STORYMIRROR

Lopamudra Parida

Abstract Others Children

3  

Lopamudra Parida

Abstract Others Children

ସିମିରି

ସିମିରି

3 mins
45


ରାତି ନ ପାହୁଣୁ ଡା....କୁ ଥିବ, ଲମ୍ବେ....ଇ ଲମ୍ବେ....ଇ ।

ମା ମା ମା ,ରାଧାରାଣୀ ରାଧାରାଣୀ, କନ୍ହେଇ କନ୍ହେଇ,

ଆହେ ଚକ୍ରଧର ପକ୍ଷୀ ଜନମରୁ ପାରି କର । ଲହରଉଥିବ ଗଲା ।

କୂଅରୁ ପାଣି କାଢି, ଗାଧେଇ, ରନ୍ଧା ପାଣି ରଖି, ଦିଅଁ ପୂଜା ବଢେଇବା ଭିତରେ ତାକୁ ଭିଜା ଶୋଲା ମୁଠେ ଆଉ କଦଳୀ କି ହେଉ ଖଣ୍ଡେ ଦେଇଥିବ ମା ।ତା ଭିତରେ ହଳଦୀ ପାଣିରେ ଗାଧେଇ ଡେଣା ଝାଡିସାରିଥିବ ସିଏ ଖରାକୁ ପିଠି ଦେଖେଇ ।

ଆମେ ସ୍କୁଲ ବାହାରିଲେ କହିବ ବା ବାଏ । ଆସିଲେ କହିବ ଆସିଗଲ ଆସିଗଲ, ବଲ୍ ଖେଳିବା,ବଲ୍ ଖେଳିବା ସବୁ ତାର ଦି ଦି ଥର ।

ଘରକୁ କିଏ ଆସିଲେ, ମାଙ୍କଡ ପିଜୁଳିଗଛରେ ଚଢିଲେ, ଦେଈର ପୁଅ ମୁହଁ ହାମୁଡି ପେଟେଇ ପେଟେଇ ଖଟ ଦାଢକୁ ଆସିଲେ, ବୋଉ ଗୁହାଳ କି ବାରିଆଡେ ଥିବା ବେଳେ ପାକଶାଳରେ ଭାତ ଉତୁରିଲେ, ବାପା କି ଭାଇ କାମରୁ ଘରକୁ ଲେଉଟିଲେ, ଏମିତି କି କେନାଲରୁ ବେଙ୍ଗଟେ ପିଣ୍ଢାକୁ ଡେଇଁ ଡେଇଁ ଉଠିଲେ ବି ଆମ ସିମିରି ର ସ୍ବର ଶୁଭିବ ହିଁ ଶୁଭିବ ।ସିଏ ଆମ ଘରର ଅଧା କାମ କରେ ଜାଣିକି ।ମା କୁ ଆମର ଗୋଡେ ଗୋଡେ ଜଗିଥାଏ ।

ଆମ ଦେଈର ଝିଅ ମିସିରି ଖାଇବାକୁ ବୋଉ ପାଖରେ ଅଝଟ ଲଗାଏ ଆଉ ତା ପାଟିରେ ମିସିରି ପଶେନି ବୋଲି ସେ ସିମିରି କହେ । ସିଏ ହି ଆମ ଶୁଆ ନାଁ ସିମିରି ଦେଲା, କହିଲା ଆଈ ଲୋ ସିମିରି ଭଳିଆ ମିଠା କଥା କହୁଛି ନା ,ତା ନାଁ ସିମିରି ଦବା ।

ଯୋଉ ଦିନ ଝଡି ବରଷାରେ ଡେଣା ଯୋଡି ଆମ ଅଗଣା ମୂଳରେ ଛେଚି ହୋଇପଡିଥିଲା ,ଆଉ ମା ର ବୋଉର ତାକୁ ଟେକିଆଣି ହଳଦି ଲଗେଇ ଉଷୁମ ନିତିଆନି ତୁଳା ଭିଜେଇ ତାକୁ ପେଇଥିଲେ ସିଏ କେମିତି ଗୋଟେ ମାୟାରେ ବାନ୍ଧି ଦେଲା ଆମକୁ ।ଏଡିକି ଟିକେ ହେଇଥିଲା ,ମା ର ପାପୁଲିରେ ଧରିଯାଉଥିଲା ।ନାଲା ପଟା ଗାର ତା ବେକ ଠି ଦେଖି ମା କହିଲା ଇଏ ନାହାକ ଶୁଆ, ଭଲ କଥା ବୋଲ ମାନିବ ।

