇ ଇଛା ବିରୁଦ୍ଧରେ ଶତୃ ବି ସୃଷ୍ଟି ହୋଇଛନ୍ତି। କିନ୍ତୁ ସାହିତ୍ୟିକ ଜୀବନରେ ପୂର୍ଣତା ଆସିଛି, ବଡ ସାହିତ୍ୟିକ ଭାବରେ ନହେଲେ ମଧ୍ୟ ପାଠକଂକ ପ୍ରିୟ ସାହିତ୍ୟିକ ଭାବରେ । ଫୋନ୍ କରି ଅପରିଚିତ ମାନେ ଯେତେବେଳେ ଲେଖାକୁ ଭଲ ପାଇବା ପ୍ରକାଶ କରିଛନ୍ତି, ମନ ପ୍ରାଣ ପୁରି ଉଠିଛି। ବାମ ହାତରେ ଯନ୍ତ୍ରଣା ସତ୍ୱେ ରାତି ଦିନ ସମୟ ମିଳିବା ମାତ୍ରେ ଲେଖିବା ନିଶା ଜୋର ଧରିଛି। ପତ୍ନୀଙ୍କ ସପ୍ରେମ ବିରୋଧ ସତ୍ତ୍ଵେ ତାଂକ ଅବଦାନ ଅନସ୍ୱୀକାର୍ଯ୍ୟ । ମୋ ଲେଖାର ସେ ଜଣେ ସମାଲୋଚକ ମଧ୍ୟ। ପ୍ରେରଣା ଦାତା ମାନଂକ ମଧ୍ୟରେ ପଲ୍ଲବିନୀ ଆଚାର୍ଯ୍ୟଙ୍କ ଭୂମିକା ବିଶେଷ। ଥରେ ତାଂକୁ ଫୋନ୍ କରି କୃତଜ୍ଞତା ପ୍ରକାଶ କରିଛି ।
ପ୍ରିୟ କଲାମଂକ ଅକାଳ ମୃତ୍ୟୁରେ ରାତି ଅନିଦ୍ରା ରହି ଲେଖୁଥାଏ, ଲୋତକ ବହୁଥାଏ ଧାରଧାର
"ତୁମ ସ୍ୱପ୍ନର ଅତୁଲ୍ୟ ଭାରତ ଅରୁଣ ଆଲୋକ ଦେଖି ନାହିଁ
ଉଠହେ କଲାମ୍ ଜଗାଅ କଲମ୍ ଏ ଦେଶ ତଥାପି ଜାଗିନାହିଁ। "