ସ୍ତୁତି ମିଶ୍ର

Others

4.7  

ସ୍ତୁତି ମିଶ୍ର

Others

ନନା

ନନା

3 mins
126


ବଡ଼ ଝିଅ ବୋଲି ଭାରି ଗେହ୍ଲାରେ ବଡ଼ କରିଥିଲେ ନନା । ନନାଙ୍କ ବାଡିରୁ କାହାରି ଦୋଷ ବର୍ତ୍ତି ପାରୁ ନଥିବା ବେଳେ, ନିର୍ଲିପ୍ତା ଦେହକୁ ଆଜି ଯାଏଁ ଛୁଇଁ ପାରେନି ସେ ତେଲବୋଳା ଲାଲ୍ ବେତ ଖଣ୍ଡକ ।ସବୁବେଳେ ମାଡ଼ ଖାଇସାରି ଭାଇନା ଜଗିବସେ ସୁଯୋଗଟିଏ ପାଇଁ । ରାଗ ତକ କୁଆଡୁ କେମିତି ସୁଝାଏ ନିର୍ଲିପ୍ତା ଉପରେ ।ପୁଣି ସେଇ ବେତରେ ପୂଜା ହୁଏ ଭାଇନା ,ପୁଣି ଉଣ୍ଡିବସେ ସୁଯୋଗ ।

ପିଲା ବେଳର ଏ ଝିମିଟି ଖେଳ କେଜାଣି କେମିତି ମହାଭାରତରେ ବଦଳିଗଲା ବୁଝିପାରିନି ନିର୍ଲିପ୍ତା । ବୟସ ସହ ଖାପଛଡ଼ା ହେଉଥିଲା ଭାଇନା ।କଥା କଥାରେ ନନାଙ୍କ ଆଗରେ ଠିଆ ହେଉଥିଲା ବିଦ୍ରୋହୀ ସାଜି ।ସାରା ଜୀବନ ଝାଳ ବୁହାଇ ନନା ଠିଆ କରିଥିବା ବ୍ୟବସାୟ ତକ ଶେଷ ଯାଏଁ ନନା ହିଁ ବୋହୁଥିଲେ ନିଜ ବୁଢା କାନ୍ଧରେ ।ହୁଏତ ସେଇଥିରୁ ମୁକ୍ତି ପାଇଁ ଜଲଦି ଚାଲିଗଲେ ନନା ।

ଢେର୍ ଥର କହିଥିବ ନିର୍ଲିପ୍ତା ," ବନ୍ଦ କରିଦିଅ ସବୁ ।ଯେତିକିରେ ଚଳଣି ଖର୍ଚ୍ଚ ଉଠିବ ସେତିକି ଚାଲୁ। କେତେ ଆଉ ଅଯୋଗ୍ୟ ସବୁଙ୍କୁ ପୋଷୁଥିବ ? " ନିରବ ରୁହନ୍ତି ନନା। ସତରେ କଣ ସାରା ଜୀବନ ନିଜ ସନ୍ତାନ ମାନଙ୍କ ଭବିଷ୍ୟତ ସ୍ୱପ୍ନ ଦେଖୁଥିବା ବାପାଟିଏ କରଛଡା ହୋଇପାରେ ?

ଆଜି ଆଉ ନନା ନାହାନ୍ତି । ସରି ଗଲାଣି ସବୁ କ୍ରିୟାକର୍ମ ।ଏଥର ଫେରିଯିବାର ବେଳ ।ଢେର୍ ଦିନୁ କଥା ହୁଏନି ଭାଇନା। ଭାଉଜ ଖାଲି ଯୋଡି ରଖେ ସମ୍ପର୍କଟେ ପରିବାର ଦାୟରେ ।କାର ପାଖରେ ଠିଆ ହୋଇଥିଲେ ସମ୍ବେଦ ।ଚାଉଳ ,ନଡିଆ ସବୁ ସଜାଡି ଦେଉଥିଲେ ଭାଉଜ ।ପାଣି ଟାଙ୍କି ସେପଟେ ଭାଇନା ।ସେ ସବୁଥର ସେଇଠି ଥାଏ ।ନନା ତାଙ୍କୁ ବାଟେଇ ଦେବା ବେଳେ କେବେ ଆଗକୁ ଆସେନି ।ଏଥର ବି ଆସିଲାନି ।ନନାଙ୍କ ଅଭାବକୁ ମାଡି ମକଚି କାର୍ ରେ ବସିଲା ନିର୍ଲିପ୍ତା ।

ପ୍ରତିଥର ଗାଡି ମିରର୍ ରେ ନନାଙ୍କ ଲୁହ ମିଶା ମୁହଁଟା ଦିଶେ ।ଦୁଇ ହାତ ଟେକି ଢାଳି ଦେଉଥାନ୍ତି ଗୁଡାଏ ଆଶୀର୍ବାଦ ।ଏଥର କିନ୍ତୁ ଶୁନ୍ୟ ଅଟ୍ଟାଳିକାଟାଏ କେବଳ ।ଆଉ ପାଣି ଟାଙ୍କି ପଛପଟୁ ମୁହଁ ବୁଲେଇ ଚାଲିଯାଉଥିବା ଭାଇନା ।ଏବେଏବେ ଅନାଥ ହୋଇଗଲା ନିର୍ଲିପ୍ତା ।ନନାଙ୍କ ପାନଖିଆ ପାଟିରୁ ମା' ନିଲୁ ଡାକ ନିରବି ଯାଇଥିଲା ସବୁଦିନ ପାଇଁ । 

ବୋଉ ବାରବାର ଫୋନରେ କହୁଥିଲା," ନନା ଗଲେନି ଯେ ଏ ଘରୁ ଶ୍ରୀ ହଜିଗଲା ।ଏ ବର୍ଷ ଧାନ ହେଲାନି । ଫଳନ୍ତି ଆମ୍ବ ଗଛ ସବୁ ଅଯୋଗା ହେଲାଣି । ପିଣ୍ଡା ଉପରୁ ଖସି ପଡିଛି ଥୋକାଏ ପଲସ୍ତରା ।କାନ୍ଥ ଫଟେଇ ବାହାରିଛି ଅଶ୍ୱସ୍ଥ ଗଛଟାଏ ।" ଏମିତି କେତେ କଣ !

ଦୀର୍ଘଶ୍ୱାସ ଟାଣେ ନିର୍ଲିପ୍ତା ।ବାପଘର ସବୁବେଳେ ଝିଅଟିଏର ସାମର୍ଥ୍ୟ ।ଭାଙ୍ଗିଯାଉଥିବା ବଳତକ ଆହୁରି ବିବ୍ରତ କରେ ତାକୁ ।ବିତୁଥିବା ସମୟ ସହ ବେଶିବେଶୀ ଭାଙ୍ଗି ପଡେ ସେ । ଜୀବନର ପ୍ରଥମ ପୁରୁଷ ପ୍ରତି ଝିଅଟିଏର ଥାଏ ଅଚଳ ବିଶ୍ୱାସ ।ସେଇ ବିଶ୍ୱାସର ବତୀଘର ଲିଭିଯିବା ପରେ ଯିଏ ସର୍ବାଧିକ ଆହତ ହୁଏ ସେ କେବଳ ଝିଅ ।ସବୁକିଛି ଥାଇ ବି କିଛି ନ ଥିବାର ଯଥେଷ୍ଟ କଷ୍ଟ ଭୋଗୁଥିଲା ସେ ।

