Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

ସ୍ତୁତିରେଖା ମିଶ୍ର

Others


5.0  

ସ୍ତୁତିରେଖା ମିଶ୍ର

Others


କଲମ ଚୋର

କଲମ ଚୋର

4 mins 14.6K 4 mins 14.6K

ଶ୍ରେଣୀରେ ଅଧିକାଂଶ କଲମ ହଜିବାର ଅଭିଯୋଗ ଖୁବ ଗୋଟାଏ ବିରକ୍ତ କରୁଥିଲା ଅଭିଷିକ୍ତାକୁ। କେତେ ଏବେ ପାଠ ପଢ଼ାଇବା ଛାଡି କଲମ ଖୋଜିବ ସେ ? ଛୋଟ ପିଲା ଯେ କଲମଟି ଫେରି ନ ପାଇବା ଯାଏଁ ଥୟ ଧରିବେନି। ଅଗତ୍ୟା ବାଧ୍ୟ ହୋଇ ପ୍ରାୟତଃ ନିଜ କଲମରୁ ଗୋଟାଏ ଦେଇ ଶାନ୍ତ କରିବାକୁ ହୁଏ ସେମାନଙ୍କୁ।କିନ୍ତୁ ଏଥର ନୁହେଁ, ପ୍ରତିଦିନର ବିରକ୍ତି ମଣିଷର କାର୍ଯ୍ୟ କଳାପକୁ ପ୍ରଭାବିତ କରେ ଖୁବ ନକରାତ୍ମକ ଭାବେ। ଏଥର ଭୀଷଣ ଶକ୍ତ ଭାବେ ପ୍ରତି ପିଲାର ବ୍ୟାଗ ଚେକିଂ କଲା ଅଭିଷିକ୍ତା। ଶେଷରେ ଶ୍ରେଣୀର ଗୋଟାଏ କଣକୁ ଜାବୁଡି ବସୁଥିବା , ଶାନ୍ତ ପିଲାଙ୍କ ମଧ୍ୟରୁ ଅନ୍ୟତମ ସତ୍ୟବ୍ରତ ବ୍ୟାଗରୁ କଲମଟି ମିଳିଗଲା। ନିରୀହ ପ୍ରତୀୟମାନ ହେଉଥିବା ସତ୍ୟବ୍ରତ ଠାରୁ ଏପରି ଆଶା ନ ଥିଲା ଅଭିଶିକ୍ତାର । ଅନେକ ଦିନର ବିରକ୍ତି ମିଶା କ୍ରୋଧ ଯାକ ଏକା ସହିତ ବର୍ଷି ପଡିଲା ସତ୍ୟବ୍ରତ ଉପରେ ,ଆକାଶରେ ଜମାଟ ବାନ୍ଧି ଥିବା କଳା ମେଘ ପରି। ପ୍ରଶିକ୍ଷଣର ସମସ୍ତ ଅବଧି ଶିଶୁର ମନସ୍ତତ୍ୱକୁ ବିଚାର କରି ସୁଧାର ନିମନ୍ତେ ଶିକ୍ଷା ପାଇଥିଲା ସେ, ଆଜି କିନ୍ତୁ ପିଲାଟିକୁ କହିବାକୁ ସୁଯୋଗ ନ ଦେଇ ଗର୍ଜି ଚାଲିଲା ସେ। ଅପମାନ, ଦୋଷାରୋପ ଆଉ ଗୁଡାଏ ଉପଦେଶ ଦେବା ଆଳରେ ରୁକ୍ଷତାର ଶେଷ ସୀମାରେ ଠିଆ ହୋଇ ପିଲାଟିର କୋମଳ ମନରେ ସମସ୍ତ ଆଘାତ କରି ସାରିଥିଲା ସେ। କେବଳ ଦଣ୍ଡ ମୁକ୍ତ ଅଞ୍ଚଳ କାରଣରୁ ଗୁଡାଏ ମାଡ଼ରୁ ରକ୍ଷା ପାଇଗଲା ସତ୍ୟବ୍ରତ।

