STORYMIRROR

BISWESWAR MAJHI

Inspirational

3  

BISWESWAR MAJHI

Inspirational

ଗଣ୍ଠିରେ ବାନ୍ଦିନେଲେ

ଗଣ୍ଠିରେ ବାନ୍ଦିନେଲେ

2 mins
190

ଜଣେ ସାଧୁ ବୁଲୁ ବୁଲୁ ଆସି ପହଞ୍ଚିଲେ ଏକ ଗାଆଁରେ। ତାଙ୍କର ସିଦ୍ଧି ପ୍ରାପ୍ତି ହୋଇଛି ବୋଲି ପ୍ରଶାନ୍ତ ଚେହେରା ଓ କଥାବାର୍ତ୍ତାରୁ ଜଣା ପଡି ଯାଉଥାଏ। ଗାଆଁର ଧନୀ ଜମିଦାର କିଛି ପାଇବା ଆଶାରେ ତାଙ୍କୁ ବହୁ ଅନୁନୟ କରି ଘରକୁ ନିମନ୍ତ୍ରଣ କରି ଆଣିଲେ। ଖୁବ ସେବା ଯତ୍ନ ଆଦର ସତ୍କାର କଲେ। ସାଧୁ ବିଦାୟ ନେବାକୁ ଚାହିଁବାରୁ ତାଙ୍କୁ ବହୁ ଅନୁନୟ ବିନୟ କରି କିଛି ଦିନ ଅଟକାଇଲେ।  ସାଧୁ ପ୍ରତିଦିନ ସନ୍ଧ୍ୟାରେ ପ୍ରବଚନ ଦିଅନ୍ତି। ଗାଆଁର ଲୋକେ ଏକାଠି ହୁଅନ୍ତି। ସାଧୁ ଲକ୍ଷ୍ୟ କଲେ ଜମିଦାର ଧନ ଠୁଳ କରିବାରେ ବହୁତ ବ୍ୟଗ୍ର। ପଇସାଟିଏ ମଧ୍ଯ ଦରିଦ୍ର ନାରାୟଣ ସେବାରେ ବ୍ୟୟ କରିବାକୁ ନାରାଜ। ତେଣୁ ଜାଣି ପାରିଲେ ଯେ ସ୍ୱାର୍ଥ ବଶତଃ ଜମିଦାର ତାଙ୍କ ପାଇଁ ସେବା ଆପ୍ୟାୟନ କରୁଛନ୍ତି। ଦିନେ ସାଧୁ ଜିଦ୍ କଲେ କି ସେ କିଛିଦିନ ପାଇଁ ହିମାଳୟ ପରିଦର୍ଶନରେ ଯିବେ। ଜମିଦାର ଏ ଯାଏ କିଛି ଆଶୀର୍ବାଦ ପାଇ ନଥାନ୍ତି। ତେଣୁ ମନ ଦୁଃଖ ହେଲେ ମଧ୍ଯ ମୁହଁ ଖୋଲି କିଛି କହି ପାରୁ ନଥାନ୍ତି। ସାଧୁ କିନ୍ତୁ ଚାହୁଁଥିଲେ ତାଙ୍କୁ କିଛି ଦେବାକୁ। ସେ ତ ଆଉ ଧନ ରତ୍ନ ଦେଇ ପାରନ୍ତେ ନାହିଁ। ଯିଏ ଧନରତ୍ନ ଦେବା ପ୍ରତିଶୃତି ଦିଅନ୍ତି ସେ କେବେ ସାଧୁ ନୁହେଁ। ସାଧୁ ନିଜର କୋଥଳିରୁ ଛୁଞ୍ଚିଟିଏ କାଢି ଜମିଦାରଙ୍କୁ ଦେଲେ। କହିଲେ "ବାବା ମୋର ତ ବୟସ ହେଲାଣି, ଜୀବନ ଉପରେ କି ଭରସା ! ମୁଁ ମଲେ ସ୍ବର୍ଗକୁ ଯିବି, ତୁମେ ମଧ୍ଯ ଦିନେ ନା ଦିନେ ନିଶ୍ଚିତ ଯିବ। ସେତେବେଳକୁ ମୋ ଲୁଗାପଟା ଚିରି ଯାଇଥିବ। ତୁମ ଠାରୁ ଛୁଞ୍ଚିଟି ପାଇଲେ ମୋ ଚିରା ଲୁଗା ସିଲେଇ କରିବି। ମୋର ଏତେ ସେବା କରିଛ, ଆଉ ଏତିକି ଟିକେ କରିବ।" ଜମିଦାର ଆଶ୍ଚର୍ଯ୍ୟ ହୋଇ କହିଲେ "ସାଧୁ ହୋଇ କିପରି ଭୁଲ କଥା କହୁଛନ୍ତି ? କେହି ମଲାବେଳେ ସାଙ୍ଗରେ କିଛି ନେଇ ପାରେ କି ?" ଏଥର ସାଧୁଙ୍କର ହସିବା ପାଳି। କହିଲେ "ତୁମ ଘରେ ରହିବା ଦିନରୁ ଏତିକି ବୁଝାଇବା ପାଇଁ ଏତେ ଦିନ ରହିଗଲି। ଯଦି ଜାଣିଛ ଯେ ମଲାବେଳେ ସାଙ୍ଗରେ କିଛି ବି ନେଇ ହେବ ନାହିଁ, ଧନ ଠୁଳ କରିବାରେ ଜୀବନକୁ ଅସାର କାହିଁକି କରୁଛ ? କିଛି ଦରିଦ୍ର ନାରାୟଣ ସେବା କର ପୁଣ୍ୟ ହେବ।" ସେହିଦିନରୁ ଜମିଦାର ପୁରା ବଦଳି ଗଲେ ତଥା ଉପଯୁକ୍ତ ପାତ୍ରରେ ଦାନ ଧର୍ମ କରି କାଳାତିପାତ କଲେ। ତାଙ୍କ ପ୍ରଶଂସାରେ ଅଞ୍ଚଳଟି ମୁଖରିତ ହେଲା। ମଣିଷ ଯାହା ସୃଷ୍ଟି କରେ ବୋଲି ଦାବି କରେ ତାହା ଏ ସୃଷ୍ଟିରେ ଥିଲା। ଶୂନ୍ଯରେ କିଛି ବି ସୃଷ୍ଟି ଅସମ୍ଭବ। ମଣିଷ ଖାଲି ହାତରେ ଆସିଥିଲା, ଯିବାକୁ ବାଧ୍ଯ ସେହି ଖାଲି ହାତରେ। ତେଣୁ ଯେତେ ଧନ ମାନ କମାଇବାର ନିଶା ସବୁ ବୃଥା। କେବଳ ପରୋପକାର, ଅନ୍ୟ ମନରେ ସୁଖ ଟିକେ ଭରିବାର ପ୍ରୟାସ ହିଁ ଧନ ହୋଇ ସାଥିରେ ଯିବ। ପ୍ରାଚୀନ ମହାନ କବି ଭକ୍ତ ଚରଣ ଦାସ ମନବୋଧ ଚଉତିଶାରେ ବୁଝାଇ କହିଛନ୍ତି:

ଗଲେଣି ତୋ ସଙ୍ଗରୁ ଯେତେକ ଜନ

ଗଣ୍ଠିରେ ବାନ୍ଧି ନେଲେ କେ କେତେ ଧନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational