STORYMIRROR

P.purabi Mohanty ପି.ପୁରବୀ ମହାନ୍ତି

Romance Tragedy

3  

P.purabi Mohanty ପି.ପୁରବୀ ମହାନ୍ତି

Romance Tragedy

ସୀମାରେଖା

ସୀମାରେଖା

8 mins
266


( ଆକାଶ ଭାବିଲା କି ଶୈଳଜା , ରବୀନ୍ଦ୍ର ସହିତ ଖୁସିରେ ରହିବ କାରଣ ରବୀନ୍ଦ୍ର , ଶୈଳଜା ପରି ଜଣେ ମନମୁତାବକ ବ୍ୟକ୍ତି କିନ୍ତୁ ଆକାଶ ନୁହେଁ । ଆକର୍ଷଣ କ୍ଷଣିକ ଖୁସି ଦେଲେ ମଧ୍ୟ ଚିରଶାନ୍ତି ଦେଇପାରିବ ନାହିଁ ଉଭୟଙ୍କୁ ତେଣୁ ଆକାଶ ପଛକୁ ଘୁଞ୍ଚି ରବୀନ୍ଦ୍ର ଆଉ ଶୈଳଜା ପାଇଁ ଶୁଭକାଙ୍କ୍ଷୀ ) 

କିଏ ଜାଣିଥିଲା ସେଦିନ ବଜାରରେ ତମ ସହ ଦେଖା ହୋଇଯିବ ବୋଲି । ଦେଖାହେବ ପୁଣି ଏଭଳି ଢଙ୍ଗରେ । ମୁଁ ମୋ ବଂଧୁ ବିଜୁ ସହିତ ବଜାରକୁ ଯାଇଥାଏ । ବଜାରରେ ବୁଲୁ ବୁଲୁ ମାେ ଆଖି ଟାଣି ହୋଇଯାଇଥିଲା ଏକ ଚିତ୍ରପଟ ଆଡ଼େ । ସେହି କ୍ଷଣକରେ ସେ ଚିତ୍ରଟି ମନରେ ଏକ ସ୍ବତନ୍ତ୍ରତା ଅର୍ଜନ କରିନେଲା । ସାଧାରଣତଃ ଏଭଳି ହୁଏ , ପ୍ରଥମ ଦେଖାରେ ଆମକୁ କିଛି ଭଲ ଲାଗେ ଆଉ ମନକୁ ଛୁଇଁ ବସେ । ଅଳ୍ପ ବ୍ୟବଧାନରେ ହେଲେ ମଧ୍ୟ ଏକ ମୁହୂର୍ତ୍ତରେ ଶରୀରର ଶିରା ପ୍ରଶିରାକୁ ଖେଳେଇ ହୋଇଯାଏ । ସେ କୌଣସି ପଦାର୍ଥ , ବ୍ୟକ୍ତି ହେଉ ଅବା ମଣିଷ । ଦୂରରୁ ସେ ଚିତ୍ରପଟକୁ ପାଖରୁ ନିରୀକ୍ଷଣ କରିବାକୁ ଇଚ୍ଛା ହେବାରୁ ପାଦ ସେ ଦୋକାନ ଆଡ଼କୁ ବଢ଼େଇଲି । କିନ୍ତୁ ମୁଁ କେବେହେଲେ ଭାବିନଥିଲି କି ସେ ଚିତ୍ର ତୁମ ମନ ମଧ୍ୟରେ ମାେ ସଦୃଶ ଆକର୍ଷଣ ପ୍ରତିଷ୍ଠା କରିଥିଲା । ମୁଁ ତୁମକୁ ଦୀର୍ଘ ନଅ ଦଶ ବର୍ଷପରେ ଦେଖୁଥିଲି । ସେ ବଜାରରେ ବୁଲୁଥିବା ଅନେକ ଚଳପ୍ରଚଳ ଅଜଣା ଭିଡ଼ରେ ତୁମକୁ ଦେଖୁଥିଲି । 

ଆକାଶ - " କେମିତି ଅଛ ଶୈଳଜା , ଭଲ ନା । "

ମୁଁ ଆଉ କଣ କହିଥାନ୍ତି , ସେତେବେଳେ ।

ଶୈଳଜା - ତୁମେ ତ ଜାଣିଛ । ନଅଦଶ ବର୍ଷ ପୂର୍ବରୁ ଠିକ୍ ଥିଲି ଆଉ ଏବେ ମଧ୍ୟ ଭଲଅଛି ବୋଲି ।

ଏକ ନିରବତା ଭିଡ଼ , କୋଳାହଳ ଭିତରେ ଦୁଇ ଚିହ୍ନା କିନ୍ତୁ ଅଜଣା ମଣିଷ ଛିଡ଼ା ।

ଶୈଳଜା ସେମିତି ବେଡ୍ ଉପରେ ବସିଛି । କବାଟ ଖୋଲି ଘର ଭିତରକୁ ପ୍ରବେଶ କରିଲା ରବୀନ୍ଦ୍ର ।

ରବୀନ୍ଦ୍ର - " ଶୈଳଜା , ବଜାରରେ ମୁଁ ଯେଉଁ ଲୋକଟିକୁ ତୁମ ସହିତ ଦେଖିଲି ସେ କିଏ ?

