ସ୍ତୁତିରେଖା ମିଶ୍ର

Tragedy

3  

ସ୍ତୁତିରେଖା ମିଶ୍ର

Tragedy

ଟ୍ରେନ୍

ଟ୍ରେନ୍

2 mins
15.3K


― ଓଃ ! ଏ ଟ୍ରେନ କାହିଁ ଆସୁନି ଯେ !

― ନ ଆସୁ ! ଟ୍ରେନର ପ୍ରତି ବିଳମ୍ୱିତ ମୁହୂର୍ତ୍ତ ତୁମ ସହ ମୋର ସମୟ ଅବଧିକୁ ବଢ଼େଇ ଦେଉଛି !! ସବୁଥର ତୁମେ ଫେରିଯାଅ ମତେ ଅଧାରଖି ! କୁହ ତ କେବେ ଭାବିଛ ତୁମ ସହ କଟିଥିବା କେଇଟା ମୁହୂର୍ତ୍ତ ମତେ ଯେତିକି ଆନମନା କରେ , ତାଠାରୁ ଅଧିକ ଛଟପଟ କରେ ତୁମ ସ୍ମୃତି ।

― ଏ ଦୂରତା ହିଁ ଆମ ପ୍ରେମର ସ୍ୱରୂପ ! ଆମ ନିୟତି ! ବେଶୀ ନିକଟତା ଆମ ପ୍ରେମକୁ ନଷ୍ଟ କରିଦେବ।

― ପ୍ରେମ କଣ ନଷ୍ଟ ହୁଏ ? ସବୁ ଅପବିତ୍ରତା ଯେଉଁଠି ପବିତ୍ର ହୁଏ ସେଇଟା ପରା ପ୍ରେମ । ତା ପୁଣି ନଷ୍ଟ ହେବ କେମିତି ?

ଟ୍ରେନ ଆସିଗଲା ଏଇ ଭିତରେ । ସେ ଚଢ଼ିଲା ! ଆଖି ପାଇବା ଯାଏଁ ମୁଁ ସ୍ଥିର ହୋଇ ଠିଆ ହେଲି ! ପ୍ରତିଥର ସେ ଯିବା ବେଳେ ମୁଁ ଏଇ କଷ୍ଟ ପାଏ । ସେ ଆସେ ମୋ ମନ ଭିତରେ ବର୍ଷେ ଧରି ବନ୍ଦ ପଡିଥିବା ସୁଡ଼ଙ୍ଗ ପରି ଟିକି କବାଟକୁ ଖୋଲି ଧପ୍ କରି ପଶିଯିବା ପାଇଁ ! ମୋ ଭିତରର ଅନେକ ଘଟଣା ଦୁର୍ଘଟଣାକୁ ଘାଣ୍ଟି ଚକଟି ମୂର୍ତ୍ତିଟିଏ ଗଢ଼ିଦେବା ପାଇଁ। ସେଦିନ ବି ସେ ଆସିଥିଲା ବର୍ଷକର ପ୍ରେମ ଏକା ଥରେ ମୋ ଉପରେ ଢାଳି ଦେଇ , ମୁଣ୍ଡଠୁ ପାଦ ଯାଏଁ ପୁରା ବତୁରେଇ , ପୁଣି ବର୍ଷେ ଯାଏଁ ମୋ ଏକାନ୍ତ ଉପରେ ଟିକେ ହସିଦେଇ ଫେରିଯିବା ପାଇଁ । ସେ ଫେରିଗଲା ଆର ବର୍ଷ ପୁଣି ଆସିବାର ପ୍ରତିଶୃତିଟାଏ , ଲିପ୍ ଷ୍ଟିକ ଦାଗ ପରି ମୋ ଓଠରେ ମାଡି ଦେଇ । ଘରେ ପହଞ୍ଚି ମେସେଜଟାଏ ନ ଦେବା ଯାଏଁ ମୁଁ ବସିରହେ ଏଇ ଆଶାରେ ଯେ କାଳେ ସେ ଫେରି ଆସିବ । ଏଇଠି କୋଉଠି ଲୁଚି ଥିବ ! ଚୁପ୍ କି ଆସି ମୋ ବେକ ମୂଳରେ ଚୁମାଟାଏ ଆଙ୍କିଦେଵ । କହିବ " ତୁମେ କଣ ଭାବିଲ ତୁମକୁ ଛାଡି ଏତେ ସହଜରେ ଚାଲିଯିବି ? ନା ; ମୋ ଠୁ ମୁକ୍ତି ତୁମର ଏ ଜନ୍ମରେ ନାହିଁ ।" ମୁଁ ହସିଦେବି ; ସେ ପୁଣି ଘସିଦେଵ ତା ଲିପ୍ ଷ୍ଟିକ ତକ । ମୁଁ ଚିଡିଯିବି ମୋ ପ୍ରିୟ ୟେଲୋ ପ୍ରିଣ୍ଟ ସାର୍ଟରେ ତା ବ୍ରାଇଟ୍ ପିଙ୍କ୍ ଲିପ୍ ଷ୍ଟିକ୍ ଦାଗକୁ ଦେଖି ! ସେ ହସିବ ସେଇ ଗୋଲାପି ଓଠରେ ! ସବୁଥର ତା ସେଇ ହସ ଟିକେ ମୋ ଆଖିରେ ବାକି ରହିଯାଏ ,ଛାତି ଯାଏଁ କରେଣ୍ଟ ଭଳି ମାଡିଯାଏ ! ଅପୋଜିଟ୍ ଉଇଣ୍ଡୋ ସିଟ୍ ତାର ଭାରି ପ୍ରିୟ ! ସେଇଠୁ ସର୍ବାଧିକ ସମୟ ଦିଶେ ମୁଁ ! ମୁଁ ସବୁବେଳେ ଆଗୁଆ କାଟି ରଖେ ସେଇମିତି ଟିକେଟଟାଏ; ଏବେ ବି! ସେଦିନ ସେ ଜୋର ଜୋର ହାତ ହଲେଇ ବିଦାୟ ଦେଉଥିଲା ମୁଁ କହୁଥିଲି ହାତ ଭିତରକୁ ନିଅ ବାଜିଯିବ। ସେ କୁହେ ବାଏ ବି କହି ଆସେନି ତୁମକୁ !! ମୁଁ କୁହେ ତୁମକୁ ବିଦାୟ ନୁହେଁ ସ୍ୱାଗତ କରିବି ସାରା ଜୀଵନ ବିନା ସର୍ତ୍ତରେ ! .......

ଅଫିସରୁ ଘନ ଘନ ଫୋନ ! ଲେଟ ହେଲାଣି !! ହଠାତ ଆର୍ . ପି . ଏଫ୍ . ଅଫିସ ପାଖରୁ କାହାର ପାଟି ଶୁଭିଲା ଲାଷ୍ଟ ଏକ୍ସପ୍ରେସଟା ଲାଇନ୍ ଚ୍ୟୁତ .......।

ସ୍ତୁତିରେଖା ମିଶ୍ର


Rate this content
Log in

Similar oriya story from Tragedy