Bibhu Samanta

Abstract

0.8  

Bibhu Samanta

Abstract

ସ୍ମୃତି ଅଗଣାରେ କ୍ରିସମସ

ସ୍ମୃତି ଅଗଣାରେ କ୍ରିସମସ

8 mins
392


କ୍ଲାସ ଫାଇଭ୍ ରେ ପଢୁଥିବା ରୋହନ ସେଦିନ ମୋତେ ପଚାରିଲା," ସାର୍, ଧାନକଟା ଛୁଟି ମାନେ କଣ? କେବେ ହୁଏ ସେଇଟା, ଆମକୁ ଏଇ ଏକ୍ସ ମାସ ହଲିଡେ ଭିତରେ ଗୋଟେ ରଚନା ଲେଖି ନେବାକୁ ମ୍ୟାଡାମ କହିଛନ୍ତି। ମୁଁ ଇଂରାଜୀ ମାଧ୍ୟମ ସ୍କୁଲରେ ପଢ଼ାଉଥିବା ଶିକ୍ଷକଙ୍କ ଏତାଦୃଶ କାର୍ଯ୍ୟ ଦେଖି ଆଶ୍ଚର୍ଯ୍ୟ ହେଲି। ବର୍ଷ ସାରା ସେମାନେ ପିଲାଙ୍କୁ ଇଂରାଜୀ ଚାଲି ଚଳନ କଥାବାର୍ତ୍ତା ଶିଖେଇବେ ଆଉ ରଚନା ଦେବେ ଧାନକଟା ଛୁଟି। ପିଲାଏ ଏମିତି ଦ୍ଵନ୍ଦରେ ପଡନ୍ତି। ଏଇତ ଫରକ ଇଂରାଜୀ ମାଧ୍ୟମ ଆଉ ମଧ୍ୟ ଇଂରାଜୀ ସ୍କୁଲ ର। ହଉ, ଦେଇଛନ୍ତି ଯେତେବେଳେ ଲେଖିବାକୁ ତ ପଡିବ। ମୁଁ ରୋହନ କୁ କହିଲି, " ମୁଁ ତୁମକୁ ବୁଝେଇଦେବି ତୁମେ ନିଜେ ଲେଖିବ। ସେ କହିଲା, ନା ସାର, ଆପଣ ଡାକି ଦିଅନ୍ତୁ ମୁଁ ଲେଖିଦେବି। ମୁଁ କହିଲି, "ଆଜି ସିନା ମୁଁ ଡାକିଦେବୀ ତୁମେ ଲେଖିଦେବ, କାଲି ପରୀକ୍ଷାରେ ଯଦି ୟା ଠୁ ଅଲଗା କଣ ପଡିଲା, କେମିତି ଲେଖିବ?" ତେଣୁ ତୁମେ ଲେଖ, ମୁଁ ତୁମ ସହିତ ଅଛି। ସବୁବେଳେ। ମୁହଁ ଟାକୁ ଆମ୍ବୁଲ ଖାଇଲା ପରି କହିଲା , ଠିକ ଅଛି ସାର୍ କୁହନ୍ତୁ। ମୁଁ କହିଲି , ଭାରତ ଏକ କୃଷି ପ୍ରଧାନ ଦେଶ। କୃଷି ହିଁ ଜୀବନ ଜୀବିକା ନିର୍ଦ୍ଧାରଣ କରେ ଏଠି। ତେଣୁ ତାକୁ ନେଇ ଆମ ଚଳଣି, ଆମ ପରମ୍ପରା ଆମ ଓଷା ବ୍ରତ। ସେ ପଚାରିଲା ,"ସାର୍, କେମିତି?" "ମୁଁ କହିଲି, ନୂଆ ଶୁକ୍ଳ ଧାନ ନ ଆସିଲେ କଣ ତମ ମାମା ଗୁରୁବାର ଓଷା କରି ପାରିବେ?" ଓଃ! କହି ମୁଣ୍ଡ ହଲେଇଲା। ସେ ବୁଝିଗଲା। ମୁଁ ତାକୁ ବୁଝେଇ ଚାଲିଲି। ଜ୍ୟେଷ୍ଠ ମାସର ପହିଲି ବର୍ଷାରେ ମାଟି ଉତ୍ପାଦନକ୍ଷମ ହୁଏ, ଆମେ ତାକୁ ରଜ କହୁ। ଓଦା ମାଟିରେ ହଳ କରାଯାଇ ଧନ ବୁଣାଯାଏ। ବର୍ଷା ପାଣିରେ ଧାନ ଗଛ ହୁଏ, ବର୍ଷା ପରେ ଶରତ ଋତୁରେ ଧାନରେ କେଣ୍ଡା ବାହାରେ, ଫୁଲ ଫୁଟେ ଫଳ ଧରେ। ଆଉ ଓଡ଼ିଆ ମାନଙ୍କ ମାର୍ଗଶିର ପୌଷ ମାସ ବେଳକୁ ଧାନକଟା ଯାଇ ଘରକୁ ଆସେ। ସେଇ ଧାନ କଟା ପାଇଁ ଯୋଉ ଛୁଟି ଦିଆଯାଏ ତାକୁ ଧାନକଟା ଛୁଟି କୁହାଯାଏ।


ଧାନ କାଟି ଘରକୁ ଆଣିବାକୁ ଅନେକ ପରିଶ୍ରମ କରିବାକୁ ପଡେ। ଧାନ ଯେବେ ଆସି ଖଳାରେ ରହେ କୃଷକର ଖୁସି କହିଲେ ନ ସରେ। "ସାର୍, ଆମକୁ ତେବେ କାହିଁ ଧନକଟା ଛୁଟି ମିଳୁନି? ଆମକୁ ତ କୁହାଯାଏ ଏଇଟା ଏକସ୍ମାସ ଛୁଟି। ଯୀଶୁଖ୍ରୀଷ୍ଟଙ୍କ ବର୍ଥଡେ। ଆଉ ସେ ନାଲି ସାର୍ଟ ପିନ୍ଧା ପାଚିଲା ଦାଢ଼ି ଵାଲା ସାନ୍ତାକ୍ଲଜ ବି ଆସେ କେତେ ଗିଫ୍ଟ ନେଇ"। ମୁଁ କହିଲି ଛୁଟି ମିଳୁଛି ସିନା ନା ବଦଳିଯାଇଛି। ସେତେବେଳେ ଅଲଗା ପାଳନ ହେଉଥିଲା ଏବେ ଅଲଗା। ସେ ପଚାରିଲା ସାର୍ କେମିତି? ମୁଁ କହିଲି, ଯୀଶୁଙ୍କ ଜନ୍ମଦିନକୁ ଆମେ ବଡ଼ଦିନ କହୁ। ଏହିଦିନ ଠୁ ଦିନ ବଡ଼ ହେବା ଆରମ୍ଭ ହୁଏ। ଶୀତ ପରେ, ଉଜ୍ଜ୍ୱଳ ଖରା ପଡି ସବୁ କିଛି ସୁନ୍ଦର ଦିଶେ। ଲୋକେ ଖୁସି ହୁଅନ୍ତି। ଧାନ ଖଳାକୁ ଦେଖି ଚାଷୀକୁ ତା ବର୍ଷ ଯାକର ଶ୍ରମ ସାର୍ଥକ ହେଲା ବୋଲି ଲାଗେ। ସେ ବି ଖୁସିରେ ଗୀତ ଗାଏ, ଉତ୍ସବ ପାଳନ କରେ। ତମ ସହରରେ ଯାହା ଏକ୍ସ ମାସ ଆମ ଗାଆଁରେ ସେଇଟା ଧାନ କଟା ଛୁଟି। ଏବେ ବୁଝିଲୁ। 

"ସାର ଗାଁରେ ବି କଣ ସାନ୍ତାକ୍ଲସ ଥାଏ

 ମୁଁ ହସିକି କହିଲି ,"ହଁ ଥାଏ, ଯେବେ, ଆମ ସପନି କକା ପିଠିରେ ଧାନ ବସ୍ତା ବୋହିକି ଆଣେ। ତା ପାଚିଲା ଦାଢ଼ି ଆଉ ତା ବେଶ ଠିକ୍ ତମ ସାନ୍ତାକ୍ଲସ ପରି ଦିଶେ। 

ସେ ଗିଫ୍ଟ ଦିଏ

- ହଁ ଦିଏ । ଧାନ ବସ୍ତାକୁ ପିଣ୍ଡାରେ ଗଡେଇ ଦେଇ। ତା ଅଣ୍ଟି ରୁ ଗୁଣ୍ଡି ଡବା ସାଙ୍ଗେ ଗୁଡେଇ ହୋଇଥିବା 10ଟଙ୍କିଆ ନୋଟ୍ ଟେ ବଢ଼େଇ ଦେଇ କହେ ନିଅରେ ପିଲେ, ମିଠେଇ ଖାଇବ। ସେତେବେଳେ ଯୋଉ ଖୁସି ମିଳେ ତ କ୍ରିଷମସ କେକ୍ ରେ ନ ଥାଏ।


ୟା ଭିତରେ କେତେବେଳେ ଆସି ସୋନି ବସି ସାରିଥିଲା ଆମ ପାଖରେ। ଶୁଣୁଥିଲା ଆମ କଥା। ସୋନି କ୍ଲାସ ନାଇନ୍ ରେ ପଢେ। ସେ ପଚାରିଲା, ସାର୍, ଆପଣଙ୍କ ଗାଁରେ କ୍ରିସମସ କେମିତି ପାଳନ କରନ୍ତି? ମୁଁ କହିଲି, ମୁଁ ସବୁ ଧର୍ମକୁ ମାନେ, ସବୁ କରେ । ତା ଛଡା, ମୁଁ କଣ ଏବେ ସ୍କୁଲ ଯାଉଛି ଯେ ଏସବୁ ପାଳିବି। ଥିଲା କେବେ, ମୁଁ ବି ତମ ମାନଙ୍କ ପରି ସବୁ ଛୁଟିକୁ ମନଭରି ଉପଭୋଗ କରୁଥିଲି। ଖୁବ ମଉଜମସ୍ତି, ଅନେକ ଦୁଷ୍ଟାମୀ। ସାର୍! କୁହନ୍ତୁନା? କେମିତି ପାଳୁଥିଲେ ଆପଣ ଧାନ କଟା ବା କ୍ରିସମସ କୁ? ଉତ୍କଣ୍ଠାର ସହ ପଚାରିଲା, ସୋନି। ରୋହନର ମୁହଁ ଏବେ ଆଗ ଅପେକ୍ଷା ଉଜ୍ଜ୍ୱଳ ଦିଶିଲା। ଆଗ୍ରହରେ ସେ ବହି ବନ୍ଦ କରି, ପାଖକୁ ଘୁଞ୍ଚି ଆସିଲା। ବହି ସିନା ବନ୍ଦ ହେଲା, ମୋ ଜୀବନର କିଛି ପୃଷ୍ଠା, ପଛକୁ ଲେଉଟିଗଲା,