ଶୈଳଜା - କେହି ନୁହେଁ , ଜଣେ ଚିହ୍ନା ମଣିଷ । ବହୁ ବର୍ଷପରେ ଦେଖାହେଲା ତାଙ୍କ ସହିତ ।

ରବୀନ୍ଦ୍ର - ସେ ଚିହ୍ନା ମଣିଷ ବୋଧହୁଏ ଆକାଶ ଥିଲା । ଆମ କଲେଜ ପଢିଲାବେଳେ ସେ ମଧ୍ୟ ଆମ ସହିତ ପଢ଼ୁଥିଲା ।

ଶୈଳଜା - ଜଣା ନାହିଁ , ସେ କଲେଜର ପ୍ରତି ଘଟଣାକୁ ଦୁର୍ଘଟଣା ଭାବି ଭୁଲିବାକୁ ଚେଷ୍ଟା କରୁଛି । ତୁମେ ମନେ ପକାଇ କଣ ପ୍ରମାଣିତ କରିବାକୁ ଚାହୁଁଛ ।

ରବୀନ୍ଦ୍ର - କିଛି ପ୍ରମାଣିତ କରିବାକୁ ଚାହୁଁନାହିଁ ବରଂ ତୁମ ମନରେ ଏତେ ବର୍ଷ କାଳ କଣସବୁ ଚାଲିଛି ଜାଣିବାକୁ ଚାହୁଁଛି ।

ଶୈଳଜା - ଏତେ ବର୍ଷ ଘର ସଂସାର କରି ସାରିବା ପରେ , କୁନା ଆଉ ରାଣୀକୁ କୋଳରେ ଧରିସାରିଲା ପରେ ଫେର ଏ ପ୍ରଶ୍ନ କଣ ପାଇଁ ।

