ଅନ୍ ଲାଇନ୍
ଅନ୍ ଲାଇନ୍


ଟିଭି ବନ୍ଦ କର ବାପା ।ଆମ ଗୁରୁମା ପାଠ ଦେଉଛନ୍ତି ।
ଦି ମାସ ହେଲାଣି ଥରୁଟିଏ ସ୍କୁଲ ଯାଇ ନଥିବା ମୋ ପୁଅ ପେଟେଇ ପଡିଥିଲା ମୋବାଇଲ ଆଗରେ । ହାତ ଲେଖା ପ୍ରଶ୍ନ ସବୁ ହ୍ଵାର୍ଟସ୍ ଆପରେ ଭର୍ତ୍ତି । ସେଇଥିରୁ ଦେଖି ଲେଖି ପକାଉଛି ଖାତାରେ। ଖୁସି ହେଲି ମୁଁ ଏତେ ଦିନକେ କିଛି ଗୋଟେ ଭଲ କାମ ହେଲା ଏ ମୋବାଇଲରେ। ବଡ଼କଷ୍ଟରେ ଅଧା ବୁଝା ଅଧା ଅବୁଝା ପାଠ ସବୁ କରିବାରେ ଲାଗିଥିଲା ସେ। ସାରାଦିନ ଆଠ ବାଇ ଚାରିର ଲୁଗା ଦୋକାନ ଭିତରେ ସମୟ କାଟୁକାଟୁ ଭୁଲି ଯାଇଥିଲି ପୁଅଟା ବଡ଼ ହୋଇଗଲାଣି ଏବେ । ବଢ଼ିଗଲାଣି ତା ବ୍ୟାଗର ବୋଝ ।
ଏମିତି ବୋଝ ଟିଏ ନେଇ ସେ ବି ବସୁଥିଲା ମୋ ଦୋକାନର ଠିକ୍ ଆଗ ସିମେଣ୍ଟ ପିଣ୍ଡା ଉପରେ ।ହାଟର କଷାକସ୍ ଗହଳି ଭିତରେ ଖାତା କଲମ ଧରି ଜଙ୍ଘ ଉପରୁ ଖସିବ ଖସିବ ହେଉଥିବା ମୋଟା ବହିଟାକୁ ଉପରକୁ ଟେକି ନେଇ ମଝିରେ ମଝିରେ ଏପଟ ସେପଟ ଦେଖି ଅପେକ୍ଷା କରୁଥିଲା ଗ୍ରାହକ ମାନଙ୍କୁ ।
ପାଛିଆ ଭର୍ତ୍ତି ଆବଶ୍ୟକତାର ବୋଝ ନେଇ ସେ ବୋହି ଆଣେ କେବେ ପୁଳାଏ ଜାମୁକୋଳି ,ପିଜୁଳି ଆଉ କେବେ କଖାରୁ ଫୁଲ ,କି ପୋଇ । ସାଙ୍ଗରେ ହାତ ତିଆରି ନିକିତି ଟିଏ । ସେଇଥିରେ ଦୋହଲୁଥାଏ ତା ପରିଶ୍ରମ ଓ ଭାଗ୍ୟର ମାପକଣ୍ଟା । ଯାଉ ଆସୁ କିଣି ନିଅନ୍ତି କେହି କେହି । ସେଇ ବେଳାରେ ଅପୂର୍ବ ଖୁସିଟିଏ ଖେଳିଯାଏ ତା କିଶୋର ମୁହଁରେ । ବାକି ସମୟ ମନ ଲାଗିଥାଏ ମୋଟା ମୋଟା ବହି କେଇଟା ଆଉ ଖବରକାଗଜ ଦେଇ ସିଲେଇ ହେଇଥିବା ଦିସ୍ତେ କାଗଜର ଖାତା ଭିତରେ । ସାଧା କାଗଜର ଶୂନ୍ୟତାକୁ ସ୍ୱପ୍ନର କାଳୀରେ ଭରିବାର ଅହରହ ଚେଷ୍ଟା ଝାଳ ହୋଇ ଭରିଯାଏ ଟିକି ମୁହଁରେ । ସାର୍ଟ ହାତରେ ଝାଳ ତକ ପୋଛୁ ପୋଛୁ ସେ ମୁହଁ ଉଠାଏ ମୋ ଆଡେ । ମିଶି ଯାଏ ଚାରି ଆଖି । ସେ ମୁହଁ ପୋତେ ମୁଁ ମୁହଁ ଫେରେଇ ନିଏ । ବାସ୍ ସେତିକି ସମ୍ପର୍କ ।
ପରିସ୍ଥିତିର ସାମଞ୍ଜସ୍ୟରେ ଅପରିଚିତ ବି ଲାଗେ ନିଜସ୍ୱ ପ୍ରତିବିମ୍ବ । କେତେ ହେବ ତେର କି ଚଉଦ ! ଏଇ ବୟସରେ ଗୁଡିର ଅମାନିଆ ଉଡା ଛାଡି ଦାୟିତ୍ୱରେ ସୀମିତ ହେବା ଭାରି ଅସହାୟ। ଭୋଗିଥିବା ମଣିଷ ହିଁ ବୁଝିପାରେ ଅପରର କଷ୍ଟ। ବାପାଙ୍କ ପାରାଲିସିସ୍ ପରେ ମୋ ହାତରୁ ବି ଖସିଗଲା ବହିର ମିଠା ଓଜନ ତକ ।
ସେ କିନ୍ତୁ ଆଉରି ସାନ ବୟସରେ ବୋହି ନେଇଛି ଉଭୟ। ପାଛିଆରେ କର୍ମ ଆଉ ଜରି ବ୍ୟାଗରେ ପୁଳାଏ ସ୍ୱପ୍ନ ।ଦିନ ସାରା ଆସେନି ସେ । ଆସେ ପ୍ରାୟ ପାଞ୍ଚଟା ବେଳକୁ । ଡେରି ରାତି ଯାଏଁ ବସିରହେ ପାଛିଆଟା ଖାଲି ହେବା ଉଦ୍ଦେଶ୍ୟରେ । କେବେକେବେ ଖାଲି ପାଛିଆର ଖୁସି ଆଉ କେବେ ବଳକା ଅବଶୋଷ ନେଇ ଫେରିଯାଏ ସେ ।କିନ୍ତୁ ଆର ଦିନ ତା ଆଖିରେ ଆଶାତକ ଉଜ୍ଜ୍ୱଳ ଥାଏ ଆଗ ଭଳି ।
― ମୋତେ ଗୋଟେ ମୋବାଇଲ ଦିଅ ବାପା ।
ପୁଅର ପାଟିରେ ହାଟରୁ ଫେରି ଘରେ ପହଞ୍ଚିଗଲି ।ମୋ ମୋବାଇଲଟା ହାତରେ ଧରି ମୁହଁ ଫୁଲେଇ ଠିଆ ହୋଇଛି ।
― ମୋବାଇଲ କାହିଁକି ?
― କ୍ଲାସ ମଝିରେ ବାରବାର ବାଜୁଛି ତୁମ ଫୋନ୍ ।ମୋର କଟି ଯାଉଛି ।
ଆବଶ୍ୟକତା ପୂରଣ ହେବା ପରେ ମଣିଷ ଖୋଜିବସେ ସୁବିଧା । କିନ୍ତୁ ଆବଶ୍ୟକତା ସହ ଲଢ଼ୁଥିବା ମଣିଷଟେ କେବେ ହାତ ପାହାନ୍ତାର ସୁଖତକ ବି ହରେଇଦିଏ ନୀରବରେ ।
ତା'ର ବି ତ ପଢା ହେଉଥିବ ଏମିତି ।ନ୍ୟୁଜରେ କହୁଥିଲା ସରକାରୀ ସ୍କୁଲ ବି ଯୋଗାଉଛି ଏ ଅନଲାଇନ ପାଠ ପଢ଼ା ।ସେ କେମିତି ପଢୁଥିବ ?ତା' ଘରେ କ'ଣ ଆଣ୍ଡ୍ରଏଡ଼ଟିଏ ସଜିଲ ଥିବ ଏ ଯାନ୍ତ୍ରିକ ପାଠ ପଢ଼ା ପାଇଁ ? କ'ଣ ଯୋଡି ହେଉଥିବ ଇଣ୍ଟରନେଟ ?
କେବେ ଥରେ କହିଥିଲି ତା'କୁ ।ଖାଲି ପାଛିଆ ଥୋଇ ବସିଥିଲା ହାଟରେ । ନିରବୀ ଆସୁଥିବା ହାଟର କୋଳାହଳ ଭିତରେ ମୋ ଦୋକାନରେ ବି ପଡିସାରିଥିଲା ତାଲା ।
― ଘରକୁ ଯିବୁନି ?
― ପାଠ ସରିନି ।
― ଘରେ କରିବୁ ।ଏ ଗହଳିରେ କ'ଣ ପଢିହୁଏ ?