 ମନେ ପଡିଗଲା ଗାଁ କଥା,ହାଇସ୍କୁଲ ରେ ଆମେ ପାଞ୍ଚ ଜଣ ସାଙ୍ଗ ଥିଲୁ। ମୁଁ, ସୁକୁଟା, ଜୁଲି, ହୃଷୀ ଆଉ ମିଟୁନା। ସ୍କୁଲ ଛୁଟି ହେବା ପୂର୍ବଦିନ ଖାଇବା ଛୁଟି ପରେ ଆଉ ଆସନ୍ତିନି ପ୍ରାୟେ। ପରୀକ୍ଷା ସରି ଯାଇଥାଏ, ବେସି ପଢା ନଥାଏ ତେଣୁ ଆସନ୍ତିନି, ପିଲା ଓ ଶିକ୍ଷକ। ଜୁଲି ବସି ଗୋଟେ କାଗଜରେ କଣ ଗୋଟେ ଲେଖୁଥାଏ। ଆଉ ମୁଁ ଲୁଚି ଲୁଚି ପଛପଟୁ ପଢୁଥାଏ। ସେ ଗୋଟେ ଚିଠି ଲେଖୁଥାଏ, ସହରରେ ପାଠ ପଢ଼ୁଥିବା ରାମୁ ଭାଇକୁ। ଲେଖିଲା ବେଳେ କଲମ କାମୁଡି ଉପରକୁ ଅନାଉଥାଏ, ହସି ପକାଉଥାଏ ଆଉ ପୁଣି ଲେଖୁଥାଏ। ଖୁସିରେ ଆଉ ଡରି ଡରି କି। ସେ କୁଆଡେ ରାମୁ ଭାଇକୁ ଭଲପାଏ। ଏଇଟା କଣ ଭଲପାଇବା? ଖୁସି ବି ଥିବ ଆଉ ଡର ବି ଥିବ। ମୋ ଠୁ ଢେର ଆଗରୁ ଜୁଲି ବୁଝି ସାରିଥିଲା ଏ କଥା। ମୋତେ ତା ଚିଠି ପଢି ହସ ଲାଗିଲା। ଅଳ୍ପ ପିଲା ଥିଲେ, ମୁଁ ବଡ଼ ପାଟିରେ ପଢ଼ିଦେଲି ତା ଚିଠି, ଲେଖାଥିଲା, କେବେ ଆସିବ, ତମକୁ ଦେଖିବାକୁ ଖୁବ ଇଛା ହେଉଛି। ତମ ବିନା କିଛି ଭଲ ଲାଗୁନି। ତମ କଥା ଭାବୁଛି ସବୁବେଳେ। ମୋ କଥା ଶୁଣି, ଅନ୍ୟ ମାନେ ହୋ ହୋ ହୋଇ ହସିଲେ। ସାଙ୍ଗେ ସାଙ୍ଗେ ଚିଠିଟାକୁ ଚିରି ଦେଇ ମୋ ଆଡକୁ ମାଡି ଆସିଲା ଜୁଲି। "ଆଜି ତୋତେ ମୁଁ ମାରି ଦେବି। ତୋତେ କିଏ କହିଲା, ମୋ ଚିଠି ପଢିବାକୁ।" ମୁଁ ଦୌଡ଼ିଲି କ୍ଲାସସାରା । ସେ ମୋ ପଛେ ପଛେ। ମୁଁ ପଛ କୋଣରେ ବସି ପଡ଼ିଲି। ସେ ମୋତେ ମାରିବାକୁ ଯାଉଥିଲା, ଠିକ୍ ସେଇ ସମୟରେ ସାର୍ ପଶି ଆସିଲେ କ୍ଲାସ ଭିତରକୁ। ଦୁହେଁ ସୁନା ପିଲା ପରି ଆସି ନିଜନିଜ ଜାଗାରେ ଠିଆ ହେଇଗଲୁ। ସାର୍ କଣ କହିଦେଇ ଚାଲିଗଲେ। ଘଣ୍ଟି ବାଜିଲା, ଛୁଟି ହେଲା। ରାସ୍ତା ସାରା ତାକୁ ଚିଡ଼େଇ ଚିଡ଼େଇ ଆସିଲି। ସେ ରାଗରେ ମନଇଛା ଗାଳି କରୁଥାଏ। ସେ ଶୀତ ସଞ୍ଜରେ ତା ଗାଳି ଗୁଡା, ଗରମ ଚା ପରି ଲାଗୁଥାଏ। ଆଉ ମୁଁ ପି ଚାଲିଥାଏ।


ତା ପରଦିନ ସକାଳୁ, ମୁଁ ବାପାଙ୍କ ସାଙ୍ଗେ ବିଲକୁ ଯାଉଥାଏ ଧାନ ବୋହିବାକୁ ଘରକୁ। ଜୁଲି ଛାତିରେ ବହି ଜାକି ହାତରେ କଲମ ଧରି ଦାଣ୍ଡରେ ଚାଲି ଚାଲି ଆସୁଛି। କାଲି ତ ଛୁଟି ହେଲା, ଆଜି ଇଏ କୁଆଡେ? ଭାବିଲି। ବୁଝିଗଲି ରାମୁ ଭାଇର ବି ଛୁଟି ହେଇଥିବ। ସେ ଆସିଥିବ। ଇଏ ତାକୁ ଦେଖାକରିବାକୁ ଯାଉଛି। ଘରେ ମିଛ କହି। ମୁଁ ପାଟିକରି କହିଲି, ବୋଉ, ସର ଖୁଡିକୁ କହିଦେବୁ ଆଜି ଟିଉସନ ଛୁଟି, କେହି ପିଲା ଆସିବେନି। ମୋ କଥା ଶୁଣି,ଚମକି ପଡିଲା ଜୁଲି, ବୁଲିଦେଖିଲା । ମୁଁ ଲୁଚିପଡି ତାକୁ ଦେଖୁଥିଲି। ମୋ କଥା ବୋଉ ଶୁଣି ପାରି ନଥିଲା। ଶୁଣିଥିଲା ଖାଲି ଜୁଲି। ପୁଣି ଆରମ୍ଭ ହେଇଗଲା ଗାଳି। ମୋତେ ମୋ ସକାଳ ଜଳଖିଆ ମିଳି ସାରିଥିଲା।


ସଞ୍ଜକୁ ଖଳା ଠୁ ଟିକେ ଦୂରରେ ନିଅ ଜାଳି ବସିଥାଏ ମୁଁ। ସୁକୁଟା ଆସି କହିଲା," ବୁଝିଲୁ ବିନୁ, ଆର ଗାଁରେ ଅପେରା ପଡିଛି, କି ଲାଇଟ କି ବାଜା ଦେଖିଲେ ତୋ ଆଖି ଲାଖିଯିବ। ଚାଲୁନୁ ଯିବା ଗୋଟେ ରାତି।" " ମୁଁ କହିଲି, ନାଇଁରେ, ଆମର ଧାନ ବୁହା ଚାଲିଛି। ବାପା ଏକା ପାରୁ ନାହାନ୍ତି ଆଉ ମୁଁ ଗଲେ ଦିନ ବେଳେ ଶୋଇବି ଯେ ଶୋଇବି। "ସେ କହିଲା, "ତୋର ତ ସବୁ ବେଳେ ଏଇ କଥା। ମୁଁ କହିଲି ଆରେ ନାଇଁ।ତୁ ତ ଆମ ଘର କଥା ଜାଣୁ।ଧାନ ବିକ୍ରି ହେଲେ ଏ ବର୍ଷ ନାନୀର ବାହାଘର ହେବ।" " ଏତିକି ବେଳେ ହୃଷୀ ଆସି କହିଲା, "ଓହୋଃ ! ସାଙ୍ଗ ବାହାଘର କଥା କହନା। ବାହାଘର ସଉଦା ଦେଇ ଦେଇ ମୁଁ ପୁରା ଥକି ଯାଉଛି। କିଏ କହୁଛି ଖଲି ଦିଅ, କିଏ କହୁଛି ଡାଲି ଦିଅ। ବାପାଙ୍କୁ ବସେଇ ଦେଇ ଦୋକାନରେ ମୁଁ ପଳେଇ ଆସିଛି ଏଠିକି ଟିକେ। ସୁକୁଟା କହିଲା," ଖାଲି ହାତରେ ଆସିଲୁ, କଣ ଗୋଟେ ନେଇ ଆସିଲୁନି ଖାଇବାକୁ।' ସେପଟୁ ମିଟୁନା,ଆସି କହିଲା ," ନେ ଖା।" କହି ପିଠା ଖଣ୍ଡେ ଖୋଇଦେଲା ତା ପାଟିରେ। ମୋତେ ବି ଦେଲା। ହୃଷୀକୁ। ମୁଁ ପଚାରିଲି," ଆଲୋ ମିଟୁନା ଆଜି କଣ କି? ତମ ଘରେ ପିଠା ହେଇଚି। ସେ କହିଲା, "ତୁ ଆଗ କହ ପିଠା କେମିତି ଲାଗୁଛି। ମୁଁ କହିଲି "ବଢିଆ। ଖୁଡି ପିଠା ତ ସବୁବେଳେ ସୁଆଦିଆ।"ସେ ହସି କହିଲା, "ଆବେ ନାଇଁ। ଖୁଡି ନୁହେଁ, ଖୁଡିର ଝିଅ ମାନେ ମୁଁ କରିଛି। ବୋଉ ବତେଇଦେଲା ଯାହା।" ମୁଁ କହିଲି, "ଅାରେ ବାଃ, ବଢିଆ କରିଛୁ ତାହେଲେ"। ସେ କହିଲା," ହଁ ମତେ ଭଲ ଲାଗେ, ସେ ନିଆଁ ରୁ କିଛି ଗୋଟେ ସୁନ୍ଦର ସୁଆଦିଆ ଜିନିଷ ତିଆରି କରିବାକୁ।" "ଗୀତ ଟେ ଶୁଭିଲା, "ଭଲ ଲାଗେ ଭାରି ଭଲ ଲାଗେ, ପ୍ରିୟା ପାଦେ ରୂପ ପାଉଁଜି। ଶାଲ ଘୋଡେଇ ହେଇ ଆସିଗଲେ ଜୁଲି ସାହିବା। ଆସି ପଚାରିଲା, କଣ ଗୋଟେ କାହାକୁ ଭଲ ଲାଗିଲାଣି "! ସେ ଦିଶୁଥିଲା ଖୁବ ସୁନ୍ଦର ଓ ପ୍ରସନ୍ନ। ରାମୁ ଭାଇ ସାଙ୍ଗେ ଦେଖା ହେଇଚି ତେବେ। ମୁଁ କହିଲି ,"ନାଇଁ ମ। ଭୁଲ୍ ଶୁଣିଲୁ ତୁ। ଭଲ ଲାଗିଲା ନୁହେଁ ଭଲ ପାଇବା"। ରଡ଼ ନିଆଁ ରେ ପାଣି ପଡିଗଲା ଯେମିତି। ସେ ମତେ ଅନେଇଲା ରାଗିକି। କହିଲା, "ତୋ ମୁଣ୍ଡରେ କେବେ ଆଉ ବୁଦ୍ଧି ହେବ। କାହାକୁ କେତେବେଳେ କଣ କୁହାଯାଏ ତୋତେ ଜଣା ନାହିଁ?" ସେ ରାଗିକି କହୁଥାଏ। ଆମେ ସବୁ ହସୁଥାଉ। ମିଟୁନା କହିଲା ,"ଛାଡ଼, ରାଗେନି ସେ ସେମିତି। ନେ ପିଠା ଖଣ୍ଡେ ଖା।" ପିଠା ଖାଇଲା ସେ। ଶାନ୍ତ ହେଲା। ମୁଁ ପୁଣି କହିଲି, "ଆଉ ଭୋଜି କେବେ ଦେଉଛୁ? ସେ ମତେ ଆଖି ବୁଲେଇ ପଚାରିଲା କୋଉ ଭୋଜି? ମୁଁ କହିଲି, "ବାହାଘର ଭୋଜି। ସମସ୍ତେ ପୁଣି ହସିଲେ,ସେ ପୁଣି ରାଗିଗଲା। ଉଠିକି ଯାଉଥିଲା, ହୃଷୀ ତାକୁ ବୁଝେଇକି ବସେଇଲା। ସୁକୁଟା କହିଲା, "ଚାଲୁନ, କାଲି ସଂଧ୍ୟା ବେଳେ ଆମେ ଭୋଜି କରିବା। ମୁଁ କହିଲି ,ହଉ! ଜୁଲିକୁ ଚିଡଇବାକୁ ମୋତେ ଭାରି ଭଲ ଲାଗେ। ଜଳୁଥିବା ନିଆଁରେ ଆଉ ଖଣ୍ଡେ କାଠ ପକେଇ ଦେଲି ମୁଁ। 


ସକାଳୁ ଆରମ୍ଭ ହୋଇଯାଇଥିଲା ପ୍ରସ୍ତୁତି। ସୁକୁଟା ବାରି ପଟେ, ଝାଟି ସଫା କରି, ଲିପା ପୋଛା କରି ତାଙ୍କ ଘର ପାଲ ବାନ୍ଧି ଗୋଟେ, ଗୋଟେ ଟେଣ୍ଟ କରିଦେଲା। ଘରୁ ତାର ଟାଣି ଲାଇଟ ଲଗେଇଲା। ପଧାନ ଘରୁ ପୁରୁଣା ମେସିନ ଟା ମାଗି ସେଥିରେ କ୍ୟାସେଟ ପୁରେଇ ଗୀତ ବଜେଇଲା। ମଝିରେ କ୍ୟାସେଟ ଗୁଡେଇ ହେଇ ଯାଉଥାଏ । ତାକୁ କାଠିରେ ଘୁରେଇ ପୁଣି ଲଗାଏ। ଜୁଲି ଆସି ଆମ ଘରେ ଚିଠା କରି ଦେଇ ଗଲା। ମତେ ବ୍ୟାଗ ଆଉ ଟଙ୍କା ଧରେଇ ଦେଇ ଗଲା। ହୃଷୀ ଦୋକାନରୁ ସବୁ ସଉଦା ଆସିଲା। ଆଉ ମିଟୁନା ରୋଷେଇ କରିବ କହିଲା। ଆମେ ସମସ୍ତେ ମିଶି କାମ କଲୁ। ଚାଉଳ ଆଉ ପନିି ପରିବା ମୁଁ ଦେଲି। ଆମ ବାଡିରୁ ନୂଆ ଫୁଲ କୋବି ,ବିଲାତି ,ଲଙ୍କା ସବୁ। କାମ ବେଳେ ମୁଁ ଜାଣି ଜାଣି ଲାଗେ ଜୁଲି ସାଙ୍ଗେ। ତା' ରାଗକୁ ଆମେ ସବୁ ଉପଭୋଗ କରୁ। ଏଇ ରାଗ ଅଭିମାନ ନଥିଲେ ଜୀବନଟା ରଙ୍ଗହୀନ ଲାଗନ୍ତା ସତେ।