ରବୀନ୍ଦ୍ର ଜୋର୍ ରେ କବାଟ ବନ୍ଦକରି ବାହାରକୁ ଚାଲିଗଲେ । 

ଶୈଳଜା ମନରେ ଅନେକ ଅଗଣିତ ବ୍ୟବଧାନ ପରେ ପୁଣି ଥରେ ଅଙ୍କିତ ଛବି ଆଉ ସେ ଭଙ୍ଗା ସପନ ଯାହା କେବେ ଯୋଡ଼ି ହୋଇପାରିବ ନାହିଁ । ଶୈଳଜା ଏଭଳି ଏକ ବାଟ ଦେଇ ଗତି କରୁଥାଏ ନା ସେ ଅତୀତକୁ ପୁରାପୁରି ଛାଡି ପାରୁଛି ନା ବର୍ତ୍ତମାନକୁ ସମ୍ପୂର୍ଣ୍ଣ ଆପଣେଇ ପାରୁଛି । ଖାଲି ସମୟ ସୁଅରେ ଭଙ୍ଗାପତ୍ର ପରି ଭାସି ଚାଲିଛି । ଯେତେବେଳେ ଯେଉଁଠି ପିଟି ହେବ ସେଇଟା ତା ଭାଗ୍ୟର ପରିଣାମ ବୋଲି ଭାବି ନେଇ ସାରିଛି ସବୁଦିନ ପାଇଁ । ବେଡ୍ ରୁ ଉଠି ଆଲମାରୀ ଆଡ଼କୁ ପାଦ ବଢ଼େଇଲା ଶୈଳଜା । ଯେଉଁଠି ନୀତି ଦିନିଆ ବାହ୍ୟ ଆଟୋପ ସାମଗ୍ରୀ ଯଥା କପଡ଼ା ପତ୍ର ଆଉ ରବୀନ୍ଦ୍ରର ଜରୁରୀ ଫାଇଲ କାଗଜ ରହୁଥିଲା । ସେ ଆଲମାରୀର ଏକ ନିଭୃତ କୋଣରୁ ଆଜି ବାହାରିଆସିଲା ଏକ ଆଲବମ୍ ଆଉ କିଛି କାର୍ଡ , ଡାଏରୀ ମଧ୍ୟ । ସଂସାର ଘର ଜଞ୍ଜାଳ ରୁ ଜୀବନର ବହୁ ବର୍ଷ ପରେ ଆଜି ସମୟ ସୁଅରେ ଉଙ୍କି ମାରୁଛି କିଛି ପ୍ରଶ୍ନ ଆଉ ବାହାରି ଦେଖିବାକୁ ଏ ସମୟ ଚକ୍ରରେ ଶୈଳଜା , ରବୀନ୍ଦ୍ର ଆଉ ଆକାଶ କେଉଁଠି ଛିଡ଼ା ହୋଇଛନ୍ତି ଓ କିଭଳି ନିଜ ନିୟତି କୁ ଗ୍ରହଣ କରିନେଇଛନ୍ତି । ଶୈଳଜା ସେ ଆଲବମ୍ ଟିକୁ ହାତରେ ଧରି ଚିନ୍ତା କରୁଥାଏ , କଣ ପାଇଁ ସେ ଆଲବମ୍ ଆଜି ବି ସନ୍ତକ ସାଜି ଅତୀତର ସ୍ମୃତି ଯାହା କି ମୃତ ପ୍ରାୟ ତାକୁ ଧରି ତା ବୋଝକୁ ମୁଣ୍ଡେଇ ଆଗେଇ ଚାଲିଛି , ଜୀବନ ସଂଗ୍ରାମରେ ପ୍ରତି ପଦକ୍ଷେପରେ ? ଶୈଳଜାର ଆକାଶ ପ୍ରତି ଥିବା ଚିନ୍ତା ଅନିୟନ୍ତ୍ରିତ । ଆକାଶର ମନଭୁଲା ଓ ସରଳତାକୁ ନେଇ ଶୈଳଜା ସଦା ତାକୁ ବୁଝାଏ । ଶୈଳଜା ସବୁବେଳେ କୁହେ - " ଏ ଦୁନିଆ ଏତେ ସରଳ ନୁହେଁ ଆକାଶ ତୁମେ ଯାହା ବୁଝୁଛ । " ଆକାଶ ପ୍ରତି ଚିନ୍ତାଚେତନା ଓ ଭାଵନା ଧୀରେ ଧିରେ ଶୈଳଜା ମନ ମସ୍ତିଷ୍କରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିନେଇ ସାରିଥିଲା । ଯଦିଓ ସେ ଆଜି ରବୀନ୍ଦ୍ର ସହିତ ଆଗେଇ ଆସିଛି ମାତ୍ର ଆକାଶ ପ୍ରତି ତା ମନ ଭାବନା ଆଜି ମଧ୍ୟ ସତେଜ । ରବୀନ୍ଦ୍ର କହେ ଯଦି ଆକାଶ ତା ବାଟରେ ଯିବାକୁ ଚାହୁଁଛି ତେବେ ଶୈଳଜା କଣ ପାଇଁ ତା ବାଟକୁ ପ୍ରଶ୍ନ କରୁଛି , ମୋଡ଼କୁ ବଦଳେଇ ଦେଉଛି । ଏଠି ଶୈଳଜା ତା ମନର ଭାଵନାକୁ ବ୍ୟକ୍ତ କରିପାରେ ନାହିଁ । ଯାହା ପାଇଁ ଆମ ମନରେ ଏକ ସ୍ବତନ୍ତ୍ର ଆସନ ଥାଏ ତା ପ୍ରତି ସବୁବେଳେ ଅଧିକାର , ଚିନ୍ତା , ଭୟ ଆସିଥାଏ ଏବଂ ଏହା ସ୍ୱାଭାବିକ ମଧ୍ୟ । ଯେ କୌଣସି ଲୋକକୁ ସହଜରେ ବିଶ୍ୱାସ କରିବା ଓ ସେ ବିଶ୍ୱାସ ବଦଳରେ ଅନେକ ଯନ୍ତ୍ରଣା ପାଇଲେ ମଧ୍ୟ ମିଳୁଥିବା ସେ ଯନ୍ତ୍ରଣାକୁ କ୍ଷଣିକରେ ଭୁଲିଯାଇ , ତାକୁ କ୍ଷମା କରି ପୁଣି ଏକ ନୂତନ ଆଘାତକୁ ସ୍ଵାଗତ କରିବା ଥିଲା ଆକାଶର ଚିରାଚରିତ ସ୍ଵଭାବ । ତେଣୁ ଆକାଶ ପାଇଁ ଶୈଳଜାର ଚିନ୍ତା , ସାଧାରଣ ବନ୍ଧୁତା ଦୃଷ୍ଟିରୁ ଅନେକ ଉପରେ । ବେଳେବେଳେ ରବୀନ୍ଦ୍ର ଚିନ୍ତା କରେ ଶୈଳଜାର ଆକାଶ ପ୍ରତି ଏହି ଚିନ୍ତା ଚେତନା ଏତେ ସ୍ପଷ୍ଟ ଆଉ ଉଜ୍ଜଳ ଥାଏକି କିଏ ବା ନକହିବ ଶୈଳଜାର ଭାବନା ବହୁତ୍ ଦୂରକୁ ଚାଲିଯାଇଥାଏ ଆଉ ଏହା ବେଳେବେଳେ ଆକାଶ ପ୍ରତି ଶୈଳଜାର ଏକ ପାଗଳାମି ବୋଲି ଆଖ୍ୟା ପାଇଯାଇଥାଏ । ଶୈଳଜା ନିଜକୁ କେତେକାଂଶରେ ପୁରାପୁରି ପାସୋରି , ଆକାଶର ବ୍ୟକ୍ତିଗତରେ ସୁଦ୍ଧା ପକ୍ଷପାତ କରିବାକୁ ପଛାଏ ନାହିଁ । ଆମେ ଅନେକସମୟରେ ଏଭଳି ସମ୍ପର୍କ ଗଢ଼ିଥାଉ ଯେଉଁଠାରେ କି ପ୍ରତିବଦଳ ଆଶା କରୁନା ଆଉ ଚିନ୍ତା ଓ ଚେତନାରେ ସେ ମଣିଷ ପ୍ରତି ଟିକେ ହେଲେ ଉଣା ମଧ୍ୟ କରିପାରୁନା । ରବୀନ୍ଦ୍ର କେବେହେଲେ ଶୈଳଜା ଓ ଆକାଶ ମଧ୍ୟର ସୀମାରେଖାକୁ ପାର କରିନାହିଁ । ଯେଉଁ ସୀମାରେଖା ଭିତରେ ଦୁଇ ବନ୍ଧୁ ନିଜ ବ୍ୟକ୍ତିତ୍ଵ ଆଉ ପରସ୍ପର ପାଇଁ ଇଚ୍ଛା ଆଗ୍ରହ ନେଇ ବିଦ୍ୟମାନ । ରବୀନ୍ଦ୍ରକୁ ବେଳେବେଳେ ଈର୍ଷା ହୁଏ କିନ୍ତୁ ସେ ତାର ନିର୍ଦ୍ଧିଷ୍ଟ ରେଖାରେ ଛିଡ଼ା ହୋଇ ସବୁ ଅନୁଭବ କରିଚାଲୁଥାଏ । ବୋଧହୁଏ ତାକୁ ଡର ଥାଏକି ଯଦି ତାର କୌଣସି ପ୍ରଶ୍ନରେ ଶୈଳଜାର ମୁହଁରୁ ଆକାଶ ପ୍ରତିଥିବା ଭାବନା ସଙ୍ଗୀତର ଡୋର ବାନ୍ଧେ ତେବେ ତାହା ରବୀନ୍ଦ୍ର ପ୍ରତି ଆହୁରି ଅଟ୍ଟହାସ୍ୟ ହୋଇଯାଇପାରେ । ସେ ଯାହାହେଉ ରବୀନ୍ଦ୍ର ଅନେକ ସମୟରେ ଶୈଳଜାର ଆକାଶ ପ୍ରତି ଏହି ନିଃସ୍ଵାର୍ଥ ଭାବନାକୁ ପ୍ରଶଂସା କରି ମଧ୍ୟ ରହିପାରେ ନାହିଁ । କିନ୍ତୁ ଯେହେତୁ ସ୍ବାମୀ ମନ ତେଣୁ ବେଳେବେଳେ ସ୍ବାମୀ ହୃଦୟର ଇର୍ଷା ଅଭିମାନ ନେଇ , ପର ପୁରୁଷ ପାଇଁ ଅତ୍ୟଧିକ ଚିନ୍ତାକୁ ସେ ସହ୍ୟ କରିପାରେ ନାହିଁ । ତିନୋଟି ଭିନ୍ନ ମାନସିକତାର ମଣିଷ ନିଜ ବାଟରେ ଗତିଶୀଳ । ନା ସମାଜର ଡର ନା ପରିବେଶ କି ପରିସ୍ଥିତି । ନିଜ ଅନ୍ତର୍ନିହିତ ମନୋଭାବକୁ ମନ ମଧ୍ୟରେ କିଛି ଅଂଶ ପର୍ଯ୍ୟନ୍ତ ଦବାଇ ଅଗ୍ରସର ସମାଜ କୋଣ ଅନୁକୋଣରେ । ଆଲବମ୍ ରେ ଥିବା ନଅବର୍ଷ ତଳର ଆକାଶକୁ ଆଜିର ଆକାଶ ସହ ସମତଳରେ ବସାଇ ଚାଲିଥିଲା ବେଳେ ଜୋରରେ ଝରକା ପଟୁ ପବନ ମାଡ଼ି ଆସିଲା ଆଉ କାନ୍ଥରେ ଝୁଲୁଥିବା ରବୀନ୍ଦ୍ର ଓ ଶୈଳଜାର ବିବାହ ଫୋଟ ଫ୍ରେମ୍ ଟି ଆନ୍ଦୋଳିତ ହୋଇ ଦୋହଲିଗଲା । ପ୍ରେମ ଶାଶ୍ୱତ ଓ ଚିରନ୍ତନ , ଏହି କଥାକୁ ବୁଝିଥିବା ତିନୋଟି ହୃଦୟ ଯେ ଅନେକ ଦୁର୍ବଳ କ୍ଷଣରେ ସେସବୁର ସଂଜ୍ଞାକୁ ଭୁଲି ବସନ୍ତି ଆଉ ଇର୍ଷାରେ ଆନ୍ଦୋଳିତ ମଧ୍ୟ ହୁଅନ୍ତି । ରବୀନ୍ଦ୍ର ନିଜର ଶାରୀରିକ ଉତ୍ତେଜନାକୁ ଅଟକାଇବାକୁ ଅସମର୍ଥ ହୋଇ ଅଗ୍ନିରେ ନିର୍ବାପିତ ପତଙ୍ଗ ସଦୃଶ ନିଜକୁ ସେହି ଆହୁତିରେ ଝାସ ଦେଇ ସେଥିରେ ଶେଷ ହୋଇଯିବାକୁ ନିଷ୍ପତି ନେବାପାଇଁ ଚିନ୍ତା କରୁଥାଏ ଯାହାକି ଶୈଳଜା ପାଇଁ ଅଜଣା ଥିଲା । କାମନାର ବିନାଶରେ ଦୁଃଖର ବିନାଶ ରବୀନ୍ଦ୍ରର ଇର୍ଷା ଓ ଅପେକ୍ଷାରତ ପ୍ରତି ମୁହୂର୍ତ୍ତ ଏହା କହୁଥାଏ । ଅତୀତର ଛାଇ ଓଜନଦାର ବର୍ତ୍ତମାନକୁ ମୁହୂର୍ତ୍ତକ ଆଗରେ ବଳି ପକେଇଦେଉଥାଏ ।