― ଗହଳି ନୁହେଁ ଆଲୁଅ ।ଆମ ଘରେ ଲାଇଟ୍ ନାହିଁ ।
ନିରବୀ ଯାଇଥିଲା ମୋ ଭିତରର ଜିଜ୍ଞାସା ତକ ।ଆଲୁଅରେ ଅଭାଵ ଯେଉଁଠି ଚୁଲିଧାସରେ ପୂରଣ ହୁଏ ସେଠି ଏସବୁ ଆଧୁନିକତା ତୁଚ୍ଛ ।ଚୁଲି ବି କେତେ ଦିନ ତଳେ ଜଳିଥିବ ସେ ନେଇ ନିର୍ଦ୍ଦିଷ୍ଟ ଉତ୍ତରଟେ ନାହିଁ ।ଏ ମହାମାରିରେ ଲିଭୁଥିବା ଜୀବନ ଓ ଭୋକ ଦାଉରେ ଜଳୁଥିବା ପେଟ ମଝିରେ ପେଶୀ ହୁଅନ୍ତି କିଛି ଆଶା ସ୍ୱପ୍ନ ଆଉ ନିରୀହ ଚେଷ୍ଟା ।ସେ କଣ ସଞ୍ଚି ପାରିଥିବ ଦୁଇ ମାସର ଭାତ ? ନା ଚାଲିଥିବ ଶହ ଶହ କିଲୋମିଟର ? ସରକାରୀ ଯୋଜନା ସବୁ କଣ ଡେଇଁ ପାରିଥିବ ତା ଅଭାବୀ ଘରର କବାଟ ?ଏ ସବୁ ଭାରି ଅସମାହିତ ।
ଖବର ମିଳିଲା ଖୋଲିବ ହାଟ । ଦିନେ ଛାଡି ଦିନେ ଦୋକାନ ସବୁ । ଖୁସି ହେଲି ମୁଁ । ଅନ୍ତଃତ କମେଇର ବାଟ ଫିଟିଲା । କେତେଦିନ ହାତର ଆଙ୍ଗୁଠିରେ ଭୋକର ହିସାବ କରିହେବ ? ଆମ ଭଳି ମଧ୍ୟବିତ୍ତ ପରିବାରର କଷ୍ଟ ଆହୁରି ଅଧିକ । ନା କାଟି ହେବ ଖର୍ଚ୍ଚ ନା କରିହେବ ରୋଜଗାର । କିନ୍ତୁ ଏଥର ନିଜ ଦୋକାନ ଅପେକ୍ଷା ତା ପାଇଁ ବେଶୀ ଖୁସି ଥିଲି ମୁଁ। ସେ ପୁଣି ପାଇବ ଦୁଇ ମୁଠା ଖୁଚୁରା , ମୁଠାଏ ଆଲୁଅ ଆଉ ପାପୁଲିଏ ଆଶା । ସେ ପୁଣି ବୋହିବ ତା ଜରି ବ୍ୟାଗରେ ସ୍ୱପ୍ନ ।
ଖୋଜିବାରେ ଲାଗିଲି ଘର ସାରା । କେଇ ବର୍ଷ ତଳେ କିଣିଥିବା ଟିକି ଆଣ୍ଡ୍ରଏଡ଼ ଟାଏ । ବନ୍ଦ ପଡିଥିଲା ଅନେକ ଦିନୁ ।ସଜାଡ଼ିବାକୁ ହେବ ।ଖୋଲୁ ହାଟ ।ଆଗ ରମେଶ ଦୋକାନରେ ସଜାଡି ନେବି । ତା ପରେ ସେ ବି ପଢିବ ଅନଲାଇନ୍, ସ୍କୁଲ ଖୋଲିବା ଯାଏଁ। ତାଲା ପଡିଥିବା ସ୍କୁଲ ନିରାଶ କରିବନି ତାକୁ ।
ଦିନେ ଦୁଇ ଦିନ ପୁରା ସପ୍ତାହ ।ଖାଲି ପଡିଥିଲା ମୋ ଦୋକାନ ଆଗ ପିଣ୍ଡା । ନା ଆସୁଥିଲା ତା ପାଛିଆ ଭର୍ତ୍ତି କର୍ମ ନା ଜରି ବ୍ୟାଗର ସ୍ୱପ୍ନ । ସଜଡ଼ା ମୋବାଇଲଟା ସେମିତି ପଡିଥିଲା ଡ୍ର ଭିତରେ ।ଏଇଠି କେତେଦିନ ବସି ସ୍ୱପ୍ନ ପାଇଁ ଲଢ଼ୁଥିବା ପିଲାଟା ସମସ୍ତଙ୍କୁ ଅଜଣା ।
ଅଥଚ ହାଟ , ସବୁ କିଛି ଚାଲୁଥିଲା ଠିକ୍ ପୂର୍ବପରି ।