ଆମେ ଗୋଟେ ଖୁସି ହେଇଯାଇଥିଲୁ ପୁରା କଥାକୁହା ସାଙ୍ଗ ଟେ ପାଇକି ।ଆମର ଗୋଟେ କାମ ଜୋଡି ହେଇଯାଇଥିଲା ନିତିଦିନିଆ ପାଠ୍ଯକ୍ରମରେ । ତାକୁ ନୂଆ ନୂଆ ଶବ୍ଦ ଶିଖେଇବା।ଶିଖୁ ବି ଥିଲା ସିଏ ଚଞ୍ଚଳ ଚଞ୍ଚଳ ।ତା ଶିଖା ଚଞ୍ଚଳକୁ ଆମେ ଘୋଷା ବଳଦ ଡାକଟି ପାଇଥିଲୁ ।ତାକୁ ହାତରେ ବସେଇ ଖୋଲାରେ ଆମେ ସାହି ଯାକ ବୁଲୁ ।

ବୋଉ କିନ୍ତୁ କହେ, ଦିଅରେ ତାକୁ ଉଡେଇଦିଅ ।ତା ଘର ଲୋକ ଚାହିଁ ଥିବେ ।ତା ବୋଉ ତା ବାଟ ତାକିଥିବ ତାର ।ଦିଅ ଉଡେଇ। ଆମେ ଏପଟେ ପୁରେଇ ସେପଟେ କାଢିଦଉ ।ସିଏ ବି କୋଉ ଯାଏ ଯେ, ଯେତେ ଥର ମା ବୋଉ କରି ତାକୁ ଉଡେଇଦେଲେ ସିଏ ବାଟ ଚିହ୍ନି ଫେରି ଆସେ ଆଉ ପୁଣି ମା ମା ମା ଡାକେ ।ମା କହେ ମୋରି କଣ ଥିଲା ଏଇ ଗୋଟିକ ଆର ଜନମରୁ ଦେଖିବୁ ରଖ ମୁଁ ଗଲା ବାସି ଇଏ ଏମିତି ଉଡିଯିବ ଯେ ଆଉ ଲେଉଟିବନି ।

ଦିନେ ଭୋରୁ ତ ଖାଲି ମାରିଛାଟି ହେଲା,କାହା ହାତକୁ ଆସିଲାନି ।ପାଖ ମାଡିଲାନି ।ବୋଉ ତା ପ୍ରିୟ ଲାଲି କଞ୍ଚା ଲଙ୍କା ଆଉ କଇଁଚି କାକୁଡି ଫଳ ଆଣିଦେଲା, ଥଣ୍ଟ ଖୁଣ୍ଟେଇଲାନି ଟୋପେ ।ଜଳ ଫଳ ତ୍ଯାଗ କଲା ।ମା ତାକୁ ହାତରେ ବସେଇ ଗାଇଲା

କଇଁଚି କାକୁଡି ଲଳିତା ପିତା

ଧନ ମୋର ହେବ ଜଗତ ଜିତା ।।

ସିଏ ବି ଗାଇଲା,

ଜଗତ ଜିତା ଲୋ

ଜଗତ ଜିତା ।।

ଫୁର୍ କି ଉଡିଗଲା ।ଆମେ ଭାବିଲୁ, ହ ଯାଏ ତ ଆସେ ....ଆସିବ ନା ।

ଓପର ଓଳିକୁ ମା ଚୁଡାଭଜା ଚା ଟୋପେ ପି ଶୋଇଗଲା ଯେ ଆଉ ନ ଉଠିଲା ।

ଆମ ସିମିରି ବି ଆଉ ନୋଇଲା ।

ତା ବାଟ ଚାହିଁ ଚାହିଁ ତା ପଞୁରୀ ବି ଭାଇ କବାଡି ବାଲାକୁ ବିକିଦେଲେ ।

ପକ୍ଷୀଟିଏ ବି କେତେ ମାୟା ନ ଲଗାଏ ।ଆଉ ଆମେ ସେଦିନୁ ପୋଷା ରଖିବୁନି ଭାବିଥିଲୁ ଯେ, କାଲି ବରଷା ଝଡିରେ ଆଉ ଗୋଟିଏ କୁକୁର ଛୁଆ ଆମ ଦାଣ୍ଡ ପିଣ୍ଢାରେ ଚଢି ଶକଉଛି ।

ବୋଉ ବୋଧେ ତା ଉଷୁମ ବ୍ଯବସ୍ଥାରେ ଲାଗିପଡିଲାଣି ନା କଣ ,ମତେ କଣ ଭାଡି ତଳୁ ଚଞ୍ଚଳ ଅଖାଟା ଆଣିଲୁରେ ମା .....ଡାକ ପକେଇଲାଣି ।

ମୁଁ ଆସେ ....ହାଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract