ସ୍ତୁତି ମିଶ୍ର

Classics

4.5  

ସ୍ତୁତି ମିଶ୍ର

Classics

ସମୀକରଣ

ସମୀକରଣ

3 mins
66



     ଦୁଇଟା ବେକାରିଆ ପୁଅଙ୍କ ଠାରୁ ବାପା ଆଶାତକ ଭାଙ୍ଗିନେଇଥିଲେ କେଉଁକାଳୁ ।କୌଣସି ମତେ ଘରଟାକୁ ଚଳେଇ ନେବା ହିଁ ସେମାନଙ୍କ କାମ । ସେତିକିରେ ବି ଯଥେଷ୍ଟ ସମସ୍ୟା।ଆଉ ସମାଧାନ ପାଇଁ ସବୁବେଳେ ଲୋଡ଼ା ପଡେ ମୁଁ ।


    ଏଇ ଭିତରେ ଦେଢ଼ ବର୍ଷ ବିତି ଯାଇଥିଲା ।ଦକ୍ଷିଣ ଓଡିଶାକୁ ବଦଳି ହେବା ପରେ ବିଶେଷ ଯାଇ ହୁଏନି ଗାଁକୁ ।ଦେଢ଼ ଦିନର ରାସ୍ତା ପାଇଁ ହାତରେ ତିନି ଦିନର ଛୁଟିଟିଏ ।ସେଇତିକିରେ ଶାଶୂଘରେ ମୁହଁ ମାରି ଆସିବା ହିଁ ସମ୍ଭବ ହୁଏ । ଢେର୍ ଅଭିମାନ କରନ୍ତି ବାପା ,“ଅଧା ଯାଏଁ ଆସୁଛୁ ଆଉ କେଇ କିଲୋମିଟର ପାଇଁ ଅଭାବ ପଡୁଛି ସମୟ ?” କାମର ବାହାନା କରି ମୁଁ ଏଡେଇ ଯାଏ କଥାତକ । ଫୋନ୍ ର ଏପଟେ ମନ ଭିତରେ ଦରଜଟା ବଢିଚାଲେ କେବଳ । 

  

    କିଛି କଷ୍ଟ ବାଣ୍ଟି ହୁଏନା ,ଯନ୍ତ୍ରଣାରେ ଅନ୍ତରଟା ଫାଟି ପଡୁଥିଲେ ବି ଶେଷ ନିଶ୍ୱାସ ଯାଏଁ ନିଜ ଛାତିରେ ବୋହିବାକୁ ହୁଏ ମାଡି ମକଚି ।


         ନାରୀର ସ୍ୱାଧୀନତା ବୋଲି କିଛି ଗୋଟାଏ ନଥାଏ ।ଆଧୁନିକତାର ଶେଷ ସୀମାରେ ଠିଆ ହୋଇଥିଲେ ବି ଦେବାକୁ ହୁଏ ପ୍ରତି ଚଲାପାଦର ହିସାବ । ମାସ ଶେଷରେ ହିସାବ କାଗଜତକ ଏକାଠି କରି ଗଣିବା ଭିତରେ ତାଙ୍କ ଗଣତିରୁ ବର୍ତ୍ତି ପାରେନି ବୋଉର ଔଷଧ ,ବାପାଙ୍କ ଆୟୁର୍ବେଦିକ ଦନ୍ତ ମଞ୍ଜନ ,ଭାଇ ଝିଅର ଛୋଟ ଛୋଟ ଫର୍ମାଇସ୍ ।ଅଥଚ ବାଦ୍ ପଡେ ସାନ ଭଉଣୀର ବ୍ରାଣ୍ଡେଡ଼ ଡ୍ରେସ , ଶାଶୂଙ୍କ ସମ୍ବଲପୁରୀ ପାଟ , ନାନୀଙ୍କ ପୁଅର ଭିଡିଓ ଗେମ୍ । ମିଶାଣ ଶେଷରେ ଉଚ୍ଚ ସ୍ୱରର ଘୋଷଣାଟା ବ୍ୟତିବ୍ୟସ୍ତ କରିପକାଏ ମୋତେ ।ତାଙ୍କ ଆଦେଶଭରା ଆଖିରେ ସ୍ପଷ୍ଟ ଦିଶେ ଶାଶୁଘର ପ୍ରତି ମୋ ଦାୟିତ୍ୱର ତାଲିକା ସବୁ । 


    ବର୍ଷା ଯୋଗୁଁ ଧାନ ସବୁ ଗଜା ହେଲା ଜମିରେ ,ସଢ଼ିଗଲା ଅଧାରୁ ଅଧିକ ତରଭୁଜ ।ବାଦାମ ଯଦି ଭଲ ହେଲା ଗୁହାଳଟା ଛପର କରନ୍ତି ।ଭାରି କଷ୍ଟରେ ଅଛି ନେତଟା ।ବାପା କଥା ସବୁ ଫୋନ୍ ସ୍ପିକର ଦେଇ ମାଡି ଆସନ୍ତି ମୋ ଆଡ଼କୁ ।ଅଥଚ ନିରବ ଥାଏ ମୁଁ । ଠିକ୍ ସେଇବେଳେ ମନେ ପଡେ ଗ୍ୟାସରେ ବସିଥିବା କ୍ଷୀର , ମାଇକ୍ରୋଓଭାନ୍ ରେ ଗରମ ହେଉଥିବା ତରକାରୀ ଅବା ଅନ୍ୟକିଛି ।


   କେବେ କେମିତି ଉତୁରି ଯାଇଥିବା କ୍ଷୀରତକ ତରବରରେ ପୋଛୁ ପୋଛୁ ପାଟି ଶୁଭେ ୟାଙ୍କର ,“ନିଜ ଘରେ ଧ୍ୟାନ ଦିଅ ।ବାହାଘର ପରେ ଏଇଠି ହିଁ ତୁମର ସବୁଯାକ କର୍ତ୍ତବ୍ୟ ।”


  ବିଦ୍ରୋହ କରିଉଠେ ମନ । ସମ୍ପର୍କ କଣ ଲାଇଟର ସୁଇଜ ଭଳି କେବଳ ଟିପି ଦେବାରେ ବଦଳାଇ ନିଏ ସମୀକରଣ ? ଅଥଚ ପ୍ରଶ୍ନତକ ମୋ ଚୁଡିର ଝଣଝଣ ସହ ରୋଷେଇଘର କାନ୍ଥରେ ପିଟି ହୁଏ କେବଳ ।

   

    ବୋଉ କାନ୍ଦ କାନ୍ଦ ହୋଇ କହିଥିଲା ,“ ଯେମିତି ହେଲେ ଆସିବୁ । ଆଉ ବାଟ ଦିଶୁନି ମୋତେ ।” 


   ସକ୍ଷମତା ଥାଇ ବି ନାରୀଟିଏ ନିର୍ଭରଶୀଳ ହେବାକୁ ବାଧ୍ୟ ହୁଏ ଢେର୍ ଥର । ବଡ଼ କଷ୍ଟରେ ରାଜି ହେଲେ ଇୟେ । ଘର ଆଗରେ ଅଟକିଲା କାର୍ ।ଆଜବେଷ୍ଟ ଘରେ ଗରମ ହେବ ବୋଲି ଭିତରକୁ ଆସିଲେନି ସେ।


   ବାପା ଶୋଇଥିଲେ ତାଙ୍କ ଖଟିଆ ଉପରେ ମାଂସ ବୁଜୁଲାଟିଏ ପରି ଅସହାୟ ହୋଇ।ବୋଉ ଦିଶୁଥିଲା ରକ୍ତହୀନ ବରଫ ପିତୁଳା ।ନାଲି ଚାହା ଗିଲାସଟା ଖଟ ଦାଢ଼ରେ ଦେଖି ପ୍ରଶ୍ନ ପ୍ରଶ୍ନ ଆଖିରେ ବୋଉକୁ ଚାହିଁଲି ।ଟିକେ ବ୍ୟସ୍ତ ହୋଇ ବୋଉ କହିଲା ,


―ବାପାଙ୍କ ଦେହରେ କ୍ଷୀର ଆଉ ଯାଉନି ।


     ମିଛ କହିବାକୁ ମୁହଁ ପୋତି ନିଏ ବୋଉ ।ସନ୍ଦେହରେ ଧାଇଁଗଲି ଗୁହାଳ ଯାଏଁ । ମୋରି ଜନ୍ମ ବେଳେ ଘରକୁ ଆସିଥିଲା ନେତ ।ବାପାଙ୍କ ବଡ଼ ଝିଅ ସେ ।ଏବେ ଏବେ ଲାଗୁଥିଲା କେବଳ ନେତ ନୁହେଁ ମୁଁ ବି ବିକ୍ରି ହୋଇଯାଇଛି କେତେ ଦିନୁ । ତା କ୍ଷୀର ଆଉ ମୋ ଉପାର୍ଜନ ଉଭୟରେ ବାପାଙ୍କ ଅନଧିକାର ।


   ଅପରାଧୀ ହୋଇ ଠିଆ ହୋଇଥିଲା ବୋଉ ।ଭିତରୁ ଅସୁବିଧା ସବୁର ତାଲିକା ଗଣୁଥିଲେ ବାପା । ବାରମ୍ବାର ମେସେଜ କରୁଥିଲେ ଇୟେ । ଆଉ ମୁଁ ? ନିଜ ଭିତରେ ଅଯୋଗ୍ୟ ସାବ୍ୟସ୍ତ ହେଉଥିଲି ବାରମ୍ବାର । 

   

   ଗାଡି ଭିତରୁ ପୁରୁଣା ଲୁଗା ଜରିଟିଏ କାଢି ବଢ଼େଇ ଦେଲି ବୋଉ ହାତକୁ। କହିଲି ,


― ପୁରୁଣା ସୂତା ଲୁଗା କେଇଟା । ପିନ୍ଧିବୁ ।


   ବୋଉର “ଆଉ କେବେ ଆସିବୁ”ର ଉତ୍ତର ନ ଦେଇ ଗାଡ଼ିରେ ବସିଗଲି ।ଢେର୍ ବାଟ ଯାଏଁ ଗାଡି ମିରରରେ ଦିଶୁଥିବା ବୋଉର ପ୍ରତିଛବିକୁ ଦେଖି ଗୋଟିଏ କଥା ମନେ ପଡୁଥିଲା କେବଳ ।ଠିକ୍ ଏମିତି ମୁଢ଼ି ଜରି ଭିତରେ କେଇଖଣ୍ଡ ଦଶ କୋଡିଏ ଟଙ୍କିଆ ପୋତି ଦେଇ ମାମୁଁ ହାତକୁ ଟେକି ଦେଉଥିଲା ସେ ବାପାଙ୍କୁ ଲୁଚେଇ ।


Rate this content
Log in

Similar oriya story from Classics