ଅରୁଆ ଭାତ, କୋବି କସା, ଟମାଟୋ ଖଟ୍ଟା। ସେ ଶୀତୁଆ ସଞ୍ଜକୁ ସାଙ୍ଗ ମାନଙ୍କ ସାଙ୍ଗେ , ମୁହୂର୍ତ୍ତ ସବୁ ସେଲ୍ଫି ହେଇ ରହିଯାଉଥିଲେ ଛାତି ତଳେ। ସୁକୁଟା, ମିଟୁନା, ଜୁଲି ଓ ହୃଷୀ ଏମାନେ ସ୍ୱତନ୍ତ୍ର ପୃଷ୍ଠାଟେ ତିଆରି କରି ଥିଲେ ଜୀବନ ଖାତାରେ। ସମସ୍ତଙ୍କ ହିସାବ ଅଲଗା, ଭାବନା ଅଲଗା। କିନ୍ତୁ ସମସ୍ତେ ଗୋଟେ ଲକ୍ଷ୍ୟରେ ବନ୍ଧୁତାର ସାମୀୟାନା ତଳେ। ସହଯୋଗର ସହଭାଗୀତାର ଦୃଢ଼ ପ୍ରତିଶୃତି ସୂତାରେ ବାନ୍ଧି ହେଇଥିଲୁ। ୟା ଠୁ ଭଲ ଛୁଟି ଆଉ କଣ ହେଇ ପାରେ। କାହିଁକି କେଜାଣି! ଜୁଲିର ରାଗଟା ତା ହସଠୁ ଭଲ ଲାଗେ। ରାମୁ ଭାଇ ସାଙ୍ଗେ ତାକୁ ଭାବିଲେ ମନଟା କେମିତି ଚିପୁଡି ହେଇଯାଏ। ଛୁଟି କେମିତି ସରିଯାଏ ଜଣାପଡେନି। ଧାନକଟା ସରି ନୂଆବର୍ଷ ଆସେ, କିନ୍ତୁ ମୋ ଆଖିରେ ସେମାନେ ସେମିତି ଥାନ୍ତି। ଯେମିତି ମୁଁ ତାଙ୍କୁ ଦେଖି ଆସିଛି। ପୋଷାକ ସିନା ବଦଳେ, ହେଲେ ଆମେ ସେଇ ପିଲାଦିନ ସାଥି।


ସୋନି ପଚାରିଲା, "ସାର୍ ଏବେ ସେମାନେ କୋଉଠି? କଣ କରୁଛନ୍ତି? ସେମାନଙ୍କ ସାଙ୍ଗେ ଦେଖା ହୁଏ?"

- "ହଁ ,ଅଛନ୍ତି ଯେ ଯାହା ଜାଗାରେ। ଜୀବନ ଯାହାକୁ ନେଇ ଯେମିତି ଠିଆ କରିଛି। ସୁକୁଟା ସହରରେ ଆଇ.ଟି.ଆଇ ପଢି ଗୋଟେ ଟେଣ୍ଟ ହାଉସ କରିଛି ଗାଁରେ। କହିଲୁ! ଆଲୋକ ଆଉ ଶବ୍ଦ ଦି ଜଣଙ୍କୁ କଣ ଧରି ହୁଏ? ସେ କହେ, ଆଲୋକ ଆଉ ଶବ୍ଦର କବେ ଅନ୍ତ ହୁଏ ନାହିଁ। ତେଣୁ ମୁଁ ଭାସୁଥାଏ ଏମିତି ସେଇ ସ୍ରୋତରେ। 

ହୃଷୀ ଏବେ ବଡ଼ ଦୋକାନ କରିଛି। ଜୀବନ ସୌଦାରେ ସେ ସାହୁକାର ହେଇ ସାରଚି। 

ମିଟୁନା ଏବେ ବି ସେଇ ରୋଷେଇ କରୁଛି। ହୋଟେଲରେ ନୁହେଁ, ଶାଶୁ ଘରେ। ଚୁଲି ମୁଣ୍ଡେ ବସି ଥରେ ଥରେ ଫୋନ କରେ ମତେ, ପିଠା ଖାଇବାକୁ ଡାକେ।

