ପ୍ରେମ ଗଳ୍ପ

ପ୍ରେମ ଗଳ୍ପ

4 mins
552


 


-ତୁ ଗୋଟେ ଦୁଷ୍ଟ ଝିଅ। କହିଥିଲି ଆସି ଦେଖା କରିବାକୁ ,ଆସିଲୁନି ଯେ?

-ପାଣିରେ ବୁଡି ଯାଇଛି ବାଟ ସବୁ।ଏକ ରକମ ଜଳ ବନ୍ଦୀ।ଡର ଲାଗୁଛି ଯିବାକୁ।

-ଭଲ ପାଇବାରେ କି ଭୟ ଯେ? କଷ୍ଟ କରି ଆସେ ।ମୁଁ ବି ଢେର କଷ୍ଟ କରି ଆସିଛି।

-ସତ କହୁଛି କିଛି ବାଟ ନାହିଁ।ମୋ ସ୍କୁଟି ଅଧବାଟରେ ପାଣିରେ ବନ୍ଦ ହେଲେ କଣ କରିବି କହିଲେ। 

-ତୋ ପ୍ରେମିକ ହୋଇଥିଲେ ଆସି ନ ଥାଆନ୍ତୁ?

-ଜମା ନୁହେଁ ।ସେଥିପାଇଁ ତ ପ୍ରେମ କରେନି । ପ୍ରେମରେ ଆଜି କାଲି ପ୍ରେମ କମ ସର୍ତ୍ତ ଅଧିକ। ମତେ ଡର ଲାଗେ।

-ତୋର କଲିଜା ନାହିଁ।ସେଟା ହୃତପିଣ୍ଡ ଟାଏ କେଵଳ। 

-ଆଗରୁ ଅନେକ ଥର ଶୁଣିଛି ଏସବୁ। କଳିଜା ନାହିଁ , ଭାବନା ନାହିଁ ।ଏବେ ସତ ଲାଗିଲାଣି ଏସବୁ।

-ହଉ ନ ଆ।ମୁଁ ଦୁଃଖ କରୁନି। 

-କ୍ଷମା କରିବେ ଉପାୟ ନାହିଁ। ଆଜି ପ୍ରଥମ କରି ବର୍ଷାକୁ କ୍ରୋଧ କରିବାକୁ ଇଛା ହେଉଛି।

-ନା , କ୍ରୋଧ ନୁହେଁ ଅଭିମାନ କର। ଗତ ଥର ଭିଜେଇ ଥିଲା ପ୍ରେମରେ ଏଥର ବନ୍ଦୀ କରି ଦେଇଛି ତତେ।

-ହଁ ସୀମିତ ହେଲେ ବି ସ୍ମରଣୀୟ ଥିଲା ସେ ସମୟ। ମୁଁ ଦୁଃଖିତ ଏଥର ସମ୍ଭବ ନୁହେଁ।

-ବ୍ୟସ୍ତ ହଅନା।ଟ୍ୟୁସନ କରୁଥିଲି।

-କାହିଁକି ?

-ମୋ ପ୍ରେମଟା ଏଇମିତି ।ଏଇ ବାଗରେ ।ଦେହ ନୁହେଁ ମନକୁ ଭଲ ପାଇବା ସେଇଟା ସ୍ୱର୍ଗୀୟ। 

- ହଉ ସ୍ୱର୍ଗୀୟ ପ୍ରେମ କୁ ବୁଝିବା ପାଇଁ ଆପଣଙ୍କୁ ଭେଟିବାକୁ ହେବ। 


ପ୍ରେମ ଗଳ୍ପ -୨ 


- ଏଇ କଣ କରୁଛୁ ? ଆଜି କଣ ଦିନ ସାରା କିଛି କହିନୁ ?ଚୁପ ରହିବା ତୋ ପକ୍ଷେ ସାଧାରଣ ନୁହେଁ।

- କିଛି ନାହିଁ।ମନ ଖରାପ।

- ତୋ ମନ କେବେ ଭଲ ଥାଏ କି ? 

- ମିଛ କଥା । ଆପଣ ଖାଲି ମିଛ କହିବେ।

- ସବୁ ବେଳେ ସତ କହିବା ଭଲ ନୁହେଁ। ଟିକେ ଟିକେ ମିଛ କହିବା ବି ଭଲ।ଦେଖି ତୁ ଗୋଟେ ମିଛ କହିଲୁ।

- ଆଛା ତେବେ ମୁଁ ଆପଣଙ୍କୁ ଜମା ଡରେନି।

- ଆଛା ।ମୁଁ ବି ଗୋଟେ ମିଛ କହୁଛି ଶୁଣୁ। ମୁଁ ତତେ ଭଲ ପାଏ।

- ହା ହା। ମୁଁ ଜାଣେ ମତେ ହସେଇବା ପାଇଁ ଏତେ କଥା।

- ଆଛା କହିଲୁ ଆମ ଭିତରେ ପ୍ରେମ ହେଇ ପାରିବ ?