  ଶୈଳଜା ପଲଙ୍କ ଉପରେ ବସି ଚିନ୍ତା କରୁଥାଏ ହାତଗଣ୍ଠି ଆଗରୁ ଶରୀରରେ ଗଣ୍ଠି ପକାଇବା ଯେ ଏକ ସାମାଜିକ କଳଙ୍କ ଏକଥା କ'ଣ ଆକାଶ ଆଉ ମୋତେ ବୁଝିବାର ନଥିଲା ? ସମାଜର ଯେ କିଛି ନୀତି ନିୟମ ଅଛି ଆଉ ସେସବୁ ସେମାନଙ୍କୁ ମାନିବା ବାଧ୍ୟତାମୂଳକ ଏକଥା ସେମାନେ ଭୂଲିଯିବା କ'ଣ ଉଚିତ୍ ଥିଲା ? ଆଜି ହେଲା କଣ ? ନା ଆକାଶ ପାଇଁ ଆଉ ନା ରବୀନ୍ଦ୍ର ପାଇଁ । ଏମିତି ଶୈଳଜାର ଅନେକ ଭାବନା ମଧ୍ୟରେ ଆକାଶର ଜହ୍ନ ଉଇଁ ଆସି ଚନ୍ଦ୍ରମାର ଜ୍ୟୋସ୍ନା ଝରକା ଦେଇ ବିଦାରିତ କରି ପକାଏ ତାକୁ । ଆକାଶର ଯତ୍ନ ନେବାରେ ତା ପ୍ରତି ଭଲପାଇବା ସହାନୁଭୂତି ସବୁକିଛି ରବୀନ୍ଦ୍ର ମନରେ ଘର କରିବା ଆରମ୍ଭ କରିଥାଏ । ରବୀନ୍ଦ୍ର ଏବେ ସୁଦ୍ଧା ଫେରି ନାହାନ୍ତି । ଶୈଳଜା ଘଡିକୁ ଦେଖେ ଆଉ ଦେଖେ ତା ବିବାହ ଫୋଟ ଫ୍ରେମ୍ ଆଡ଼େ । ଝୁଲା ଚେୟାରରେ ଶୈଳଜା କ୍ଷ୍ୟତାକ୍ତ ଓ ବିଦୀର୍ଣ୍ଣ ହୋଇ ପଡ଼ି ରହିଛି । ସକାଳର ପହିଲି କିରଣରେ ସମୟ ଗତିଶୀଳ ହୋଇଛି । ଯନ୍ତ୍ରଣାରେ ଜର୍ଜରିତ ଶୈଳଜା ଆତ୍ମାର ଚିତ୍କାର ଶୁଣିବାକୁ ରବୀନ୍ଦ୍ର କାଲି ରାତିରୁ ନିରୁଦ୍ଧିଷ୍ଟ । ସ୍ଵପ୍ନରେ ଶୈଳଜାର ଆକୁଳ ନିବେଦନ କଣ ରବୀନ୍ଦ୍ର କର୍ଣ୍ଣକୁ ଭେଦକରି ହୃଦୟକୁ ସ୍ପର୍ଶ କରିପାରିନଥିଲା । ବହୁତ୍ ସମୟ ପରେ କାଲିର ସ୍ତବ୍ଧ କବାଟ ଦେଇ ପ୍ରବେଶ ରବୀନ୍ଦ୍ରର । ଶୈଳଜା ତା ସ୍ଥାନରେ ଛିଡ଼ା ହେଲା କିନ୍ତୁ ରବୀନ୍ଦ୍ର ସିଧା ପାଦକୁ ବଢ଼େଇ ଚାଲିଗଲା ତା ପଢା ଘରକୁ । ଆଉ ଭିତରୁ କବାଟ ବନ୍ଦ କରିଦେଲା । ଆଜି ରବୀନ୍ଦ୍ର ଏତେ ବିଚଳିତ କିପରି ? ଯେତେବେଳେ ରବୀନ୍ଦ୍ର ପରିବାରରୁ ପ୍ରଥମେ ବିବାହର ଅସହମତି ଆସିଥିଲା ଶୈଳଜାକୁ ନେଇ ସେତେବେଳେ ମଧ୍ୟ ରବୀନ୍ଦ୍ରକୁ ଏଭଳି ବିଚଳିତ ହେବାର ଦେଖିନଥିଲା । ତେବେ ଆଜି କଣ ହେଲା ? ବିଶ୍ୱାସର ବନ୍ଧନ କଣ ସେବେଠାରୁ ଭାଙ୍ଗି ଯାଇଛି ଯେତେବେଳେ ଶୈଳଜା ସବୁ ସତ୍ୟ ବୋଲି ନିଜ ମୁଁହରେ ସ୍ୱୀକାର କରିଥିଲା ରବୀନ୍ଦ୍ର ସମ୍ମୁଖରେ । ତେବେ କଣ କ୍ଷମା କରିଦେବା ଅଭିନୟ ଥିଲା ରବୀନ୍ଦ୍ରର ? ସବୁକିଛି ଜାଣି ମଧ୍ୟ ଆପଣେଇବାକୁ ଆଗକୁ ଆସିଥିଲା ରବୀନ୍ଦ୍ର । ତାକୁ କେହି ବାଧ୍ୟ କରି ନଥିଲେ । ହଁ ତାକୁ ବାଧ୍ୟ ଯଦିବି କରାଯାଇଥିବ ତେବେବି ସେ ବାଧ୍ୟଟି ତା ମନ କରେଇଥିବ ଯିଏକି ସଦା ଶୈଳଜା ପ୍ରତି ସମର୍ପିତ ଆଉ ସହଯୋଗର ହାତ ବଢ଼େଇ ଆସିଛି । ସେ କଣ ଏବେ ଶୈଳଜାକୁ ଭୂଲି ରୋମା ସହ ଏକ ନୂତନ ସମ୍ପର୍କରେ ବାନ୍ଧିହେବାକୁ ଲାଳାୟିତ ? ରୋମା