ଫେରି ଆସିଲା ଅଭିଷିକ୍ତା ଶ୍ରେଣୀଟିକୁ ଅଧାରୁ ଛାଡି। ଅନେକ ପ୍ରଶ୍ନ ମନରେ ନେଇ। କ୍ରୋଧ ମଣିଷର ଅତ୍ୟନ୍ତ ଆପଣାର ଶତ୍ରୁ ଟିଏ। ଏମିତି ଏକ ଅସ୍ତ୍ର ଯାହା ନିଜର ସର୍ବାଧିକ କ୍ଷତି କରୁଥିଲେ ମଧ୍ୟ ପରିତ୍ୟଜ୍ୟ ନୁହେଁ। ନିଜ ରାଗର ବିରାଟ ବୋଝ ଟାଏ ମୁଣ୍ଡରେ ଲଦି ଚିନ୍ତା କରି ଚାଲିଲା ଅଭିଶିକ୍ତା । କଣ ହୋଇପାରେ ଚୋରିର କାରଣ !! ଅଭାବ ନା ପ୍ରବୃତ୍ତି ?ପିଲା ଟା କୁସଙ୍ଗରେ ନାହିଁ ତ ? ତାର ଘରେ ଖବର କରିବାକୁ ପଡିବ !! କେଜାଣି ତା ବାପା ମା କେମିତି ଗ୍ରହଣ କରିବେ କଥା ଟିକୁ। ଏହିପରି ଅନେକ ଗୁଡିଏ ପ୍ରଶ୍ନ ଭିତରେ ଧନ୍ଦି ହେଉଥିବା ସମୟରେ ସତ୍ୟବ୍ରତ ପହଁଚିଲା। ଖାତାରୁ ଅସାଇଜ ଚିରା ହୋଇଥିବା କାଗଜ ଖଣ୍ଡିଏରେ ନିଜର ଅଙ୍କା ବଙ୍କା ଅକ୍ଷର ମେଞ୍ଚାଏ ଲେଖି।

--- ଏଇଟା କଣ ?

--- ଦରଖାସ୍ତ!! ଘରକୁ ଯିବି ।।

--- କଣ ପାଇଁ ? ତୋର କଣ ହେଲା ? ପାଠରେ ମନ ଲାଗୁନି କି ? ଓଃ !ଚୋର ହେବାର ବ୍ୟବସ୍ଥାରେ ଲାଗିପଡିଲୁଣି ବୋଧେ । କଲମ ଚୋରି କରିବା ତ ଆରମ୍ଭ କଲୁଣି , ୟା ପରେ ଆଉ କଣ ଚୋରୀ କରିବୁ କହ ?

କଳା ମୁହଁଟା ତାର ଗୁଡାଏ ଲୁହ ବିନ୍ଦୁରେ ଉଜ୍ଜ୍ବଳ ହୋଇ ଉଠିଲା; ଝରଣାର ଦୁଇ ଧାର ପରି ଗୋଲ ଗୋଲ ଆଖି ଦୁଇଟିରୁ ପାତିଆ ଗାଲ ଦୁଇଟିକୁ ଓଦା କରି ସାର୍ଟର କଲର ଯାଏଁ ବୋହି ଯାଉଥିଲା ନିରନ୍ତର। ହୁଏତ ସେଇ କେଇବୁନ୍ଦା ନିରୀହ ଅଶ୍ରୁ ଅଭିଷିକ୍ତାର କ୍ରୋଧାଗ୍ନିକୁ ପ୍ରଶମିତ କରିଦେଲା କିଛି ମାତ୍ରାରେ ।ଏଥର ଟିକେ ନରମ ଗଳାରେ କହିଲା

--- କାନ୍ଦି କି ଲାଭ? ତୁ କଣ ଭୁଲ କରିନୁ ? କଲମ ଚୋରାଇବା କଣ ଭଲ କାମ ?

--- ମୋର ଆଦୌ କଲମ ନାହିଁ, ମୁଁ ପାଠ ଲେଖିପାରୁନି।

--- ବାପାଙ୍କୁ କହୁନୁ କିଣିଦେବେ। ମତେ କହିଲୁନି ମୁଁ ଦେଇଥାନ୍ତି।

--- ବାପାର ଦେହ ଖରାପ, ହପ୍ତାଏ ହେବ କାମକୁ ଯାଉନି, ଖଟରେ ପଡି ଧକଉଛି। ଆଶା ଦିଦି କହିଲେ ଶ୍ୱାସ ରୋଗ। ବଟିକା ଦେଲେ।

ଅଭିଷିକ୍ତା ମନର ରାଗ ,ବିରକ୍ତି ସବୁ ପାଣି ଫୋଟକା ପରି ମିଳେଇଗଲା ମନର ଚାରିକାନ୍ଥ ଭିତରେ। ହଠାତ ମନେ ପଡ଼ିଲା ସତ୍ୟବ୍ରତର ଯେଉଁ ବ୍ୟାଗଟିକୁ ଏତେ ରୁକ୍ଷ ଭାବେ ଚେକ କରିଥିଲା ସେଟା ବ୍ୟାଗ ନୁହେଁ ପଲିଥିନ ଜରି ଟାଏ, ତା ବି ଦୁଇ ତିନି ଜାଗା ଚିରା। ଅବଶ୍ୟକତା ମଣିଷ ଭିତରେ ଅଭାବବୋଧ ଟାଏ ସୃଷ୍ଟି କରେ। ସେଇ ଅଭାବ ମଣିଷ ଦ୍ୱାରା ଅନେକ କିଛି କରେଇ ନିଏ ଇଛାର ସପକ୍ଷ ଅବା ବିରୁଦ୍ଧରେ। ପିଲାଟିକୁ ବୁଝିବାକୁ ଚେଷ୍ଟା ନ କରିଥିବାର ଗ୍ଲାନି ଓ ଟିକି ପିଲାଟିକୁ କରିଥିବା ଅପମାନ ବୋଧକୁ ନେଇ ଖୁବ ସନ୍ତୁଳି ହେଲା ଅଭିଷିକ୍ତା।ଆଉ କିଛି ବାକ୍ୟ ବିନିମୟ ନ କରି ନିଜ କଲମ ଟିଏ ବଢ଼ାଇ ଦେଲା ସତ୍ୟବ୍ରତ ଆଡ଼କୁ, କହିଲା

--- କାହାରି ଚୋରୀ କରିବୁନି !! ଦରକାର ହେଲେ ମତେ କହିବୁ। ଆଡେ ସାଡେ ଗାରେଇ କାଳୀ ନଷ୍ଟ କରିବୁନି।

କଲମଟି ଧରି ଚୁପ ଚାପ ଚାଲି ଯାଉଥିଲା ସତ୍ୟବ୍ରତ। ଅଭିଷିକ୍ତା ପ୍ରଶ୍ନ କଲା ,

--- ଖାଇକି ଆସିଛୁ ତ ?

କିଛି ଉତ୍ତର ନ ଫେରେଇ ଦୌଡ଼ି ଚାଲିଗଲା ସତ୍ୟବ୍ରତ।ସେଇ ଦିନ ଠାରୁ ଅଭିଷିକ୍ତାକୁ କେମିତି ଗୋଟେ ନିଜର ମାନି ନେଇଥିଲା ସତ୍ୟବ୍ରତ।ପିଲା ଗୁଡା ଏଇମିତି ଭାରି ସ୍ନେହ କାଙ୍ଗାଳ, ଟିକେ ଆଦରରେ ପାଇଲେ ଆଉଜି ଆସନ୍ତି।ଟିକେ ଖୁସିରେ ପୁରା ସଂସାରକୁ ପାଇଯିବାର ଅନୁଭୂତି କରନ୍ତି।ଶୀଘ୍ର ରୁଷନ୍ତି ,ଶୀଘ୍ର ହସନ୍ତି। ଯଦିଓ ଅଭିଷିକ୍ତା ମନରେ ସତ୍ୟବ୍ରତ ପ୍ରତି ସ୍ନେହ ମିଶା ଜାଗାଟିଏ ସୃଷ୍ଟି ହୋଇଥିଲା ,କିନ୍ତୁ ସନ୍ଦେହ ମଞ୍ଜିଟି ମଧ୍ୟ ସେଇଠି ପଡିରହିଥିଲା ଏଯାବତ।ଶ୍ରେଣୀରେ କାହାର କିଛି ହଜିଲେ ଅଭିଷିକ୍ତା ମନେ ମନେ ସନ୍ଦେହ କରିବସେ ସତ୍ୟବ୍ରତକୁ। ଅକାରଣ ଦୁଇ ଚାରି ଥର ଖୋଜିଦିଏ ସତ୍ୟବ୍ରତର ସେ ଚିରା ଜରି ଭିତରକୁ । ଅପମାନିତ ହୁଏ ସତ୍ୟବ୍ରତ ,କିନ୍ତୁ ପ୍ରତିବାଦ କରେନି।

■■■■■■■

ଗୁରୁଦିବସ ପାଳନର ଅବସର ।ଖୁବ ଖୁସିରେ ପିଲାମାନେ ଫୁଲ, ଦୀପ, ଧୂପ ଦେଇ ଗୁରୁପୂଜା ଚଲାଇଛନ୍ତି।ଗୀତ ଗାଇ ,ମନ୍ତ୍ର ବୋଲି ଆଶୀର୍ବାଦ ନେଉଛନ୍ତି। ଗୁରୁଟିଏ ହେବା ସହଜ ନୁହେଁ, ଏ ଅଫୁଟା କଢି ମାନେ ଭାରି ବିଶ୍ୱାସ କରନ୍ତି ଗୁରୁଙ୍କୁ। ସମୟେ ସମୟେ ପିତାମାତାଙ୍କୁ ଅମାନ୍ୟ କରି ଗୁରୁବିଶ୍ୱାସୀ ହୋଇ ପଡ଼ନ୍ତି। ଏମାନଙ୍କ ବିଶ୍ୱାସକୁ ବଜାୟ ରଖିବା ଏବଂ ଭବିଷ୍ୟତ ନିମନ୍ତେ ଉପଯୁକ୍ତ ମାର୍ଗ ଦର୍ଶନ ଦେବା ସହଜ ସାଧ୍ୟ ନୁହେଁ।ଗୋଟିଏ ଗୁରୁଦାୟିତ୍ୱ ମୁଣ୍ଡାଇବାର ଅନୁଭବକୁ ସାଥିରେ ଧରି ବାହାରକୁ ଆସିଲା ଅଭିଷିକ୍ତା। ଭିତରେ ସଭା ଶେଷ ଚକଲେଟ ବଣ୍ଟା ଚାଲିଛି। ପିଲା ସବୁ ବଡ଼ ଆଗ୍ରହରେ ଚକଲେଟ ନେବାରେ ବ୍ୟସ୍ତ। ହଠାତ ଦେଖିଲା ହଲ ବାହାରେ ପିଣ୍ଡା ଉପରେ ଠିଆ ହୋଇଛି ସତ୍ୟବ୍ରତ।

--- କିରେ ଯାଉନୁ। ଚକଲେଟ ନେବୁ।

--- ତୁମକୁ ଗୋଟେ କଥା କହିବି ?

--- ହଁ, କହ ! ତୁ ପୁଣି କଥା କହିଲୁଣି ନା !!

--- ଏଇଟା ତୁମ ପାଇଁ।

କଲମ ଟାଏ ବଢ଼େଇ ଦେଲା ଅଭିଷିକ୍ତା ଆଡକୁ । ଆଶ୍ଚର୍ଯ୍ୟ ହେଲା ଅଭିଷିକ୍ତା । ପୁଣି ଥରେ ରାଗ ଗୁଡାଏ ଜମା ହୋଇଗଲା ମନରେ। ସନ୍ଦେହର ପଡିରହିଥିବା ବୀଜଟି ମହାଦ୍ରୁମରେ ପରିଣତ ହୋଇଗଲା ଏକା ବେଳକେ।ଖୁବ ରୁକ୍ଷ ଗଳାରେ ପଚାରିଲା,

--- କୋଉଠୁ ଆଣିଲୁ, ସତ କହ ??

କେଜାଣି ସତ୍ୟବ୍ରତ କଣ ବୁଝିଥିବ, ପୁଣି ତାର ସେ ଗୋଲ ଆଖିର ଲୁହ ଗୁଡାକ ପାତିଆ ଗାଲ ଦେଇ ତଳକୁ ବୋହିଗଲା।

--- ଚୋରୀ କରିନି !! ତୁମେ ପରା ମନା କରିଥିଲ ! ବୋଉ ସହ କାମକୁ ଯାଇଥିଲି। ମାଲିକର ସବୁ ଗଛରେ ପାଣି ଦେଲି । ଖୁସି ହୋଇ ଦଶ ଟଙ୍କା ଦେଇଥିଲା ସେ। ସେଇଥିରେ ଆଣିଛି। ସତ କହୁଛି ବୋଉକୁ ପଚାରିବ।

ବାସ୍ ଆଉ ପ୍ରମାଣ ଆବଶ୍ୟକ ନ ଥିଲା ଅଭିଷିକ୍ତାର।କୋଳେଇ ଧରିଲା ସତ୍ୟବ୍ରତକୁ ।ପଞ୍ଚମ ଶ୍ରେଣୀର ସେ ପିଲାଟା ହୁଏ ତ , ସମସ୍ତ ପ୍ରଶିକ୍ଷଣ ଠାରୁ ଅଧିକ ଶିକ୍ଷା ଦେଇଗଲା।

●●ସ୍ତୁତିରେଖା ମିଶ୍ର●●


Rate this content
Log in