- କେଜାଣି ପ୍ରେମ ହେବ କି ନାହିଁ। କିନ୍ତୁ ଆପଣଙ୍କ ସ୍ନେହ ମୋର ଖୁବ ନିଜର।ପ୍ରତିଦିନ ଜୀବନର କିଛି ନୂଆ ଭାଷା ଶିଖୁଛି ଆପଣଙ୍କ ଠାରୁ ଏଇ କଣ ପ୍ରେମ ନୁହେଁ ?

- ଦାର୍ଶନିକ ହେଇ ଯିବୁ କି ? ନା ପ୍ରେମ କରିବା ଶିଖି ଗଲୁଣି ?

- କେଜାଣି କଣ ଶିଖୁଛି ଦର୍ଶନ କି ପ୍ରେମ ? କିନ୍ତୁ ଯାହା ବି ଶିଖୁଛି ଆପଣଙ୍କ ଶିକ୍ଷା ।

- ଆହୁରି ଅନେକ ଶିଖିବୁ। ପ୍ରେମ ଏକ ଅପହଞ୍ଚ ଇଲକା। ସେଠି ତତେ ପହଞ୍ଚେଇବା ଦାୟିତ୍ବ ମୋର। ସ୍ୱର୍ଗୀୟ ପ୍ରେମର ସାର୍ଥକ ଅର୍ଥ ତୁ ଦିନେ ନିଶ୍ଚିତ ବୁଝିବୁ।

- ଆଉ ଯଦି ନ ବୁଝେ ?

- ପରୀକ୍ଷାରେ ଫେଲ ହେବୁ। ଫୁଣି ଥରେ ପଢିବାକୁ ହେବ।କିନ୍ତୁ ସେ ଥର ମୁଁ ନ ଥିବି ।ତୁ ନିଜେ ପଢ଼ିବୁ। ହଉ ରାତି ଅନେକ ହେଲାଣି ଏଥର ଶୋଇପଡ। 

- ଶୁଣିଛି ପ୍ରେମ କଲେ ନିଦ ହଜି ଯାଏ।ତେଣୁ ମୁଁ ଆଗୁଆ ନିଦକୁ ଛାଡପତ୍ର ଦେଇଛି। ଦୁଇ ଦିନ ହେବ ଶୋଇନି ଜମା । 

- ତୁ ସିନା ଦେଇଛୁ ।ମୁଁ କିନ୍ତୁ ଦେଇନି କି ଦେଇ ପାରିବିନି।ମତେ ଭାରି ନିଦ।ତୁ ପ୍ରେମକୁ ବୁଝୁଥା ଆଉ ତୋ ପ୍ରେମିକକୁ ଖୋଜୁଥା। ନ ପାଇଲେ ମୁଁ ହାତ ଧରି ନେଇଯିବି ।



ପ୍ରେମ ଗଳ୍ପ- ୩ 


- ମୁଁ ଏବେ ଭୟଙ୍କର ପ୍ରେମରେ , ଜଣେ ଅପ୍ରେମୀ ପ୍ରେମିକାର।


-ତୁମ ପ୍ରେମ ପରା ସ୍ୱର୍ଗୀୟ ? ଫରକ କଣ ସେ ପ୍ରେମୀ ହେଉ କି ଅପ୍ରେମୀ । ସେ କବାଟ କିଳିଲେ , ତୁମେ ଝରକା ଖୋଜିନେବ।


- ନା , ସମ୍ଭବ ନୁହେଁ। କବର ଦେଇଦେବା ପ୍ରେମକୁ।କଷ୍ଟତକ ଭୋଗିନେବା ଆଖିବୁଜି।


- ସତରେ କଣ ତୁମଠାରେ ଆଉ ବାଟ ନାହିଁ ସେ ଅପହଞ୍ଚ ଇଲାକାକୁ ? ତୁମେ'ତ କଥା ଦେଇଥିଲ ନେଇଯିବ ବୋଲି। ମୁଁ କଣ ସତରେ ଫେଲ ହେଇଗଲି ? ଏଥର ମତେ ନିଜେ ନିଜେ ଯିବାକୁ ହେବ ସେ ଯାଏଁ ?