ଯଦିବି ରବୀନ୍ଦ୍ର ଅଫିସ୍ ର ତା ତଳ କର୍ମଚାରୀ ତଥାପି ଯଦି କେବେ , କେମିତି ଭାବନାରେ ବୋହି ଯାଇଥାଆନ୍ତି ଦୁହେଁ ଯେମିତି ଶୈଳଜା , ଏକଦା ଆକାଶ ପ୍ରତି ଭାବନାରେ ସମସ୍ତ ବାଧା ବନ୍ଧନକୁ ଭାଙ୍ଗି ବୋହିଯାଇଥିଲା । ଆଜି ବି ମନେ ପଡେ ଆକାଶର ସେ ଶେଷକଥା । ତା'ର ସେହି ଶେଷ ଫୋନ୍ କଲ୍ ଆଜି ସୁଦ୍ଧା ସେମିତି ଶୈଳଜାକୁ ଚିତ୍କାର କରି କହୁଥିଲା । ନିଃସହାୟ ଶୈଳଜା ନିଜକୁ ସେ କୋଠରିରେ ଏକ ଜୀଵନ ଶୂନ୍ୟ ମନେକରୁଥିଲା । ତା' ଶରୀରର ରକ୍ତବିନ୍ଦୁ ସବୁ ଯେମିତି ସ୍ଥାଣୁ ପାଲଟି ଯାଉଥିଲା । ମଧୁମକ୍ଷୀ ସାଜି ଆକାଶ ସିନା ମଧୁ ଶୋଷି ଉଡ଼ିଗଲା , କିନ୍ତୁ ଏ ଫୁଲ ଆଜି ଆଉ କାହା ଭବିଷ୍ୟତର ସନ୍ତକ । ମନ ଆଜିମଧ୍ୟ ଏକ ନୂତନ ସୂର୍ଯ୍ୟାଲୋକ ଦେଖିବାର ଅପେକ୍ଷାରେ ଥିଲା । ଏତେ ବଡ କଳଙ୍କକୁ ମୁଣ୍ଡରେ ମୁଣ୍ଡେଇ ଲୋକ ଅପନିନ୍ଦା ଭୟରୁ ଶୈଳଜାକୁ ଦୁନିଆର ରାସ୍ତାରେ ଆପଣେଇ ଥିଲା ରବୀନ୍ଦ୍ର । ଲୋକ ଅପବାଦ ଜଣଜଣ କରି ଆସିବା ଆଗରୁ ସେ ନିଜ ଚିହ୍ନବର୍ଣ୍ଣକୁ ଶୈଳଜା ମଥାରେ ଦେବାକୁ ଶ୍ରେୟ ମନେକଲା ସିନ୍ଦୂର ସ୍ବରୂପ । ବିଧିର ନିର୍ଣ୍ଣୟ ଆଗରେ ବାଧ୍ୟବାଧକତା ସଦୃଶ ରବୀନ୍ଦ୍ର ମୁଣ୍ଡ ନୂଆଁଇବାକୁ ସେତେବେଳେ ରାଜି ହୋଇଥିବେ ଯେତେବେଳେ ଆକାଶ ପ୍ରତି , ଶୈଳଜା ମନର ବ୍ୟକ୍ତ ଭାବନା ସେ ହୃଦୟଙ୍ଗମ କରିଥିଲା । ଶୈଳଜା ଆଜି ଏକ ଜଙ୍ଗଲୀ ଘେରା ବିଚ୍ଛିନ୍ନ କୁଡ଼ିଆରେ ନିଜର ସ୍ଥିତିଧରି ଦଣ୍ତାୟମାନ । ଆଜି ବି ଶୈଳଜା ଆକାଶର ସେ ଚରମପତ୍ରକୁ ସମ୍ଭାଳି ରଖିଛି । ଏହି ଘଞ୍ଚ ଅରଣ୍ୟର ବୁକୁରେ ଆଶାର ଏକ ସୁନ୍ଦର ସ୍ୱପ୍ନ ଦେଇଥିଲା ରବୀନ୍ଦ୍ର । ଏବେ କିନ୍ତୁ ଆଉ ନୁହେଁ । ମୋତେ ରବୀନ୍ଦ୍ରକୁ ହରେଇବା ପାଇଁ ଅନୁମତି ନାହିଁ । ମୁଁ ଆମ ଭବିଷ୍ୟତ ସାଙ୍ଗରେ କଦାପି ଖେଳି ପାରିବିନି । ସେ ସମାଜ ସାଙ୍ଗରେ ଲଢ଼ି ଏ ସମ୍ପର୍କକୁ ଏକ ସ୍ୱତନ୍ତ୍ର ପରିଚୟ ଦେଉଥିଲେ ଆଉ ଆଜି ମାେ ଦାୟିତ୍ଵ । ଆଶା ସୃଷ୍ଟି କରିବାକୁ ପଡିବ ଭବିଷ୍ୟତ ପାଇଁ । ଏହି ରାସ୍ତା ସେତେବେଳେ କେତେ କଣ୍ଟକିତ ହୋଇ ଶୈଳଜା ପାଦଯୁଗଳକୁ ରକ୍ତାକ୍ତ ଓ ଅବଶ କରିପକାଇଥିଲା ଆଉ ଏକ ଅପବାଦ ପରିକଳ୍ପନାର ଝଲକ ବି ତା'କୁ ଅସ୍ତବ୍ୟସ୍ତ କରିପକାଉଥିଲା କିନ୍ତୁ ରବୀନ୍ଦ୍ର ଥିଲା ବୋଲି ସବୁ କିଛି ସମ୍ଭବ ହେଲା । ଆଜି ମୋତେ ସବୁଦିନ ପାଇଁ ଆକାଶକୁ ଛାଡ଼ିବାକୁ ପଡ଼ିବ । ହଁ, ସେ ଏବେ ପ୍ରସ୍ତୁତ ସମାଜର ସବୁ ଝଡ଼ଝଞ୍ଜାକୁ ସାମ୍ନା କରିବାକୁ ଆଉ ମନ ଭିତର ଝଂଯା ସହ ମଧ୍ୟ ।