ବାପାଙ୍କ ବର୍ଷିକିଆ ।କେଜାଣି କେମିତି ହେବ ସବୁ ଆୟୋଜନ ।ସାରା ଜୀବନ ବିଦ୍ରୋହ କରୁଥିବା ଭାଇନା କଣ ଅନ୍ତର ଦେଇ ଯୋଗାଡିବ ସବୁ ? ଭାରି ବିକଳ ହେଉଥିଲା ନିର୍ଲିପ୍ତା । ସମ୍ବେଦ ବି ଚାକିରୀ କାମରେ ରାଜ୍ୟ ବାହାରେ । କୌଣସି ମତେ ଫେରିପାରିବେ ଶ୍ରାଦ୍ଧ ଆଗଦିନ । 

ଆଉ ମାତ୍ର ଆଠଦିନ । ପୁଅକୁ ନଣନ୍ଦ ପାଖେ ଛାଡି ବସ୍ ଧରିଲା ନିର୍ଲିପ୍ତା । ଛକରୁ ଚାରିହାତ ବାଟ ।ମୁହଁସଞ୍ଜ ହେଲାଣି ।ନନା ଥିଲେ କାହାକୁ ଗୋଟେ ନିଶ୍ଚୟ ପଠେଇ ଦେଇଥାନ୍ତେ ଛକକୁ । ଗରମ ଲୁହତକ କାନିରେ ଲୁଚେଇ ଘର ଯାଏଁ ଚାଲିଲା ନିର୍ଲିପ୍ତା ।

ଘର ଆଗ ଲାଇଟଟା ଫ୍ୟୁଜ୍ ହୋଇଯାଇଛି ବୋଧେ । ହଁ, ଆଲୋକର ଉତ୍ସ ହଜିଯିବା ପରେ ଏ ବର୍ଷିକିଆ ଲାଇଟ ସବୁ ବି କେତେଦିନ । ଧୀରେ ଧୀରେ ଘର ଭିତରକୁ ଗଲା ସେ ।ଗେଟରେ ପଶିବା ବେଳେ ଦି ତାଲା ବାଲକୋନିରେ ବସିଥାନ୍ତି ନନା ।ସେଇଠୁ ପାଟି କରନ୍ତି ," ମା' ନିଲୁ ।ମୋ ମା' ଆସିଲାଣି। "ଆଜି କିନ୍ତୁ ଅସମ୍ଭବ ନୀରବତା ।

ଏଇ ନୀରବତା ଜୀବନର ଏକ ଅକୁହା ସତ୍ୟ ।ଶବ୍ଦ ଦେଇ କହିହେଉଥିବା କଥା ସବୁରେ ଥାଏ ମପାଚୁପା ଆବେଗ । ଅଥଚ ବିନା ଶବ୍ଦର ଏ ଭାଷାରେ ମନ ଭିତରର ଦରଜତକ ବ୍ୟକ୍ତ ହୋଇଯାଏ କେବେକେବେ ।

କ'ଣ ଗୋଟାଏ ଝୁଣ୍ଟିପଡିଲା ସେ ।ଟଣ କରି ପଡିଗଲା କିଛି ଗୋଟେ । ମୋବାଇଲ ଲାଇଟ ମାରି ଦେଖିଲା ଜମା ହୋଇଛି ଗୁଡାଏ ପେଟି, ଚାଉଳ ବସ୍ତା , ତେଲ ଟିଣ । ଶବ୍ଦ ଶୁଣି ବାହାରି ଆସିଲେ ସବୁ । 

― ମା' ନିଲୁ ଆସିଲୁଣି ? ଦେଖି ଗୋଡ଼ଟା ବାଜିଲା କି ମା ?କେତେଥର କହିଲିଣି ଜିନିଷ ସବୁ ......

ପାଟି ଶୁଣି ଚମକି ପଡିଲା ନିର୍ଲିପ୍ତା,ଅନେକ ଦିନରୁ ନିରବି ସାରିଥିବା ଏ ସ୍ୱର ! ଆଜି ହଠାତ ! ନନାଙ୍କ ଧୋତି,ଗାମୁଛା ପିନ୍ଧିଥିବା ଭାଇନା ତନଖି ଦେଖୁଥିଲା ତା ପାଦ ଦି'ଟା।


Rate this content
Log in