ସ୍ମୃତି ଏକ ରୂପା ଜହ୍ନ
ସ୍ମୃତି ଏକ ରୂପା ଜହ୍ନ
ଉଣେଇଶ ପଞ୍ଚସ୍ତରୀ ଛଅସ୍ତରୀ ମସିହା କଥା । ଆମେ ଯାଜପୁରର ପ୍ରସିଦ୍ଧ ସେତେବେଳର ବଡ ସରକାରୀ ମହାବିଦ୍ୟାଳୟରେ ନୂଆକରି ନାମ ଲେଖାଇ କଲେଜ ମାଟି ମାଡ଼ିଥାଉ । ସେତେବେଳେ ଆଜିକା ପରି ଭଲ ସଡ଼କ କି ନଦୀ ଉପରେ ପୋଲ ତିଆରି ହୋଇନଥାଏ । ଆମେ ବରୁଆଁ ପଟରୁ ଗଲେ ଖରସ୍ରୋତା ଏବଂ ବୁଢା ନଈ ପାର ହୋଇ ଯିବାକୁ ପଡ଼େ । ଦୁଇ ନଈ ମଝିରେ ଥିବା ପ୍ରାୟ ଚାରି କିମି ରାସ୍ତା ବର୍ଷାରେ କାଦୁଅ ହୋଇଯାଏ । ନଈ ବାଲି ଉପରେ ଓ ବେଳେ ବେଳେ ଏହି ଦୀର୍ଘ ରାସ୍ତାରେ ସାଇକେଲଟିକୁ କାନ୍ଧେଇ ନେବାକୁ ହୁଏ । କୁଆଖିଆ, ମଧୁବନ,ମୁଗୁପାଳ,ହରିପୁର, ବରୁଆଁ,ସୁଜନପୁର ଆଦି ଅଞ୍ଚଳରୁ ଯାଉଥିବା ସବୁ ସାଙ୍ଗ ପ୍ରାୟ ନଈ ଘାଟରେ ଭେଟ ହେଉ । କଲେଜରେ ପହଞ୍ଚିବା ବେଳକୁ ସମସ୍ତେ ହାଲିଆ ହୋଇପଡୁ । ଆମ ନୂଆ ନୂଆ ପିନ୍ଧୁଥିବା ଫୁଲ ପ୍ୟାଣ୍ଟ୍ ଗୁଡିକ କଦର୍ଯ୍ୟ ହୋଇଯାଏ । ମୋ ପରି ବପୁ ଏବଂ ଉଚ୍ଚତା କମ୍ ଥିବା ମଫସଲର ଛାତ୍ରଟିକୁ କଲେଜ ପଢ଼ା ବଡ଼ ଉର୍ଦ୍ଧ୍ବ ଶ୍ୱାସରେ ସମ୍ପାଦନ କରିବାକୁ ପଡୁଥିଲା ।
ପ୍ରାୟତଃ ଜେନେରାଲ କ୍ଲାସ ଗୁଡିକରେ ଟିକେ ବିଳମ୍ବରେ ପହଞ୍ଚୁଥିଲୁ ।ପୁଣି ଅପରାହ୍ନ ସମୟରେ ହେଉଥିବା ଟିଉଟରିଆଲ କ୍ଲାସ ଗୁଡିକୁ ବାଆଁରେଇ ଯୋଗ ନ ଦେବାକୁ ସୁଯୋଗ ଉଣ୍ଡୁଥିଲୁ କାରଣ ବିଳମ୍ବ ହେଲେ ନଈ ଘାଟରେ ଡଙ୍ଗା ସହଜରେ ମିଳିବ ନାହିଁ ।
ଦିନକର କଥା ।ଆମର ଇଂରାଜୀ ଟିଉଟରିଆଲ କ୍ଲାସଟି ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ସେନାପତି ସାର୍ ନେବାର ଥାଏ । ସେ ସମସ୍ତଙ୍କୁ ସେଦିନ କ୍ଲାସରେ ଉପସ୍ଥିତ ରହିବାକୁ ଆଗରୁ ତାଗିଦ୍ କରିଥାନ୍ତି ।ଆମେ ଅନ୍ୟନୋପାୟ ହୋଇ ସେଦିନ କ୍ଲାସରେ ମୁହଁକୁ ତଳକୁ ପୋତି ବସିଥାଉ ।