  ରବୀନ୍ଦ୍ର କେତେ ସମୟ ପରେ କବାଟ ଖୋଲି ବାହାରିଛି । ଗୋଟିଏ କାଗଜ ଧରି ଶୈଳଜା ପାଖକୁ ପାଦ ବଢ଼ାଇ ଚାଲିଛି । " ଆକାଶ ଆଉ ନାହିଁ ଶୈଳଜା । କ୍ୟାନସର ରେ ତା ଶେଷ ନିଃଶ୍ବାସ ଚାଲୁଛି ଡାକ୍ତରଖାନାରେ । " ଭାବୁ ଭାବୁ ଅଟକିଗଲା ଶୈଳଜା । ପାଦ ସେମିତି ସ୍ଥିର ଯେମିତି ଏକ ଅତୀତ ଭାଙ୍ଗି ଯାଉଛି । ସେ ଏପର୍ଯ୍ୟନ୍ତ ଗୋଟିଏ ଚିହ୍ନାମୁଁହକୁ ଭାବନାର ଆଢୁଆଳରେ ଅତିକ୍ରମ କରି ଆସିଥିଲା । ପଛକୁ ବୁଲି ଚାହିଁଲା ଶୈଳଜା । ଜରାଜୀର୍ଣ୍ଣ ଓ ଚିରାଫଟା ମଇଳା ଆବରଣରେ ଆବୃତ ହୋଇଥିବା ଏକ ବହିଟିକୁ ଟେବୁଲ୍ ଉପରୁ ଉଠାଇ ବଢ଼େଇ ଦେଲା ରବୀନ୍ଦ୍ର ହାତରେ । ଥରି ଉଠିଲା ତା'ର ସର୍ବାଙ୍ଗ ଶରୀର । ଦଉଡି ଯାଇ ଶୈଳଜା ତା'ର ଦୁଇ ହାତରେ ଜାବୁଡ଼ି ଧରିଲା ରବୀନ୍ଦ୍ରର ଶରୀରକୁ । କଣ ପାଇଁ.....ରବୀନ୍ଦ୍ର..... କଣ ପାଇଁ ?