ମୁଁ ସେ ସବୁ ଘଟଣାକୁ ଏବେ ବିକି ଚାଲିଛି। ମୁହୂର୍ତ୍ତ ମାନଙ୍କୁ ଫ୍ରେମରେ ସଜାଡି ନିଲାମ ଡାକୁଛି। ଆସ କିଏ ନେଇ ଯାଅ। ଅତୀତର ସ୍ମୃତିରେ ପହଁରି ଆସ ଥରେ। ମୁଁ ଗପ ବିକୁଛି। 

- ଆଉ ଜୁଲି? ସୋନି ପଚାରିଲା। କଣ ହେଲା, ତାଙ୍କର। ରାମୁ ଭାଇକୁ ବାହା ହେଲେ? ମୁଁ କିଛି କହିବା ଆଗରୁ ସୋନିର ମା ପଶି ଆସିଲେ ଘର ଭିତରକୁ। କହିଲେ," ଜୁଲି ଏବେ ସହରକୁ ଚାଲିଆସିଛି। ଗୋଟେ ଇଂଲିଶ ମିଡ଼ିଅମ ସ୍କୁଲର ପ୍ରିନ୍ସିପାଲ। ସେ ଏବେ ବି ସେମିତି ଗାଳି ଦେଉଛି ପିଲା ମାନଙ୍କୁ। ହେଲେ, ଏବେ ତ ଗାଳି ଶୁଣି କେହି ହସୁ ନାହାନ୍ତି। ସବୁ ମୁହଁ ଶୁଖେଇ ଦେଉଛନ୍ତି। ସେ ମନେମନେ ଖୁବ୍ ଖୋଜିଛି, ଏତେ ଗାଳି ଶୁଣି ହସୁଥିବା ତା ସେ ସାଙ୍ଗ ମାନଙ୍କୁ।" "ମାମା ତମେ ଜୁଲି ଙ୍କୁ ଜାଣ?" ସୋନି ପଚାରିଲା।" ହଁ, ମୁଁ ଜାଣେ। କିନ୍ତୁ ଚିହ୍ନିନି। ଚିହ୍ନିବା ଲୋକ ଚିଡ଼େଇବାରେ ସବୁ ସମୟ ସାରିଦେଲା।" ମୁଁହ ଟା କଠୋର ଦିଶୁଥିଲେ ବି ଆଖିରେ ଲୁହ ଜକେଇ ଆସୁଥିଲା। ସୋନି ହାତ ଧରି ପଚାରିଲା," ମାମା, ତମେ ବି ତ ଗୋଟେ ସ୍କୁଲର ପ୍ରିନ୍ସିପାଲ। " କଥା ବାଁରେଇ, ସେ କହିଲେ, "ହଉ,କାଲି ଆମେ ଗାଁକୁ ଯିବା।" ରୋହନ ଆଉ ସୋନି ଖୁସିରେ କୁଣ୍ଢେଇ ପକେଇଲେ। ମୁଁ ଦେଖୁଥିଲି,ଯାହାର ଗେଣ୍ଡୁ ଫୁଲ ପରି ଗୋଲ ଗୋଲ ଆଖି। ପାଚିଲା କୁନ୍ଦୁରି ପରି ଲାଲ ଓଠ। ଆଉ ଧାନ କେଣ୍ଡା ପରି କେଶ। ଶୀତୁଆ ଖରାର ରଙ୍ଗ। ମୁଁ କଲମ ଛାଡି ତୁଳୀ ଧରିଲେ କେମିତି ହୁଅନ୍ତା ଆମ ଭିତରର ନୀରବତା ପ୍ରଶ୍ନ ହେଇ ବୁଲୁଥିଲେ ଆମ ଚାରି ପଟେ। ଚାଲି ଯାଉ ଯାଉ ସେ ବୁଲି ଦେଖିଲେ ମୋତେ। ମୋ ଆଖିରେ ଆଖି ମିଶେଇ। ପରଦା ଆର ପଟୁ, ମୁଁ ଦେଖୁଥିଲି ସେଇ ଫ୍ରକ ପିନ୍ଧା ରିବନ ବନ୍ଧା ଝିଅକୁ ଯେ ଦିନେ ଡରି ଡରି ଦେଖା କରିବାକୁ ଯାଉଥିଲା ତା ପ୍ରେମିକକୁ।


Rate this content
Log in

Similar oriya story from Abstract