ସାରଙ୍କ ଗୋଲଗାଲ ମୁହଁକୁ ସୁନ୍ଦର ନିଶ ଏବଂ କୁଞ୍ଚକୁଞ୍ଚିଆ କେଶ ପରିପାଟି ବେଶ୍ ମାନୁଥାଏ ।ଆମ୍ଭ କେତେଜଣ ନୂତନଛାତ୍ରଙ୍କ ଉପରେ ନଜର ବୁଲାଇ ନେଇ ସମସ୍ତଙ୍କୁ ଗୁଡ଼ ଆପ୍ଟରନୁନ ଡିଅର ଷ୍ଟୁଡେଣ୍ଟସ କହି ସୁନ୍ଦର ଭାବେ ସମ୍ଭାଷଣ ଜଣାଇଲେ ଏବଂ ସମସ୍ତେ ନିଜ ନିଜର ନୋଟ ଖାତା ଖୋଲ ବୋଲି ନିର୍ଦ୍ଦେଶ ଦେଲେ ।
କଳାପଟାରେ Morning shows the day ଲେଖି କହିଲେ କୋଡ଼ିଏ ମିନିଟ୍ ମଧ୍ୟରେ ୧୦୦ ଶବ୍ଦର ଏକ ପାରାଗ୍ରାଫ ଲେଖି ମୋତେ ଦିଅ । ଆମେ ଥଥ ମମ ହେଲୁ ।ସତ କହିବାକୁ ଗଲେ ଏ ସବୁ ଇଂରାଜୀ ଆପ୍ତବାକ୍ୟ ଗୁଡ଼ିକୁ ଆମେ ସେତେ ଭଲ ଭାବେ ବୁଝି ନଥିଲୁ । କଣ ବା ଆଉ ଚାରା ଅଛି । ସାରଙ୍କ ରକ୍ତିମ ଚକ୍ଷୁକୁ ଦେଖିଲେ ଭାରି ଡର ଲାଗୁଥିଲା । ମୁଁ ଟିକେ ନିଜସ୍ୱ ବୁଦ୍ଧି ଖଟାଇ ଇଂରାଜୀ ଶବ୍ଦ ଗୁଡିକର ଏମିତି ସହଜ ଅର୍ଥ ବୁଝିଲି- ସକାଳରୁ ଦିନର ସୂଚନା ମିଳେ ।ତାପରେ ତାକୁ ଜୀବନ ସହ ମିଳାଇ ମହାପୁରୁଷ ମାନଙ୍କ ଛୋଟ ବେଳର କଥାରୁ ସେମାନେ ଭବିଷ୍ୟତରେ କିପରି ବଡ଼ ହେବେ ଜଣା ପଡ଼ିଯାଉଥିଲା,ସେ ବିଷୟରେ କିଛି ଭୁଲ ତ୍ରୁଟି ସହ ଲେଖି ପକାଇଲି ।
ଠିକ୍ ସମୟରେ ସାର୍ ଖାତା ମାଗିନେଲେ ।ମାତ୍ର ୧୦ ମିନିଟ ମଧ୍ୟରେ ଖାତା ଦେଖି ନମ୍ବର ମଧ୍ୟ ଜଣାଇଲେ । ମୋ ଖାତାଟି ଶେଷକୁ ଥାଏ ।ଛାତି ଧଡପଡ ହେଉଥାଏ । ମୋତେ ସର୍ବାଧିକ ୧୦ରୁ ୮ ଅଙ୍କ ମିଳିଥିଲା ।ସାର୍ ମୋତେ ତାଙ୍କ ଆସନ ପାଖକୁ ଡାକି ବେଶ୍ କିଛି ପ୍ରଶଂସା କଲେ ।ଭିତରେ ଭିତରେ ମୁଁ କୁଲୁରି ଉଠିବା ପରି ଲାଗୁଥିଲା ।ମୋ ମୁହଁଟି ଉତ୍ସାହ ଆନନ୍ଦରେ ଭାରି ଉଜ୍ଜ୍ବଳ ଲାଗୁଥିଲା । ମୁଁ ଟିକେ ଅନ୍ୟମନସ୍କ ହୋଇପଡିଥାଏ । ମୋ ଟେବୁଲ୍ ଉପରେ ଖାତାଟିଏ ରଖି ସିଟରେ ବସି ପୁଣି ଟେବୁଲକୁ ଚାହିଁ ଦେଖେ ତ ମୋ ଖାତାଟି ସେଠାରୁ ଉଭାନ୍ । ସାର୍ କ୍ଲାସରୁ ପଳାଇ ଥାଆନ୍ତି ,ଆମର ବି ଡଙ୍ଗା ବେଳ ଡେରି ହୋଇଯାଉଥାଏ ।ଗୋଖନା ପାଖର ଜଣେ ତାଗଡ଼ା ସାଙ୍ଗ ଖାଲି ଏତିକି ସୂଚନା ଦେଲେ ଯେ ସାନବଜାର ଅଞ୍ଚଳରୁ ଆସୁଥିବା ଆମ ଗ୍ରୃପର ଏକ ମାତ୍ର ଝିଅ ସାଙ୍ଗ ମିସ୍ ନୀତା ଦାସ (ଛଦ୍ମନାମ)ମାଗି ଖାତାଟିକୁ ଦେଖିବାକୁ ନେଇଛନ୍ତି । ସେ କାଳେ ହିସାବରେ ତାର ଭଉଣୀ ଲାଗିବ ।ଗୋଲଗାଲ ଚେହେରା ସାଙ୍ଗକୁ ବେଶ ସମ୍ଭ୍ରାନ୍ତ ଶ୍ରେଣୀର ବେଶ ପରିପାଟୀ ତାଙ୍କର । ଆର କ୍ଲାସକୁ ଆଣି ଫେରାଇ ଦେବେ ।କିନ୍ତୁ ମୁଁ କେତେଥର ସାଙ୍ଗଙ୍କ ମାଧ୍ୟମରେ ଏବଂ ନିଜେ ତାଙ୍କୁ ଖାତା ଟି ମାଗିଛି,କିନ୍ତୁ ଫେରି ପାଇଲି ନାହିଁ ।
ମୁଁ ନିଜେ ଆଖି ପୂରାଇ ସାରଙ୍କ ନାଲି କଲମରେ ମୋତେ ମିଳିଥିବା ନମ୍ବରକୁ ଦେଖି ପାରି ନଥିବାରୁ ମନ ଭିତରେ ଟିକେ ଅବଶୋଷ ରହିଗଲା ଅବଶ୍ୟ ।କିନ୍ତୁ ବହୁତ୍ ଥର ଟାଉନ ଭିତର ଦେଇ ଓ ମେଡିକାଲ ବାଟ ଦେଇ ଗଲା ଆସିବା ବେଳେ କଲେଜର ସେଇ ନୋଟ ଖାତା,ପ୍ରିୟ ସହପାଠିନୀ ନୀତାଙ୍କର ହସହସ ମୁହଁର ସ୍ମୃତି ରୂପାଜହ୍ନଟି ପରି ମୋ ମନରେ ଉଙ୍କି ମାରି ଉଠି ଥାଏ ।ଜୀବନର ଦୀର୍ଘ ଚାରି ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ବିତିଗଲା ପରେ ଦାସ ଫାଶ କେତେ କେତେ ବର୍ଗ ଲୋକଙ୍କ ପରିଚୟରେ ଆସିବାକୁ ପଡ଼ିଛି ।କିଛି କିଛି ଲୋକଙ୍କ ସହିତ ସମ୍ବନ୍ଧ ସମ୍ପର୍କ ମଧ୍ୟ ଗଢ଼ି ଉଠୁଛି ।କାହା ପାଇଁ କେତେବେଳେ ମୁହଁ ରେ ଚେନାଏ ହସ ଝରି ପଡ଼ିଛି ତ କାହାର କପଟ ଆଚରଣରେ କେତେବେଳେ ପାଦତଳୁ ମାଟି ଖସି ଗଲା ପରି ବୋଧ ହୋଇଛି,ଆଉ କେତେକ ତ ହୃଦୟ ଭିତରୁ ପ୍ରାଣଟାକୁ ଓଟାରି ନେଲେ ବି ଝୁଣିବା ବନ୍ଦ କରି ନାହାନ୍ତି ।ଏବେ ବି ଏତେ ଉଜ୍ଜ୍ବଳ ଆଲୋକମାଳା,ସୁପ୍ରଶସ୍ତ ରାସ୍ତାଘାଟ ଏବଂ ଅପରୂପା କୁସୁମାର ଶୋଭା ଭଣ୍ଡାରକୁ ଦେଖିଲେ ମଧ୍ୟ ସେ ଦିନର ରୂପେଲି କିମିଆ ଏବେ ବି ମନକୁ ଆଚ୍ଛାଦିତ କରି ପକାଏ ।