 ଥରି ଉଠୁଥିବା ଓଠ ପାଖରୁ ଆଶ୍ଚର୍ଯ୍ୟ ଓ ଅବାଞ୍ଛିତ ପ୍ରଶ୍ନର ଅସୁମାରୀ ଶବ୍ଦ ସ୍ପୁରିତ ହୋଇ ଫେରି ଯାଉଥିଲା ହୃଦୟ ତନ୍ତ୍ରୀକୁ । ଆପେ ଆପେ ତତଲା ଲୁହ ବନ୍ଧବାଡ଼ ଡେଇଁ ଦୁହିଁଙ୍କ ଛାତିକୁ ଭିଜାଇ ଦେଉଥିଲା । ପବନରେ ସେ ଝରକା ବନ୍ଦ୍ ହୋଇଗଲା ଆଉ ରବୀନ୍ଦ୍ର ହାତର ସେ କାଗଜ ଉଡ଼ିଯାଇ ରାସ୍ତାଉପରେ ଗତି କରିଲା । ନିଃସଙ୍ଗ ନିଃସହାୟ ଅପାଂକ୍ତେୟ ।


Rate this content
Log in

More oriya story from P.purabi Mohanty ପି.ପୁରବୀ ମହାନ୍ତି

Similar oriya story from Romance