- ହଁ, ଏଥର ତୋ ପାଳି। ତୁ ନିଜେ ଚାଲିବୁ ଏଥର ଆଉ ମୁଁ ନେବି ନାହିଁ ତୋ' ହାତ ଧରି। 


- ତା' ଭାରି କଷ୍ଟ ! ମୁଁ ଜମା ପାରିବିନି।


- ଗୋଟେ ପ୍ରଶ୍ନର ଉତ୍ତର ନିର୍ଭୟରେ ଦେଇ ପାରିବୁ ? 


- ହଁ, ପାରିବି । ଆଉ ଭୟ କରୁନି ତୁମକୁ।


- ମୋତେ ଟିକେ ଭଲ ପାଇ ପାରିବୁ ? ମୋ'ର ଖୁବ ପ୍ରିୟ ନକହି ପ୍ରିୟତମ କହି ପାରିବୁ ? ସତ କହିଲୁ କେବେ କଣ ଏ କଥା ଭାବିନୁ ? ମୋ ବିଷୟରେ କଣ ଅନୁଭବ କରୁ ?


-ଓଃ ; ପ୍ରଶ୍ନର ପାହାଡ଼ରେ ପୋତି ପକାଇବ କି ? ଖୁବ ସମ୍ମାନ କରେ ତୁମକୁ। ମୋ ଜୀବନରେ ବଡ଼ ଜାଗା ଟିଏ ଏବେ ତୁମ ଅଧୀନରେ।


- ବଡ଼ ଜାଗାରେ ମୋର କି କାମ ? ତୋ' ହୃଦୟରେ କୁନି ଜାଗାଟିଏ କେବଳ ମୋର ଇଚ୍ଛା।


-ଇଛା ତ ଅନେକ । କିନ୍ତୁ ଇଛା ବାସ୍ତବତା ମଧ୍ୟରେ କାହିଁ କେତେ ପାର୍ଥକ୍ୟ।


- ତେବେ ବାସ୍ତବବାଦୀ ହେବା। ସ୍ୱପ୍ନ ଦେଖିବା , ପ୍ରେମ କରିବା ବନ୍ଦ। ତୁ ଖୁବ ନିଷ୍ଠୁର ।ମୁଁ ବୁଝି ପାରେନି ଏ ତୋ'ର କଠୋର ଆବରଣ ନା ତୁ ସତରେ ପାଷାଣି ।ତୋ'ର କେବେ ଆକର୍ଷଣ ନାହିଁ। ତୋ'ର କଣ ଇଛା ହୁଏନି ଥରୁଟିଏ ନିବିଡ଼ ହେବାକୁ ? ସମାଜକୁ ଫାଙ୍କି ଦେଇ ପ୍ରେମ କରିବାକୁ ? ଆଛା ତୁ କଣ ଅନନ୍ୟାଚୁରାଲ ? କିମ୍ବା ସାମାଜିକ ହେବାକୁ ଅହେତୁକ ଇଛାରେ ନିଜକୁ ବାନ୍ଧି ରଖିଛୁ ?


- ଇଚ୍ଛା ଏକ ସମସ୍ୟା ତାର ସମାଧାନ ଥିଲେ ଏ ଯାବତ ତୁମକୁ ପ୍ରେମ କରି ନ ଥାନ୍ତି କି ? ସବୁ କଣ ଇଛା ଅନୁସାରେ ଘଟେ? ଇଚ୍ଛା ଟାଏ ଖାଲି ହୁଏ ସମୟ କିନ୍ତୁ ଅଲଗା ଖେଳ ଦେଖାଏ।କଷ୍ଟ ହୁଏ ଖୁବ୍ ବେଶୀ।


- ତୁ' ଭାରି ଜଟିଳ ,ଅସ୍ପଷ୍ଟ । ତୋ' କଥା ମୁଁ ବୁଝିପାରେନି ଜମା।ସତ କହ ପ୍ରେମ କରୁଛୁ କି ନା ? ମୁଁ ହାରିବା ଠାରୁ ଓହରିଯିବା ପସନ୍ଦ କରେ ।


- ମୁଁ କିନ୍ତୁ ଓହରି ଯାଏନି। ଏଥର ବି ଯିବିନି । ପ୍ରେମ କରିବି କି ନା ଜାଣିନି କିନ୍ତୁ ସ୍ୱର୍ଗୀୟ ପ୍ରେମକୁ ହାରିଯିବାକୁ କେବେ ଦେବିନି। ସ୍ୱର୍ଗୀୟ ପ୍ରେମ ରେ ହାର ନ ଥାଏ, ଖାଲି ଗୋଟେ ପାଇବାର ଅଦମ୍ୟ ଇଛା କୁ ତ୍ୟାଗର ଖୋଳପା ପିନ୍ଧି ସାମ୍ନା କରିବାକୁ ପଡେ ବାରମ୍ବାର।




Rate this content
Log in

Similar oriya story from Romance